ଲେଖକର ସଂସାର

 

 

 

 

 

 

 

 

 

 

 

ଲେଖକର ସଂସାର

କିଶୋରୀ ଚରଣ ଦାସ

 

ନିଜକଥା

 

ଲେଖକର ଛପି ଛପି ଦୂରରୁ ଦେଖିବା କଥା ଯେ ମୋ ପିଲାକୁ ‘‘ସେମାନେ’’ ଆଦରିଲେ କି ନାହିଁ, ତା’ର ଭାଷା ବୁଝିଲେ କି ନାହିଁ, ସେଇଠି ତାକୁ ଘରକୁ ନେଲେ ନା ବଜାର ହାଟରେ ଛାଡ଼ିଦେଇ ଗଲେ । ଏଣେ ପାଠକର ବାହାଦୂରୀ ହେଉଛି ନିଜକୁ ସାବାସ୍ ଦେବା ଯେ ମୁଁ ପିଲାଟିର (କିମ୍ବା ପିଲାଟାର) ଭାଷା ବୁଝୁଛି, ସେ କେମିତିକା ବାପର ପୁଅ ଜଣାପଡ଼ି ଯାଉଛି ଏବଂ ତାକୁ ନେଇ କ’ଣ କରିବାକୁ ହେବ, ସେ ବିଷୟରେ ମୋତେ ପାଠ ପଢ଼ାଇବା ଦରକାର ନାହିଁ । ଏଇ ହେଉଛି ଲେଖକ-ପାଠକ ଲୁଚୁକାଳି ଖେଳର ମଜା । ଅଭିମାନ-ଅହମିକାର ଛକାପଞ୍ଝା । ୟା’କୁ ଛାଡ଼ିଦେଇ କ’ଣ ମଞ୍ଚ ଉପରକୁ ଆସି ଭାଷଣ ଦେବ । ଉଚିତ ଯେ ଶୁଣିବା ହେଉ, ଏଇ ହେଉଛି ମୋ ପିଲାର କୁଳଶୀଳ, ସଂପୂର୍ଣ୍ଣ ପରିଚୟ, ଏଇ ତା’ର କାନ୍ଦଣାର ସ୍ଵର, ତା’ ଖନିକଥାର ଅର୍ଥ, ତା’ର ଅକୁହା ଅନ୍ଧାର ଗୁଡ଼ୁ ଗୁଡ଼ିର ଚେହେରା, ଇତ୍ୟାଦି ଇତ୍ୟାଦି ? ଅନୁଚିତ । ତଥାପି ମୁଁ ସଞ୍ଜ ନ ହେଉଣୁ ମୁହଁ ଦେଖାଇ ଏଣୁତେଣୁ ଗୁଡ଼ାଏ କହିବା ପାଇଁ ମନ ବଳାଇଲି କାହିଁକି ?

 

କାରଣ ବୋଲି କିଛି ନାହିଁ, କେବଳ ସଫେଇ । ଦୁର୍ବଳର ସଫେଇ । ସଞ୍ଜ ହୋଇ ଆସିଲାଣି, ଆଉ ସମୟ ନାହିଁ, ମୁଁ ଚାଲିଗଲେ ମୋ ପିଲାର ଯତ୍ନ କିଏ ନେବ, ଏଣୁ ସାହିତ୍ୟ ଓ ଜୀବନର ଦ୍ଵାହି ଦେଇ କେତୁଟା ନିଜ କଥା କହିଦିଏ, ଏଇ ହେଉଛି ମୋର ଅକ୍ଷମଣୀୟ ଦୈନ୍ୟର ଦମ୍ଭ । ସତେ କି ମୁଁ ସବୁ ସାରକଥା କହିପାରିବି ଅବା ଯେତିକି କହିଲି ସେତିକିରେ ମୋ ପିଲାର ଆୟୁଷ ବଢ଼ିଯିବ !

 

ସୁଖର କଥା ଯେ ଏଗୁଡ଼ିକ, ପଣ୍ଡିତ ପାଠୁଆର ପ୍ରବନ୍ଧ ନୁହେଁ । ପ୍ରବନ୍ଧ ଲେଖିବାର ଯୋଗ୍ୟତା ମୋର ନାହିଁ । ପତ୍ରପତ୍ରିକାର ସମ୍ପାଦକମାନେ ମଧ୍ୟ ୟା’ଙ୍କୁ କେଉଁ ଖୁଆଡ଼ରେ ପୂରାଇବେ ସ୍ଥିର କରି ନ ପାରି କେତେବେଳେ ‘ପ୍ରବନ୍ଧ’, କେତେବେଳେ ‘ଲଳିତ ନିବନ୍ଧ’ ଅବା କେତେବେଳେ ‘ରମ୍ୟ ରଚନା’ ବିଭାଗରେ ମାଡ଼ି ଦେଇଛନ୍ତି । ଯେହେତୁ ଏଗୁଡ଼ିକ ଆପଣମାନଙ୍କ ସାଙ୍ଗରେ ମୋର ଅନ୍ତରଙ୍ଗ ଆଳାପ, କଦବା କ୍ୱଚିତ୍ ବିଳାପ, ହୁଏତ ପ୍ରଳାପ ଛଡ଼ା ଆଉ କିଛି ନୁହେଁ-। ଏଇମଧ୍ୟରୁ କେତୋଟି ସଭାସମିତିରେ ପଢ଼ିଥିବା ତଥାକଥିତ ଅଭିଭାଷଣ, ଆଉ କେତୋଟି ସିଧାସଳଖ ଲେଖା, ସର୍ବସାଧାରଣ ପାଠକମାନଙ୍କ ପାଇଁ । ଯୋଜନାର ଅନୁଶାସନ ନାହିଁ ଏଥିରେ, କିଏ କେତେବେଳେ ଆସିଗଲା, ହୁଏତ ଏକାଭଳି ପ୍ରଶ୍ନ ଉପୁଜିବାର ଏକାଭଳି ଉତ୍ତର ଦେବାକୁ ପଡ଼ିଲା । ତେବେ ମୋର କେତେକ ବନ୍ଧୁମାନଙ୍କୁ ଏମିତିକା ଲେଖା ଭଲ ଲାଗିଛି ବୋଲି ଜାଣି ଏଗୁଡ଼ିକ ବହି ଆକାରରେ ଏକାଠି କରି ପ୍ରକାଶ କରିବାର ସାହସ ବାନ୍ଧିଛି । ଆଶାକରେ ସେହି ଦୃଷ୍ଟିରୁ ଆପଣମାନେ ଏହାର ବିଚାର କରିବେ । ଅହୋ, କି ଧୃଷ୍ଟତା ବୋଲି କୁପିତ ନ ହୋଇ ଉଦାର ଆମୋଦର ସ୍ୱାଦୁ ମିଳୁଛି ପରା ବୋଲି ମନେ କରିବେ ।

 

କିନ୍ତୁ ସାବଧାନ, ମାତ୍ର ଆଠୋଟିରେ ସରିଲା ନାହିଁ, ଭବିଷ୍ୟତକୁ ଆହୁରି ଅଛି । ଜାତି ଗଲାଣି ଯେତେବେଳେ ପେଟ ପୂରେଇ ଦିଏ, ଏଇ ଲୋଭଟିକୁ ସହଜେ ଛାଡ଼ିହେବ କେମିତି ?

 

ଶ୍ରଦ୍ଧେୟ ଜାନକୀ ବଲ୍ଲଭ ପଟ୍ଟନାୟକ ସହୃଦୟେଷୁ,

 

ପ୍ରାୟ ବତିଶ ବର୍ଷ ପୂର୍ବେ ଆପଣ ମୋର ବିନା ଅନୁମତିରେ ମୋର ସ୍ତ୍ରୀଙ୍କଠାରୁ ମୋର ଚାରୋଟି ଗଳ୍ପ ଅପହରଣ କରି ନେଇଥିଲେ ‘‘ଝଂକାର’’ରେ ଛପାଇବା ପାଇଁ । ସେହି କେତୋଟି ଗଳ୍ପ ପ୍ରକାଶିତ ହେଲାପରେ ପାଠକମାନେ ମୋତେ ବିଶେଷ ଭାବରେ ଚିହ୍ନିଲେ ଏବଂ ଆଦର କଲେ ବୋଲି ମୋର ବିଶ୍ୱାସ । ଆଜି ବସ୍ତାନି ବାନ୍ଧିଲା ପୂର୍ବରୁ ସାହିତ୍ୟ ଓ ଜୀବନକୁ ନେଇ ଏଣୁତେଣୁ କିଛି କହିବାକୁ ଗଲାବେଳେ ମନେପଡ଼ୁଛି ଆପଣ କେମିତି ସେଦିନ ମୋତେ ବ୍ୟାପକ ତଥା ବିଶିଷ୍ଟ ପାଠକସମାଜର ସାମ୍‌ନାରେ ପହିଲିବାର ପାଟି ଫିଟାଇବା ପାଇଁ ବାଧ୍ୟ କରିଥିଲେ । ସାହିତ୍ୟ ପ୍ରତି ଆପଣଙ୍କର ପ୍ରଗାଢ଼ ଶ୍ରଦ୍ଧା ଓ ସମ୍ମାନର ନମୁନା ହିସାବରେ ଏହାର ମୂଲ୍ୟ ସାମାନ୍ୟ ହୋଇପାରେ; କିନ୍ତୁ ମୋ ପାଇଁ ଏହି ଘଟଣାଟି ସଦା ସ୍ମରଣୀୟ ହୋଇ ରହିଛି । ଏଣୁ ଗଭୀର କୃତଜ୍ଞତା ସହ ମୋର ପ୍ରଥମ ଗଳ୍ପୋତ୍ତର ବାଚାଳତା ‘‘ଲେଖକର ସଂସାର’’ ଆପଣଙ୍କ ହାତକୁ ଟେକିଦେଲି ।

 

ସ୍ନେହାନୁବଦ୍ଧ

କିଶୋରୀ ଚରଣ

Image

 

ସୂଚୀପତ୍ର

 

୧.

ଲେଖକର ସଂସାର

୨.

ମୋ ଦେଶ : ମୋ ସାହିତ୍ୟ

୩.

ସମସାମୟିକ ଓଡ଼ିଆ ସାହିତ୍ୟ : ଏକ ଦୃଷ୍ଟିକୋଣ

୪.

ଗଳ୍ପ ଓ ଗଣତନ୍ତ୍ର

୫.

ହିସାବ ନିକାଶ

୬.

ଭାବ ଭାବନା

୭.

ଛାଇ ଆଲୁଅ

୮.

ସାହିତ୍ୟ ? ଭଲ, ଭଲ….

Image

 

ଲେଖକର ସଂସାର

 

ନାଆଁ ଶୁଣି ବୁଦ୍ଧିମାନ ଆତ୍ମାଭିମାନ ବନ୍ଧୁମାନେ ଶଙ୍କି ଯାଇପାରନ୍ତି । କହିବେ–

 

ଦେଖନ୍ତୁ ଏଇ ବାହାପିଆ ଗୋଷ୍ଠୀର ଅହମିକା । ଲେଖକର ସଂସାର ! ସତେ କି ଲେଖକର ସଂସାର ନିଆରା, ସେଥିର ଚନ୍ଦ୍ରସୂର୍ଯ୍ୟ, ନଦୀସମୁଦ୍ର, ଫଳଫୁଲ ଆମ ଇଲାକାରେ ନାହାନ୍ତି । ସେତିକିରେ ଆପତ୍ତି ନାହିଁ । ସେ ତା’ର ବାଦାମି ସୂର୍ଯ୍ୟ ବାଇଗଣିଆ ଜହ୍ନର ମିଛ ମହାନ ସଂସାରକୁ ନେଇ ସୁଖରେ ଥାଉ । କିନ୍ତୁ ଦୁଃଖର ବିଷୟ ଯେ, ସେ କେବଳ ପ୍ରକୃତିକୁ ନେଇ ଘର କରିବାକୁ ନାରାଜ, ସେ ଆମକୁ, ଅଲେଖକ ଅନ୍ୟମାନଙ୍କୁ ତହିଁରେ ପୂରେଇବାକୁ ଚାହେଁ । ମଣିଷମାନଙ୍କୁ ଚରିତ୍ରବିଶେଷ, କ୍ୟାରାକ୍ଟର୍‌ କରିଦିଏ । କବିତାର ରୂପକ ପାଇଁ, କାହାଣୀର କନ୍ଦଳ ପାଇଁ ସେମାନଙ୍କ ଦେହରେ ଭଳି ଭଳି ରଙ୍ଗ ବୋଳି ରାମ-ରାବଣ ସୀତା-ମନ୍ଥରା ତିଆରି କରେ । ଅର୍ଥାତ୍‌ ଆମକୁ ମିଛ ବନେଇଦିଏ । ଆସ୍ପର୍ଦ୍ଧାର ଅନ୍ତ ନାହିଁ । ସେ ସାହିଭାଇଙ୍କୁ ଡାକପକାଏ । କୁହେ ଏଇ ଅଭିଲା ଅଭିନବ ସଂସାରକୁ ଦେଖ ଏବଂ ତାଳି ମାର । ସେଇଠି ଆମର ରାଗ, ସେଇ ଆମର ଲଜ୍ଜା ! ଆମେ ତାଳିମାରୁ ।

 

ତିରସ୍କାର ମାନିନେବାକୁ ପଡ଼ିବ । ଗଣତାନ୍ତ୍ରିକ ଯୁଗରେ ସଂଖ୍ୟାଗରିଷ୍ଠର ଜୟ ଅନିବାର୍ଯ୍ୟ । ତେବେ ମାନିନେଲା ପରେ ମଧ୍ୟ ଆନନ୍ଦ ଆସେ । ଯେ ସେମାନେ ତାଳିମାରନ୍ତି । ଆଦିମଯୁଗରୁ ଆଜିଯାଏଁ ଇତିହାସ ବୋଧହୁଏ କୌଣସି ଦୃଶ୍ୟ ଦେଖାଇ ନାହିଁ, ଯେଉଁଠି ଗୋଷ୍ଠୀଗତ ଭାବେ ଲେଖକମାନଙ୍କୁ ଅଛୁଆଁ କରି ରଖାହୋଇଛି କିମ୍ବା ଲେଖ ନାହିଁ ବୋଲି ବାଧ୍ୟ କରାହୋଇଛି । ହଁ, କୁହାହୋଇଛି ଏମିତି ଲେଖ, ନ ହେଲେ ହଇରାଣରେ ପଡ଼ିବ । ସମାଜକୁ ଜଗିରଖି ଚଳିବାକୁ ଯାଇ ଲେଖନୀର ସ୍ୱଚ୍ଛନ୍ଦ ଗତି ବ୍ୟାହତ ହୋଇଛି । କିନ୍ତୁ ସାହିତ୍ୟ ରଚନା କାମ ନୁହେଁ, ଅକାମ, ଅପକାମ ବୋଲି କେହି କହି ନାହିଁ ତ ? ଯଦ୍ୟପି କହିଲେ ଚଳନ୍ତା ଯେ ଯେଉଁଥିରେ ନିଜକୁ, ନିଜର ପିଲାଛୁଆ ପ୍ରିୟାପ୍ରୀତିଙ୍କୁ, ହୁଏତ ସମାଜକୁ ଦି’ପଇସା ମିଳିବ, ସେଇ ହେଉଛି କାମ । ହଳ କର, ବେପାର କର, ଫାଇଲ ଚଷ, ପେଚ ମୋଡ଼, ଯେଉଁଥିରେ ‘‘ଉନ୍ନତି’’ ହେବ, ବଞ୍ଚିବାର ସୁଖ ବଢ଼ିବ । ତାକୁ ଛାଡ଼ି ଏଇ ସଂସାରଗଢ଼ାପଣର ଆଡ଼ମ୍ବର କାହିଁକି ? All art is useless, କଳା ମାତ୍ରେ ହିଁ ଅଦରକାରୀ ବୋଲି ଅସ୍‌କାର୍‌ ଓ୍ୱାଇଲଡ଼୍‌ କହି ନ ଥିଲେ ? ଏହାର ଗୋଟିଏ ଉତ୍ତର ହୋଇପାରେ ଯେ କାମ ଶେଷରେ, କାମ ମଝିରେ ମଣିଷ ଆରାମ କରିବାକୁ ଚାହେଁ । ଚାହେଁ ଗୀତ, ଛବି, ଗପ, ମନୋରଞ୍ଜନ । ମନେରଞ୍ଜନର ଖୋରାକ୍ ଯୋଗାଇ ସେଥିରୁ ଦି’ପଇସା ଲାଭ କରିବା କାମ ନୁହେଁ ତ ଆଉ କଅଣ ? କିନ୍ତୁ ଉତ୍ତର ଆଂଶିକ ସତ । ସାହିତ୍ୟର କେତେ ଅଂଶ ମନୋରଞ୍ଜନର ଭାଗରେ ପଡ଼ିବା ସ୍ୱାଭାବିକ ଓ ଉଚିତ୍‌ ଏହାକୁ ନେଇ ବାଦବିବାଦ ହୋଇପାରେ । କିନ୍ତୁ ସାହିତ୍ୟ କେବଳ ମନୋରଞ୍ଜନ ବୋଲି କେହି ଭଦ୍ରବ୍ୟକ୍ତି ଦାବି କରିପାରିବେ ନାହିଁ । ତାହାହେଲେ ବାକିତକ କଅଣ ? ନୀତିଶିକ୍ଷା ? ଭଦ୍ରବ୍ୟକ୍ତି କୁନ୍ଥୁ କୁନ୍ଥୁ ହେବେ । ନା, ସାହିତ୍ୟ ମନୋରଞ୍ଜନଯୁକ୍ତ ନୀତିଶିକ୍ଷା ନୁହେଁ, ଆହୁରି କିଛି ଅଛି । ବୁଝେଇ ହେଉ ନାହିଁ, କିନ୍ତୁ ଅଛି-

 

ଲେଖକ ଚୁଟୁକି ମାରେ । କୁହେ ମୋତେ ଛାଡ଼ି ତୁମେ ରହିପାରିବ ନାହିଁ । ମୁଁ ମୋର ସଂସାର ଗଢ଼ିବି ଆଉ ଦେଖେଇବି । ତୁମ ଉପରେ ଅତ୍ୟାଚାର କରିବି । ତୁମେ ତାକୁ ସହିବ, ତାଳି ମାରିବ, ଜଳକା ହୋଇ ଚାହିଁ ରହିବ । ଧନ୍ୟବାଦ ।

 

ହେଲେ ସେମାନଙ୍କର ଏଇ ବିପରୀତ ରୀତି କାହିଁକି ଓ କୁଆଡ଼ୁ ଆସେ ବିଶ୍ଳେଷଣ ନ କଲେ ଶାନ୍ତି ଲାଗିବ ନାହିଁ । ମୋର ଉପର ହାକିମ ରାମବାବୁ, ମୋର ତଳକିରାଣୀ ଶ୍ୟାମବାବୁ, ସମଶ୍ରେଣୀ ସଫଳ ଓକିଲ ଦାମବାବୁ, ସଫଳ ମ୍ୟାନେଜର ମଧୁବାବୁ, ସଫଳ ବ୍ୟବସାୟୀ ଗୋପାଳବାବୁ ଓଗେର ଓ ସେମାନଙ୍କ ସ୍ତ୍ରୀ-କନ୍ୟାଗଣ –ସେମାନେ କାହିଁକି ମୋ ସାହିତ୍ୟକୁ ବାହାବା କରନ୍ତି ? ଖାଲି ମୋତେ ଖୁସି କରିବା ପାଇଁ ? ତା’ ହୋଇ ନ ଥିବ ପରା । କାହିଁକି ନା ମୁଁ ସେମାନଙ୍କୁ ସାହିତ୍ୟ ସଭା ସମିତିରେ ଦେଖିଛି । ରବୀନ୍ଦ୍ର ସ୍ମୃତି ସଭାରେ କେତେଜଣଙ୍କର ବକ୍ତୃତା ଶୁଣିଛି । ସେମାନଙ୍କ ଘର ଲାଇବ୍ରେରୀରେ ସେକ୍‌ସପିଅରଙ୍କଠାରୁ ଆରମ୍ଭ କରି ଆଧୁନିକତମ ନୋବେଲ ପ୍ରାଇଜ୍ ବିଜେତା ସଲ୍‌ ବେଲୋଙ୍କର ଉପନ୍ୟାସ ସଯତ୍ନରେ ରଖା ହୋଇଥିବାର ଦେଖିଛି-। ମୁଁ ଭାବେ । ସେମାନଙ୍କ ଦୈନନ୍ଦିନ ବାର୍ତ୍ତାଳାପ ରୁଚି ବିଚାରକୁ ସ୍ମରଣ କରେ । ତାଙ୍କ ଜୀବନ ଚେତନା ସହିତ ମୋ ସାହିତ୍ୟର ଯୋଗସୂତ୍ର ବାନ୍ଧିବାକୁ ଚେଷ୍ଟା କରେ । କ୍ରମଶଃ ମୋର ମନେହୁଏ ଯେ, ମୋର ଖୁସି ହେବାର କୌଣସି କାରଣ ନାହିଁ । ସେମାନେ ମୋର ସାହିତ୍ୟକୁ ଭଲପାଆନ୍ତି, କାହିଁକି ନା ଭଲପାଇବା କଥା । ମୋଠାରୁ ଯେଉଁ ଲେଖକର ଅଧିକ ସୁନାମ ଅଛି ତାକୁ ଅଧିକ ଭଲପାଆନ୍ତି । ଯେହେତୁ ତାକୁ ହିଁ କୁହନ୍ତି କଲ୍‌ଚର୍ । ଏଇ କଲ୍‌ଚର୍ ସୁଅରେ ଠେଲିହୋଇ ସେମାନେ ‘ପଥେର ପାଞ୍ଚାଲୀ’ ଦେଖିଛନ୍ତି, ଅଫିସ ରୁମ୍‌ରେ ମହାତ୍ମା ଗାନ୍ଧୀଙ୍କ ଫଟୋ ଓ ଡ୍ରଇଂ ରୁମ୍‌ରେ ଭାନଗଗ୍‌ ରଖିଛନ୍ତି । ସେମାନେ ମୋର ସାହିତ୍ୟକୁ ପ୍ରଶଂସା କରନ୍ତି କାହିଁକି ନା ମୁଁ ଅମୁକ-। ପ୍ରକୃତରେ ସେମାନେ ମୋର ସାହିତ୍ୟକୁ ଚିହ୍ନନ୍ତି ନାହିଁ । ‘ଭଙ୍ଗା ଖେଳଣା’ର ନାୟିକା ପିଲା କି ପିଲାଛୁଆଙ୍କ ମାଆ ତାଙ୍କର ଖିଆଲ ନାହିଁ ।

 

ଲେଖକ ଭାଙ୍ଗିପଡ଼େ । ଏଇହେଲା ତୁମ ବାହାବାର ମୂଳ କଥା ? .ଏଇଥିପାଇଁ ମୁଁ ଝାଳନାଳ ହୋଇ ଲେଖୁଛି ? ତୁମ ଶ୍ରୀହସ୍ତର ଲୀଳାକମଳ ହେବା ପାଇଁ ? ପୂଜା ସଭାପତି କାଳିନ୍ଦୀବାବୁ ଦିନେ ଦୁଃଖ କରି ଲେଖିଥିଲେ–ଓଡ଼ିଆରେ ଲେଖିବି କାହିଁକି ? ମନୋରଞ୍ଜନ ଫରମାଏସି, ସରକାରୀ ଚାହିଦା, ରଏଲ୍‌ଟି ଇତ୍ୟାଦିର ବାହାରେ ସାହିତ୍ୟ ଲେଖିବି କେଉଁଥିପାଇଁ ? କେବେ କାଳେ ମୋର ବହି କେଉଁ ସମ୍ଭ୍ରାନ୍ତ ଡ୍ରଇଂ ରୁମ୍‌ରେ ଶୋଭା ପାଇବ ବୋଲି ?

 

ନା, ନା, ନା । ଲେଖକ ବିକଳ ହୋଇ ପ୍ରତିବାଦ କରେ । ଅଛନ୍ତି ଶତକଡ଼ା ପାଞ୍ଚ ଦଶ ନିଶ୍ଚୟ ଅଛନ୍ତି, ଯେଉଁମାନେ ପ୍ରକୃତରେ ନିଜକୁ କିମ୍ବା ସମାଜକୁ ନ ଠକେଇ ବିଶ୍ଵାସ କରନ୍ତି ସେ ଆହୁରି କିଛି ଅଛି । ଯାହାକୁ ପାଠକ ବୁଝିପାରେ ନାହିଁ ଅଥଚ ଭଲପାଏ । ଭାନ୍‌ଗଗ ସୂର୍ଯ୍ୟମୁଖୀର ଲେଲୀହାନ ନିଆଁରେ ଚେଇଁଉଠେ, ଇବ୍‌ସେନ୍‌ଙ୍କ ନୋରାର ପ୍ରସ୍ଥାନ-ପ୍ରତିଧ୍ୱନି ବାରମ୍ବାର ଶୁଣେ ଓ ଚମକିଉଠେ, “ପଥେର୍‌ ପାଞ୍ଚାଲୀ’’ରେ ଦୁର୍ଗାର ଚାହାଣୀ ଗାଆଁ ପୋଖରୀର ଅନ୍ତିମ ଆନ୍ତରିକତାରେ ମିଶିଯାଇଛି ବୋଲି ମନେକରେ, ବରଜୁ ପ୍ରଧାନକୁ ଭୟ କରେ, ଶୁକ୍ରୂ ଜାନିର ଗୋଡ଼ତଳେ ପଡ଼ିଯିବାକୁ ଚାହେଁ । ହାଲୁକା ହୋଇଯିବାର ଆନନ୍ଦ ନୁହେଁ, ଭାରୀ ହୋଇଯିବାର ଗୌରବ । ସତେ କି ଶିଳ୍ପୀ ଯେଉଁ ସଂସାରଟି ଦେଖାଇଲା ସେଥିରେ ସେ ସୁଖ-ଦୁଃଖରୁ ବଳି ଆଉ କିଛି ଭାବ ଆଣିଦେଲା....ଆଉ କିଛି....କେଉଁ ଦିଗନ୍ତର ଆଭାସ, ଅଙ୍ଗୀକାର । ମିଛ ହୋଇପାରେ, ତଥାପି ଭଲ ଲାଗିଲା । ସେଇଲାଗି ତାଳି ମାରିବାକୁ ଇଚ୍ଛାହେଲା । ଏମିତି କ’ଣ କେହି ମୋର ପାଠକ ନାହାନ୍ତି-?

 

ଆଶାବାଦୀ ଲେଖକ ହାର ମାନିବାକୁ ଚାହେଁ ନାହିଁ । କହେ ରୁହ ମୋର ପଞ୍ଚପାଣ୍ଡବ, ମୋର ମୁଷ୍ଟିମେୟ ପ୍ରେମିକ-ସ୍ଵାମୀ । ମୁଁ ବୁଝାଇଦେବି ଯେ କାହିଁକି ମୋର ସଂସାର ତୁମକୁ ଭଲଲାଗେ । ବୁଝେଇଦେଲେ ତୁମେ ମନପ୍ରାଣ ସହକାରେ ତାଳି ମାରିବ, କାହିଁକି ଏମିତି କଲି ବୋଲି ରାଗିବ ନାହିଁ କି ଲାଜରେ ମୁହଁ ତଳକୁ କରିବ ନାହିଁ ।

 

ପ୍ରଥମ କଥା ହେଲା ମୋ ସଂସାର ଗୋଲ୍, ତୁମର ନୁହେଁ । ତୁମର ଭୌଗୋଳିକ ପୃଥିବୀ ଗୋଲ୍‌ ହୋଇପାରେ, ତୁମର ଜନ୍ମ-ମୃତ୍ୟୁ, ଉଦୟ-ଅସ୍ତ, ବୀଜ ବଟର କ୍ରମ ଆହା କି ଚମତ୍କାର, ଅବଶ୍ୟ ଗୋଲ୍‌ ବୋଲି ମନେ ହୋଇପାରେ; କିନ୍ତୁ ନିତିଦିନର ବାସ୍ତବ ସଂସାର ସେମିତି ନୁହେଁ, ସେମିତି ନୁହେଁ ବୋଲି ବାରମ୍ବାର ଖୁଞ୍ଚାମାରେ । ଶିଶୁ କଲବଲ ହୁଏ । ଜୀବନ ଅକାରଣରେ ଅଧାରୁ କଟିଯାଏ । ଚଷାପୁଅ କେତେବେଳେ ସରଳ ସୁନ୍ଦର ଏବଂ କେତେବେଳେ ଅସଲ ଜାଲିଆତ୍‌ ବୋଲି ମନେହୁଏ । ଶ୍ୟାମବାବୁ ତାଙ୍କ ସ୍ତ୍ରୀଙ୍କୁ ଓ ପରସ୍ତ୍ରୀଙ୍କୁ ସତେ ଏକାଭଳି ଭଲପାଇଲା ପରି ଲାଗେ । ନିରେଖି ଦେଖିଲେ ସେଇ ଗୋଟିଏ ମଣିଷର ଚେତନାରେ ଧଳାକଳା ଛଉଛଉକା ଦିଶେ । ତଥାକଥିତ ଭଲଲୋକ ଘାଣ୍ଟି ହୁଏ, ଦୁଷ୍ଟଲୋକ ମଉଜ କରେ । ଗରିବ ବଡ଼ଲୋକକୁ ଘୃଣାକରେ ଅଥଚ ତା’ରି ପରି ହେବାକୁ ଚାହେଁ, ବିଦ୍ରୋହର ସିଂଘା ବଜାଇ ଶତ୍ରୁର ଶିବିରରେ ଉଷୁମ ଟାଣେ, ଇତ୍ୟାଦି, ଇତ୍ୟାଦି । ଅନୁଭୂତି କୁହେ ବ୍ରହ୍ମାଣ୍ଡ ଗୋଲ୍‌ ନୁହେଁ, ଖଣ୍ଡିଆ ଗୋଳମାଳିଆ-। କିନ୍ତୁ ଅନୁଭୂତିର ଇତି ମୁଣ୍ଡୁଳା ହୋଇ ବୁଲି ଯାଇଥିବପରା ବୋଲି ଭାବିବାକୁ ଇଚ୍ଛାହୁଏ-। ସେଇଠି ଆସେ ମୋର ତୂଳୀ ଲେଖନୀ । ସମନ୍ୱୟ, ସନ୍ତୁଳନ, ଭାରସାମ୍ୟ, ଆକାର ପ୍ରକାର । କଳାପଣ୍ଡିତ ହରବର୍ଟରିଡ଼ କୁହନ୍ତି–ବୁଝୁନାହଁ ? Art is an order to form । କଳାକାର ଗୋଲ୍ ଗୋଲ୍‌ ବ୍ରାହ୍ମଣ ତିଆରି କରେ ଭଗବାନଙ୍କପରି ସଂସାର ଖଣ୍ଡିଆ ନୁହେଁ, ତୁମର ଚେତନା ଖଣ୍ଡିଆ ବୋଲି ଚିହ୍ନେଇ ଦିଏ । ଚିତ୍ରକାର ପାରସ୍ପରିକତା Perspectiveର ହୁନ୍ଦର ଦେଖାଏ । କବି ଧ୍ୱନିରେ, ରୂପକରେ ଚେତନାକୁ ବାନ୍ଧିଦିଏ, ଦେଉଳ ପରି ଗଢ଼ି ଆଣେ । ଗାଳ୍ପିକ ଅଖାଡ଼ୁଆ ଛଉଛଉକା ମଣିଷକୁ ଗୋଲ୍ ଅର୍ଥାତ୍‌ ଚରିତ୍ର ବିଶେଷ, କ୍ୟାରାକ୍ଟର ବନେଇଦିଏ । ଇଏ ଏମିତିକା ସିଏ ସେମିତିକା ବୋଲି କୁହେ । ଗାଳ୍ପିକ ଆହୁରି ସ୍ପଷ୍ଟ ହେବାର ବାହାଦୂରି ଦେଖାଏ । କହେ, ଜନ୍ମ-ମୃତ୍ୟୁ ଉଦୟ-ଅସ୍ତ ପରି ମୋ କଥାର ଆରମ୍ଭ ଅଛି, ଗତି ଅଛି, ଶୀର୍ଷ ଏବଂ ଶେଷ ଅଛି-। ପୁଣି କହେ, ଦେଖ ରାମଚନ୍ଦ୍ର ମଙ୍ଗରାଜ କେମିତି କଲବଲ ହୋଇ ନାଶଗଲା, ତୁଣ୍ଡବାଇଦର ନାୟିକା ‘ଶେଷକୁ ତା’ ସ୍ୱାମୀର ପବିତ୍ର ସ୍ମୃତିକୁ ବାହା ହୋଇ ରହିଲା, Crime and Punishment ଦେଖାଇ ଦେଇଗଲା ଯେ, ପ୍ରତି ପାପର ପ୍ରାୟଶ୍ଚିତ୍ତ ଅଛି, ଇତ୍ୟାଦି-। ସାହିତ୍ୟରେ ଟ୍ରାଜେଡ଼ି ମଧ୍ୟ ଥାଏ ବୋଲି ଆପତ୍ତି ଉଠାଇ ଲାଭ ନାହିଁ । ତଳେଇ କରି ଦେଖ, ପ୍ରତି ଟ୍ରାଜେଡ଼ିରେ ପୂର୍ଣ୍ଣତା ଅଛି-। ‘ଅଥେଲୋ’ରେ ଅଥେଲୋ ଡେସ୍‌ଡିମୋନା ଅକାରଣରେ ମଲେ; ଅଥଚ ଇଆଗୋ ବଞ୍ଚିରହିଲା-। ହେଲେ ଭାଷାଭାବର ଯଜ୍ଞ ନିଆଁରୁ ମାନେ ନାଟ୍ୟକାର ଟ୍ରାଜେଡ଼ି ମଧ୍ୟରୁ, ନାୟକ-ନାୟିକା କେମିତି ସଶରୀରେ ଉପରକୁ ଉଠିଲେ ଆଉ ଇଆଗୋ କୁତ୍‌ତାଙ୍କ ପରି ବଞ୍ଚି ରହିଲା, ତା’ର ତାତ୍ପର୍ଯ୍ୟ ବୁଝିପାରୁ ନାହିଁ ? ଯେଉଁ ଫକୀରମୋହନ ରାମଚନ୍ଦ୍ର ମଙ୍ଗରାଜକୁ ଗଢ଼ିଲେ, ସେହି ରେବତୀର ଅବିମିଶ୍ରିତ ଟ୍ରାଜେଡ଼ି, ଚୂଲିଲୋ ନିଆଁଲୋ ନାହିଁଲୋର ଗୌରବ କେମିତି ଫୁଟେଇ ପାରିଲେ ତା’ର ସନ୍ଧାନ ପାଉନାହିଁ ? ଇତର ଅଲେଖକ, ମୋ କଥାଟି ସଇଲାରୁ ଫୁଲଗଛ ମରେ, କୌଣସି ଗବଗଛ ମରିବାକୁ ବସେ ନାହିଁ, ଏତିକି ତୁମ ମୁଣ୍ଡରେ ପଶୁ ନାହିଁ-? ପଶୁଛି । ସେଇଲାଗି ତୁମ ମନରେ ଶାନ୍ତି ଆସୁଛି, ତୁମେ ତାଳି ମାରିବାକୁ ହମହମ ହେଉଛ । ନୁହେଁ-?

 

ଲେଖକ ମାଡ଼ିଯାଏ । କହେ, ଏହି ଗୋଲେଇପଣରେ ଗୋଟିଏ ବିଶେଷ ଗୁଣ ଅଛି, ସୌନ୍ଦର୍ଯ୍ୟବୋଧ, ଯାହା ତୁମ ସଂସାରରେ ଅଛି କି ନାହିଁ ବୋଲି ତୁମର ଭ୍ରମହୁଏ । ଦେଖିବାକୁ ଗଲେ ମୋ ସଂସାର କେବଳ ସୁନ୍ଦର ନୁହେଁ । ସୁନ୍ଦର ଓ ସବୁଦିନର । ତା’ଛଡ଼ା କହିଲେ ରାଗିବ, ତୁମର ସୌନ୍ଦର୍ଯ୍ୟବୋଧ ବସ୍ତୁଟିକୁ ମୁଇଁ ଗଢ଼ିଛି । ଯେମିତିକି ବଣ୍ଡ୍‌ ଷ୍ଟ୍ରିଟ୍ ଫିଫ୍‌ଥ ଆଭିନିଉର ଦରଜି ପ୍ରକୃତରେ ଫେସନ୍ ଅନୁଯାୟୀ ପୋଷାକ ତିଆରି କରେ ନାହିଁ, ଆପଣା ମତଲବରେ ପୋଷାକ ସୃଷ୍ଟି କରି ଫେସନ୍ ଚାଲୁ କରେ । ଏଇ ହେଉଛି ଆମ ସୁନ୍ଦର ସଂସାରର ଗୋପନ ଗାରିମା । aesthetics I କଳା କେବଳ order to form, ଗଣ୍ଡଗୋଳିଆ ସଂସାରର ସଂହତି ନୁହେଁ । କଳାକାର ସ୍ୱ-ଇଚ୍ଛାରେ ଆପଣା ସଂସାରର ବିଶିଷ୍ଟ ସଂହତି ତିଆର କରେ । ଭାଷା ଓ ଭାବର କାରସାଦିରେ ଏକ ବିଶିଷ୍ଟ ସୁନ୍ଦରତାର ଆନନ୍ଦ ଆଣିଦେବାକୁ ଚେଷ୍ଟା କରେ, ଯଦ୍ଦ୍ୱାରା ପ୍ରତି ଲେଖକର ସଂସାର ଏକାଧାରରେ ଭିନ୍ନ ସ୍ୱାଧୀନ ଓ ସୁନ୍ଦର ହୋଇ ଶୋଭା‍ପାଏ । ମୁଁ ଗୋଟି ଗୋଟି କରି ବୁଝେଇ ଦେଉଛି । ପ୍ରଥମେ ଦେଖାଯାଉ ମୁଁ କେମିତି କୁତ୍ସିତକୁ କୃଷ୍ଣ କରିଦିଏ । ଆମ ମନ୍ଦିର ଦ୍ୱାରା ଫୁଟ୍‌ପାଥ୍‌ର ଗରିବକୁ ଦେଖ । କିଭଳି କୁତ୍ସିତ ପୂତିଗନ୍ଧମୟ । ଅଥଚ ଜାଣ ତା’ରି ପାଇଁ ଆମ ସାହିତ୍ୟ କିଭଳି ସମୃଦ୍ଧ ହେଇପାରିଛି ? କାହିଁକି ନା ଏଇ ବଳା-ଅସନା ଆମ ସାହିତ୍ୟ ଚିତ୍ରଣରେ (Contrast) ଧାରୁଆ ବୈଷମ୍ୟର ଚମତ୍‌କାରିତା ଆଣି ଦେଇପାରିଛି । ଗୋପୀବାବୁଙ୍କ ହରିଜନ, ପ୍ରେମଚାନ୍ଦଙ୍କର ଘାସୁ ଚମାର, ନାରାୟଣ ଗଙ୍ଗୋପାଧ୍ୟାୟଙ୍କର ହାଡ଼ ଏମିତି ଚିକ୍ ଚିକ୍ ମାରୁଛି । ଅଟ୍ଟାଳିକା ଅଟ୍ଟହାସ୍ୟର ସଙ୍ଗତରେ ଅପୂର୍ବ ଦିଶୁଛି । ଭାବିଲ ଦେଖି, ଗରିବ କୁତ୍ସିତର ସ୍ୱାକ୍ଷର ନ ଥିଲେ ଆମ ସାହିତ୍ୟ କିଭଳି ଶ୍ରୀହୀନ ହୋଇ ପଡ଼ିଥାଆନ୍ତା ! ଏଇ ହେଲା ଆମ ଧାତୁ ପରିବର୍ତ୍ତନର ଚାତୁରୀ, (Alchemy) । ତା’ପରେ ଦେଖ ଆମ ସୁନ୍ଦର ସଂସାରର ଚିରନ୍ତନତା । ଏଇଠି କଳା ଓ ବିଜ୍ଞାନର ତାରତମ୍ୟ । କୀଟ୍‌ସ୍‌ଙ୍କର ସେଇ ନାଇଟିଙ୍ଗେଲ୍, ସୌଭାଗ୍ୟ ମିଶ୍ରଙ୍କ ଅନ୍ଧ ମହୁମାଛି, ଶାନ୍ତନୁ ଆଚାର୍ଯ୍ୟଙ୍କର ବୁଲ୍ ବୁଲ୍, ଗୁରୁପ୍ରସାଦଙ୍କର ଅଳକାସନ୍ୟାଲ୍ କାହିଁ କୁଆଡ଼େ ଗଲାଣି କିମ୍ବା ଚାଲିଯିବ । କିନ୍ତୁ କୀଟ୍‌ସଙ୍କ କୃପାରୁ ଆଜି ମଧ୍ୟ ନାଇଟିଙ୍ଗେଲ୍ ଗୀତ ଶୁଣାଉଛି ଏବଂ ‘‘ଆଜିଠାରୁ ଶତବର୍ଷ ପରେ’’ ମହୁମାଛି ଅନ୍ଧ ହୋଇ ରସଜ୍ଞକୁ ବଣା କରୁଥିବ, ଚପଳ ବୁଲ୍‌ ବୁଲ୍‌ କହିବ ମୋର ଜୟଗାନ କର, ଅଳକା ସାନ୍ୟାଲ୍ ପ୍ରେମକୁ ଚିଡ଼େଇବ । ଅନେକର ଏକ ମରିବାକୁ ନାରାଜ ତା’ର ଇମେଜ୍‌, ସୁବର୍ଣ୍ଣ ପ୍ରତିମା ଗଢ଼ା ହୋଇ ସାରିଲାଣି । କେଉଁ ବିଜ୍ଞାନ ଥିଓରିର ସାଧ୍ୟ ଅଛି ତାକୁ ମିଛ ବୋଲି ପ୍ରମାଣ କରିବ ? Life is short art is long-ପୁରୁଣା ପୋଚରା କଥା ହୋଇପାରେ; କିନ୍ତୁ ତାକୁ ସତେ କାଟିଦେଇ ହେବ କି ? ତା’ପରେ ହେଲା ବ୍ୟକ୍ତିଗତ ବିଶିଷ୍ଟ ସୁନ୍ଦରତା । ଏଇଠି ଲେଖକ ଖାସ୍ ନିଜକୁ ଜାହିର୍ କରେ ଏବଂ ହୁଏତ ତୁମ୍ଭମାନଙ୍କୁ ଠକେଇବାକୁ ବସେ, ଅର୍ଥାତ୍ ମୋ ସୁନ୍ଦର ସବୁଠୁଁ ସୁନ୍ଦର ବୋଲି ଦେଖେଇବାକୁ ଚେଷ୍ଟା କରେ । ଏପରି କି ଜଣେ ଜଣେ ଚାହାନ୍ତି ଯେ, ଆଧାରକୁ ବାହ୍ୟିକ ପୃଥିବୀର ବନ୍ଧନକୁ ଛାଡ଼ିଦେଇ ଏକ ସମ୍ପୂର୍ଣ୍ଣ ସ୍ୱାଧୀନ ସଂସାର ଗଢ଼ି ପାରିବେ । Gustave Flaubert କହିଲା ପରି–ମୋତେ ଭାରି ସୁନ୍ଦର ଲାଗୁଛି, ମୁଁ ଯଦି ଗୋଟିଏ ବହି ଲେଖିପାରନ୍ତି, ଯାହାର ଆଧାର କିଛି ନୁହେଁ ବୋଲି କହି ହୁଅନ୍ତା, ଯାହା କେବଳ ପ୍ରକାଶର ଭାଷାରେ ଓ ଭଙ୍ଗୀରେ ନିଜ ସାଙ୍ଗରେ ନିଜେ ବାନ୍ଧିହୋଇ ରହି ପାରନ୍ତା ! ବୋଧହୁଏ ଏଇ ହେଉଛି ଲେଖକର aesthetics ସୌନ୍ଦର୍ଯ୍ୟ ମର୍ଯ୍ୟାଦାର ଚୂଡ଼ାନ୍ତ କାମନା । ପାରୁ ନ ପାରୁ ଲେଖକ ଆପଣ ସଂସାରର ଏତେ ଊର୍ଦ୍ଧ୍ୱକୁ ଟେକି ନେଇ ଦେଖ କେଡ଼େ ସୁନ୍ଦର ବୋଲି କହିବାର ଦୁଃସାହସ କରିପାରୁଛି ଏଇ କ’ଣ କମ୍ କଥା !

 

ମୋ ସଂସାର କେବଳ ଗୋଲ୍‌ଗାଲ୍ ସୁନ୍ଦର ନୁହେଁ । ମୋରି ସଂସାରରେ ମିଶିଲାରୁ ତୁମର ସାଦା ପାଉଁଶିଆ ଜୀବନରେ ରଙ୍ଗ ଆସୁଛି, ତୁମର ମନେହେଉଛି ଯେ ଏଇ ଜୀବଦ୍ଦଶାରେ ମହତ୍ତ୍ୱ ଅଛି । ପଲାୟନବାଦ ବୋଲି ଉଡ଼େଇ ଦେଲେ ଚଳିବ ନାହିଁ । ପଳାୟନବାଦୀ ଲେଖା ମନୋରଞ୍ଜନ ତଳେ ଯାଏ, ମୁଁ ତାକୁ ସାହିତ୍ୟରେ ଗଣୁ ନାହିଁ । ମୁଁ କହୁଛି ଯେଉଁଥିରେ ତୁମେ ମୋ ଚରିତ୍ର, ମୋ ଘଟଣା, ମୋ ପରିବେଶ, ଏପରି କି ମୋ ପ୍ରଣାଳୀରେ ଜଡ଼ିତ ହୋଇ ଆପଣା ଅନୁଭୂତିର ସୀମା ସମ୍ଭାବନାକୁ ସତରେ ଛୁଇଁଲି ପାଇଲିରେ ବୋଲି କୁହ । ଉଞ୍ଚ ଗହିରପଣର ଆନନ୍ଦରେ ଉଲୁସିଉଠ । ଥରେ ମୋର ଜଣେ ସାହିତ୍ୟିକ ବନ୍ଧୁ ପଚାରିଲେ–ଆପଣଙ୍କ ଗଳ୍ପର ଚରିତ୍ରମାନେ ଏତେ ଭାବନ୍ତି କାହିଁକି ? ଏଥିରେ ପ୍ରଶଂସା ଥିଲା ନା ଆକ୍ଷେପ ଥିଲା, ମୁଁ କହି ପାରିବି ନାହିଁ । ତେବେ ମୋର ମନେ ହେଲା ଯେ, ତା’ ନ ହେଲେ ପାଠକ ରାମବାବୁ, ଶାମବାବୁ, ଦାମବାବୁ ଅବାନ୍ତର ହୋଇ ଯାଆନ୍ତେ । ସେମାନେ କେବଳ ତେଲ ଲୁଣ କୋଠାବାଡ଼ିର ଚିନ୍ତା କରନ୍ତେ, ମଝିରେ ମଝିରେ ଭାବନ୍ତେ ସ୍ତ୍ରୀ କାହିଁକି ମୁହଁ ଫୁଲେଇଛନ୍ତି, ବଡ଼ ହାକିମ କାହିଁକି ହୁଁ ବୋଲି କହିଲେ, ଇତ୍ୟାଦି ଇତ୍ୟାଦିର, ଦୈନିକ ଦିଆନିଆର ସମଗ୍ରତା ମୌଳିକ ସତ-ମିଛର ଭାବନା ସହଜେ ତାଙ୍କ ମନକୁ ଆସନ୍ତା ନାହିଁ ଏବଂ ସେମାନେ ଅନ୍ତତଃ କିଛିକ୍ଷଣ ପାଇଁ ନିଜର ଲମ୍ବାଚଉଡ଼ା ଚେହେରା ଅର୍ଥାତ୍‌ ବଡ଼ ମଣିଷପଣକୁ କଣେଇ କଣେଇ ଚାହାନ୍ତେ ନାହିଁ । ଏଇ ଅପାଙ୍ଗ ଅନନ୍ତର ଦୂତ ନୁହେଁ ତ ଆଉ କଅଣ ? ଅତିଚେତନା, intense awareness of life ଆଉ କାହାକୁ କୁହନ୍ତି ? ଲେଖକ ଗର୍ବରେ ଫୁଲିଉଠେ । ଆହୁରି ଆଗକୁ ମାଡ଼ିଯାଏ । ଛିଗୁଲେଇଲା ପରି କୁହେ–ମୁଇଁ ତୁମର ଗୁରୁ, ଯଜମାନ । ହତଭାଗ୍ୟ ଅସ୍‌କାର୍‌ ଓ ଓ୍ୱାଇଲଡ଼୍‌ ତାଙ୍କର ଏକମାତ୍ର ମର୍ମବେଦନା ଗ୍ରନ୍ଥ De Profundisରେ କ’ଣ କହିଥିଲେ ମନେପକାଅ । ବାରମ୍ବାର ଗୋଟିଏ ପଦ ଦୋହରାଇଥିଲେ The supreme vice is shallowness. ଉପର ଠାଉରିଆ ଭାବରୁ ବଳି ଅଭାବ ନାହିଁ । ଅ-ଭାବ, ପାପ । କହିଲ ଦେଖି ମୋ ଛଡ଼ା କିଏ ତୁମକୁ ଏଇ ପାପରୁ ଦୈନଦିନ ସାମାନ୍ୟତାରୁ ମୁକ୍ତ କରିପାରିଛି ? ଅନୁଭୂତିରୁ ଉପଲବ୍‌ଧି ଆଡ଼କୁ ନେଇଯାଇ ପାରିଛି-? ମୁଇଁ ତୁମର ଧର୍ମ ଦେବତା–ବୁଝିଲ ?

ଆଉ ସହି ହେଉ ନାହିଁ । ବିଂଶ ଶତାବ୍ଦୀର ପରିସୀମାରେ ଏକୁଟିଆ ହୋଇ ବୁଲୁଥିବା ସ୍ଥିତିବାଦୀ ମଣିଷ ଆଉ ଚୁପ୍ ହୋଇ ରହିପାରେ ନାହିଁ । ଚିତ୍କାର କରି ଉଠେ–ଭୁଲ୍ ! ସବୁ ଭୁଲ୍‌ ! ତୁମେ ଲେଖକମାନେ ଏଇସବୁ କଥା କହି ଆମ ବାପ ଅଜାଙ୍କୁ ଦିନେ ଭୁଲେଇ ଦେଇ ପାରୁଥିଲ । ସେକାଳ ପଖାଳ ଗଲାଣି ମାର୍କସ, ଫ୍ରଏଡ଼ ଓଗେର ଯେଉଁସବୁ ଅସୁନ୍ଦର ଅସନ୍ତୋଷିଆ ସତ୍ୟ ବାଢ଼ିଦେଇ ଗଲେ, ତାରି ଅଳ୍ପ ବହୁତ ଦୁହାଇ ଦେଇ ଏଇ ଆମର ‘ବାସ୍ତବ’ ସଂସାର, ତଥାପି ଗୋଲ୍, ତଥାପି ସୁନ୍ଦର, ତଥାପି ଆମକୁ କେଉଁ ସ୍ୱର୍ଗକୁ ନେଇଯାଉଛି ବୋଲି ଦାବି କରିବା ହାସ୍ୟାସ୍ପଦ । ଅଶାନ୍ତ ଏକୁଟିଆ ପଣ ହେଉଛି ଆମ ବେତନା ବୁଦ୍‌ବୁଦର ଚୈତନ୍ୟ । ଅଯଥାରେ ତୁମ ସାହିତ୍ୟକୁ, ମାନେ ତୁମ ମିଛକୁ ଆଶ୍ରାକରି ସମୟ ନଷ୍ଟ କରିବୁ କାହିଁକି । ସେହି ସମୟ ଭିତରେ ବୁଦ୍ ବୁଦ୍‌ କେତେ ଭଉଁରୀ ଘୂରି ସାରନ୍ତାଣି । ଘୂରି ଘୂରି ମରିବା ହିଁ ତା’ର ବଞ୍ଚିବା । ସେଥିରେ ତୁମର କିଛି କରିବାର ନାହିଁ ।

ତା’ଛଡ଼ା ତୁମେ କି ସାହିତ୍ୟ ଲେଖୁଛ, କହିଲ ? ପୁଅ ମୁଣ୍ଡକୁ ହାତେ, ତେଲ ଘଡ଼ିକୁ ହାତେ ! ଏକାଧାରରେ ବାସ୍ତବ ଓ ଶାଶ୍ୱତ ହେବାକୁ ଚେଷ୍ଟାକରି ତୁମର ଅବସ୍ଥା କିଭଳି ଦୁଃସ୍ଥ ଦୟନୀୟ ହେଲାଣି ଦେଖୁଛ ?

ଗୋଲେଇ ? କାହିଁ ତୁମ ଗୋଲେଇ ? ଫର୍ମ ଆକାର ପ୍ରକାର, ଉଦୟ ଅସ୍ତ, ମୂଳ ଶେଷ ? କ୍ଲାଇମାକ୍‌ସ ପରିଣତି ? ଜେମସ୍‌ ଜଏସ୍‌ ଭର୍ଜିନିଆ ଉଲ୍‌ଫ୍‌ଙ୍କ ସ୍ମରଣରେ ଚେତନା-ପ୍ରବାହ ନାମକ ସତ କାହାକୁ କେଉଁଯାଏ ଟାଣିନେଇ ଗଲାଣି ଜାଣିହେଉ ନାହିଁ । କାହିଁକି ନା ପ୍ରବାହର ଦିଗ ନାହିଁ, ଦୃଷ୍ଟି ନାହିଁ । ଭାଷା-ବ୍ୟାକରଣ-କମା-ପୂର୍ଣ୍ଣଚ୍ଛେଦର ବାଡ଼ବତା ଭାଙ୍ଗି ଦିଆଗଲାଣି । ଶବ୍ଦମାନଙ୍କର ନୂଆ ଅର୍ଥ, ହଜାରେ ଅର୍ଥ ଗଢ଼ିବାକୁ ପଡ଼ୁଛି । ଯେହେତୁ ଲେଖକର କହିବାକଥା ଏତେ ସୂକ୍ଷ୍ମ ଓ ନିବିଡ଼ ଯେ, ତାକୁ ଲେଖା ଅକ୍ଷରରେ ଧରିହେଉ ନାହିଁ । ଆମ ଓଡ଼ିଆ ସାହିତ୍ୟରେ ଫକୀରମୋହନ ଯେଉଁ କଞ୍ଚା ସାହିତ୍ୟ ଆରମ୍ଭ କଲେ ଗୋପୀନାଥ ମହାନ୍ତି, ତାକୁ (ମାୟାଧର ମାନସିଂହଙ୍କ ହାୟ ହାୟ ସତ୍ତ୍ୱେ) କେତେ ଦୂରକୁ ନେଇଗଲେଣି ଦେଖୁଛ ତ ? ଲେଖକ ପ୍ରତିବାଦ କରେ । କହେ, ପ୍ରକୃତରେ ଗୋପାବାବୁଙ୍କ ଲେଖାରେ ଭାବନା, ଚେତନା ଆହୁରି ଅନ୍ତରଙ୍ଗ ଏବଂ ଅନୁଭୂତ ବୋଲି ମନେହୁଏ ନାହିଁ ? ହେଉ କିଏ ମନାକରୁଛି ? କିନ୍ତୁ ଗୋପୀବାବୁଙ୍କ ଠେଇଁ କ’ଣ ସରିଗଲା ? ଆଗକୁ ଅଛି, ରହିବାକୁ ବାଧ୍ୟ । ଆଧୁନିକତମ ବିଦେଶୀ ସାହିତ୍ୟରୁ ପଦେଅଧେ ପଢ଼ିଲେ ଜାଣିପାରିବ । କିଓ, କାହାର ଶକ୍ତି ଅଛି ଚେତନାର ଅବିରାମ ଛବି, ଚେତନ-ଅବଚେତନର ଛାଇ-ଆଲୁଅ ଏବଂ ଅଚେତନର ଧାରଣାକୁ ଭାଷାରେ ବାନ୍ଧିପାରିବ ? ପାରିବ ନାହିଁ । ଶେଷକୁ କେବଳ ପାକୁ ପାକୁ ହେବ ନିଜକୁ ନିଜେ । ଲେଖକ ଓଠ କାମୁଡ଼େ, କ’ଣ କହିବ ଠିକ୍ କରିପାରେ ନାହିଁ । ଇଏ ଗଲା ଭାଷାର ବନ୍ଧନ । ପ୍ଳାଟ୍‌ର ଅବସ୍ଥା କଅଣ ? ଶୁଣିବାକୁ ମିଳେ ଯେ ଜୀବନରେ କିଛି ଘଟଣା ଘଟେ ନାହିଁ । ଜୀବନ ଘଟେ । ତେଣୁ ‘ମୁଁ’ ନାମକ ଜୀବିତ ପ୍ରାଣୀ ଯାହା କହୁଛି ସେଇ ହେଉଛି ଘଟଣା । E. M. Forsterଙ୍କ ମତରେ ଉପନ୍ୟାସ ଗପ ନୁହେଁ, ଗପ କୁହେ । ଅର୍ଥାତ୍ କହିବାଟା ହିଁ ଗପ । ଅପରେକ ବାସ୍ତବଧର୍ମୀ ଦାବି କରେ ଯେ ବାହ୍ୟିକ ସଂସାରରେ ଯେଉଁସବୁ ଘଟଣା ଘଟୁଛି, ତାକୁ ହିଁ ଠିକଣା ଭାବରେ ବର୍ଣ୍ଣନା କର, ସେଇ ହେଉଛି ସତ । ସାହିତ୍ୟ । ନ ହେଲେ Truman Capoteଙ୍କର ‘In Cold Blood’ କଥା-ସାହିତ୍ୟରେ ଏତେ ଉଞ୍ଚ ଆସନ ପାଇ ନ ଥାଆନ୍ତା । ପାରମ୍ପରିକ ଲେଖକ ଟିପ୍‌ପଣୀ ଦିଏ ଯେ, ଇଏ ହେଉଛି ସୁଚାରୁ ସାମ୍ବାଦିକତା, ସାହିତ୍ୟର ପାଖାପାଖ‌ି, କିନ୍ତୁ ସାହିତ୍ୟ ନୁହେଁ । Truman Capote ଘଟଣାକୁ ସଜେଇ ନ ଥିଲେ, କାଟଛାଣ୍ଟ କରି ନ ଥିଲେ, ତାକୁ ସାହିତ୍ୟ ବୋଲି କହି ହୁଅନ୍ତା ନାହିଁ । ସତେ ? ବାବୁ, ଭାବନାକୁ ଭାଷାରେ ପ୍ରକାଶ କରିବା ମାନେ ତ ତାକୁ କାଟଛାଣ୍ଟ କରିବା ସେଥିରେ ନୂଆ କଥା କଅଣ ? ନୂଆ କଥା ହେଉଛି, ଯାହାର ପରିଣତି କେଉଁଠି ଜଣା ନାହିଁ, ଯେ ମିଛର ସୁଆଦ କମି ଆସୁଛି । ସ୍ଥିତିବାଦୀ ମଣିଷ ମିଛର ଆଳରେ ସତ ଜାଣିବାକୁ କୁନ୍ଥୁ କୁନ୍ଥୁ ହେଉଛି । ବରଂ ରୋକ୍‌ଠୋକ୍ ମିଛ, ଉଦ୍ଭଟ absurd. ରୂପକଥା fantasyର ଅବତାରଣା କର । ସେଥିରେ ଠକାମୀ ନାହିଁ । ଆବଷ୍ଟ୍ରାକ୍ଟ ପେଣ୍ଟିଂକୁ ଦେଖିଲା ପରି ଯାହାକୁ ଯେତେ । ଯିଏ ଯାହା ପାଇଲା ସେଇ ତା’ର ସତ । ହଁ, ସେଇ ଭଲ । ଉଦ୍ଭଟରେ ହିଁ ନାଟକୀୟତା ଗଢ଼ି ହେବ । କ୍ଲାଇମାକ୍‌ସ ଚରିତ୍ର ଇତ୍ୟାଦି ରହିପାରିବ । ଦେଖ ଚରିତ୍ର ଜରିଆରେ ‘ସତ୍ୟମେବ ଜୟତେ’ର ଗୋଲେଇ କେବେଠୁ ଚାଲିଗଲାଣି । ଏବକୁ ଟ୍ରାଜେଡ଼ିର ଗୌରବ ମଧ୍ୟ ନାହିଁ । ଆଧୁନିକ ମଣିଷ ହିରୋ ନୁହେଁ କି ଆଣ୍ଟି-ହିରୋ ନୁହେଁ, ଅଣହିରୋ । କାମ୍ୟୁ କହିଲା ପରି ଯାହାକିଛି ମଣିଷର ମହତ୍ତ୍ୱକୁ ବଢ଼େଇ ଦିଏ ସେଥିରେ ସେ ଆହୁରି ଅଳୀକ absurd ମନେହୁଏ । ଅତଏବ ଆସୁ ଅଦ୍ଭୁତ, ଉଦ୍ଭଟ, ଅସଙ୍ଗତ । ସେଇ ତୁମର ସାହିତ୍ୟ । ଆପତ୍ତି ନାହିଁ । ଲେଖକ ତଥାପି ଆପତ୍ତି କରିବାକୁ ଚାହେଁ । କୁହେ ଯତିପାତହୀନ କବିତାରେ ଅନ୍ତର୍ନିହିତ ଛନ୍ଦ ଥିଲାପରି ହିରୋ-ବିହୀନ, କ୍ଲାଇମାକ୍‌ସ ବିହୀନ କଥାରେ ମଞ୍ଜି ଅଛି, ଶିଖ ଅଛି, ଭୂତଭବିଷ୍ୟର ଚରିତ୍ର ଅଛି । ଅଳ୍ପକଥନରେ ଶ୍ଳେଷ ଅଛି, ମୁନ ଅଛି । ଆକାର ନ ଥିଲେ କ’ଣ ହେବ ପ୍ରକାର ଅଛି । କହେ Whintperରେ bang, କୁଁ କୁଁରେ ଧଡ଼ାସ୍‌ର ଶବ୍ଦ ଶୁଣିପାରୁ ନାହିଁ ? ଶେଷକୁ ଲେଖକର ସଫେଇ ବୁଝିହୁଏ ନାହିଁ-। ମନେହୁଏ । ସେ ମୁଣ୍ଡ ଟୁଙ୍ଗାରୁଛି, ହାଣମୁହଁକୁ ବେକ ନେଇଯାଉଛି ।

ସୁନ୍ଦର ସଂସାର ? କେଉଁଠି ଅଛି ? ଜନ୍ମକ୍ରିୟା, ରମଣକ୍ରିୟା, ମାରଣକ୍ରିୟା, ମରଣକ୍ରିୟା, ଇତ୍ୟାବଧି କ୍ରିୟାରେ ଦେହରେ ଯେଉଁ ବାସ୍ତବଲୀଳା ଦେଖାଉଛ ସେଇ ହେଉଛି ସୁନ୍ଦର ? ନା ପ୍ରକୃତିକୁ ଯେତେବେଳେ ଦେହର ସଂସାରକୁ ଟାଣି ଆଣୁଛ, କହୁଛ ମେଘରେ ଭାରୀ ହୋଇଥ‌ିବା ଆକାଶ ପେଟରେ ହେଲା ମାଇକିନିଆ ପରି, ତାରା ଫୁଟା ଆକାଶ ଉପଦଂଶ ଦୁଷ୍ଟ ହେଲାପରି ଦିଶୁଛି ତାକୁ ହିଁ ସୁନ୍ଦର କହିବ ? ସବୁଠାରୁ ରାଗ ଲାଗେ ଯେତେବେଳେ ତୁମେ ଗରିବ ବଡ଼ଲୋକର ବୈଷମ୍ୟକୁ କଳାର ଉପାଦାନ ରୂପେ ଗ୍ରହଣ କର, ଉଲୁସିଉଠ । ସେତେବେଳେ ମନେପଡ଼େ ତୁମର ସ୍ପଷ୍ଟବାଦୀ କଥାକାର ସମର୍‌ସେଟ୍ ମମ୍ ଯାହା କହିଥିଲେ । କହିଲେ ଘର ପୋଡ଼ିଯିବାର ଦୃଶ୍ୟ ଦେଖିଲେ କଳାକାରର ହାତ ତୁଳୀ-କଲମ ଆଡ଼କୁ ଆଗେଇଯାଏ, ପାଣି ବାଲ୍‌ଟି ଆଡ଼କୁ ନୁହେଁ । ରୋମ୍ ପୋଡ଼ିଗଲାବେଳେ ନିରୋ ବୀଣା ବଜାଉଥିଲେ ବୋଲି ତାଙ୍କୁ ପାଷାଣ୍ଡ କୁହାଯାଏ । ଯେହେତୁ ସେ ରୋମ୍‌ର ରାଜା ଥିଲେ । ଲେଖକ କ’ଣ ରାଜ୍ୟର ରାଜା ନା ସମାଜର ଠିକା ନେଇଛି ଯେ ପାଣି ବାଲ୍‌ଟି ନ ଧରିଲେ ଚଳିବ ନାହିଁ ? କୁତ୍ସିତର ଘାଆ ବିନ୍ଧୁ ନାହିଁ, ପାଚିଛି କେଡ଼େ ସୁନ୍ଦର-ନୁହେଁ ? ଲେଖକ ଘୋର ପ୍ରତିବାଦ କରେ । କୁହେ, ମୋର ଲେଖା ତୁମକୁ ବତେଇବ, କାମ କରିବା ପାଇଁ ଉସ୍‌କେଇବ । ସତେ ? ସେଇଥିପାଇଁ ତୁମେ ଲେଖ ? ନା ତୁମ ନିଜ ସୁନ୍ଦରକୁ ଗଢ଼ିବା ପାଇଁ ? Gustave Flaubert ନିରାଧାର ନିରଙ୍କୁଶ ସଂସାର ଗଢ଼ିବାର ଇଚ୍ଛା ପ୍ରକଟ କରିଥିଲେ । ତାଙ୍କ ଶତାବ୍ଦୀ ସରୁ ନ ସରୁଣୁ Nietzsche ଘୋଷଣା କଲେ–No artist tolerates reality, the task of art is its own realisation. କୌଣସି କଳାକାର ବାସ୍ତବକୁ ବରଦାସ୍ତ କରିପାରେ ନାହିଁ, କଳାର ଉଦ୍ଦେଶ୍ୟ ହେଉଛି ଆତ୍ମଲାଭ । ପାଗଳ ଦାର୍ଶନିକ Nietzsche ଯାହା କହିଲେ ଆଜିର ବିଜ୍ଞ ସମାଲୋଚକ Bradbury ଆଧୁନିକ ଉପନ୍ୟାସର ବିଶ୍ଳେଷଣ କରିବାକୁ ଯାଇ ସେଇୟା କହୁଛନ୍ତି । କରୁଛନ୍ତି, Realisation is a fiction । ଅର୍ଥାତ୍ ସାହିତ୍ୟର ବାସ୍ତବତା ବାସ୍ତବରେ ଅବାସ୍ତବ । ଲେଖକର ମୁହଁ ଲାଲ୍‌ ପଡ଼ିଗଲା ବେଳକୁ ଶତ୍ରୁ ପକ୍ଷ ସାନ୍ତ୍ୱନା ଦିଏ । କୁହେ ବ୍ୟସ୍ତହୁଅ ନାହିଁ । ପରମ୍ପରାଗତ ଏଇ ସୌନ୍ଦର୍ଯ୍ୟବୋଧ aesthetics ଜିନିଷଟି ପ୍ରଣବ ଅଶୁଦ୍ଧ । ଅଯୌକ୍ତିକର । ଯଦି ଅସୁନ୍ଦର ବୋଲି କୌଣସି ବସ୍ତୁଅଛି ତାକୁ ତୁମ ସାହିତ୍ୟରୁ ପରିହାର କର, ତୁମର ପୂର୍ବଜ ଭଞ୍ଜ, କାଳିଦାସ ଆଦି ଯାହା କରୁଥିଲେ । କିନ୍ତୁ ଯଦି ଅସୁନ୍ଦରକୁ ସତ ବୋଲି ସାହିତ୍ୟରେ ଆଣିବାକୁ ଚାହଁ ତାହାହେଲେ କ୍ରମଶଃ ଯୋଗୀ ହେବାକୁ ପଡ଼ିବ, ଦର୍ଶାଇବାକୁ ହେବ ଯେ ସୁନ୍ଦର ଅସୁନ୍ଦର ସବୁ ସମାନ । ୟାକୁ ତା’ ସାଙ୍ଗରେ ଯୋଡ଼ି ସଜାଇବାର ପ୍ରଶ୍ନ ଉଠୁ ନାହିଁ । ମଣିଷ, ବେଙ୍ଗ, ଜହ୍ନ, ଗୋବର ସବୁ ସତ ଓ ଶାଶ୍ଵତ । ସେ ଯାଏଁ ଯାଇପାରିବ ?

ଅତିଚେତନା ଆଣିଦେବାର ପ୍ରୟାସ ଆହୁରି ମାରାତ୍ମକ । ପଚାରୁଛି, ତୁମେ ରାମବାବୁ ଶାମବାବୁଙ୍କ ସାଦାସିଧା ଜୀବନରେ କିଭଳି ରଙ୍ଗ କିଭଳି ଉଞ୍ଚ ଗହିରର ମହତ୍ତ୍ୱ ଆଣିଦେବାକୁ ଚାହଁ-? ସାହିତ୍ୟଜନିତ ଅତିଚେତନା କିଭଳି ଉଞ୍ଚ ଗହିରର ଅତି ? ଇନ୍ଦ୍ରିୟଗତ ନା ଇନ୍ଦ୍ରିୟାତୀତ-? ମଦୁଆର ସ୍ୱର୍ଗ ନା ବାଇଆର ? ସନ୍ନ୍ୟାସୀର ? ମୁଁ ଯଦି କୁହେ ଯେ ତୁମର ଧୋବଧୂସର ମହକିଲମାନେ ଭିତରେ ଭିତରେ ଆହୁରି ହିଂସ୍ର, ନିଷ୍ଠୁର, କାମୁକ, ଲଗାମଛଡ଼ା ହେବାକୁ ଚାହାନ୍ତି, ପିଲାଙ୍କ ପରି ନିଷିଦ୍ଧର ମଜା ପାଇବାକୁ ଚାହାନ୍ତି ଓ ତୁମେ ସେଇ ମଜା ରଙ୍ଗଟି ତାଙ୍କ ଜୀବନରେ ଆଣିଦେବାକୁ ଚେଷ୍ଟା କର, ତାହାହେଲେ କ’ଣ ନିହାତି ଭୁଲ୍‌ ହେବ ? ଲେଖକ କୁହେ, ଅସମ୍ଭବ-। ମୋ ଲେଖା ସାହିତ୍ୟ, ଚିନ୍ତାରେ ଜୁଡ଼ ବୁଡ଼ୁ, ମନୋରଞ୍ଜନ ନୁହେଁ । ତୁମେ ଯେଉଁ ମନୋଭାବର ଉଲ୍ଲେଖ କରୁଛ ତାକୁ ମୁଁ ମୋ ସଂସାରକୁ ଆଣେ କାହିଁକି ନା ସେଗୁଡ଼ିକ ମଧ୍ୟ ସତ, ତଳିଆ ସତ, ଭିତିରିଆ ସତ । ମୁଁ କୁହେ ନାହିଁ ଯେ କେବଳ ସେଇୟାକୁ ଗ୍ରହଣ କର, ସେଇଥିରେ ମଜ୍ଜି ଯାଅ-। ଓ ! ଯେମିତି ହିନ୍ଦୀ ଫିଲ୍ମର ମରାମରି ଲଙ୍ଗଳା ନାଚର ପର୍ଯ୍ୟାୟ, ଯାହାକୁ ଗଳ୍ପ ଚାହେଁ ନାହିଁ, ନାୟକ-ନାୟିକା ଚାହାଁନ୍ତି ନାହିଁ, କିନ୍ତୁ ଦର୍ଶକମାନେ ଚାହାଁନ୍ତି ? ଜାଣିସିଆଣା ଲେଖକ, କେହି କ’ଣ ଜାଣେ ନାହିଁ ତୁମ ମହକିଲମାନେ କେଉଁଥିରୁ ଅଧିକ ଉତ୍ତେଜନା ପାଆନ୍ତି-ଭାନ୍‌ଗଗ୍‌ ହାତର ତୁଳୀ ନା ଭାନ୍‌ଗଗ୍ ହାତର କ୍ଷୁର ଯେଉଁଥିରେ ସେ ଆପଣା କାନ କାଟି ଦେଇଥିଲେ । କହିବି କୁତ୍ସିତକୁ କାହିଁକି ତୁମ ସାହିତ୍ୟରେ ଆଣିବାକୁ ଚାହଁ ? କାରଣ ଭୂୟାଁ ତ ଅର୍ଥରୁ ସଂସ୍କାରର ବିକାର ହିଁ ମଣିଷ ମନରେ ଗୋପନ ଅଭିଳାଷ । ପୀଡ଼ା ଦେବା ଓ ପୀଡ଼ା ଘେନିବାର ପରମ ଆତ୍ମୀୟତା-। ସେଇ ହେଲା ଉତ୍ତେଜନାର ଉତ୍ତରଣ, ଅକ୍ଷଚେତନା ନୁହେଁ ? କ୍ଷତବିକ୍ଷତ ଲେଖକ କାନ୍ଦିଲା ପରି ହୁଏ-। କୁହେ, ନା ନା ମୋ ଆର୍ଟ ବ୍ଲାକ୍ ଆର୍ଟ ନୁହେଁ । ମୁଁ ଭଲ, ମନ୍ଦ ନୁହେଁ ସେଇଠି ସେ ନିଜକୁ ଧରାପକେଇ ଦିଏ, ସତେ କି ସେ କହିବାକୁ ଚାହେଁ, ଯାହା କହିବା କଥା ନୁହେଁ, ଯାହା କେବେଠୁ କଳାର ପାଞ୍ଜିରୁ କଟିଗଲାଣି, ଯେ ଆର୍ଟ ହେଉଛି ମରାଳ ! ଅଣନୀତିଆ ଅଣବାପୁଆ ଆମରାଳ ନୁହେଁ !

ଏଇ ବାଦବିବାଦ ଶେଷରେ ଅବଶ୍ୟ ମନେହେବ ଯେ, ଲେଖକ ହାରିଯାଇଛି । ତା’ର ଆତ୍ମବିଶ୍ଵାସ ତୁଟିଯାଇଛି । ଲେଖକ ଆଉ ଯାହା ଲେଖୁପଛେ ସତ ପରି ସଂସାର, ସାହିତ୍ୟ ଗଢ଼ିପାରିବ ନାହିଁ ।

 

ମୁଁ ଜଣେ ସାମାନ୍ୟ ଲେଖକ । ତେଣୁ ମୁଁ ତୃତୀୟ ବ୍ୟକ୍ତି ହୋଇପାରିବି ନାହିଁ । ସାହିତ୍ୟର ଭବିଷ୍ୟତ କଅଣ ହେବ ମୁଁ ଜାଣେ ନାହିଁ । କିନ୍ତୁ ମୋର ବିଶ୍ୱାସ ମୋପରି ଅନେକ ଲୋକ ଅଛନ୍ତି ଓ ଯୁଗେ ଯୁଗେ ରହିବେ, ଯେଉଁମାନେ ସଂସାର ଗଢ଼ାର ମୋହ ଛାଡ଼ିପାରିବେ ନାହିଁ-। କାରଣ ସେଇ ହେଉଛି ତାଙ୍କ ଅକ୍ଷମତାର ମାପ ଓ ପରିପୂରକ । ସେଇ ହେଉଛି ତାଙ୍କର ଭଗବାନପଣିଆ, ନିଆଁ ଲିଭେଇ ନ ପାରିବା ପାପର ପ୍ରାୟଶ୍ଚିତ୍ତ ।

 

ଭାବୁଛି, ଭଗବାନ ହସୁଥିବେ । ହସନ୍ତୁ । ତାଙ୍କୁ କହୁଛି ମୋତେ ସମୟ ଦିଅ । ସମୟ ଦେଲେ ମୁଁ ସତ-ସମ୍ପୂର୍ଣ୍ଣ ସଂସାର ଗଢ଼ିପାରିବି । ଟଲଷ୍ଟୟଙ୍କ ଆଇଭାନ୍ ଇଲିଚ୍‌ ପରି ନିଜର ଓ ଜାତି ଭାଇଙ୍କ ମିଛରେ ଘାଣ୍ଟିହୋଇ ମରିବି ନାହିଁ ।

 

ସମୟ ନାହିଁ ତଥାପି ମନ ହେଉଛି ନିଜ-ଦେଖିଲା ସତକୁ ଦେଖେଇବି । କିଛି କହିବି । କିଛିର ଅର୍ଥ ନୂଆ । Revelation । ଏଇଠି Ezra Poundଙ୍କ କଥା ମନେପଡ଼େ । କହିଲେ-It's all rubbish to pretend that art isn't didactic. A revelation is always didactic. ଆବିଷ୍କାର ଗୁପ୍ତ, ସ୍ଫୁରଣ ମୌନ ହେବ କେମିତି ? ଏଇ ଦୃଷ୍ଟିରୁ ମୁଁ ଅଣବାପୁଆ ଆମରାଳ ହୋଇପାରିବି ନାହିଁ । ସ୍ଥିତିବାଦୀ କୁହେ ଯେ ମୁଁ ଏକୁଟିଆ । ହେଲା । କିନ୍ତୁ ମୁଁ ଶୂନ୍ୟରେ ଏକୁଟିଆ ନୁହେଁ, ସଂସାରରେ ଏକୁଟିଆ ।

 

ହେଲେ ସତ କଅଣ ? ଏଇଠି ଖୁସି ମରିଯାଏ, କାନ୍ଦଣା ଆସେ । କାହିଁକି ନା ହେଇରେ ଦେଖିଲି ବୋଲି କହିଲାବେଳକୁ ସତ ଦୂରେଇ ଯାଉଛି କିମ୍ବା ତା’ର ଭେକ ବଦଳି ଯାଉଛି । ଭଗବାନ ହସୁଛନ୍ତି । ଯେତେ ଲେଖୁଛି ବୟସ ଅଭିଜ୍ଞତା ବଢ଼ି ବଢ଼ି ଯାଉଛି । ଭଗବନ ଆହୁରି ବେଶି ହସିଲା ପରି ଲାଗୁଛି । ଭାବୁଛି ସତ କେବଳ ଅଧଃରେ ନାହିଁ ଊର୍ଦ୍ଧ୍ୱରେ ଅଛି । ଅଚେତନ ଅବଚେତନର ବାସ୍ତବ ଯେତିକି ସତ ପରା-ଚେତନ ହୁଏ ତ ସେତିକି ସତ । ଆତ୍ମଦାନ ହୁଏ ତ ଅପରେକ ଅବଗୁଣ୍ଠିତ ଆବେଗ । ହେନ୍‌ରି ଡ୍ରମଣ୍ଡ୍‌ କହିଲେ-Struggle for the life of others, ଅନ୍ୟର ଜୀବନ ପାଇଁ ଲଢ଼େଇ କରିବା struggle for life, ଜୀବନ ପାଇଁ ଲଢ଼େଇ କରିବାର ଅପରିହାର୍ଯ୍ୟ ଅଙ୍ଗ । ସତରେ ? ଫ୍ରଏଡ୍‌ଙ୍କ ବଞ୍ଚିବାର ଇଚ୍ଛା, ମରିବାର ଲୋଭ ସାଙ୍ଗକୁ ଏଇ ବିଚିତ୍ର ବଞ୍ଚିବା-ମରିବାର ଆବେଗଟି କଅଣ ? ସେଥିର ମଜା କେମିତିକା ? ମୋଟ ଉପରେ ସତ ଓ ବାସ୍ତବ କ’ଣ ଏକା ଧାତୁରେ ଗଢ଼ା ? ଏମିତି କେତେ ଅମଡ଼ା ମାଡ଼ି ଆସିଲା ପରେ ପୁଣି ସେଇ କଶ୍ମଳ । ପାରୁନାହିଁ । ଜୀବନର ସତ ମରିବାର ସତ ସାଙ୍ଗରେ ଯୋଡ଼ି ହେଇଛି..... ସ୍ୱଳ୍ପ ଜୀବନର ସାମାନ୍ୟ ମନକୁ ଛାଟ ମାରି କେଉଁଯାଏ ନେବି ? ରହସ୍ୟ ଘୁଞ୍ଚିବ ନାହିଁ । ଡସ୍କୋଭସ୍କି କହିଲା ପରି ଏଇ ରହସ୍ୟ କେବଳ ସୁନ୍ଦର ନୁହେଁ, ଭୟଙ୍କର । କାନ୍ଦିଲେ କ’ଣ ରହସ୍ୟ ଘୁଞ୍ଚିଯିବ ? ରମାକାନ୍ତ ରଥଙ୍କ କବିତାରୁ ପଦେ ମନେପଡ଼େ–ଆକାଶର ଶୂନ୍ୟତା ହିଁ ତମକୁ ଓ ତାଙ୍କୁ/ଈଶ୍ୱରଙ୍କ ପ୍ରତ୍ୟୁତ୍ତର, କାହାର ଏଡ଼ିକି/ଆସ୍ପର୍ଦ୍ଧା ଯେ ଲୁହ ଢାଳି ଶ୍ୟାମଳ କରିବ/ଅସ୍ୱଚ୍ଛନ୍ଦ ସମୟର ଦଗ୍‌ଧ ଭୂଖଣ୍ଡକୁ ? ହେଲେ, ମୋ ପାଇଁ ଏଇ କାନ୍ଦଣାର ଅର୍ଥ ଅମାନିଆ ଅନ୍ତରତମ ଆବେଗ । ମୁଁ ପାରୁ ନାହିଁ, କିନ୍ତୁ ଥକିବି ନାହିଁ, ମୋତେ ବାଟ ଦେଖାଇଦିଅ । ଭଗବାନ ମରିଗଲେଣି ବୋଲି କହିଲେ କଥା ଛିଣ୍ଡିଲା ନାହିଁ । ଗେଡଟ୍‌ଙ୍କୁ ଅପେକ୍ଷା କରି ଗଡ୍ ଆସିବେ ବୋଲି ଭୟ ଲାଗୁଛି । ଆସିବେ, ମୋର ସାହିତ୍ୟକୁ ଦେଖି ହସିବେ... ହୁଏତ ପରମ ସତ୍ୟ ଦେଖାଇବେ । ଆଉ ରାମକୃଷ୍ଣ ପରମହଂସ କହିଲା ପରି ମୋତେ ଆହୁରି କାନ୍ଦିବାକୁ ହେବ, ଏତେଦିନ ଯାଏଁ କୁଆଡ଼େ ଥିଲୁ ?

 

ଏଇ ହା-ହତୋଽସ୍ମି ଯୁଗରେ ମନେହେଉଛି ସବୁ ମିଛ, ନାସ୍ତି । ଅର୍‌ନେଷ୍ଟ୍‌, ହେମିଙ୍ଗ୍ଓ୍ୱେ ତାଙ୍କର ଗୋଟିଏ ଗଳ୍ପରେ Lord's prayerକୁ ବିକୃତ କରି କହିଲେ, ‘‘...and nada us our nada as we nada our nadas and nada us into nada । ’’ ନାଦା ମାନେ ନାସ୍ତି । କିନ୍ତୁ ପ୍ରାର୍ଥନାର ଶେଷ ପଦଟି ହେଲା, “...and deliver us from nada । ’’ ଆମକୁ ଏଇ ନାସ୍ତିରୁ ଉଦ୍ଧାର କର ।

 

(‘ଧରିତ୍ରୀ’ର ୬ଷ୍ଠ ଜନ୍ମବାର୍ଷିକ ଉତ୍ସବ ପାଇଁ ଉଦ୍ଦିଷ୍ଟ ଅଭିଭାଷଣ)

Image

 

ମୋ ଦେଶ : ମୋ ସାହିତ୍ୟ

 

(ମୁଁ ଗତ ମାର୍ଚ୍ଚ ୧୯୮୦ରେ ଅଷ୍ଟ୍ରେଲିଆର ଆଡ଼ିଲେଡ଼୍‌ ନଗରୀରେ ଅନୁଷ୍ଠିତ ହୋଇଥିବା ‘‘ଆନ୍ତର୍ଜାତିକ ଲେଖକ ସପ୍ତାହ’’ ସମାରୋହରେ Indian Council of Cultural Relationଙ୍କ ଆନୁକୂଲ୍ୟରେ ଭାରତର ପ୍ରତିନିଧିତ୍ୱ କରିବାକୁ ସୌଭାଗ୍ୟ ଲାଭ କରିଥିଲି । ସେଠାରେ Literature and Cultural Identity ନାମକ ବିଷୟବସ୍ତୁ ଉପରେ ଆୟୋଜିତ ଆଲୋଚନା ଚକ୍ରରେ ଗୋଟିଏ ପ୍ରବନ୍ଧ ପଢ଼ିଥିଲି । ତାହା ବିଶେଷ ଆଦୃତ ହୋଇ ଅଷ୍ଟ୍ରେଲିଆର ଗୋଟିଏ ସାହିତ୍ୟ ପତ୍ରିକା Westerlyରେ ପ୍ରକାଶିତ ହୋଇଥିଲା । ପରେ ତାହା ମହୀଶୂରରୁ ପ୍ରକାଶ ପାଉଥିବା Literary Criterion ନାମକ ପତ୍ରିକାରେ ମଧ୍ୟ ସଂକଳିତ ହୋଇଥିଲା । ଭାବିଲି, ମୋର ଏଇ ଅତି ଆନ୍ତରିକ ଓ ଆତ୍ମିକ ନିବେଦନକୁ ମୋର ଓଡ଼ିଆ ପାଠକପାଠିକାମାନଙ୍କ ଆଗରେ ବାଢ଼ି ନ ଦେଲେ ଆବେଗର ପୂର୍ତ୍ତି ହେବ ନାହିଁ । ତେଣୁ ଲେଖାଟିର ସ୍ଵାଧୀନ ଅନୁବାଦ କରି ଯତ୍‍କିଞ୍ଚିତ୍‌ କହିବାର ସାହସ କରୁଛି; ଦୋଷତ୍ରୁଟି କ୍ଷମଣୀୟ । –(ଲେଖକ)

 

ଲେଖକ କାହିଁକି ଲେଖେ ଏହି ପ୍ରଶ୍ନର ଉତ୍ତର ତା’ରି ଛଡ଼ା ଆଉ କେହି ଦେଇପାରିବେ ନାହିଁ ଏବଂ ସେ ନିଜେ ମଧ୍ୟ ତା’କୁ ବାରମ୍ବାର ସଂଶୋଧନ କରିବାକୁ ଚାହିଁବ । ଯେହେତୁ କାରଣଟି ପ୍ରକୃତରେ କଅଣ ସେ ନିଜେ ଜାଣେ ନାହିଁ । ବିଚରା ଚରିତ୍ରମାନଙ୍କୁ ନେଇ ଯେତେ ହଟଚମକ ଦେଖେଇଲେ କଅଣ ହେବ, ସୃଜନ ମୂଳରେ ତୁମର କେଉଁ ଅନ୍ତରତମ ଆବେଗ, ଅଭିମାନ, ଅପୂରଣ ଉଙ୍କି ମାରୁଛି ତାକୁ ଠଉରେଇବା କାଠିକର ପାଠ । ଲେଖା ଓ ଲେଖକର ସମ୍ପର୍କ ଏକ ଅନ୍ତରଙ୍ଗ; ହେଲେ ଅନ୍ଧାରିଆ ପ୍ରେମ । ଅବଶ୍ୟ ସେଥିରୁ ସୁଦୃଶ୍ୟ କବିତାଟିଏ, ଗପଟିଏ ବାହାରିପାରେ, ସେକଥା ଭିନ୍ନ । ମନେହୁଏ ଯେ ସମ୍ପର୍କରେ ପ୍ରେମ ଅଛି ସିନା ଘୃଣା ମଧ୍ୟ ଅଛି । ମନସ୍ତତ୍ତ୍ୱବିଦ୍ ଆଡ୍‌ଲର୍‌ଙ୍କୁ ପଚାରିଲେ କହିବେ ଯେ, ସେଥିରେ ଅଛି ଆପଣାର ହୀନମନ୍ୟତାକୁ ଲୁଚେଇବାର ଆଗ୍ରହ; ସ୍ଥିତିବାଦୀମାନେ କହିବେ ଯେ, ସେଥିରେ ଶୂନ୍ୟଭାବକୁ ସତେ ଜିଣିବାର ବହପ ଛଡ଼ା ଆଉ କିଛି ନାହିଁ ଏବଂ ଉଦ୍ଭଟବାଦର ପଣ୍ଡିତମାନେ ହସିବେ, କହିବେ ଯେ, ତାହା ହେଉଛି କିଛି ବୁଝି ହେଉ ନ ଥିବା ସଂସାରକୁ ତୁଚ୍ଛାଟାରେ ଖତେଇ ହେବା ଢଙ୍ଗ । ଏମିତି କିଛି ହୋଇଥିବ ପରା । ଲେଖକ ଦମ୍ଭରେ କହିପାରିବ ନାହିଁ ଯେ ଏଇ ହେଉଛି ଅସଲ କଥା, ସୃଜନର ଉତ୍ସ; ତେବେ ଗୋଟିଏ ତଥ୍ୟରେ ମଳିଧୂଳି ନାହିଁ, ସମସ୍ତେ ମାନିବେ; ଯେ ସମ୍ପର୍କଟି ଅଶାନ୍ତ ଏବଂ ଅନିବାର୍ଯ୍ୟ । ଲେଖକ ଲେଖେ କାହିଁକିନା ସେ ଲେଖିବାକୁ ବାଧ୍ୟ । ସେଇଠୁ, କାମ୍ୟୁ କହିଲା ପରି, ସ୍ୱାକ୍ଷର ମାତ୍ରେ ହିଁ ସ୍ୱୀକାର ।

 

ଯାହାହେଉ ନିଜ ମନ ସହିତ ନିଜକୁ ଯୋଡ଼ିବାର ଏହି ସକ୍ରିୟତା (ଯେଉଁଥିରେ ଅଙ୍ଗେ ନିଭେଇଥିବା ଅବା ସପନେଇଥିବା ଯେତେକ ଅନୁଭୂତି ଧରାଦିଏ) ତା’ର ଆଦିମୂଳ ଯେନ୍ତେ କୁହୁଡ଼ିଆ ହେଉନା କାହିଁକି, ସେଥିରୁ ଉପୁଜିଥିବା ଧନ ଯେଉଁମାନଙ୍କ କାମରେ ଆସିବ ସେମାନେ ମଧ୍ୟ କଅଣ ଅନିର୍ଦ୍ଦିଷ୍ଟ ? ଅପ୍ରାସଙ୍ଗିକ ? ସେମାନେ ମୋରି ଜାତିଭାଇ, ମୋ ଦେଶର ଲୋକେ ନୁହନ୍ତି ତ ଆଉ କିଏ ? ତେଣୁ ଲେଖକ ଯଦି ତା’ର ଉତ୍ପାଦନକୁ ଘର କୋଣରେ ଲୁଚେଇ କରି ନ ରଖେ, ସ୍ଵଭାବତଃ ପସରା ମେଲେଇ ଦିଏ, ତାହାହେଲେ ତା’ର ଦେଶପ୍ରେମୀ ନ ହେବା ଛଡ଼ା ଉପାୟ କଅଣ ? ଏହି ଦୃଷ୍ଟିରୁ ଆଜିକାର ବିଷୟବସ୍ତୁର ଆଉ ଗୋଟିଏ ଗୁଣାତ୍ମକ ଉପାଦାନ ରହିଛି ବୋଲି ମୋର ମନେହେଉଛି । ମୋର ଲେଖାର ମାଧ୍ୟମରେ ମୁଁ ମୋ ଦେଶ ସାଙ୍ଗରେ କେମିତି ଯୋଡ଼ି ହୋଇ ରହିଛି ବୋଲି କହିଲେ ଯଥେଷ୍ଟ ନୁହେଁ, ମୋତେ ଦର୍ଶାଇବାକୁ ହେବ ମୁଁ ତାକୁ କିଭଳି ଭଲପାଏ, ଅନ୍ତତଃ ଖାତିର କରେ । ଗରାଖ ଯେତେହେଲେ, ତାଙ୍କୁ ଖୁସି କରିବା, ସାହାଯ୍ୟ କରିବା, ସମ୍ଭବ ହେଲେ ଭଲପାଇବା ବାଞ୍ଛନୀୟ ।

 

ଭାବନ୍ତୁ ନାହିଁ ଯେ ମୁଁ ଦେଶପ୍ରେମର ଏହି ବ୍ୟବସାୟିକ ମୂଲ୍ୟକୁ ବଡ଼ କରି ଦେଖୁଛି । ମୋର ବକ୍ତବ୍ୟ ହେଉଛି ଯେ, ଯଦିବା ମୁଁ ଅପ୍ରେମର ବାହାଦୂରୀ ନେବାକୁ ଚାହେଁ (କେତେକ ‘‘ଇଣ୍ଟେଲେକ୍‌ଚୁଆଲ୍‌’’ ସେଭଳି ବାହାଦୂରୀ ନେଇଥାଆନ୍ତି, ଆପଣ ଜାଣିଥ‌ିବେ), ଲେଖକ ହିସାବରେ ମୁଁ ସେଥିରେ ଉଧେଇ ପାରିବି ନାହିଁ ।

 

ତାହାହେଲେ ଦେଖନ୍ତୁ ଯେ ଲେଖକକୁ ତିନୋଟି ସ୍ତରରେ ସଚେତନ ହେବାକୁ ପଡ଼ିବ । ପ୍ରଥମଟିରେ ସେ କେବଳ ମଣିଷ-ଜୀବନର, ମୃତ୍ୟୁର, ସର୍ବସାଧାରଣ ଭୟଭୀତିର । ଏହା ସବା ଉପର ମହଲରେ ନିଜକୁ ମୁକ୍ତ ଏବଂ ଅନନ୍ୟ ବୋଲାଇବା ତା’ର ପାଉଣା । ସେଥିରୁ ତାକୁ କେହି ବଞ୍ଚିତ କଲେ ତା’ର ପ୍ରତିବାଦ କରିବା ଉଚିତ୍ । କିନ୍ତୁ ସେ ଯେଉଁ ଦେଶରେ ଜନ୍ମ ହୋଇଛି ଯେଉଁ ସମାଜରେ ବଡ଼ ହୋଇ ସାହିତ୍ୟ ଲେଖୁଛି ତା’ର ପ୍ରଭାବରେ ତା’ର ନୈସର୍ଗିକ ଅନନ୍ୟତା ଯତ୍‌ସାମାନ୍ୟ ଜାତିଆଣ ରଙ୍ଗରେ ରଙ୍ଗେଇ ଯିବ, ଏହା ସରଳ ସତ୍ୟଟିକୁ ମାନିନେବା ଭଲ । ନ ହେଲେ ଠକାମୀରେ ପଡ଼ି ଆପଣା ସାହିତ୍ୟର ପ୍ରକୃତ ମୂଲ୍ୟାୟନ କରି ହେବ ନାହିଁ । ହେନ୍‌ରି ଲ’ସନ୍ ଊନବିଂଶ ଶତାବ୍ଦୀର ଶେଷଭାଗରେ ଏବଂ ଅଷ୍ଟ୍ରେଲିଆରେ ନ ଥାଇ ଆଉ କେଉଁ ସମୟରେ ଆଉ କେଉଁ ଦେଶରେ ଲେଖିଥିଲେ ମଧ୍ୟ ହୁଏତ ଏକ ବଳଶାଳୀ ଲେଖକ ହୋଇପାରିଥାଆନ୍ତେ; କିନ୍ତୁ ତାଙ୍କ ଲେଖାର ଗୁଣ-କେବଳ ସ୍ଵାଦୁବାସ୍ନା ନୁହେଁ, ଚିନ୍ତାର ସ୍ଵରୂପ-ଭିନ୍ନ ହୋଇଥାଆନ୍ତା । କାଳିଦାସଙ୍କଠାରୁ ରବୀନ୍ଦ୍ରନାଥ ଠାକୁରଙ୍କ ପର୍ଯ୍ୟନ୍ତ ଆମ ଭାରତର ମହାନ ଲେଖକମାନଙ୍କ ବିଷୟରେ ମଧ୍ୟ ତାହା ହିଁ କୁହାଯାଇପାରେ । ଇଏ ହେଲା । ଦ୍ଵିତୀୟ ସ୍ତର, ସବା ଉପର ମହଲାରୁ ତଳକୁ ଖସିଆସିବାର କ୍ରମ । ଶେଷକୁ ନିମ୍ନତମ ତୃତୀୟ ସ୍ତରକୁ ଓହ୍ଲେଇ ନ ଆସିଲେ ରକ୍ଷା ନାହିଁ । ଦେଶର ମାଟିକୁ ନେଇ ତୁମ ସାହିତ୍ୟ ଯତ୍‌ସାମାନ୍ୟ ରଞ୍ଜିତ ହୋଇଯାଇଛି ବୋଲି ମାନିଲେ ହେଲା ନାହିଁ, ତୁମ ଲେଖା ପଢ଼ିବା ପାଇଁ ଯେ ହାତ ପାହାନ୍ତାରେ ରହିଛି, ସେହି ସିଂଘାଣିନାକୀ ଗାଆଁ କନିଆଁର ଚେହେରା ଓ ଚାହିଦାକୁ ଭୁଲିଗଲେ ବିପଦ । ଏହି ତିନୋଟିସ୍ତର ପରସ୍ପର ବିରୋଧୀ ନୁହେଁ; ତେବେ ବୁଦ୍ଧିବିବେକୀ ଲେଖକ ତିନୋଟିକୁ ନେଇ ଉପରତଳ ହେଲେ ମଙ୍ଗଳ ।

 

ତେଣୁ ମୋ ପରି ଜଣେ ଲେଖକ ଯେ ବିଶ୍ୱାସ ପୋଷଣ କରି ଆସିଛି ଯେ, ମୌଳିକ ମଣିଷକୁ ନେଇ ଗଢ଼ା ନ ହେଲେ ସାହିତ୍ୟ ସଂପୂର୍ଣ୍ଣ ହୋଇପାରିବ ନାହିଁ, ମୁଁ ବିନାଦ୍ୱିଧାରେ କହିବାକୁ ଚାହେଁ ଯେ, ମୋ ସାହିତ୍ୟ ମୋ ଦେଶକୁ ଆଡ଼େଇ ଦେଇ ଚଳିପାରିବ ନାହିଁ । ମୋର ସନ୍ଦେହ ଯେ ଲେଖକ ଭୂମିକାର ବାହାରେ ମୁଁ ତାକୁ ଉଚିତ୍‌ରୁ ଅଧିକ ଭଲପାଏ । ହେଲେ ସେକଥା ଭିନ୍ନ ।

 

ପ୍ରଥମେ ମନକୁ ଆସେ ଯେ ଏହି ମୋର ଦେଶ, ସମୟ ଓ ସ୍ଥିତି ଉଭୟ ପରିମାପରେ ନିହାତି ବଡ଼ । ମୁଁ ତିନି ଚାରି ହଜାର ବର୍ଷରୁ ବହି ଆସିଥିବା ଢେଉ ଖେଳୁଥିବା ସଭ୍ୟତାର ସନ୍ତାନ । ଉତ୍ତରାଧିକାରୀ । ମୁଁ ପ୍ରାୟ ସତୁରି କୋଟି ଦେଶବାସୀମାନଙ୍କ ମଧ୍ୟରୁ ଜଣେ । ତିରିଶ ଲକ୍ଷ ବର୍ଗମାଇଲବ୍ୟାପୀ ସ୍ଥଳ ଓ ଜଳ ମୋର ଚଲାଭୂଇଁ । ଏହି ଭାରୀପଣ ମୋର ସୃଜନ ଚେତନାର ଘର କରିଛି ଓ ବେଳେବେଳେ ମୋ’ ଲେଖନୀକୁ ସଙ୍କୁଚିତ କରେ । ଦେଶର ସମଗ୍ର ବିଶାଳତାକୁ ମୋ’ ସାହିତ୍ୟରେ ଫୁଟେଇ ପାରୁନାହିଁ ଏଭଳି ଆସ୍ପର୍ଦ୍ଧା ମୋ’ ଦୁଃଖର କାରଣ ବୋଲି ମୁଁ କହୁନାହିଁ । କିନ୍ତୁ କୁଣ୍ଢ ପାଉ ନାହିଁ । କଳି ହେଉ ନାହିଁ, ଲିଲିପୁଟ୍‌ ପରି ମୋର ପ୍ରେମାସ୍ପଦାର ଚେନାଏ ବୋଲି ଅଙ୍ଗକୁ ଆଙ୍କୁଡ଼ି ଧରିବା ଛଡ଼ା ଆଉ କିଛି କରିହେଉ ନାହିଁ, ଇତ୍ୟାଦି ଅକ୍ଷମତାର ଭାବ ମୋତେ ହଇରାଣ କରେ ବୋଲି ମାନିବାକୁ ପଡ଼ିବ । ମୋର ସନ୍ଦେହ ହୁଏ ଯେ ମୁଁ କେବଳ କ୍ଷୁଦ୍ର ଗଳ୍ପଟିଏ ଅଥବା କବିତାଟିଏ ଲେଖି କାମ ସାରିଦେଉଛି, ବୋଧହୁଏ ଏହି ସାନ-ସୁନ୍ଦରକୁ ଆଦରିବା ମୂଳରେ ଅଛି ସମ୍ପର୍କ ସାଧନାର କୃଚ୍ଛ୍ରତା; ମୋ’ ଦେଶର ବ୍ୟକ୍ତିତ୍ୱ ମୋର ଅଗଣାକୁ ବଳି ପଡ଼ିଛି । ଅନେକ ଭାରତୀୟ ଲେଖକ ମୋର ଏହି ସ୍ୱୀକାରୋକ୍ତିରେ ରାଜି ନ ହୋଇ ପାରନ୍ତି । ପ୍ରକୃତରେ ଭାରତରେ ଅନେକ ଉପନ୍ୟାସ ଓ କାବ୍ୟ ଲେଖାଯାଇଛି ଯାହାର ପରିସର ଏକାଧିକ ଅର୍ଥରେ ବ୍ୟାପକ ବୋଲି କୁହାଯାଇପାରେ । କିନ୍ତୁ ମୋର ବିଶ୍ଵାସ, ଲେଖକ ଭାଇମାନେ ସ୍ୱୀକାର କରିବେ ଯେ ଦେଶର ‘‘ବିଶାଳପଣ’’ ତାଙ୍କ ଲେଖନୀକୁ ବିଶେଷ ଭାବରେ ପ୍ରଭାବିତ କରିଛି । ମୋର ଧାରଣା ଯେ ନିଜକୁ ଦେଶର ବିଶାଳତାରେ ଥାପି ନ ପାରିବାର ସଚେତନତା ହିଁ ତାଙ୍କୁ ଛଟପଟ କରିଛି, ଅନୁଭୂତିର କ୍ଷେତ୍ର ବଢ଼ାଇବା ପାଇଁ ଉସ୍‌କେଇଛି । ହୁଏତ କାହାକୁ ଅଧିକରୁ ଅଧିକ ଲେଖିବା ପାଇଁ ପ୍ରଚୋଦିତ କରିଛି, ନିଜକୁ ମିଳିଥିବା କ୍ଷେତ୍ରଟିକୁ ଚଷି ପକେଇବା ପାଇଁ ଅସ୍ତବ୍ୟସ୍ତ କରିଛି । ହୁଏତ କାହାକୁ ଚରିତ୍ର ଚିତ୍ରଣରେ ସାହାଯ୍ୟ କରିଛି, ହଜି ଯାଇଥିବା ରତ୍ନ ଫେରାଇ ଆଣିଛି ଏବଂ ସେଇଥିପାଇଁ ପାଶ୍ଚାତ୍ୟ ଲେଖକ ବର୍ତ୍ତମାନର ମଣିଷକୁ ଦେବଦାନବ-ବହିର୍ଭୂତ ଏକ ଅବାନ୍ତର ଜୀବ ବୋଲି ମଣୁଥିବା ସ୍ଥଳେ ଆମର ଅନେକ ଲେଖକ ତାକୁ ହିରୋଗୁଣରେ ଟ୍ରାଜେଡ଼ିରେ ଚମତ୍କାର କରି ଦେଖାଇ ପାରୁଛନ୍ତି । ମୋର ଭାବିବାକୁ ଇଚ୍ଛାହୁଏ ଯେ କେତେକ ସମସାମୟିକ ଲେଖକ, ଯଥା ଔପନ୍ୟାସିକ ଗୋପୀନାଥ ମହାନ୍ତି ଯେ ମୋରି ଅଞ୍ଚଳରୁ ଆସିଛନ୍ତି ଓ ଦେଶର ସର୍ବଶ୍ରେଷ୍ଠ ପୁରସ୍କାର ପାଇଛନ୍ତି, ଅନ୍ୟ କେଉଁଠି ଲେଖୁଥିଲେ (ଯେଉଁଠି ପୃଷ୍ଠଭୂମି ମାଡ଼ି ପଡ଼ନ୍ତା ନାହିଁ) ଏଭଳି ଜୀବନରୁ ବଳି ମହାନ୍ ଚରିତ୍ର ସୃଷ୍ଟିକରି ନ ଥାଆନ୍ତେ, ଚହଟରଙ୍ଗରେ ମଣିଷ ଛବିର ବଡ଼ପଣ ଦର୍ଶାଇବାର ସାହସ କରି ନ ଥାଆନ୍ତେ । ମହାଦେଶ ପରି ଏହି ଦେଶ ସାଙ୍ଗରେ ସମ୍ପର୍କ ବାନ୍ଧିବା ପାଇଁ ଜାଣିକରି ହେଉ ବା ଅଜାଣତରେ କେତେ ଚେଷ୍ଟା କେତେ କାରସାଦି !

 

ଖାଲି ବିଶାଳ ହେଲେ ଚଳିଥାଆନ୍ତା । ଯଦି ସଭିଏଁ ମୋଟାମୋଟି ଏକାପରି ହୋଇଥାଆନ୍ତେ । କିନ୍ତୁ ପରିସ୍ଥିତି ଭିନ୍ନ, ମୋ’ ଦେଶର ବିଚିତ୍ର ବହୁଳତା ଆଖିକୁ ଝଲସାଇଦିଏ । ଲେଖକ ସମ୍ପର୍କ-ବ୍ୟାକୁଳ ହୋଇ ଧନ୍ଦାଳି ହୁଏ, ଚକମକି ଆଲୁଅର ଆକ୍ରମଣରେ ଅନ୍ଧ ହୋଇ ଆପଣା ଗୁହାକୁ ଫେରିଆସେ । ମୋ’ ଦେଶରେ ଇଂରେଜୀ ଭାଷା ଛଡ଼ା ଚଉଦଟି ପ୍ରଧାନ ଭାଷା ଅଛି, ପ୍ରତ୍ୟେକର ସାହିତ୍ୟ ବହୁ ଶତାବ୍ଦୀର ଐତିହ୍ୟରେ ସମୃଦ୍ଧ ଓ ବଳୀୟାନ । ତୁହାକୁ ତୁହା ବିଭିନ୍ନ ଜାତି ବର୍ଣ୍ଣର ଲୋକେ ଏଠାକୁ ଆସି ନୂଆ ନୂଆ ସଂସ୍କୃତିର ମଞ୍ଜି ପୋତି ଦେଇଗଲେ; ତେଣୁ ପ୍ରାଚୀନରେ କେତେ ଅଭିନବ ଫୁଲଫଳ ମାଡ଼ିଗଲାଣି । ଏଠି ପୃଥିବୀର ପ୍ରତ୍ୟେକ ପ୍ରଧାନ ଧର୍ମର ପ୍ରଜା ପାଖାପାଖି ହୋଇ ଅଛନ୍ତି; କିଏ ବିଧିବିଧାନ ପାଳୁଛି ଅବା କିଏ ‘ଆଧୁନିକ’ ହୋଇ ଧର୍ମକୁ ସ୍ୱଗତ କରି ନେଲାଣି । ଆଉ ଗୋଟିଏ କଥା ମନେ ରଖିବାକୁ ପଡ଼ିବ ଯେ ମୋ’ ଦେଶ କେବଳ ଧର୍ମ ନିରପେକ୍ଷ ନୁହେଁ, ଆମର ଭୟ କାଳେ ଏହି ଇମେଜ୍‌ରେ ଆଞ୍ଚ ଲାଗିବ । ତେଣୁ ପ୍ରତ୍ୟେକ ଧର୍ମର ସାମାଜିକ-ସାଂସ୍କୃତିକ କାରବାର ଅବାଧ୍ୟରେ ବଡ଼ ଥାଉ, ଭଲ ହେଉ, ଭେଲ ହେଉ, ସେଥିକୁ ପାଟି ଫିଟାଇବାର ନୁହେଁ ବୋଲି ଆମକୁ କୁହାଯାଇଛି । ଉତ୍ତମ; କିନ୍ତୁ ଲେଖକର ଦୁର୍ଦ୍ଦଶା ଭାବିଲେ ଦେଖି ? ଆପଣା ଜ୍ଞାନ ଓଁ ଅନୁଭୂତିର ସୀମାକୁ ଅତିକ୍ରମ କରିବା ଦୁଷ୍କର, ଏଣେ ଆଖି ଆଗରେ ଘଟି ଯାଉଥିବା ଘଟଣାର ଗହନକୁ ପଶିହେଉ ନାହିଁ, ଏଥର ଦୁଃଖ ମର୍ମନ୍ତୁଦ । ମୁଁ ବଡ଼େଇ କରୁ ନାହିଁ । ଦିଲ୍ଲୀରେ ମୋରି ଜଣେ ପ୍ରତିବେଶୀ ଅଛି, ସେ କୃଷ୍ଣକାୟ, ଦକ୍ଷିଣରୁ ଆସିଛି ଏବଂ ସର୍ବ ସକ୍ରିୟ ଖ୍ରୀଷ୍ଟିୟାନ । ମୁଁ ପୂର୍ବାଞ୍ଚଳର ଓଡ଼ିଶାରୁ ଆସିଛି, ନିଷ୍କ୍ରିୟ ହିନ୍ଦୁ । ଆମେ ଦୁହେଁ ସରକାରୀ ଚାକିରିଆ, ଏକା ବସ୍‌ରେ ଯେଝାର ଯେଝା ଅଫିସକୁ ଯାଉ, ଆମ ବେତନ ଊଣାଅଧିକେ ସମାନ । ଆମେ ଚଳନ୍ତି ରାଜନୈତିକ ବ୍ୟାପାର ନେଇ ଘଣ୍ଟା ଘଣ୍ଟା ଧରି ଆଲୋଚନା କରୁ ଇଂରାଜୀରେ । କେବଳ କଥାବାର୍ତ୍ତା ହେଉ, ପରସ୍ପରକୁ ଛୁଇଁବାର ଚିହ୍ନିବାର କ୍ଷମତା ନାହିଁ । ମୁଁ ଚାହେଁ ତାକୁ ମୋ’ ସାହିତ୍ୟରେ ଫୁଟାଇ ପାରନ୍ତି । କିନ୍ତୁ ଉପାୟ ନାହିଁ । ଯେଉଁ ରୂପକଥା ତାକୁ ଉଜ୍ଜୀବିତ କରେ । ଯେଉଁ ସମବେତ ଅଚେତନ ତା’ର ସ୍ୱପ୍ନ ଓ ଭୟକୁ ରଞ୍ଜିତ କରେ, ତା’ ଘର ପରିବାରରେ ଜୀବନର ତଥା ମୃତ୍ୟୁର ଯେତେକ ଉପଚାର ଧ୍ୱନିତ ହୁଏ, ମୁଁ ତା’ର ମହିମା କି ମାଧୁରିମା ବୁଝିପାରେ ନାହିଁ, ମତଲବ କଅଣ ବୋଲି ପଚାରି ବସେ । ସଞ୍ଜବେଳେ ତା’ ରୋଷେଇ ଘରୁ ଠାକୁରଘରୁ ଉଠିଥିବା ଧୂଆଁ ଚିଡ଼େଇଲା ପରି ମୋରି ବାଟ ଦେଇ ଚାଲିଯାଏ, ମୁଁ ତାକୁ ଧରିପାରେ ନାହିଁ । କେଉଁ ସାହସରେ ମୁଁ ସେହି ମଣିଷର ଅନ୍ତରଙ୍ଗ ଚରିତ୍ରକୁ ନେଇ ସାହିତ୍ୟ ଲେଖିବି ? ମନେ ରଖନ୍ତୁ, ଏ ହେଉଛି ନାଗରିକ ଜୀବନର ଛବି । ନଗରମାନଙ୍କରେ ବିଭିନ୍ନତା ମିଳେଇ ଯାଏ ବୋଲି କୁହନ୍ତି । କିନ୍ତୁ ମୋ’ ନଗର କାଫ୍‌କାଙ୍କ ‘‘Trial’’ର କଚିରୀଘର ବୋଲି ମନେହୁଏ ଯେଉଁଠି ‘‘ଲୋକମାନେ ଦଳ ଦଳ ହୋଇ ଆସନ୍ତି ଯାଆନ୍ତି, କେହି କାହାକୁ କଥା କୁହନ୍ତି ନାହିଁ’’ ଓ ‘ପ୍ରତି ମାମଲା ଆପଣା ଗୁଣରେ ଫଇସଲା ହୋଇଯାଏ ।” ପୁଣି ଭବିବାର ବିଷୟ ଯେ ଲେଖକମାନେ ସାଧାରଣତଃ ସହରିଆ ଲୋକ । ତେଣୁ ମୋ’ ଦେଶର ବିଚିତ୍ର ବହୁଳତାରେ ମୁଁ କାହିଁକି ଶଙ୍କିଯାଏ, ତା’ର ବିବିଧତାରେ କାହିଁକି ହାରିଯାଏ ବୁଝି ହେଉଥିବ ବୋଲି ମୋର ବିଶ୍ୱାସ । ଯାଇପାରିବ ନାହିଁ । ବିଦେଶୀ ଲେଖକମାନେ ଭାରତୀୟ ଚରିତ୍ରକୁ ଆଙ୍କିଲାପରି ମୁଁ ମୋର ପ୍ରତିବେଶୀକୁ ନେଇ ଅଭିନବତ୍ୱ….. (exotic)ର ସ୍ୱାଦୁ ଚଖେଇ ପାରିବି ନାହିଁ । ସେ ମୋର ଅପର ନୁହେଁ । ମୁଁ ମୋର କ୍ରୂଶ ବହନ କରିବି, ଯେତେଟା ପାରେ ।

 

ମୋ ନିକଟରେ ଓ ଚତୁଃପାର୍ଶ୍ଵରେ ଥିବା ଲୋକମାନଙ୍କୁ ନେଇ ସାହିତ୍ୟ ଲେଖିବା ପ୍ରକୃତରେ ଗୋଟାଏ ଆଡ଼ଭେଞ୍ଚର । ଏଭଳି ଆଡ୍‌ଭେଞ୍ଚର ମଜା ଆଉ କେଉଁ ଦେଶରେ ମିଳିବ ? ଭାବେ ସେ ଅକ୍ଷମତାର ସ୍ଵଭା ମନ୍ଦ ନୁହେଁ, ମୋତେ ଖୁଞ୍ଚାମାରି ଆଗରୁ ନେଇଯିବ, ସହଳ ନ ହେଲା ନାହିଁ, ଧୀରେ ସୁସ୍ଥେ ମୋ ଭାଇର ଅସରପଣକୁ ଆବୁରିନେବ । କିନ୍ତୁ ଯେଉଁ ପଡ଼ୋଶୀ ଚେତନାକୁ ମାଡ଼ି ବସେ ଅଥଚ ତାକୁ ଭାଇ ବୋଲି ମାନିନେଇ ହେବନାହିଁ, ତା’ ବିଷୟରେ କ’ଣ କରାଯିବ ? ତାକୁ ଦୂର୍‌ପଳା ବୋଲି କହିହେବ ନାହିଁ, ଆଖି ବୁଜି ଭୁଲିଯାଇ ହେବ ନାହିଁ, କାହିଁକିନା ତା’ର ସଂଖ୍ୟା ଅଗଣିତ । ହୁଏତ ସେ ତୁମ ଘରକୁ ଲାଗି ତା’ର ଟିଣଖପରା-ଛିଣ୍ଡାକନାର ବିଚିତ୍ର ଗୁହା ଭିତରୁ ଅନେଇଛି ତୁମ ଆଡ଼କୁ ବଲବଲ ହୋଇ । ସାମୁଏଲ୍‌ ବେକେଟ୍ କିମ୍ବା ବାଦଲ୍ ସରକାରଙ୍କ ସଦ୍ୟତମ ନାଟକ ଦେଖି ବାହାରିଲା ବେଳକୁ ଅଥବା ଯେ କୌଣସି କଳା-କଲ୍‌ଚର ସେବନ କଲା ବାଟରେ ତା’କୁ ଝୁଣ୍ଟିବାକୁ ବାଧ୍ୟ । ମନ୍ଦିର ଦୁଆର କଥା ଛାଡ଼ିଦିଅ । ଏବଂ ଯଦି ସହର ବାହାରକୁ ଯାଇ ପ୍ରକୃତିର ଉପଭୋଗ କରିବାକୁ ଚାହଁ ତାହାହେଲେ ଦେଖିବ ଯେ ସେ ଦାନ୍ତ ନିକୁଟି ଭିକ ମାଗୁନାହିଁ ସିନା, ଭଗବାନଙ୍କର କି ମାଲିକର ଅରାଏ ମାଟିକୁ ଧରି ଲଙ୍ଗଳ ପେଲୁଛି, ପେଲୁଛି-। ଫୋର୍ଷ୍ଟର୍‌ଙ୍କର Passage to Indiaରେ ଥିବା ପଙ୍ଖାବାଲାର ପଙ୍ଖା ଟାଣିଲା ପରି କରୁଛି ତ କରୁଛି, ଅବିରତ ଅନନ୍ତର କାମ । ସତେକି ଦିନରାତିର ସୃଷ୍ଟି ସାଙ୍ଗରେ ତାଳ ଦେଉଛି-। ତା’କୁ ନେଇ ସାହିତ୍ୟ ଲେଖିବା ଦୂରର କଥା, କେଉଁ ଅଧିକାରରେ ମୁଁ ତାକୁ ଭାଇ ବୋଲି ଆଦରି ନେଇପାରିବ ? କିନ୍ତୁ ଯଦି ନ ଲେଖେ ତାହାହେଲେ ମୋର ସ୍ଥାନ କେଉଁଠି ? ଏହି ଦ୍ୱନ୍ଦ୍ୱର ଦୁଃଖ ଅକ୍ଷମତାରୁ ବଳି । ବେଳେବେଳେ ମନେହୁଏ ଯେ ମୋର ଲେଖିବା ଅସଙ୍ଗତ, କାହିଁକିନା ମୋର ବାହା ଛିଣ୍ଡି ଯାଇଛି, ଯୋଡ଼ି ହୋଇପାରିବ ନାହିଁ । ପୁଣି କେତେବେଳେ ନିର୍ବିକାରୁ ନିର୍ବିଚଳତାର ଅଭ୍ୟାସ କରିବାକୁ ପଡ଼େ, ତା’କୁ ନିଷ୍ଠୁରତା କହିଲେ କୁହ । ମୁଁ ନିଜକୁ ସଫେଇ ଦିଏ ଯେ ଏହା ବୈଷମ୍ୟ ଯେତେ ଦାରୁଣ ହେଉ ନା କାହିଁକି ଆମ ବିଚିତ୍ର-ବହୁଳତାର ଅନ୍ୟତମ ଦିଗ ଦେଖିବାକୁ ଗଲେ ଏହାରି ଯୋଗୁ ମୋ ସାହିତ୍ୟରେ ଅନ୍ଧାର-ଆଲୁଅ ବିପରୀତର ଚମତ୍କାରିତା ଫୁଟିଉଠିବ-। ତାହାହେଲେ ମୁଁ କଅଣ କିଛି ଲେଖିବି ଏମାନଙ୍କୁ ନେଇ ? ମୁଁ ଜଣେ ନଗରପାଳିତ ବୁଦ୍ଧିବାଦୀ ଲେଖକ, ମୁଁ କ’ଣ ସତେ ଉଚ୍ଚମନା ଉଦାରତା ଅଥବା ଉତ୍ତରଲ ସେଣ୍ଟିମେଣ୍ଟ ବିନା ଏମାନଙ୍କର ଭୋକ ଓ ସରାଗର ଛକି ଆଙ୍କି ପାରିବ ? ଶେଷକୁ ମୁଁ ପଛେଇଯାଏ, କହେ ଏ ଆଡ଼ଭେଞ୍ଚର ମୋ ଦେଇ ହେବ ନାହିଁ । ବରଂ ନିଜ ଶ୍ରେଣୀର ଭାଇବନ୍ଧୁଙ୍କ ବିଷୟରେ ଲେଖେ, ଯଦ୍ୟପି ସେମାନେ ସଂଖ୍ୟା ଅନୁପାତରେ ସାମାନ୍ୟ । ତେବେ ଆତ୍ମରକ୍ଷାର ପ୍ରତିକ୍ରିୟା ସବୁବେଳେ କାମ ଦିଏ ନାହିଁ-। ଥରେଅଧେ ଛିନ୍ନ ଅଙ୍ଗ ବିନ୍ଧିଉଠେ, ବେଦନା ଓ କ୍ରୋଧରେ କିଛି ଗୋଟାଏ କରିବାକୁ ଚାହେଁ-। ସମ୍ଭବତଃ ଚିତ୍କାର । ସେତେବେଳେ ମୁଁ କରୁଣା ଲୋଡ଼ୁଥିବା ଚିରନ୍ତନ ମଣିଷର ଚାହିଦାକୁ ଭୁଲିଯାଏ, ମନସ୍ତତ୍ତ୍ଵର ସୂକ୍ଷ୍ମ ସର୍ଜନାକୁ ପଛରେ ପକେଇ ଶ୍ରେଣୀଗତ ମଣିଷକୁ ନେଇ ଲେଖେ (ମାନେ ମୁଁ ଯେଉଁ ଶ୍ରେଣୀରେ ଜନ୍ମ ହୋଇଛି) ଓ ମୁଁ ତାକୁ କେତେ ଘୃଣାକରେ ତା’ର ପରାକାଷ୍ଠା ଦେଖାଏ । କହେ ମୁଁ ତା’ର ନୀତିପୁଣ୍ୟବାଦ, ଆତ୍ମସନ୍ତୋଷ, ମତଲବୀ ମହାନତା, ଯାହାକୁ ନେଇ ସେ ସୁସ୍ଥ ଓ ଜୀବନ୍ତ ବୋଲାଏ, ତାକୁ ମୁଁ ଘୃଣାକରେ । ଅନ୍ୟ ଅର୍ଥରେ ମୁଁ ନିଜକୁ ଘୃଣାକରେ-। ଅବଶ୍ୟ ଏ ମୋର ନିଜକଥା । କିନ୍ତୁ ମୋର ଧାରଣା ଯେ ଭାରତର ପ୍ରାୟ ପ୍ରତ୍ୟେକ ଲେଖକ ଏପରି ଏକ ଦୁରବସ୍ଥାର ସମ୍ମୁଖୀନ ହୁଏ, ଯେତେବେଳେ ସେ ତା’ର ଲେଖାର ମାଧ୍ୟମରେ ନିଜ ସାମାଜିକ ଶ୍ରେଣୀର ତଳକୁ ଖସିବାକୁ (ଭିନ୍ନ ଦୃଷ୍ଟିରେ ଉପରକୁ ଉଠିବାକୁ) ବାଧ୍ୟହୁଏ । କାହିଁକିନା ଆମେ ଯେତେକ ଲେଖକ ଏକ ସାମାନ୍ୟ ଉଞ୍ଚ ଭୂଇଁରେ ବସା ବାନ୍ଧିଛୁ ଯାହା ଦ୍ୱୀପପଦବାଚ୍ୟ ନୁହେଁ ଏବଂ ଯାହା ତଳେ ରାଶି ରାଶି ଗୋଳିଆ ପାଣିର ଗହୀର, ଏହି ସତଟିକୁ ନାହିଁ କରି ହୁଏ ନାହିଁ-

 

ତାହାହେଲେ କ’ଣ ମାନିବାକୁ ହେବ ଯେ ପ୍ରକୃତପକ୍ଷେ ମୁଁ କେବଳ ନିଜ ଶ୍ରେଣୀର ଲୋକମାନଙ୍କ ସହିତ ସମ୍ପର୍କ ଯୋଡ଼ି ପାରିବି ? ଏବଂ ତାହା ମଧ୍ୟ ଘୃଣାର ମାଧ୍ୟମରେ ? ମୁଁ କହୁଥିଲି ପରା ଯେ ମୋ ଲେଖାର ଗରାଖ ଶ୍ରଦ୍ଧା ଓ ସମ୍ମାନର ଅଧିକାରୀ ? ତା’ଛଡ଼ା ସୃଜନ ପ୍ରତିକୂଳ ଆବେଗକୁ (negative emotions) ନେଇ କେତେଦିନ ତିଷ୍ଠି ପାରିବ ? ଲେଖକ ହିସାବରେ ମୋର ଆତ୍ମ ସମ୍ମାନକୁ ବଞ୍ଚାଇବା ଲାଗି ଏହିପରି ନାନାଦି ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ ।

 

ଯେହେତୁ ମୋତେ ଲେଖିବାକୁ ହେବ । ସେଥିରେ ପରାଜୟର ଲକ୍ଷଣ ଥାଇପାରେ; କିନ୍ତୁ ପରିପୂରଣର ଉପାୟ ଆଉ କଅଣ ବୋଲି ମୋତେ ଜଣା ନାହଁ । ମୋ ଦେଶ କେବେ ମୋ ଘର ସଂସାର ବୋଲି ମନେହେବ, ଯଥାକ୍ରମେ ଅବା ଦୁଇତିନିଟା ବା ସରିଲା ପରେ, ସେ ଦିନକୁ ମୁଁ କ’ଣ ଅନେଇ ବସିବି ? ଥରେ ଆମର ଜଣେ କବି ବ୍ୟଙ୍ଗୋକ୍ତି କରି କହିଲେ–ଆମ ସ୍ଵାଧୀନତା ଅଧରାତିରେ ଆସିଥିଲା । କାହିଁ, ରାତି ପାହିନାହିଁ ତ ! ହେଉ ପ୍ରାଚୀନ ଭାରତର ମୁନିଋଷିମାନେ ଦିବ୍ୟଚକ୍ଷୁ ପାଇଥିଲେ ବୋଲି କୁହାଯାଏ, ଯାହା ବଳରେ ସେମାନେ ସମୟ ଓ ସ୍ଥିତିର ଊର୍ଦ୍ଧ୍ୱକୁ ଉଠିଯାଇପାରନ୍ତି । ଲେଖକ ଅନ୍ତତଃ ଅନ୍ଧାରରେ ଅଣ୍ଡାଳି ହୋଇ ଆଗକୁ ଯାଇପାରିବ । ଗତି ଥିବାଯାଏଁ ପ୍ରଗତିର ଆଶା ଅଛି ।

 

ସାନ୍ତ୍ୱନା ମିଳେ ଯେତେବେଳେ ମୁଁ ଚଳନ୍ତି ଶତାବ୍ଦୀର କେତେକ ମହାନ୍ ଲେଖକମାନଙ୍କୁ ସ୍ମରଣ କରେ । ଯେଉଁମାନେ ଦ୍ୱୈତଭାବର ଭୟଭୀତ କାଟିଦେଇ ସେହି ‘ଅପର’ମାନଙ୍କୁ ଅନ୍ତରଙ୍ଗ କରି ପାରିଛନ୍ତି, କେଉଁଠି ହେଲେ ଠକେଇଲା ପରି ମନେ ହେଉନାହିଁ । ଯଥା ପ୍ରେମଚାନ୍ଦ୍‌, ତାରାଶଙ୍କର, ଗୋପୀନାଥ ମହାନ୍ତି ଇତ୍ୟାଦି । ସେହିମାନେ ମୋର ପ୍ରେରଣା । ତାଙ୍କରିଠାରୁ ଶିଖିଛି ଯେ ନିରାଶ ହୋଇ ବସିଗଲେ ଆପଲଟିଏ ଖସି ପଡ଼ିବ ବୋଲି ଲେଖା ହୋଇ ନାହଁ । ସେହିମାନେ ମୋତେ ଚେତାଇ ଦେଇଛନ୍ତି ଯେ ଅରମାକୁ ଛାଡ଼ିଦେଇ ସୌଖୀନ ସମାଜର ଇଂରାଜୀ କିମ୍ବା ଅନ୍ୟ କେଉଁ ଅଭିଜାତ ଉଦ୍ୟାନରେ ବୀଣା ବଜାଇଲେ ଆତ୍ମାର ଶାନ୍ତି ହେବ ନାହିଁ । ଅନ୍ତତଃ ଆଗାମୀ ଯୁଗର ଲେଖକମାନଙ୍କ ପାଇଁ ଗୋଟାଏ କୋହର ଉଚ୍ଛ୍ୱାସ, ଉତ୍ତରାଧିକାର ଛାଡ଼ିଯାଇ ହେବ ତ !

 

ସାନ୍ତ୍ୱନା ମିଳେ ଯେତେବେଳେ ମନରେ ଆସେ ଯେ ଅପୂରଣ ଅନାସ୍ଥା ନୁହେଁ, ବିଚ୍ଛିନ୍ନତା ବିମୁଖତାର ଅନ୍ୟ ନାଆଁ ବୋଲି କେହି କହିନାହିଁ । ଦୁଃଖ ସୁଖ ପରି ବ୍ୟାପକ ନୁହେଁ ସିନା, ତା’ର ସ୍ୱଭାବ ହେଉଛି ଅନ୍ତରକୁ ଆଙ୍କୁଡ଼ି ଧରିବା । ଏବଂ ସମନ୍ଵୟ ଘରେ ଶୂନ ବୋଲି କିଏ କହିଲା ? ଆମର ଜଣେ ସାହିତ୍ୟ ସମାଲୋଚକ ସାହସର ସହିତ ଘୋଷଣା କଲେ, ‘‘ଯଦିବା ଗ୍ରିଅର୍‌ସନ୍‌ଙ୍କ ୧୭୯ ଗୋଟି ଭାରତୀୟ ଭାଷା ଓ ୫୦୦ରୁ ଊର୍ଦ୍ଧ୍ୱ ଉପଭାଷାକୁ ନେଇ ସଙ୍ଗୀତ ବୋଲାଯାଏ, ସେଥିରେ ସ୍ୱରଭଙ୍ଗ ହେବନାହିଁ, ସମବେତ ସମନ୍ୱିତ ଧ୍ୱନିର ସୁଖ ମିଳିବ ।” ମୁଁ ଏଭଳି ଉତ୍କଟ ଦେଶପ୍ରେମରେ ଅଂଶଗ୍ରହଣ କରିବା ପାଇଁ ଅକ୍ଷମ । ତେବେ ତଥ୍ୟ ଅନୁଯାୟୀ ମାନିବାକୁ ପଡ଼ିବ ଯେ ବହୁଳତା ହେତୁ ବିବିଧତା ଅନିବାର୍ଯ୍ୟ ନୁହେଁ । ଆମ ଦେଶର ଲୋକକଥା, ସଙ୍ଗୀତ, ନୃତ୍ୟ ଏବଂ ଅନ୍ୟାନ୍ୟ ସ୍ୱତଃସ୍ଫୂର୍ତ୍ତ ଆନନ୍ଦର ଅଞ୍ଚଳରେ ଜନସାଧାରଣ କାହିଁକି, ଆମ ନଦୀ, ପର୍ବତ ଓ ଦେବଦେବୀମାନେ ମଧ୍ୟ ବାନ୍ଧି ହୋଇଗଲେଣି ବୋଲି ମନେହୁଏ । କବୀର, ସୁର୍‍ଦାସ, ଚୈତନ୍ୟ ଆଦି ଭକ୍ତକବିମାନେ ଯେଉଁ ବାଣୀ ଓ ଧ୍ୱନି ଛାଡ଼ି ଯାଇଛନ୍ତି । ସେଥିରେ ଆମ ପୁରପଲ୍ଲୀ ଏବେ ମଧ୍ୟ ଉଛୁଳି ଉଠୁଛି । ଭାଷାକୁ ପଚାରେ କିଏ ? ଆମ ବେଳକୁ ଇଂରେଜୀ ଭାଷା ଓ ସିନେମାର ଦୃଶ୍ୟଶ୍ରାବ୍ୟ ଆନନ୍ଦକୁ ନେଇ ଏକ ପ୍ରକାର ସର୍ବଭାରତୀୟ ସଂସ୍କୃତି ଗଢ଼ିଉଠୁଛି କହିଲେ ଭୁଲ୍ ହେବ ନାହିଁ । ଅବଶ୍ୟ ତା’ର ପରିସର ସୀମିତ ଓ ଭୟ ହୁଏ ଯେ ସେଭଳି ସଂହତି (synthesis) କୃତ୍ରିମତା (synthetic)ର ଚାକଚକ୍ୟରେ ମରିଯାଇପାରେ । ତେବେ ମନୋଜ୍ଞ ଲେଖକ ସେଥିରୁ ନିଜକୁ ବଞ୍ଚେଇ ରଖିବ ବୋଲି ଆଶା କରିବା ଉଚିତ । ତା’ଛଡ଼ା ହର୍‌ବର୍ଟରିଡ଼ଙ୍କ ପୁରାତନ ଅଥଚ ମୌଳିକ ବିଚାର ମନେପଡ଼େ । ଆର୍ଟର କାମହେଲା ସଜାଡ଼ି ଦେବା, ଗଣ୍ଡଗୋଳରୁ ଗୋବିନ୍ଦକୁ ଉଦ୍ଧାର କରିବା । ବର୍ତ୍ତମାନ ଭାରତର ଲେଖକ କ’ଣ ଏଡ଼େ ଅଯୋଗ୍ୟ ଯେ ସେହି ଚ୍ୟାଲେଞ୍ଜର ପାଖ ମାଡ଼ିବ ନାହିଁ ? ହଁ, ସବୁଠାରୁ କଷ୍ଟ ହେଉଛି ଶ୍ରେଣୀଗତ ସମୁଦ୍ରକୁ ପାରିହୋଇ ଲଙ୍କା ଜିଣିବାର ଚ୍ୟାଲେଞ୍ଜ୍‌ । ଯାହାର ପାଣିପାଗ ସାମନ୍ତବାଦରୁ ଉପୁଜି ଦୀର୍ଘ ବିଦେଶୀ ଶାସନ ଓ ପୁଞ୍ଜିବାଦ ଜରିଆରେ ଅଶ୍ଳୀଳ ଅସହ୍ୟ ହୋଇଉଠିଛି । ଯାହା ସ୍ଵାଧୀନତା ପର ପ୍ରଗତିରେ ବଢ଼ୁଛି ସିନା କମିବାକୁ ନାହିଁ । ହେଉ, ନିଟ୍‌ସେ କହିଥିଲେ ଯେକୌଣସି ଲେଖକ ବାସ୍ତବତାକୁ ବରଦାସ୍ତ କରିପାରିବ ନାହିଁ । ମୁଁ ତାଙ୍କୁ କ୍ଷମା ମାଗି କହୁଛି ଯେ ଲେଖକ ଛଡ଼ା ବାସ୍ତବତାର ଯାତନାକୁ ଆଉ କିଏ ବେଶି ସହିପାରିବ ? ବାଟ ଦେଖାଇ ପାରିବ ?

 

ଏବଂ ମୁଁ ମୋର ଶ୍ରେଣୀକୁ ଘୃଣା କରେ ବୋଲି ନିଜକୁ ଘୃଣା କରିବି କାହିଁକି ? ମନସ୍ତତ୍ତ୍ୱବିଦ୍‌ମାନେ କହି କହି ଥକି ଯାଇଛନ୍ତି ଯେ ପ୍ରେମ ଘୃଣାର ଅର୍ଦ୍ଧାଙ୍ଗିନୀ; ମୁଁ ସେମାନଙ୍କୁ ବିଶ୍ଵାସ କରେ । ମନେହୁଏ ଯେ ମରା ମରା ଜପିଲେ ରାମ ମିଳିବେ, ଶ୍ରେଣୀର ସତ୍ତା ରହିବ ନାହିଁ । ଅସ୍‌କାର ଓ୍ୱାଇଲଡ଼୍‌ ନାନାଦି ସତମିଛର ଚାତୁରୀ ଶେଷରେ ଯେଉଁ ବହିଟିଏ ଲେଖିଥିଲେ ତାଙ୍କ ମଲାବେଳକୁ, ସେଥିରେ ଅଛି ଯେ ହାଲୁକାପଣ ସବୁଠାରୁ ବଡ଼ପାପ । ମୋର ଆଶା ଯେ ମୁଁ ଅନ୍ତତଃ ସେଭଳି ପାପ କରିନାହିଁ । ଯଦି ମୁଁ ମୋର ବାସ୍ତବ ଚତୁପାର୍ଶ୍ୱକୁ ଅଙ୍ଗେ ନିଭେଇଲା ପରି ଅନୁଭବ କରେ, ସେହି ‘ଉପଲବ୍ଧି’କୁ ନେଇ ମୁଁ କ’ଣ ମୋତେ ମିଳିଥିବା ଯତ୍‌ସାମାନ୍ୟ ଆକାଶ, ପୃଥିବୀ ଓ ମଣିଷ ଜାତିକୁ ଭଲପାଏ ବୋଲି କହିପାରିବ ନାହିଁ ? ସେତିକିରେ ସରିଲା ନାହିଁ । ଖଣ୍ତିତ ହୋଇଛି ବୋଲି ଅଖଣ୍ଡକୁ ଲୋଡ଼ିବାର ଅଦମ୍ୟ ଆବେଗ, ତାକୁ ପ୍ରେମ କୁହ ବା ଯାହା କୁହ, ତା’ପାଇଁ ଲକ୍ଷ୍ମଣଗାର ବୋଲି କିଛି ନାହିଁ । ଶ୍ରେଣୀ, ଜାତି ଇତ୍ୟାଦି ଦୂରର କଥା, ଦେଶ ମଧ୍ୟ ତାକୁ ପୂରାପୁରି ବାନ୍ଧି ରଖିପାରିବ ନାହିଁ । ନ ହେଲେ ମୁଁ ଏହି ସୁନ୍ଦର ବିଦେଶକୁ ଆସି ତାକୁ ଭଲପାଇବାର ନମୁନା ଦେଖାଇ ଗଳ୍ପଟିଏ, କବିତାଟିଏ ଲେଖିବି ବୋଲି ମନ କରୁଛି କାହିଁକି ? ମୁଁ ଅଯୋଗ୍ୟ ହୋଇପାରେ, କିନ୍ତୁ କିଏ କହିବ ଯେ ଏ ମୋର ପାପ-ଇଚ୍ଛା ? ଏକାଠି ହେବାର ଭାବ ବାସ୍ତବରୁ ବଳି ଏକ ଆଧ୍ୟାତ୍ମିକ ଅନୁଭବ, ଯାହାର ସୀମାକୁ ଛୁଇଁ ପାରିଲେ ଆପଣାକୁ ଧନ୍ୟ ମଣିବି-। ତେଣୁ କବିଗୁରୁଙ୍କ ଭାଷାରେ ପ୍ରାର୍ଥନା କରୁଛି–

 

ଯୁକ୍ତ କରୋ ହେ ସବାର ସଙ୍ଗେ

ମୁକ୍ତ କରେ ଏ ବନ୍ଧ....

 

ମୋର ବାସ୍ତବତାକୁ ଜାବୁଡ଼ି ଧରିଚି ସିନା, ମାଗୁଛି ସେହି ପ୍ରେମସ୍ୱର୍ଗରୁ କାଣିଚାଏ, ଟୋପାଏ ଅମୃତର ଆନନ୍ଦ ।

 

ନିଜକୁ ଏମିତି ବୋଧ ଦେବା ଛଡ଼ା ଅନ୍ୟ ଗତି ନାହିଁ, କାହିଁକିନା ଏ ବୟସରେ ଜୀବନର ଚିଠାକୁ ବଦଳେଇ ହେବ ନାହିଁ ।

Image

 

ସମସାମୟିକ ଓଡ଼ିଆ ସାହିତ୍ୟ : ଏକ ଦୃଷ୍ଟିକୋଣ

 

ସମସାମୟିକର ଅର୍ଥ କଅଣ ? ଆଜିକାଲିର, ଗତ ଦଶବର, ‘‘ସବୁଜରୁ ସାଂପ୍ରତିକ’’ର ନା ବିଂଶ ଶତାବ୍ଦୀର ? ଗୋଟିଏ ସହଜ ଉପାୟ ଗ୍ରହଣ କରାଯାଇପାରେ ଯେ, ମୋରି ଜୀବନକାଳରେ ଯାହା ଲେଖାଯାଇଛି ତା’ର ବିଷୟରେ କହିବି । କିନ୍ତୁ ମୋର ସମୟରେ କେତେ ପରିବର୍ତ୍ତନ ନ ହୋଇଛି ! ଅନନ୍ତ ପ୍ରସାଦ ପଣ୍ଡାଙ୍କର ‘ତୃଣଗୁଚ୍ଛ’’ ସହିତ ଦୁର୍ଗାମାଧବ ମିଶ୍ରଙ୍କର ‘ନିଷାଦର ନିଶବ୍ଦ ବାରଣ’ ତୁଳନା କରନ୍ତୁ । ଦୁଇଟିଯାକ ସଫଳ କୃତି । ପ୍ରଥମଟିରେ ଅନନ୍ତବାବୁ ସରଳ ଭାଷା, ଘରୋଇ ପରିବେଶ ଓ ନାଟକୀୟ ନ ହୋଇ ନମନୀୟ (muted) ସେଣ୍ଟିମେଣ୍ଟ୍‌ର ସୁଆଦ ବାଢ଼ି ଓଡ଼ିଆ ଗଳ୍ପ-ସାହିତ୍ୟରେ ଏକ ନୂତନ ଦିଗର ସନ୍ଧାନ ଦେଇଥିଲେ, ଏଥିରେ ସନ୍ଦେହ ନାହିଁ । କିନ୍ତୁ ନିଷାଦ ପ୍ରଶଂସନୀୟ ହୋଇଥିଲେ ମଧ୍ୟ କେତେ ଦୁର୍ଦ୍ଧର୍ଷ ! ଦୁହିଙ୍କ ମଧ୍ୟରେ ଲେଖା ହୋଇଥିବା ଗଳ୍ପ ଉପନ୍ୟାସରେ କେଉଁ ଉପାଦାନଟି ଯେମିତି ଥିଲା ସେମିତି ଅଛି, ଯାହାକୁ ଗରିଷ୍ଠ ସାଧାରଣ ଗୁଣନୀୟକ ବୋଲି କହିହେବ ? ସରଳ ଭାଷା ? ତାହାହେଲେ ଫକୀରମୋହନଙ୍କଠାରୁ ଆରମ୍ଭ କରିବା ନାହିଁ କାହିଁକି ? ସମାଜଚେତନା ? ରାମ ପ୍ରସାଦ ସିଂହ, ଦିବ୍ୟସିଂହ ପାଣିଗ୍ରାହୀ ପ୍ରମୁଖ ଲେଖକ ତ ଅଧିକ ଉଚ୍ଚସ୍ୱରରେ କିଛି ନା କିଛି କହିବାକୁ ଚାହିଁଥିଲେ । ଏଣେ କବିତା ଦେଖନ୍ତୁ । ମାୟାଧର ମାନସିଂହଙ୍କର ‘ଧୂପ” ଓ ରମାକାନ୍ତ ରଥଙ୍କର ‘‘ସପ୍ତମ ଋତୁ” ଏଠି କେବଳ ରୋମାନ୍‌ସ ଓ ବାସ୍ତବତାର ପ୍ରଭେଦ ନାହିଁ, ଜୀବନ ଓ ମୃତ୍ୟୁର ବିରୋଧ ନାହିଁ, ମନେହୁଏ ଯେପରିକି କାବ୍ୟ ଚେତନାର ଆତ୍ମା ବଦଳି ଯାଇଛି । କେଉଁଠି ବଦଳିଲା ? ପରବର୍ତ୍ତୀ ‘ହେମଶସ୍ୟ’, ‘ହେମପୁଷ୍ପ’ ଇତ୍ୟାଦିରେ ମାନସିଂହ ନିଜେ ସେହି ପରିବର୍ତ୍ତନର ସୂତ୍ରପାତ କଲେ ? ଆବେଗ ଧର୍ମ ବିନୋଦ ନାଏକ ଦଳଙ୍କ ହାତରେ ଧରେଇଦେଇ ଚିନ୍ତାଶୀଳତା ସଚ୍ଚି ରାଉତରାୟଙ୍କ ହାତକୁ ବଢ଼େଇଦେଲେ ? ଏଭଳି ଭାବିବାକୁ ଭଲଲାଗେ, କାରଣ ସମାଲୋଚକ ଚିନ୍ତକତାକୁ ଅଯଥାରେ ବଢ଼େଇ କଷ୍ଟପାଇବାକୁ ଚାହେଁ ନାହିଁ । ଯେତେ ଶୀଘ୍ର ଏଇଠୁ ଆରମ୍ଭ ଏଇଠି ଶେଷ; ପୁଣି ଏଇଠି ଖିଅ ବାହାରିଲା, ଏଇବାଟେ ଆସୁଛି ଦେଖୁନ,’ ଇତ୍ୟାଦି କହି ସାହିତ୍ୟର ଧାରାକୁ “ପ୍ରମାଣିତ” କରିବାକୁ ଚାହେଁ । ନ ହେଲେ ସାହିତ୍ୟକୁ ସଜେଇ ହେବ ନାହିଁ, ସମୀକ୍ଷା ସଫଳ ହେଲାନାହିଁ ବୋଲି ମନେହେବ । ପ୍ରଶ୍ନଉଠେ ଯେ ଇତିହାସ କ୍ଷେତ୍ରରେ ଯଦି ଫରାସୀ ବିପ୍ଳବଠାରୁ ଅମୁକ ଯୁଗ ଆରମ୍ଭ ହୋଇପାରେ, ସାହିତ୍ୟ କ୍ଷେତ୍ରରେ ସେମିତି ହେବନାହିଁ କାହିଁକି ? ହୋଇପାରେ, କିନ୍ତୁ ଗୋଟିଏ ବିଶେଷ ପ୍ରଭେଦ ରହିଛି । ଅତି ସଂବେଦନଶୀଳ ଅତି ସଚେତନ ବ୍ୟକ୍ତିର ଅଭିବ୍ୟକ୍ତ ବିଭିନ୍ନ ସମୟରେ ସମାଜ ଧର୍ମରୁ ହୁଗୁଳି ଯାଇ କୁଆଡ଼େ ବୋଲି କୁଆଡ଼େ ପଳାଏ । ତେଣୁ ସାହିତ୍ୟ ଧାରାକୁ ଥାକ ଥାକ କରି ସଜାଇବାରେ ଅନେକ ‘‘ତଥାପି’’ ଓ ‘‘କିନ୍ତୁ” ଯୋଡ଼ିବାକୁ ପଡ଼େ । ଫଳରେ ମୋ ପରି ଜଣେ ଲେଖକ (ଲେଖକ ମାତ୍ରେ ହିଁ ଅସାହିତ୍ୟିକ) ପକ୍ଷରେ କୈଣସି ଏକ ନିର୍ଦ୍ଦିଷ୍ଟ ସମୟରୁ ସମଗୁଣ ଦର୍ଶାଇବା ସମ୍ଭବ ହେଲାପରି ଦିଶୁନାହିଁ ।

 

ଗଦ୍ୟ ସାହିତ୍ୟର ପରିପ୍ରେକ୍ଷୀରେ ମୋର ଜଣେ ବନ୍ଧୁ କହିଲେ-ଆଜ୍ଞା, ଆଧୁନିକତାର ମାନେ ତ ମନସ୍ତତ୍ତ୍ୱ, ତେଣୁ ଆପଣ ନିଜ ଲେଖାଠାରୁ ଆରମ୍ଭ କରୁନାହାନ୍ତି ? ଶୁଣିବାକୁ ଭଲ ଲାଗିଲା । କିନ୍ତୁ ଦୁଃଖର ବିଷୟ କଥାଟି ସତ ନୁହେଁ । ମଣିଷ ମନକୁ ଘାଣ୍ଟିବାର ତଥାକଥିତ ବିକୃତ ସୁଖ ମୋଠାରୁ ଆରମ୍ଭ ହୋଇନାହିଁ, ଯଦ୍ୟପି ମୁଁ ସେଥ‌ିରେ ଉଚିତରୁ ଅଧିକ ମଜ୍ଜି ଯାଇଛି ବୋଲି ମାନିନେଇଛି । କିଏ ବେଶି ଦୂରକୁ ବେଶି ଗହୀରକୁ ଯାଇଛି ସେକଥା ଭିନ୍ନ, କିନ୍ତୁ ମୁଁ କେଉଁ ସାହସରେ କହିପାରିବି ଯେ ରାଜକିଶୋର ପଟ୍ଟନାୟକଙ୍କ ‘‘ସିନ୍ଦୂରଗାର’’ ନିତ୍ୟାନନ୍ଦ ମହାପାତ୍ରଙ୍କର ‘‘ଜୀଅନ୍ତା ମଣିଣ’’ କିମ୍ବା ଗୋପୀବାବୁଙ୍କର ‘‘ମନ ଗହୀରର ଚାଷ’’ ମୋତେ ପ୍ରଭାବିତ କରି ନାହିଁ, ମୋତେ ମୋର ମନଲାଖି ବାଟରେ ଯିବାପାଇଁ ଉସ୍‌କେଇ ନାହିଁ ? ତା’ଛଡ଼ା ମନସ୍ତତ୍ତ୍ଵ କ’ଣ ଆଉ ସେଇ ଘାଟରେ ବସିଛି ? ରବି ପଟ୍ଟନାୟକ, ଜଗଦୀଶ ମହାନ୍ତି, ଯଶୋଧାରା ମିଶ୍ର, ରାମଚନ୍ଦ୍ର ବେହେରା ଆଜି ନୂତନ ଲେଖକ ଲେଖିକା ଏତେ ଆବରଣ ଲେଖିକା ଏତେ ଆବରଣ ଖୋଲି ସାରିଲେଣି, ଏତେ ବାସ୍ତବର ନଗ୍ନତା ଦେଖେଇଲେଣି ଯେ ମୁଁ କୋଉମୁହଁରେ କହିବି ଯେ ସେମାନେ ମୋରି ସମସାମୟିକ ?

 

ସମସାମୟିକତା ଅର୍ଥାତ୍ ଆଧୁନିକତାର ମଞ୍ଜି କାଢ଼ିବାକୁ ଯାଇ କେହି କେହି, ଯେଉଁମାନେ ଛାପ ମାରିବାରେ ସିଦ୍ଧହସ୍ତ, କହିପାରନ୍ତି–ଆଜ୍ଞା, ଏଇ କଥାକୁ ? ଗୋଟିଏ ମାରକ ମହାନ୍ ଶବ୍ଦ ଅଛି, ମନେ ପଡ଼ୁନାହିଁ ? ସ୍ଥିତିବାଦ ! ସ୍ଥିତିବାଦ !! Existentialism I ଦ୍ୱିତୀୟ ମହାଯୁଦ୍ଧ, ପରମାଣୁ ବୋମା, ସାର୍ତ୍ତ୍ରେ, କାମ୍ୟୁ....ଆଧୁନିକତା ଆଉ କାହା ଘରେ ? ସେଇଠୁ ତ ଆମେ ନେଇଛୁ । ଆପଣ କ୍ରମିକତାରେ ବିଶ୍ଵାସ କରନ୍ତି ନାହିଁ, ମନସ୍ତତ୍ତ୍ଵର ଅଗମୂଳ ଧରିପାରୁ ନାହାନ୍ତି, ତେଣୁ ଅନ୍ତତଃ ଏଇ ମାପକାଠିରେ ଦେଖୁନାହାନ୍ତି ? ପ୍ରଥମେ ମନେହୁଏ, ହଁ, ବିଚାର ମନ୍ଦ ନୁହେଁ । ସ୍ଥିତିବାଦର ସାହିତ୍ୟ ପ୍ରକୃତରେ ନୂଆ । ଦେଶ ବିଦେଶରେ ଅନେକ ସମାଲୋଚକ ତା’ରି ଦ୍ୱାହି ଦେଇ ସମାଜ ଓ ସାହିତ୍ୟକୁ ନୂଆ ଆଖିରେ ଦେଖ ବୋଲି କହିଛନ୍ତି । କିନ୍ତୁ ପରକ୍ଷଣରେ ସନ୍ଦେହ ହୁଏ । ମନେହୁଏ ତଥ୍ୟଟି କେବଳ ମାରକ ନୁହେଁ, ମଣ୍ଡଳାକାର । ଏଥିରେ ହତାଶା-ସଂସ୍ଥା, ସମାଜ, ଧର୍ମ ଇତ୍ୟାଦି ଗୋଷ୍ଠୀ ଚେତନାରୁ ମୁକୁଳି ଆସିଥିବା ‘‘ବ୍ୟକ୍ତି’’ର ହତାଶା–ପୁରାତନ ଭଗବାନଙ୍କଠାରୁ ରକ୍ଷା ପାଇଲା ପରି ମନେହେଉ ନାହିଁ ତ ? କିର୍କଗାର୍ଡ଼ଙ୍କ ବ୍ୟକ୍ତି ସ୍ଵାଧୀନତାକୁ ସହିପାରିଲା ନାହିଁ, ଡରିମରି ଛାନିଆ ହୋଇ (“in fear and trembling”) ଭଗବାନଙ୍କ ଶରଣ ପଶିଲା । ସାର୍ତ୍ତ୍ରେ, ଭଗବାନଙ୍କ ନାଆଁ ଧରିଲେ ନାହିଁ, କିନ୍ତୁ କହିଲେ ଯେ ହତାଶା ଆମର ସ୍ୱାଧୀନତା ଏବଂ କିଛି ଗୋଟାଏ କରିବା ପାଇଁ ଜଳି ଜଳି ଯିବାରେ ଆମର ସାର୍ଥକତା । କାମ୍ୟୁ ପ୍ରଥମେ ରାଗିକରି କହିଲେ ଯେ ଆତ୍ମହତ୍ୟାର କାମନା ଦାର୍ଶନିକତା ବାଚାଳତା ନୁହେଁ । କିନ୍ତୁ ସେ ମଧ୍ୟ ଶେଷକୁ ପରାମର୍ଶ ଦେଲେ ଯେ ମରିବାଠାରୁ ଧଇଁ ପେଲିବା ଭଲ । ପାହାଡ଼ ଉପରକୁ ପଥର ଠେଲି ଠେଲି ନିଅ, ପଥର ଗଡ଼ି ଆସିବ ସନ୍ଦେହ ନାହିଁ, ତେବେ ତାକୁ ପୁଣି ଠେଲି ଠେଲି ନିଅ, ଚାଲିଥାଉ ଏମିତି, ଅଣନିଃଶ୍ଵାସୀ ଅବିରାମ କ୍ରିୟା...... ଏଇ ହେଉଛି ଜୀବଦ୍ଦଶାକୁ ଜବର୍‌ ଉତ୍ତର । ଏହିମାନେ ଯଦି ଆମର ଗୁରୁ, ଭୟରେ ହେଉ କ୍ରୋଧରେ ହେଉ ପୁଣି ସେଇ କୃଷ୍ଣକୁ ଅଥବା କର୍ମକୁ ଜାବୁଡ଼ି ଧରିଲେ, ତା’ହେଲେ ମୁଁ ଏଇ ସ୍ଥିତିବାଦକୁ ନେଇ କେଉଁଠୁ କେଉଁ ଯାଏ ଯିବି ? କୋଉ ବୁଦ୍ଧିରେ କହିବି ଯେ ଯବନ ରାଜେନ୍ଦ୍ର ପଣ୍ଡା ବ୍ରାହ୍ମଣ ବୈକୁଣ୍ଠନାଥ ପଟ୍ଟନାୟକଙ୍କର ସମସାମୟିକ ନୁହନ୍ତି ? ଏତେ କାଢ଼ ଦେଖାଇଲା ପରେ ପୁଣି ଯୋଉ କଥାକୁ ସେଇ କଥା । ରାଜେନ୍ଦ୍ର ପଣ୍ଡାଙ୍କ ଭାଷାରେ–

 

ଏ କେବଣ ଦିଗ୍‌ବିଜୟ ପାଇଁ ପେଷି ଦେଲି ମୋର ପାଗଳ ଘୋଡ଼ା

ଏ କେବଣ ପୌରୁଷ ମୋର ଲେଉଟି ଆସିଲି ନିଜ ରାଜ୍ୟକୁ

ଦେଖିଲି ଖାଲି ଆପଣାର ପିଠି ପିଠି ଆଉ ପିଠି….

 

ତେଣୁ ଦେଖାଯାଉଛି ଯେ ମୋ ପକ୍ଷରେ ସମସାମୟିକ ସାହିତ୍ୟକୁ ଘେରି ବାନ୍ଧି ତା’ ବିଷୟରେ କିଛି କହିବା ଦୁଷ୍କର । ମୋର ଆହୁରି ଗୋଟିଏ ଦୁର୍ବଳତା ଅଛି । ବକ୍ତବ୍ୟ ବାଢ଼ିବାକୁ ହେଲେ ମୂଲ୍ୟାୟନର ଦାୟିତ୍ଵ ଖସେଇ ଦେଇ ହେବ ନାହିଁ । କିନ୍ତୁ ମୁଁ ଯେତେବେଳେ ନିଜେ କଲମ ଧରିଛି, ଏକା ବ୍ୟବସାୟରେ ଅଛି, ସମବ୍ୟବସାୟୀମାନଙ୍କ ଭଲମନ୍ଦ ବାଛିବା ଉଚିତ ହେବ କି ? ଏବଂ ଭଲ ମନ୍ଦକୁ ବଞ୍ଚେଇ ପ୍ରକୃତ ମୂଲ୍ୟାୟନ କ’ଣ ସମ୍ଭବ ?

 

ଏହାସବୁ କାରଣରୁ ମୁଁ ଆଉ ଗୋଟିଏ ପନ୍ଥା ଆଦରିବି ବୋଲି ମନେକରୁଛି, ଯଦି କାହାରି ଆପତ୍ତି ନ ଥାଏ । ବର୍ତ୍ତମାନର ଭିତ୍ତିରେ ଭବିଷ୍ୟତର କଳ୍ପନା କଲେ କ୍ଷତି କଅଣ ? ବିଶ୍ୱ ସାହିତ୍ୟ ତଥା ଭାରତୀୟ ସାହିତ୍ୟର ପ୍ରଭାବରେ, ଅଥଚ ଉତ୍କଳୀୟତାର ବିଶିଷ୍ଟତାକୁ ନେଇ ଆମେ କେଉଁଯାଏ ଯିବା ବୋଲି ମନେହେଉଛି ? ବେଳେବେଳେ ଭୟ ଲାଗେ, ସାହିତ୍ୟରେ ମଧ୍ୟ (future shock) ଭବିଷ୍ୟଭୀତିର ଅବକାଶ ଅଛି ବୋଲି ଭାବିବାକୁ ପଡ଼େ । ସେହି ସଂକ୍ରାନ୍ତରେ ପଦେ ଅଧେ କହିବାକୁ ଯାଉଛି ।

 

ପୂର୍ବରୁ ଯାହା କହିଗଲି ତା’ର ସାରାଂଶ ହେଲା ଯେ ସେବରୁ ଆଜିଯାଏଁ ମୌଳିକ ପରିବର୍ତ୍ତନ ହୋଇଛି, କିନ୍ତୁ ପରିବର୍ତ୍ତନର ଉପାଦାନକୁ ଅନୁସରଣ କଲେ ତା’ର ସୀମା ସରହଦ କଳି ହୁଏନାହିଁ । ପୁଣି ମନେହୁଏ ଯେ, ଯାହାକୁ ଧାରାବାହିକ ବୋଲି ଭାବୁଥିଲୁ, ତାହା ବୋଧହୁଏ ମଣ୍ଡଳାକାର । ଧୂପର ରୋମାଣ୍ଟିସିଜିମ୍‌, ବିବେକାନନ୍ଦ ଜେନାଙ୍କ କବିତାରେ ଦେଖାଦେଲାଣି । ମନସ୍ତାତ୍ତ୍ୱିକତା ଯାଇ ଯାଇ ଏତେ ଦୂରକୁ ଗଲାଣି ଯେ ସନ୍ଦେହ ହେଉଛି ମନ ଅଛି ସିନା, ତତ୍ତ୍ୱ ନାହିଁ-। କାହିଁକିନା କୁହାଯାଉଛି ଯେ ମନକୁ ନେଇ ସବୁ ସମ୍ଭବ-ଅବଚେତନା, ପରାଚେତନା, ଅଣଚେତନା, ନାଆଁ ଦେଇପାରିଲେ ହେଲା । ଏବଂ ଚିନ୍ତାରାଜ୍ୟରେ ସ୍ଥିତିବାଦ ସତ୍ତ୍ୱେ ଭଗବାନ୍‌ପଣିଆ ପୁଣି ନୂଆ ଚେହେରା ନେଇ ଦେଖାଦେଉଛି । ତାହାହେଲେ ପରିବର୍ତ୍ତନ ହୋଇଚି ବୋଲି କହିବି କେମିତି ? କାହାକୁ ଭିତ୍ତି କରି ଭବିଷ୍ୟତର ଭୟ ଆଙ୍କିବି ?

 

ମୋର ନିବେଦନ ହେଉଛି ଯେ ଏଇ ବୃତ୍ତଗତିରେ ହିଁ ଚେତନା ବଦଳି ଯାଇଛି, ସତେକି ପ୍ରତିଟି ଗୋଲ୍ ବୁଲିଲା ପରେ କ୍ଷେତ୍ର ଆହୁରି ଗହୀର ହୋଇଯାଉଛି ଏବଂ ସେଥିରେ ଜାଗତିକ ବୌଦ୍ଧିକ ବିଭିନ୍ନ ବସ୍ତୁ ମିଶିଯାଇ ତା’ର ଗୁଣ ବଦଳେଇ ଦେଉଛି । ପରିବର୍ତ୍ତନର ଭାବ ମୁଖ୍ୟତଃ ତିନୋଟି : (୧) ସରଳରୁ ଜଟିଳ, (୨) ଦୁଃଖରୁ ଦୈନ୍ୟ, (୩) ସତରୁ ବାସ୍ତବ ।

 

ଆଉ ଯାହା ଥାଉ ନ ଥାଉ ଅନନ୍ତବାବୁଙ୍କ ‘‘ତୃଣଗୁଚ୍ଛ’’ ଓ ଦୁର୍ଗାମାଧବ ବାବୁଙ୍କ ‘‘ନିଶାଦର ନିଶବ୍‌ଦ ବାରଣ’’ ମଧ୍ୟରେ ଗୋଟିଏ ପ୍ରଭେଦକୁ ଅସ୍ୱୀକାର କରିହେବ ନାହିଁ । ଦୁର୍ଗା ମାଧବଙ୍କ ମଣିଷ ‘‘ସହଜ ଜନ୍ତୁ’’ ନୁହେଁ, ତା’କୁ କାରଣ-କ୍ରିୟା ଏଇଥିପାଇଁ ଏମିତି ହେବାର ଚମତ୍କାର ଦେଖେଇ କନ୍ଦେଇ ହେବନାହଁ କି ହସେଇ ହେବ ନାହଁ, ନୀତିକଥା ଶୁଣେଇବା ଦୂରର କଥା ଭାଗବତ ଟୁଙ୍ଗିରୁ କେନ୍ଦ୍ର ସଚିବାଳୟକୁ ଦୂରଦୂରାନ୍ତକୁ ନେଇ ଏତେ ବଢ଼ିଗଲାଣି, ଜ୍ଞାନ ବିଜ୍ଞାନର ରୂପ, ଯଥା ଗତକାଲିର ଅଦ୍ଭୁତ ମନରୁ ଆରମ୍ଭ କରି ଆଜିର ମନଲାଖି ମଣିଷ ଜନ୍ମାଇବାର ସମ୍ବାଦ ଆମ ଭାବନାର ମୂଳଦୁଆକୁ ଏମିତି ଚହଲାଇ ଦେଲାଣି, ପୁଣି ଦୈନନ୍ଦିନ ଚଳନର କ୍ଳେଶ ଏତେ ଅଧିକ ହୋଇଗଲାଣି ଯେ ଅଶାନ୍ତ ଅଣାୟତ ଚେତନାର କ୍ରମ ଧରିହେଉ ନାହିଁ, କି ତା’ର ରୂପରେଖା ବାରିହେଉ ନାହିଁ । ଏଭଳି ପରିସ୍ଥିତିରେ ଆମ ସାହିତ୍ୟରେ କହି ହେଉନାହିଁ ଯେ ଜୀବଦ୍ଦଶାର ଲକ୍ଷଣ ଏଇୟା, ତା’ର ନିଦାନ ପାଠକ ବୁଝି ପାରୁଥିବେ । ଏପରିକି, ହସିବାରେ ଆନନ୍ଦ ଅଛି କି ନାହିଁ, କାନ୍ଦରେ ଦୁଃଖ ଅଛି କି ନାହିଁ ବୋଲି ଭ୍ରମ ହୁଏ । କାମ୍ୟୁ କହିଥିଲେ–There is no fate that cannot be surmounted by scorn, ଅର୍ଥାତ୍‌ ଏପରି କେଉଁ ଦଶା ନାହିଁ ଯାହାକୁ ହସି ଉଡ଼େଇ ଦେଇ ହେବ ନାହିଁ । Scornର ସାନଭାଇ Irony ଶ୍ଳେଷ । ହସି ଉଡ଼େଇ ଦିଅ, କିମ୍ବା କିଛି ନ ବୁଝିଲେ ମଧ୍ୟ ସବ୍‌ଜାନ୍‌ତାର ମନ୍ଦହାସଟିଏ ଛାଡ଼ିଦିଅ । ମହା ଜଟିଳକୁ ନେଇ ଆଉ କ’ଣ କରି ହୁଅନ୍ତା ?

 

ଦୁଃଖରୁ ଦୈନ୍ୟ । ସରଳ ସଂସାରର ପରିବେଶରେ ଦୁଃଖ ଆସେ, ଦୁଃଖରୁ ଶୋକ କ୍ରୋଧ । ହିରୋ ଜନ୍ମଲାଭ କରେ ଏବଂ ଟ୍ରାଜେଡ଼ି ଘଟାଏ । ଟ୍ରାଜେଡ଼ିରେ ଦୁଃଖ ରାଜା ହୁଏ । କିନ୍ତୁ ଜଟିଳ ସଂସାରରେ ୟେ’ ମୋର ଦୁଃଖ, ମୁଁ ତୁମ ଯୋଗୁ କଷ୍ଟ ପାଉଛି, ଦୁଷ୍ଟ ସମାଜର ତାଡ଼ନାରୁ କଷ୍ଟ ପାଉଛି, ନିଜ ଚରିତ୍ରର ଗଫଲତିରୁ କଷ୍ଟ ପାଉଛି ବୋଲି କହି ହେଉ ନାହିଁ । କାରଣ ଧରିହେଉ ନାହିଁ, ତେଣୁ ହିରୋ ଅସୁବିଧାରେ ପଡ଼ିଛି । କେଉଁ ଦାନବ ସାଙ୍ଗରେ ଲଢ଼େଇ କରିବ ? ଅଥଚ ଦୁଃଖ ବାସ୍ତବ । ଏ ଅବସ୍ଥାରେ ଦୁଃଖ ଲୁହର କୋହରେ ବାହାରି ଆସିବାକୁ ନାରାଜ, ଭିତରେ ଭିତରେ କୁହୁଳୁଛି । ଏଇ ଦୀନତା ତଥା ହୀନତାକୁ ନେଇ ଯେଉଁ ସାହିତ୍ୟ ଗଢ଼ା ହେଉଛି, ଟ୍ରାଜେଡ଼ିକୁ ଛିଗୁଲେଇଲା ପରି ଉଦ୍‌ଭଟ absurd, ଗଧଟୋପି ପିନ୍ଧି ରାଜା ବୋଲାଉଛି, ୟା’ର ଶେଷ କେଉଁଠି ? ପ୍ରଶ୍ନ ହେଉଛି ଯେ କେବଳ ଧୂସରକୁ ନେଇ ଆମେ କେତେଦିନ ନାଲି ନେଳିର କଳ୍ପନା କରିପାରିବା ? ଏବଂ ରଙ୍ଗ ନ ରହିଲେ ଆଙ୍କିବ କାହିଁକି, ଲେଖିବ କାହିଁକି ?

 

ସତରୁ ବାସ୍ତବ । ବୁଝି ହେଉ ନ ଥିବ । ବାସ୍ତବ କ’ଣ ସତ ନୁହେଁ ? ଆମେ ସତକୁ ଯାଉଛୁ ପରା, ସତରୁ ପୁଣି ଯିବା କେଉଁଠିକି ? ଧୃଷ୍ଟତା ମାର୍ଜନୀୟ । ମୋର ନିବେଦନ ହେଉଛି ଯେ ଚିନ୍ତା-ଦର୍ଶନର ମାଧ୍ୟମରେ ଆମେ ଅବଶ୍ୟ ଦିଗନ୍ତକୁ ପକ୍ଷ ମେଲାଇଛୁ, କେତେ ଅଭିନବ ଦୃଶ୍ୟ ଦେଖୁଛୁ, ଚେତନାରେ କେତେ ନୂତନତ୍ୱ ଖୁନ୍ଦି ସାରିଲୁଣି, କିନ୍ତୁ ଅଦ୍ୟାବଧି ଆମର ଧାରଣା ଥିଲା ଯେ ଯାହା ଦେଖୁଛୁ ଜାଣୁଛୁ ତାହା କ୍ରମବର୍ଦ୍ଧମାନ ଫିଟି ଫିଟି ଆସୁଥିବା ସତ । ଯେପରିକି ବିଶ୍ଵାସର କେତେଗୁଡ଼ିଏ ତଥ୍ୟ ଅଛି, ଯଥା-ଯେତେ ଅସୁନ୍ଦରକୁ ଫିଟେଇ ଦେଖେଇଲେ କ’ଣ ହେବ, ସକଳକୁ ନେଇ ସୁନ୍ଦର । ଭିତରେ ବାହାରେ ଲକ୍ଷେ କନ୍ଦଳର ଚେହେରା ଦେଖାଉଥାଅ, ତା’ର ଅର୍ଥ ଛନ୍ଦାଛନ୍ଦି-। ଶେଷକଥା ହେଲା ସଂହତି, ଇତ୍ୟାଦି । ତେଣୁ ବାସ୍ତବକୁ ଦର୍ଶାଇବାମାନେ ଆମେ କେତୋଟି ମୌଳିକ ଧାରଣାକୁ ପ୍ରମାଣିତ କରିବାକୁ ଚାହୁଁଥିଲୁ, ମିଛମାନଙ୍କୁ ପଦାରେ ପକେଇ ସତକୁ ରୂପାୟିତ ଲୀଳାୟିତ କରୁଥିଲୁ । ଜଣେ କଳାବିତ୍‌ କହିଥିଲେ Art is an order to form-। ଗଣ୍ଡଗୋଳ ମଧ୍ୟରୁ ଗୋଲ୍ ଗୋଲ୍ ବ୍ରହ୍ମାଣ୍ଡ ତିଆରି କରି ନ ପାରିଲେ କଳା ଅକାରଣ । ଆଜି କିନ୍ତୁ ସେଭଳି ଧାରଣା ବଦଳି ଗଲାଣି । କିଏ କହିଲା ଯେ ଭଗବାନ୍‌ଙ୍କର ବ୍ରହ୍ମାଣ୍ଡ ଅବଶେଷରେ ଗୋଲ୍, ଏବଂ ଆମ ବାସ୍ତବତା ସତ୍ୟ ଶିବ ସୁନ୍ଦରର ବାହକ ? ଯାହା ଆଙ୍କିଦେଲି ସେଇ ମୋର ଗୋଲ୍, order in art । ପ୍ରାକ୍‌ସିଦ୍ଧ ବୋଲି କିଛି ନାହିଁ, ଲକ୍ଷ୍ୟ ବୋଲି କିଛି ନାହିଁ, ଚେତନାରେ ଯାହା ଆବିଷ୍କାର କଲି, ଲେଖିଲି, ଆଜିପାଇଁ ସେତିକି ବାସ୍ତବ, ସେତିକି ସତ । କାଲିକୁ ଆଉ କିଛି, ଚାଲିଥିବ ଏମିତି । ଭୟ ହେଉଛି ଯେ କୂଳ ନାହିଁ, କିନାରା ନାହିଁ, ଏଇ ମଝି ଦରିଆରେ ସାହିତ୍ୟ ତିଷ୍ଠି ପାରିବ ?

 

ଏଇ ଭୟମାନଙ୍କୁ ଘଉଡ଼େଇ ହେଉ ନାହିଁ, କାରଣ ଲକ୍ଷଣମାନ ଜଳଜଳ ହୋଇ ଦିଶିଯାଉଛି । ଆନ୍ତର୍ଜାତିକ ସାହିତ୍ୟ କଥା ଛାଡ଼ିଦିଅନ୍ତୁ, ଓଡ଼ିଆ ସାହିତ୍ୟରେ ମଧ୍ୟ ସୁ ଦୃଶ୍ୟ । ପ୍ରଥମେ ଭାଷା । ଚେତନାର ଯେଉଁ ଦୂରବସ୍ଥା ହେଲାଣି, ତା’କୁ ପ୍ରତିଫଳିତ କରିବାକୁ ଯାଇ ଶବ୍ଦର ଭାଷା ମୋଟେ କୂଳଉ ନାହିଁ । ପ୍ରତିଭା ଶତପଥୀଙ୍କର କେଉଁ ଏକ କବିତାରେ ପଢ଼ିଥିଲି, ‘‘ଶବ୍ଦଙ୍କର ନିଅଣ୍ଟିଆ ସଂସାର ।” ନିଅଣ୍ଟିଆ କାହିଁକି, ମୋର ମନେହୁଏ ଏଇ ସଂସାର ପୂରାପୂରି କାଙ୍ଗାଳ ହୋଇଗଲାଣି । ଭାବି ହସଲାଗେ, ଦିନେ ମାୟାଧର ମାନସିଂହ ଗୋପୀନାଥ ମହାନ୍ତିଙ୍କ ତଥାକଥିତ ଅଶୁଦ୍ଧ ମାତ୍ରା ବିରାମରୁ ମୁକୁଳି ଆସିଥିବା ଶବ୍ଦମାନଙ୍କୁ ବିଦ୍ରୂପ କରିଥିଲେ । ଆଜି କିଏ ମନା କରିପାରିବ ଯେ ସେଭଳି ମୁକ୍ତି ହାସଲ କରିପାରିଛନ୍ତି ବୋଲି ହିଁ ଗୋପୀବାବୁ ଆମକୁ ଇନ୍ଦ୍ରିୟଗତ ଭାବଗତ କେତେ କିମିଆଁର ଉଲ୍ଲାସ ଆଣି ଦେଇପାରିଛନ୍ତି ? ସେ ଆମକୁ ବାଟ ଦେଖାଇଛନ୍ତି ସିନା, ଭାଷା ଏଣିକି ଆପଣା ବାଟରେ ମାଡ଼ିଯାଉଛି । ଗୋପୀବାବୁଙ୍କ ସମେତ କାହାରି ବୋଲି ମାନିବାକୁ ନାରାଜ । ଆଞ୍ଚଳିକ ଶବ୍ଦ, ଇଂରେଜି ଶବ୍ଦ, ଅଣଓଡ଼ିଆ ଶବ୍ଦ, ଶେଷକୁ କେବଳ ଧ୍ଵନିର ଶବ୍ଦ । ଏବେ ମନୋରମା ମହାପାତ୍ରଙ୍କର ଗୋଟିଏ ଅନିତିଦୀର୍ଘ ଦେଢ଼ପୃଷ୍ଠାବ୍ୟାପୀ କବିତାରେ ୧୪ ଗୋଟି ଦୋହରେଇ ହେଉଥିବା ଧ୍ଵନିର ଶବ୍ଦ ଆଖିରେ ପଡ଼ିଲା-ଦାଉ ଦାଉ; ଲହଲହ, ମେଞ୍ଚା ମେଞ୍ଚା, ସାଲୁ ସାଲୁ, କାଲୁବାଲୁ, ନାଲି ନାଲି, ଫରଫର, ସୁକୁଟା ଚେମେଟା, ଛେଲା ଛେଲା, କିଳିକିଳା, କାଙ୍କୁଡ଼ି କୁଙ୍କୁଡ଼ି, ଥୁରୁଥୁରୁ, ଲୋଚାକୋଚା ଓ ସୋରି ସୋରି । ଏବଂ ସେଥିରୁ କେତୋଟିର ପ୍ରୟୋଗ ଏକରୁ ଅଧିକ ବାର । ତଥା ଜଣେ ଆଧୁନିକ ଗାଳ୍ପିକ ପ୍ରଭାତ ମହାପାତ୍ରଙ୍କ ଗଳ୍ପରେ ଦେଖନ୍ତୁ–‘‘ସେଇ ବାଲୁବାଲୁ ନୟନ ତଳେ ସୁନା ଖରାଯାକ ଖୁସ୍‌କିନା ଟିକି ମୁହଁଟିଏ ହୋଇଗଲେ–ଶିରିଶିରି ନଡ଼ିଆ ବାହୁଙ୍ଗାରେ ଥାଇ ମୁହଁଟି ହଲିଲା-ସୋରି ସୋରି ହେଇ ଖସି ପଡ଼ିଲା ହସ ପବନ-’’ । ଏଠି ବାକ୍ୟମାନେ କେମିତି ଅଟକି ଅଟକି ଚାଲିଛନ୍ତି, ସତେକି ମଝିରେ ଅନେକ କଥା ରହିଗଲା, ତାହା ମଧ୍ୟ ଦ୍ରଷ୍ଟବ୍ୟ । ଅନେକ କହିପାରନ୍ତି ଯେ ଏମାନଙ୍କର ଭାଷାଜ୍ଞାନ କମ୍ କିନା, ସେଇଥିପାଇଁ ଏମିତି ଲେଖିଲେ । ମୁଁ ସେଥିରେ ଏକମତ ହୋଇପାରୁ ନାହିଁ । ଏମାନେ ଯେଉଁଭଳି ବିଚିତ୍ର ଚେତନା (ଯାହା ତାଙ୍କର ନିଜସ୍ୱ)ର ଭାର ସହିପାରୁ ନାହାନ୍ତି, ଭାଷାରେ ପ୍ରକାଶି ନିଜକୁ ହାଲୁକା କରିବାକୁ ବସିଛନ୍ତି, ସେଥିକୁ ଆମେ ଭାଷା ଯୋଗାଇ ପାରିବା ? ତେଣୁ ବାଛବିଚାରର ମୂଲ୍ୟ ନାହିଁ । କଥାର କବିତାର ସମଗ୍ର ଭାବକୁ ଗ୍ରହଣ କରି ନିଅ, ସେଇ ଯଥେଷ୍ଟ, ସେଇ ଆମର ପ୍ରାପ୍ୟ । ଜେମ୍‌ସ୍ ଜଏସ୍‌ଙ୍କର ଚେତନା ପ୍ରବାହୀ ଭାଷାକୁ ସଳଖେଇବା ଅବାନ୍ତର । ସେହିପରି ମନୋରମା ମହାପାତ୍ରଙ୍କ ଧ୍ୱନି ଭାଷା, ରାଜେନ୍ଦ୍ର ପଣ୍ଡାଙ୍କର ଗୋଟିଏ ଲେଖା ଶବ୍ଦକୁ ଦୋହରେଇ ପାଟି କରିବାର ପ୍ରବଣତା, ଅଥବା ଗଳ୍ପରେ ଜଗଦୀଶ ମହାନ୍ତିଙ୍କର ଖଣ୍ଡ ଖଣ୍ଡିଆ ବାକ୍ୟକୁ ଦୋଷ ଦେଇ ହେବନାହିଁ । ସବୁରି ମୂଳରେ ସେଇ ଶବ୍ଦଙ୍କର ନିଅଣ୍ଟିଆ ସଂସାର ! ଜଣେ ଇଂରେଜି ଲେଖିକା ଅଳ୍ପକରେ ତା’ର କାରଣ ବତେଇଦେଲେ, କହିଲେ ‘‘Language by its very nature orders things and life has really no order.’’ ଜୀବନର ତ ବାଗବାଇଶ ନାହିଁ, ରକ୍ଷଣଶୀଳ ଭାଷା ତା’କୁ ପାରିବ କେଉଁଠି ? ଠିକ୍ ଅଛି, ଭାଷା ଚୁଲିକୁ ଯାଉ, ବୁଝିବା ପାଇଁ କଷ୍ଟ ନ ହେଲେ ହେଲା । ଯେଉଁମାନେ ବାକ୍ୟମାନଙ୍କୁ କାଟିକୁଟି ଥୋଉଛନ୍ତି, କବିତାର ପଂକ୍ତିମାନଙ୍କୁ ଥୁଣ୍ଟାକରି ଗୋଟିକ ପରେ ଗୋଟିଏ ଲଦି ଦେଉଛନ୍ତି, କିମ୍ବା ଅଶବ୍ଦର ଭେଳିକି ଦେଖାଉଛନ୍ତି, ସେମାନେ ସ୍ଵେଚ୍ଛାଚାରୀ ନୁହଁନ୍ତି । ତାଙ୍କର ଉଦ୍ଦେଶ୍ୟ ହେଲା ଭାବପ୍ରକାଶକୁ ବଳବତ୍ତର କରିବା, ଯେମିତିକି ଆମେ ଚେଇଁଉଠି ସେ କ’ଣ କହିବାକୁ ଚାହୁଁଛନ୍ତି ତା’ର ଭେଦ ବୁଝିପାରିବା । କିନ୍ତୁ ଅନେକ କ୍ଷେତ୍ରରେ ଅପରୂପ ଭାଷା ପ୍ରୟୋଗ ଯୋଗୁ କିମ୍ବା ତା’ ସତ୍ତ୍ଵେ ଭାବ ଅଧିକତର ଦୁର୍ବୋଧ୍ୟ ହୋଇପଡ଼ୁଛି ଏହା କହିଲେ ଅତ୍ୟୁକ୍ତି ହେବ କି ? ହାରାହାରି ଶିକ୍ଷିତ ପାଠକମାନଙ୍କୁ ପଚାରିଲେ କହିବା ଯେ ସେମାନେ ପତ୍ରପତ୍ରିକାମାନଙ୍କରେ ବାହାରୁଥିବା କବିତାରେ ଆଖି ବୁଲେଇ ଦିଅନ୍ତି, କାଳେ ସେଥିରେ ଥିବା ସଙ୍ଗୀତ ଅଥବା ଦୃଶ୍ୟକଳ୍ପର ଆନନ୍ଦ ମିଳିବ; କିନ୍ତୁ ତାକୁ ବୁଝିବାର ଚେଷ୍ଟାକୁ ନିରାନନ୍ଦ ବୋଲି ଭାବନ୍ତି, ପୃଷ୍ଠା ଓଲଟେଇ ଦିଅନ୍ତି । କେତୋଟି ଗଳ୍ପ ହୁଏତ ପଢ଼ିନିଅନ୍ତି, କିନ୍ତୁ ଅଧିକାଂଶରେ କଥାଟା ଧରିହେଲା ନାହିଁ ବୋଲି କୁହନ୍ତି । ଗାଳ୍ପିକ କ୍ଷୁଣ୍ଣ ହୁଏ । ପତ୍ରିକାମାନଙ୍କରେ ବାହାରୁଥିବା କବିତାରେ ଆଖି ବୁଲେଇ ଦିଅନ୍ତି, କାଳେ ସେଥିରେ ଥିବା ସଙ୍ଗୀତ ଅଥବା ଦୃଶ୍ୟକଳ୍ପର ଆନନ୍ଦ ମିଳିବ; କିନ୍ତୁ ତାକୁ ବୁଝିବାର ଚେଷ୍ଟାକୁ ନିରାନନ୍ଦ ବୋଲି ଭାବନ୍ତି, ପୃଷ୍ଠା ଓଲଟେଇ ଦିଅନ୍ତି । କେତୋଟି ଗଳ୍ପ ହୁଏତ ପଢ଼ି ନିଅନ୍ତି, କିନ୍ତୁ ଅଧିକାଂଶରେ କଥାଟା ଧରିହେଲା ନାହିଁ ବୋଲି କୁହନ୍ତି । ଗାଳ୍ପିକ କ୍ଷୁଣ୍ଣ ହୁଏ । କହେ, ମୋରି ମୁଣ୍ଡରେ କ’ଣ ଠେକା ବନ୍ଧା ହୋଇଛି ? ତୁମେ ସଂଜ୍ଞାହୀନ ତେଢ଼ାମେଢ଼ା ରଙ୍ଗଲେସା ଛବିକୁ ଆଧୁନିକ ଆର୍ଟର ସମ୍ମାନ ଦେବ, ଦୁର୍ବୋଧ୍ୟ କବିତାକୁ ଆଧୁନିକ ଚେତନାର ବାହକ ବୋଲି କହିବ, ଅଥଚ ଗଳ୍ପ କ୍ଷେତ୍ରରେ ଗପଟିଏ ଶୁଣିବାକୁ ଚାହିଁବ, ଯାହାର ମୂଳଥିବ, ଶେଷ ଥିବ, ଏବଂ ଗୋଟାଏ ଆଖିଦୁରୁଶିଆ ମୂଳପିଣ୍ଡ ଥିବ ? ଗାଳ୍ପିକର ଯୁକ୍ତି ଅକାଟ୍ୟ । ତାହାହେଲେ ଗଳ୍ପ, କବିତା ଇତ୍ୟାଦି କ’ଣ ଶେଷକୁ (ଯାହା ପ୍ରଥମରେ ଥିଲା) ଛବି ଦେଖିବା ଓ ଗୀତ ଶୁଣିବାରେ ପର୍ଯ୍ୟବସିତ ହେବ ? ଅନ୍ତିମ ପ୍ରଶ୍ନ-ହଉ, ଭାଷା ଆପଣା ବାଟରେ ଯାଉ, ବୁଝି ନ ହେଲା ନାହିଁ, ଚେତନା ଉପରେ ଗୋଟାଏ ପ୍ରଭାବ ପଡ଼ିବ ତ ? କିନ୍ତୁ ଆଜିକାଲିକାର ଲେଖକ ତା’ର ଉତ୍ତରରେ କହିବ–କ୍ଷମା କର । ମୁଁ ତୁମର ନେତା ନୁହେଁ, କି ଗୁରୁ ନୁହେଁ । ବ୍ୟକ୍ତି ହିସାବରେ ତୁମେ ମୋଠାରୁ ଭିନ୍ନ, ଦୁହିଙ୍କୁ ଦୁହେଁ ଅନନ୍ୟ, ତେଣୁ ମୁଁ ତୁମକୁ ଇଚ୍ଛା କରି ହସେଇବା କନ୍ଦେଇବା ବା ଭଲ ମଣିଷ କରିବାର ଅର୍ଥ ଶଠତା । ସର୍ତ୍ତ୍ରେଙ୍କ ଭାଷାରେ bad faith । ମୁଁ ଯାହା ଅଙ୍ଗେ ନିଭେଇଛି ସେଇଆ ଲେଖିବି, ସେଥିରେ ତୁମ ମନରେ କିଛି ପ୍ରଭାବ ପଡ଼ିଲା ତ ଭଲ କଥା, ନ ହେଲେ ନାହିଁ । କେତେକ ପାଶ୍ଚାତ୍ୟ ଲେଖକ ଅଙ୍ଗେ ନିଭେଇବାର ଆବଶ୍ୟକତାରୁ ମଧ୍ୟ ଓହରି ଗଲେଣି, ଅନ୍ତତଃ ଓହରିଯିବାର ଆସ୍ଫାଳନ କରୁଛନ୍ତି । Gustave Falubert କହିଥିଲେ ଯେ ସବୁଠାରୁ ସୁନ୍ଦର ହୁଅନ୍ତା ମୁଁ ଯଦ କିଛି ନଥିବାକୁ ନେଇ ଗୋଟିଏ ବହି ଲେଖନ୍ତି, ଯାହାର ଲେଖା ନିଜ ଭିତରେ ନିଜେ ବାନ୍ଧି ହୋଇ ରହିପାରନ୍ତା । କହିଲେ, What strikes me as beautiful what I would like to do, is a book about nothing a book without external attachments which would hold itself together by itself through the internal force of its style ।’’ ଆଧୁନିକ ଲେଖକ ତାଙ୍କର ଅସଦିଚ୍ଛାକୁ ଅକ୍ଷରେ ଅକ୍ଷରେ ପୂରଣ କଲାଣି ବୋଲି ମନେହେଉଛି । ଅନ୍ୟ ଅର୍ଥରେ Art for art’s sakeର ନିଷ୍ଠୁରତା ଲେଉଟି ଆସିଥିବାର ଆଶଙ୍କା ବଢ଼ିଗଲାଣି । କେବଳ ସମାଜବାଦୀ କାହିଁକି ନିର୍ବିବାଦୀ ମଧ୍ୟ ହତାଶ ହେଲାଣି । ମଧ୍ୟଯୁଗର ସାହିତ୍ୟରେ ଶ୍ରେଣୀଗତ ସ୍ଵର୍ଣ୍ଣଲଙ୍କା ivory tower ଥିଲା, ଯାହା ଉପରକୁ ଟେକା ଫିଙ୍ଗି ହେବ । ଏବେ ପ୍ରତି ଲେଖକ ସଗର୍ବରେ ନିଜକୁ ଗୋଟିଏ ଗୋଟିଏ ivory tower ବୋଲି ଘୋଷଣା କରୁଛି । ତା’ହେଲେ ଦିଆନିଆର ଯୋଗସୂତ୍ର କଅଣ ପୂରିପୂରି ତୁଟିଯିବ ? ଉପାୟ କଅଣ ?

 

ଉପାୟ କଅଣ ? ମୁଁ ମଧ୍ୟ ଆଜିର ଲେଖକ । ତୁମରି ଭିତରୁ ଜଣେ, ତେଣୁ ଉପାୟ ବତେଇବାକୁ ଅକ୍ଷମ । ଭବିଷ୍ୟଭୀତି ଆମ ଓଡ଼ିଶାକୁ ଆସିଛି ସିନା, ଗ୍ରାସି ନାହିଁ, ଗ୍ରାସି ପାରିବ ନାହିଁ; କାହିଁକିନା ଏଠି ସାମନ୍ତବାଦ ଏପର୍ଯ୍ୟନ୍ତ ଗାଦି ଛାଡ଼ି ଚାଲିଯିବାକୁ ନାରାଜ, ଶିଳ୍ପ ସଭ୍ୟତାର ଧୂଆଁ ଆକାଶକୁ ତଥାପି ବଞ୍ଚାଇ ରଖିଛି, ଆମ ନାଗରିକତା (urbanisation) ଭାରତର ସବୁଠାରୁ ପଛରେ, ତା’ଛଡ଼ା ଆମର ବଡ଼ଠାକୁରେ ଅଛନ୍ତି, ତାଙ୍କ ବାହୁଚ୍ଛାୟାରେ ଆମେ ବେଶିଦୂର ଆଗେଇ ପାରିବୁ ନାହିଁ ଏଭଳି ସାନ୍ତ୍ୱନା ଅସାର ନ ହେଲେ ମଧ୍ୟ ତା’ର ମିଆଦ କ୍ଷଣସ୍ଥାୟୀ ନୁହେଁ କି ?

 

ଉପାୟ ବତେଇ ପାରିବି ନାହିଁ, କିନ୍ତୁ କେବଳ ଏତିକି କହିବି ଯେ ପ୍ରତିଟି ଭୟ ଆପଣାକୁ ସମ୍ଭାଳିନିଏ, ନ ହେଲେ ସେ କାହା ଉପରେ ଅତ୍ୟାଚାର କରିବ ? ଭୟ ପାଉଥିବା ଲୋକଟି ଓ ତା’ର ସାହିତ୍ୟ ଖତମ୍ ହୋଇଗଲେ ସେଣିକି ଆଉ ରହିଲା କଅଣ ? ତା’ଛଡ଼ା ସବୁଠାରୁ ଏକ ମହାନ୍ ଭୟ ଅଛି, ମୃତ୍ୟୁ । ବଡ଼ମାଛ ଛୋଟ ମାଛକୁ ଗିଳି ନେଲାପରି ତା’ରି ପ୍ରସାଦରେ ସାହିତ୍ୟ ଉଧୁରିଯିବ ବୋଲି ମୋର ପୂର୍ଣ୍ଣ ବିଶ୍ୱାସ । ନିଶ୍ଚିହ୍ନ ହୋଇଯିବାର ଭୟ ମାଡ଼ି ବସିଲାବେଳେ ଅଭିବ୍ୟକ୍ତିର ଅବିଗୁଣକୁ ପଚାରୁଛି କିଏ ? ତା’ରି ତାଡ଼ନାରେ ଆମକୁ କୌଣସିମତେ ନାଚିବାକୁ ହେବ, ଆଙ୍କିବାକୁ ହେବ ଏବଂ ଲେଖିବାକୁ ହେବ, ସତେକି ଏଇ ସବୁ ମନ୍ତ୍ର ପଢ଼ିଲେ, ଭେଳିକି ଦେଖେଇଲେ ମୃତ୍ୟୁ ଅଟକି ଯିବ । ଚେତନା ଯେତେ ଜଟିଳ ହେଉ ନା କାହିଁକି, ‘‘ମୁଁ ମରିବି’’ର ସରଳ ସତ୍ୟରେ ଆଞ୍ଚ ଲାଗି ନାହିଁ ‘‘ମଣିଷ ମରେ’’ର ସାମାନ୍ୟ କଥନ ନୁହେଁ ‘‘ମୁଁ ମରିବି’’ର ସଚେତନତା । ସେଇ ସଚେତନତା ଆସିଲାକ୍ଷଣି କିଛି ନ କହିଲେ ଚଳିବ ନାହିଁ । ରମାକାନ୍ତ ରଥଙ୍କ ଭାଷାରେ–

 

ତରାଙ୍କୁ ଅନେକ କଥା

କହିବାର ଥିଲା

ଅନେକ ଜରୁରୀ କଥା, କାଲିଠୁ ଜହ୍ନର

ଚେହେରା ବିସ୍ମୃତ ହେବ, କାଲିଠୁ ସମ୍ପର୍କ

କଟିଯିବ ମୋର ଏବଂ ତରାମାନଙ୍କର ।

 

ସରଳତମ ସତ୍ୟ, ଜଟିଳତମ ଦର୍ଶନ । ହଜାରେ ବୁଦ୍ଧି ପ୍ରୟୋଗ କରି ଆମେ ତା’ର ଭେଦ ପାଇପାରିବା ନାହିଁ, ତେଣୁ କେବଳ ଅଣ୍ଡାଳି ହେଉଥିବା ଜଟିଳତା କୁଟିଳତାକୁ ଡରିବା କାହିଁକି-? ଭାଷା ଯେଉଁ ବାଟରେ ଯାଉ, ଅଭିବ୍ୟକ୍ତ ରହିବ । ଗଳ୍ପ କବିତାରେ ମିଶିଯାଉ, କବିତା ସଙ୍ଗୀତରେ ମିଶିଯାଉ, କ୍ଷତି କଅଣ ? ବୁଝିହେବ ନାହିଁ ବୋଲି କହୁଛନ୍ତି ? ପ୍ରକାଶ ପାଇଥିବା ବସ୍ତୁଟିକୁ ଖାଲି ଛିନ୍ନଭିନ୍ନ କରି ଲେଖିପାରିଲେ, ତା’ର କୋରକଟିକୁ କାଢ଼ି ଆଣିପାରିଲେ କ’ଣ ବୁଝିପାରିବାର ଆନନ୍ଦ ଆସିବ ? ତା’କୁ ପଢ଼ିସାରିଲା ପରେ ଉପଲବ୍‌ଧିର କାଣିଚାଏ ମିଳିବ ନାହିଁ-? ମୋରି ଜାତି ଭାଇ ସମତୁଲ୍ୟ ଭୟରେ ଆବେଗରେ ଯାହା ଲେଖିଛି (ଯଦି ସେଥିରେ କୃତ୍ରିମତା, ଶଠତା, ଅହଙ୍କାର ନ ଥାଏ) ତା’ର ଧ୍ୱନି ମୋଠାରେ ପ୍ରତିଧ୍ୱନିତ ହେବ ନାହିଁ ? ନିଜକୁ ନେଇ ଯେତେ ivory tower ଗଢ଼ିଲେ କ’ଣ ହେବ, ତା’ର ବିଳାପ ସ୍ପନ୍ଦନରେ ମଧ୍ୟ ମୋତେ ଛୁଇଁପାରିବ ନାହିଁ, ଆଳାପର ପାଖ ମାଡ଼ିବ ନାହିଁ, ଏଭଳି ଆଶଙ୍କା ମୋ ମନକୁ ଆସୁ ନାହିଁ-। ଧରନ୍ତୁ ଉଦ୍‌ଭଟ ନାଟକ । ସେଥିରେ ପ୍ଲଟ ନାହିଁ, ଗଣ୍ଡି ମୁଣ୍ଡ ନାହିଁ, ନାଟକୀୟ ଉତ୍‌କଣ୍ଠାର ଲେଶମାତ୍ର ନାହିଁ, କାହିଁକିନା କିଛି ଘଟିବାର ପ୍ରଶ୍ନ ଉଠୁନାହିଁ । କେଉଁ ଆଧୁନିକ କବିତା ସେଭଳି ନାଟକରୁ ବେଶି ଦୁର୍ବୋଧ୍ୟ ? କିନ୍ତୁ ଗୋଟିଏ ଅକୃତ୍ରିମ ଉଦ୍‌ଭଟ ନାଟକ ଦେଖି ଆସିଲା ପରେ ଚେତନା ବିନ୍ଧି ଉଠେ ନାହିଁ ? ଉପଲବ୍‌ଧିର କାମନା ବିକଳ ହେଲା ପରି ମନେହୁଏ ନାହିଁ ? ତେଣୁ ଯଦି ଜଣେ ପାଶ୍ଚାତ୍ୟ ସମୀକ୍ଷକ ତାଙ୍କର ‘‘The meaning of unmeaning’’ରେ କହିଲେ ଯେ ଉଦ୍ଭଟର ମାନେ ନ ଥିବାରେ ମାନେ ଅଛି, ସେ ହେଉଛି ସ୍ୱୟମ୍ଭୁ, ଆପଣା ଅର୍ଥରେ ବଳୀୟାନ୍, ତାଙ୍କୁ ପାଗଳ ପଣ୍ଡିତ କହି ଦୂରେଇ ହେବ ନାହିଁ । ବସ୍ତୁତଃ ଉଦ୍‌ଭଟ ଓ ରହସ୍ୟବାଦ ଏକା ଧାତୁରେ ଗଢ଼ା ନୁହେଁ କି ? ‘‘ନିଶବ୍ଦ ଘରେ ଶବ୍ଦ ଶୁଭୁଛି, ଅଣାକାର ଅଛି ଆକାର ହୋଇ’’, ଏଇ ଆବୌଦ୍ଧିକ ଆଧ୍ୟାତ୍ମିକ ତଥ୍ୟକୁ ଦର୍ଶାଇବାକୁ ହେଲେ ଉଦ୍ଭଟ ଛଡ଼ା ଆଉ କାହାର ସାହାଯ୍ୟ ନେଇ ହେବ ? ତେଣୁ ବୁଝି ନ ପାରିବାର ଭୟ ଛାଡ଼ିଦିଅ ମଣିଷର ଅଭିବ୍ୟକ୍ତି ସମ୍ବେଦନଶୀଳ ମଣିଷ ପାଖକୁ ଆପେ ଆପେ ଟାଣି ହୋଇଯିବ । ସତ୍‌ବିହୀନ ବାସ୍ତବକୁ ଡରନାହିଁ । କୂଳ ନାହିଁ କିନାରା ନାହିଁ, ସାହିତ୍ୟ ମଝିଦରିଆରେ ଭାସୁଛି ବୋଲି କହୁଛ ? ଭାସୁନାହିଁ, ଆମେ ଚଳଉଛୁ ତାକୁ ଯୁଆଡ଼େ ବୋଲି ସିଆଡ଼େ-। ଏଇ ଚଳମାନତା ତ ଜୀଇଁଥିବାର ପ୍ରଧାନ ଲକ୍ଷଣ, ମୃତ୍ୟୁକୁ ଉତ୍ତର । ତେଣୁ ଦୁଃଖ କାହିଁକି-? ଆଉ ବାସ୍ତବତାର ଭୂତକୁ ନେଇ କେତେ ଡରେଇବ ? Nietzsche କହିଲେ ପରା-No artist tolerates reality । କୌଣସି କଳାକାର ବାସ୍ତବତାକୁ ବରଦାସ୍ତ କରିପାରେ ନାହିଁ । ତେଣୁ ନିଜେ ନିରାଟ ଦାର୍ଶନିକ ହେବାକୁ ଚାହିଁଲେ, ଶେଷକୁ ପାଗଳ ହୋଇଗଲେ । ଖାଲି ଆଖିରେ ଅନେଇବା ଭଲ, କିନ୍ତୁ ଅବିରାମ ଅପଲକ ଚାହାଣୀରେ ଅନେଇ ହେବ ନାହିଁ, ଆଖି ଫୁଟିଯିବ-। ସନ୍ନ୍ୟାସୀ ହୋଇଗଲେ ରକ୍ଷା, କିନ୍ତୁ ହୁଏତ ନିଟ୍‌ସେଙ୍କ ପରି ପାଗଳ ହୋଇଯିବ, ଭାନ୍‌ଗଗ୍ ପରି ନିଜକୁ ଗୁଳିକରି ମାରିଦେବ କିମ୍ବା ଟଲଷ୍ଟୟଙ୍କ ପରି ବୁଢ଼ା ବୟସରେ କହିବ ଭୁଲ୍, ଭୁଲ୍‌ ଯାହା ଲେଖିଯାଇଛି ସବୁ ଭୁଲ୍ । ଅତଏବ ତଥାକଥିତ କେତେଗୁଡ଼ିଏ ସତକୁ ବାସ୍ତବ ସତ ବୋଲି ଅନ୍ତତଃ ଅଧା ମନରେ ନେଲେ ମଙ୍ଗଳ । ଭାବୁକ-ଲେଖକ ସବୁବେଳେ ଅଶାନ୍ତ, ନିହାତି ସତକଥା-। ଶାନ୍ତି ପାଇବାକୁ ହେଲେ ବିଶ୍ୱାସର ଭଗବାନଙ୍କୁ କୁଣ୍ଢେଇବାକୁ ପଡ଼ିବ । ସେତିକି କରିବାପାଇଁ କୁଣ୍ଠାବୋଧ କଲେ, କଳାସାହିତ୍ୟକୁ ଜାରି ରଖିବାକୁ ଚାହିଁଲେ କେଉଁଠି ହେଲେ ‘‘ସତ’’ର ସୀମା ଘେରାଇବାକୁ ପଡ଼ିବ, ଯେମିତିକି ଲେଖିହେବ । ଏଇ ଆଶାରେ ଯେ ବ୍ରହ୍ମାଣ୍ଡଟି ଗୋଲ୍ ହୋଇଥିବ ପରା ! ନ ହେଲେ ମୁନ ଭାଙ୍ଗିଯିବ, ଆଖି ଅନ୍ଧ ହୋଇଯିବ ଲେଖିବ କଅଣ ?

 

କହୁ କହୁ ଅନେକ କିଛି କହି ଗଲିଣି । ହତାଶାର ଯଥେଷ୍ଟ କାରଣ ଥାଇପାରେ, କିନ୍ତୁ ମୁଁ ହତାଶ ହେବାକୁ ଚାହେଁ ନାହିଁ । ସରଳକୁ ଫେରି ଯାଇହେବ ନାହିଁ, ଟ୍ରାଜେଡ଼ିକୁ ଲେଉଟାଇ ହେବ ନାହିଁ, ଇଉରେକାର ସାର୍ଥକତା ମିଳିବ ନାହିଁ । ମୋର ଲେଖକ ଭାଇମାନଙ୍କୁ ଅନୁରୋଧ ଯେ ସେମାନେ ଟାଣିଓଟାରି ନିଜକୁ ଅଥବା ଅନ୍ୟମାନଙ୍କୁ ଖୁସି କରିବାପାଇଁ ପଛକୁ ଫେରିଯାଆନ୍ତୁ ନାହିଁ-। କିନ୍ତୁ ଲେଖନ୍ତୁ । ଆବେଗର ତାଡ଼ନାରେ, ଚିନ୍ତାର ମାଧ୍ୟମରେ, ଉପଲବ୍‌ଧିର ଲୋଭରେ ଲେଖିଯାଆନ୍ତୁ । ଜଣେ ଆଜିକାଲିର କବିଙ୍କ ଭାଷାରେ–

 

ଯୁଦ୍ଧ ଓ ରକ୍ତସ୍ରାବ ପରି ଜଟିଳ

ଏ ଚରିତ୍ରର ଅଙ୍କନ ଅସମ୍ଭବ

ମାତୃତ୍ୱକୁ ଫିଟାଇ ଖସି ଆସୁଥିବା

ଶଙ୍କିତ ଲାଲ ପାଦ ଦୁଇଟି ପରି

ଖାଲି ବଢ଼ାଇ ଦିଅ, ଯେଉଁ ଭାଷା ଯାହାର ।

 

ଆଜି ଉତ୍କଳ ଦିବସର ପୁଣ୍ୟ ତିଥିରେ ମୋର ଏତିକି ମାତ୍ର କାମନା ।

 

(ଦିଲ୍ଲୀ ଓଡ଼ିଆ ଷ୍ଟୁଡେଣ୍ଟସ୍ ଆସୋସିଏସନ୍‌ର ଆନୁକୂଲ୍ୟରେ ଏବଂ ଉତ୍କଳ ଦିବସ (ପହିଲା ଏପ୍ରିଲ୍ ୧୯୮୨) ପାଳନ ଉପଲକ୍ଷ୍ୟରେ ଆୟୋଜିତ ସାଂସ୍କୃତିକ ସମାରୋହରେ ପଢ଼ିଥିବା ଅଭିଭାଷଣ)

Image

 

ଲେଖକର ସଂସାର

ଗଳ୍ପ ଓ ଗଣତନ୍ତ୍ର

 

ଗଳ୍ପ ସାଙ୍ଗରେ ଗଣତନ୍ତ୍ରର ସମ୍ପର୍କ କଅଣ ? ଆପାତତଃ କିଛି ନାହିଁ । କିନ୍ତୁ ମୋର ଲେଖା ବିଶେଷତଃ ‘ଗମନ’ର ସମାଲୋଚନା କରିବାକୁ ଯାଇ ଡକ୍ଟର ନିତ୍ୟାନନ୍ଦ ଶତପଥୀ ଗୋଟିଏ ମନ୍ତବ୍ୟ କରିଛନ୍ତି । (‘ଗମନ ଓ କିଶୋରୀ ଗଳ୍ପ ମାନସ-ପାଞ୍ଚଜନ୍ୟ ପୂଜାସଂଖ୍ୟା ୧୯୮୨) ଯାହାକୁ ପଢ଼ିଲେ ଗାଳ୍ପିକ ଗଣତନ୍ତ୍ରକୁ ବୋଧହୁଏ ଖୋଜି ହେବ ଏବଂ ଆମ ଦିହିଁଙ୍କ ଭିତରେ ଭାବନାବ କେମିତି ଗଢ଼ିଉଠିଲା ଅଥଚ ମୁଁ ଜାଣିପାରିଲି କାହିଁ ବୋଲି ଚିନ୍ତା କରିବ । ମୁଁ ମଧ୍ୟ ଭାବି ହେଲି ଓ ମୋର ଭାବନାର ପ୍ରକ୍ରିୟାଗୁଡ଼ିକ ପାଠକମାନଙ୍କୁ ଜଣେଇଦିଏ ବୋଲି ବିଚାରିଲା । ଏଥିରେ କିଛି ମାତ୍ରାରେ ଆପଣାର ସଫେଇ ଅବଶ୍ୟ ଅଛି । କିନ୍ତୁ ମୋର ପ୍ରଧାନ ଉଦ୍ଦେଶ୍ୟ ହେଲା ପ୍ରଶ୍ନଟିକୁ ଆପଣମାନଙ୍କ ସାମନାରେ ରଖିବି । ଯେ ନିତ୍ୟାନନ୍ଦବାବୁ ଯାହା କହିଲେ ତାହା କଅଣ ସତ ? ନା ତାକୁ ସତ ବୋଲି ମାନିନେବା ଉଚିତ ? କହିଲେ–

 

‘‘ହୁଏତ ତାଙ୍କ ଚରିତ୍ରପ୍ରଧାନ ଗଳ୍ପଗୁଡ଼ିକର ଅନ୍ତରାଳରେ ଏପରି ରହସ୍ୟ ରହିଛି ଯାହା ସଚେତନ ଓ ବୁଦ୍ଧିଜୀବୀ ପାଠକକୁ ଖୁବ୍ ଆଲୋଡ଼ିତ କରେ । କିନ୍ତୁ ଗଳ୍ପକଳାର ବିଶେଷତ୍ୱ ରହିଛି ଏହାର ସଚରାଚର ଆବେଦନରେ । ଏଇଥିପାଇଁ ଗଳ୍ପକୁ ଯୁଗ ଯୁଗ ଧରି ଏକ ଗଣତାନ୍ତ୍ରିକ କଳାଭାବେ ଦାବି କରାଯାଇଛି ।’’

 

ଗଣତାନ୍ତ୍ରିକ କଳା । ପଦଟିର ଅର୍ଥ କଅଣ ? ଯେଉଁ କଳାର ପରିପ୍ରକାଶ ଗଣର ମନକୁ ଛୁଇଁଲା ପରି ହୋଇଥିବ ? ମାନେ ଗଣ ସାହିତ୍ୟ ? ସରଳ ତରଳ ? ରଙ୍ଗବେରଙ୍ଗ ? ସହଜ ପ୍ରବୃତ୍ତି (ସେକ୍‌ସ୍ ହେଉ ବା ଧର୍ମ ହେଉ)ର ବୋଲକରା ? ନା, ସମାଲୋଚକ ଏଭଳି ମତଲବରେ କଥାଟିକୁ କହିହେବ ବୋଲି ବିଶ୍ଵାସ ହେଉ ନାହିଁ । କାରଣ ଐତିହାସିକ ସତ୍ୟ ହିସାବରେ କଦାପି ଦାବି କରାଯାଇ ନ ପାରେ ଯେ କାବ୍ୟ କବିତା ନାଟକ ଓଗେର ଯୁଆଡ଼େ ଯାଆନ୍ତୁ ପଛକେ ଗଳ୍ପ ବୌଦ୍ଧିକତାର ଗହନକୁ ଯାଇ ନାହିଁ । ବିଶ୍ୱସାହିତ୍ୟ ଉପରେ ଆଖି ବୁଲେଇଲେ ସହଜେ ଦେଖିହେବ ଯେ ଗଦ୍ୟ ସାହିତ୍ୟ ପଛରେ ଆସିଲା ସିନା, ତା’କୁ ‘କିଉ’ର ନିୟମମାନି ଅନ୍ୟମାନଙ୍କ ପଛରେ ରହିବାକୁ ପଡ଼ି ନାହିଁ । ତୁମେ କାଲିକା ପିଲା, କବିଶିଳ୍ପୀଙ୍କ ଗଭୀରତର ଭାବସୁଖରୁ ଚିନ୍ତାଦୁଃଖରୁ ଦୂରେଇ ରୁହ, ଆହୁରି ଧୀରେ ପାଦ ପକାଅ, ଆହୁରି ହାଲୁକା, ନ ହେଲେ ଅଗ୍ରଜମାନଙ୍କର ଅସମ୍ମାନ ହେବ, ଏଭଳି ତଥ୍ୟ କେହି ବାଢ଼ିନାହାନ୍ତି । ବରଂ ଦେଖାଯିବ ଯେ ଆମ ଅଗଣାଟି ଲମ୍ବାଚଉଡ଼ା, ବୋଧହୁଏ ଏଇ ସୁବିଧା ନେଇ ବିଶିଷ୍ଟ କଥାକାରମାନେ ମଧ୍ୟ ଭାବଚିନ୍ତାର ଏଭଳି ଅତିଶୟତା ଢାଳିଦେଇଛନ୍ତି ଯେ ଅବୌଦ୍ଧିକ ଗଣମାନବ ତା’ର ପାଖ ମାଡ଼ିବାକୁ ଚାହିଁବ ନାହିଁ । ମନେପଡ଼ୁଛି ଡଷ୍ଟୋଭସ୍ମି ତାଙ୍କ “ବ୍ରଦର୍ସ କାରାମାଜୋଭ୍’’ରେ ବୁଦ୍ଧିବାଦୀ ମଝିଆଁ ଭାଇ ସାଙ୍ଗରେ ଶଇତାନ୍‌ର ଯେଉଁ ସୁଦୀର୍ଘ ତର୍କବିତର୍କର ଫର୍ଦ ତିଆରି କରିଛନ୍ତି ସେଥିରେ ତୁଚ୍ଛା ଫିଲସଫି ଛଡ଼ା ଆଉ କିଛି ନାହିଁ ଏବଂ ତଦ୍ଦ୍ୱାରା ଗଳ୍ପର ଗତି ବ୍ୟାହତ ହୋଇଛି ବୋଲି ଅନେକ ସମାଲୋଚକ କହିଛନ୍ତି । କିନ୍ତୁ ସେହିମାନେ ହିଁ ସ୍ୱୀକାର କରିଛନ୍ତି ଯେ ବିଶ୍ୱସାହିତ୍ୟରେ ଏହି ଫର୍ଦର ଇସ୍ତାହାର ଆପଣା ଜ୍ୟୋତିରେ ଝଲସୁଥିବ, ତହିଁରେ ଥିବା ଚିନ୍ତାର ଯୋଗ ବିୟୋଗ କାଳେ କାଳେ ଲେଖକମାନଙ୍କୁ ଉସ୍‌କେଉଥିବ, ତା’ର ଖିଅ ଧରି ଜୀବନ ଉପରେ କିଛି କହିବା ପାଇଁ । ଘରପାଖକୁ ଆସି ଦେଖନ୍ତୁ ‘‘ମାଟିର ମଣିଷ’’ ପରି ସିଧାସଳଖ ଉପନ୍ୟାସର ଲେଖକ କାଳିନ୍ଦୀଚରଣ ‘‘ମୁକ୍ତାଗଡ଼ର କ୍ଷୁଧା’’ ଓ ‘ଅମର ଚିତା’ରେ ତାଙ୍କ ଶୁଭକାନ୍ତ ଓ ସନାତନଙ୍କ ମୁହଁରେ କିଭଳି ଦାର୍ଶନିକତାର ଭେଳିକି ଦେଖାଇଛନ୍ତି । ଏହି ଦୃଷ୍ଟିରୁ ରବୀନ୍ଦ୍ରନାଥଙ୍କ ‘‘ଗୋରା” ଓ ଶରତଚନ୍ଦ୍ରଙ୍କ ‘‘ଶେଷପ୍ରଶ୍ନ’’ ମଧ୍ୟ ସ୍ମରଣ କରନ୍ତୁ, କେମିତି ଏହି ସ୍ୱନାମଧନ୍ୟ ଲେଖକମାନେ ଗପ କହିବାର ସିଧା ବାଟରୁ ଖସିଯାଇ ତାଙ୍କ ଚରିତ୍ରମାନଙ୍କ ମୁହଁରେ ଦର୍ଶନଦୁଷ୍ଟ ବଡ଼ ବଡ଼ କଥା କୁହାଇଛନ୍ତି । ହୁଏତ ଏତଦ୍ଦ୍ୱାରା ତଥାକଥିତ ଗଳ୍ପଶିଳ୍ପର ନିୟମ ଭଙ୍ଗ କରାଯାଇଛି; କିନ୍ତୁ କେହି କଅଣ କେବେ କହିଛନ୍ତି ଯେ ଉପରୋକ୍ତ ମହାନ୍ ଲେଖକମାନେ ଲିଙ୍ଗ ଭେଦରେ ଭୁଲ କରିଛନ୍ତି, ବୁଝିପାରି ନାହାନ୍ତି ଯେ ଇଏ ହେଉଛି ଗଦ୍ୟ, ପଦ୍ୟ ନୁହେଁ, କି ଚିତ୍ରକଳା ନୁହେଁ ? ତେଣୁ ଏଠି ବୌଦ୍ଧିକତାର ଉଛୁଳାପଣ ଭୁଆଷୁଣୀର ଘୋଡ଼ାଚଢ଼ା ପରି ମୋଟେ ଶୋଭାପାଏ ନାହିଁ । ଖିଆଲ୍ କରିନାହାନ୍ତି ଯେ ଏମିତି ହେଲେ ଗଳ୍ପ ଅଭିଜାତ ପଡ଼ିବ, ଗଣମାନବର ପସନ୍ଦ ହେବ ନାହିଁ । ଫଳରେ ଗଳ୍ପ ‘‘ଗଳ୍ପ’’ ହୋଇ ରହିବ ନାହିଁ ? ଯଦିବା କହିଛନ୍ତି ତା’ର ଯୌକ୍ତିକତା କଅଣ ?

 

କିଛି ଅଂଶର ‘ଆଇଭୋରି ଟାଓ୍ୱାର’ ଅନିବାର୍ଯ୍ୟ ହୋଇପାରେ ଅବା କିଛି ଅଂଶରେ ପାପ-। କିନ୍ତୁ କେଉଁ ନ୍ୟାୟରେ କେବଳ ଗଦ୍ୟ ସାହିତ୍ୟ ସେହି ପାପବିଳାସରୁ ବଞ୍ଚିତ ହେବ ?

 

ସେଇଠୁଁ ସମାଲୋଚକ ବନ୍ଧୁ ଗାଳ୍ପିକକୁ ଶାନ୍ତ କରିବା ଉଦ୍ଦେଶ୍ୟରେ ଉଦାର ମଧୁର ହସଟିଏ ହସି କହିପାରନ୍ତି-ଆହା ରାଗ ନାହିଁ, ତୁମେ ଗଣତାନ୍ତ୍ରିକ ବୋଲି ସେମାନଙ୍କଠାରୁ ନିଉନ ବୋଲି ମୁଁ ମନେ କରୁନାହିଁ । ଏଥିରେ ଗାଳ୍ପିକ ଆହୁରି ତାତି ଉଠିବା ସ୍ୱାଭାବିକ । ଯେମିତିକି ପଞ୍ଜୁରୀର ପକ୍ଷୀକୁ ଯଦି କୁହାଯାଏ ଯେ ତୁ ବନ୍ଦୀ ହୋଇ ରହିଛୁ ବୋଲି ବିହଙ୍ଗ ତୋ’ଠାରୁ ବଳି ଯାଇନାହିଁ । ସେଇ ଦିଗନ୍ତପ୍ରସାରୀ ପକ୍ଷୀମାନେ, କବିମାନେ, ଶିଳ୍ପୀମାନେ, ବାରବୁଲା ଛତରା I ତୁ ଆମର ଘରପୁଅ, ସୁଖୀ । ମିଛୁଟାରେ ଆକାଶକୁ ଚାହିଁନାହିଁ, ତୋ ବେକରେ ବନ୍ଧା ହୋଇଥିବା ମର୍ଯ୍ୟାଦାକୁ ଗଣତାନ୍ତ୍ରିକ ଜରିଫିତାକୁ ଦେଖେ, କେଡ଼େ ସୁନ୍ଦର ଦିଶୁଛି । ପୁଣି କହିପାରନ୍ତି ଯେ ‘‘ଯୁଗଯୁଗ’’ର ଆକ୍ଷରିକ ଅର୍ଥ ବାଢ଼ିବା ଉଚିତ ନୁହେଁ । ଯେ ବଡ଼ ବଡ଼ ଲେଖକମାନେ କଅଣ ଲେଖିଛନ୍ତି ସେ କଥା ଭିନ୍ନ, ବଡ଼ଲୋକକୁ ଉତ୍ତର ନାହିଁ । ଆମର କହିବା ଉଦ୍ଦେଶ୍ୟ ହେଉଛି ତୋର ଗୋଟିଏ ମୌଳିକ ସ୍ଵଧର୍ମ ଅଛି, ତୁ ଯୁଗଯୁଗରୁ ତା’ ପାଖରେ ମୁଣ୍ଡ ବିକିଛୁ, ତାକୁ ଭୁଲିଗଲେ ତୁ ବିପଦରେ ପଡ଼ିବୁ, ତୋର ନିଜତ୍ୱ ରହିବ ନାହିଁ ।

 

ଅର୍ଥାତ୍‌ ଦୁଃଖର ବିଷୟ ଯେ ନାଆକୁ ପକ୍ଷ ଥିଲେ କ’ଣ ହେବ, ତୁ ପକ୍ଷୀ ନୁହଁ । ତୁ ଭୂଇଁରେ ଚାଲୁଥିବା ପ୍ରାଣୀ, ଟିକିଏ ଖଣ୍ଡିଉଡ଼ା ଦେଲେ କ୍ଷତି ନାହିଁ, କିନ୍ତୁ ଆହୁରି ଊର୍ଦ୍ଧ୍ୱକୁ ଉଠିଲେ ମୁହଁମାଡ଼ି ପଡ଼ିବୁ । ଜନେ ହସିବେ ।

 

ସ୍ଵଧର୍ମର ଉପାଦାନଗୁଡ଼ିକ କ’ଣ ହୋଇପାରେ ବିଚାର କରାଯାଉ । ସାଧାରଣ ଧାରଣାର ବର୍ଣ୍ଣାବଳୀ-(୧) ଗଳ୍ପ ଗଦ୍ୟ, ତେଣୁ ସଙ୍ଗୀତ ନୁହେଁ; (୨) ଗଳ୍ପ କାହାଣୀ । ତେଣୁ ଅପର ଅନ୍ୟମାନଙ୍କ ବିଷୟ, ରଜାପୁଅ, ମନ୍ତ୍ରୀପୁଅ, ଜେମାଦେଇ, ମାଲୁଣୀ ଇତ୍ୟାଦିଙ୍କ କାରବାର । ସବାଶେଷକୁ ସେମାନେ ସୁଖରେ ରହିଲେ, ମୁଁ ଗଲି ଯେ ମୋତେ ପଚାରିଲେ ନାହିଁ । ସେଇ ମୋର ସାମାନ୍ୟ ସ୍ୱାକ୍ଷର, ମିଛି ମିଛିକା ଦୁଃଖ ଯେ ମୁଁ ସେମାନଙ୍କୁ ଗଢ଼ୁଛି, ହେଲେ ମୁଁ ଅନାବଶ୍ୟକ; (୩) ଗଳ୍ପ ଗପ ତେଣୁ ଶବ୍ଦମୟ ଘର୍ଘର । ଧ୍ୱନିର ଝଙ୍କାର, ମାଇଚିଆମି, ତା’ ପାଖରେ ନାହିଁ; (୪) ଗଳ୍ପ କଥା । ତେଣୁ ମୁଣ୍ଡରୁ ଗଣ୍ଡିଯାଏ, ମୂଳରୁ ଶେଷଯାଏ । ଫାଳେ ନୁହେଁ କି ଚେନାଏ ନୁହେଁ । ପୂରାପୂରି । ବାଛି ବସିଲେ ହୁଏତ ଆହୁରି କେତେ ପ୍ରଭେଦଗୁଣର ସନ୍ଧାନ ମିଳିବ, ତେବେ ମୋଟାମୋଟି ଏଇ ଚାରୋଟି ଲକ୍ଷଣକୁ ନେଇ ଗଳ୍ପର ସ୍ଵଧର୍ମକୁ ଚିହ୍ନିହେବ ଏବଂ ସେଇଥିରୁ ତା’ର ଗଣତାନ୍ତ୍ରିକତା ଧରା ପଡ଼ିଯିବ ବୋଲି ମୋର ବିଶ୍ୱାସ ।

 

ଯଥା-ସଙ୍ଗୀତ ନ ଥିବାରୁ ୟାକୁ ପଢ଼ିଲେ ମସ୍‌ଗୁଲ ହୋଇ ଶୋଇପଡ଼ିବା କଥା ନୁହେଁ କି ତେଜିଉଠି ନାଚିବାର ନୁହେଁ । ଏଥିରେ ଢେଉର ଲୟବିଲୟ ନାହିଁ, ମାନେ ଭାବଗତ ଉଚ୍ଛ୍ୱାସ ଉଦ୍‌ଗୀରଣ ଅଥବା ଉଦ୍‌ଯାପନ ଉପଶମର ପ୍ରଶ୍ନ ଉଠୁନାହିଁ । ଉଦ୍ଦେଶ୍ୟକୁ ସମ୍ଭାଳି ସିଧାବାଟରେ ଚାଲ, ଭୋଳ ହୋଇଯିବାର ଲୋଭ ପରିତ୍ୟାଗ କର । ରାଜା କି ଯୋଗୀ, ଭକ୍ତ କି ଭିକାରି ତୁମର ଗରାଖ ନୁହେଁ । ତୁମ ଗରାଖ ସଂସାରକର୍ମ କରୁଥିବା ପ୍ରାକ୍ଟିକାଲ ଜନତା । ଦୀନ ଦୈନନ୍ଦିନତା । ଅତଃ ଗଣତନ୍ତ୍ର ।

 

ଯଥା–ଅନ୍ୟମାନଙ୍କୁ ସେଇ କାହାଣୀ ହୋଇଥିବାରୁ ତୁମେ ନିଜକୁ ପଦାରେ ପକାଅ ନାହିଁ । ସାବଧାନ, ତୁମେ ଭାବରେ ମନ୍ଥି ହେଉଛ କି ଚିନ୍ତାରେ ସନ୍ତୁଳି ହେଉଛ ତା’ର ସୁରାକ୍‌ ଯେମିତି କେହି ପାଇବେ ନାହିଁ ବୁଝୁ ନା’ ନିଜ ଭିତରକୁ ଦେଖି ବସିଲେ ମହା ଗଣ୍ଡଗୋଳ, ତା’ର ଅନ୍ଧାରକୁ ଅନେଇ ହେବ ନାହିଁ, ତା’ର ଆଲୁଅରେ ଆଖି ଅନ୍ଧ ହୋଇଯିବ । ଫଳରେ ତୁମ ଚରିତ୍ରମାନେ କିମ୍ଭୂତକିମାକାର ଏବଂ ଏକାଭଳି ଦେଖାଯିବେ । ଅତଏବ ନିଜକୁ ଦୂରେଇ ରଖି ସେମାନଙ୍କୁ ଗଢ଼, ଅଲଗା ଅଲଗା କରି ଯେମିତିକି ରଜାପୁଅରୁ ମନ୍ତ୍ରୀପୁଅ, ପାଗରୁ ମୁକୁଟ ବାରି ହୋଇଯିବ, କିଏ କଅଣ ବୋଲି ବୁଝିହେବ । ମନେରଖ, ନିଜ ନାମକ ଜଣକର ଅବୁଝା ପାଗଳପଣ ତୁମର ଧ୍ୟେୟ ନୁହେଁ । ତୁମ ମାଲିକ ହେଉଛି ବିଭିନ୍ନ ବେଶଭୂଷାର ସୁଆଙ୍ଗ ଲୋଡ଼ୁଥ‌ିବା ଜନତା । ବିଭିନ୍ନର ବୋଧଗମ୍ୟତା । ଅତଃ ଗଣତନ୍ତ୍ର ।

 

ଯଥା–ଧ୍ୱନି ବ୍ୟତିରେକେ ଶବ୍ଦର ଦାସ ହୋଇଥିବାରୁ ଗପୁଡ଼ାକୁ ଉଚ୍ଚାରଣ କରିବାକୁ ହେବ, କୁଜନଗୁଂଜନ ଅଥବା ଛବିଛାଇର ଭେଳିକି ଦେଖାଇ ଶବ୍ଦକୁ ଘୋଡ଼େଇଦେଲେ ଚଳିବ ନାହିଁ-। ଉଚ୍ଚାରଣ କଲେ ଯାଇଁ ଅର୍ଥ ମିଳିବ । ଅର୍ଥରୁ କାରଣ-କ୍ରିୟାର ସଂଯୋଗ ଜଣାପଡ଼ିବ-। ପୃଥିବୀ ସଂଯତ ଶୃଙ୍ଖଳିତ ହୋଇ ହାତ ମୁଠାକୁ ଆସିଯିବ । ମନେରଖ, ଯାଜ୍ଞିକ ତୁମର ଯଜମାନ ନୁହେଁ, ତା’ର ଓଁକାରରେ ଅବ୍ୟକ୍ତକୁ ଛୁଇଁବାର ପ୍ରୟାସ, ମାନେ ହନ୍ତସନ୍ତ ଅଛି । ସେଥିରେ କାହାର ପେଟ ପୂରିବ ? ବ୍ୟକ୍ତମଧ୍ୟାନି ଭାରତ । ଏଇ ବ୍ୟକ୍ତିକୁ ଅତିବ୍ୟକ୍ତକର, ପୁରାଣ କୁହ, ପ୍ରାଞ୍ଜଳ ଭାବରେ କହିଯାଅ, ଯେମିତିକି ସନ୍ଦେହର ଅବକାଶ ନ ଥ‌ିବ । ଜନତା ଅବ୍ୟକ୍ତର ଅନାଦି ଅନନ୍ତର ଧାରା ଧାରିବ ନାହିଁ । ମାନିନେବ, ମୁଣ୍ଡ ଟୁଙ୍ଗାରିବ ସେଇ ତୁମର ପ୍ରଭୁ । ଶିଷ୍ୟ ରୂପରେ ତୁମ ମୁହଁକୁ ଅନେଇ ରହିଛି । ସୁଷମ ସୁସ୍ପଷ୍ଟତା । ଅତଃ ଗଣତନ୍ତ୍ର ।

 

ଯଥା–ଯେହେତୁ କଥାଟି ମୁଣ୍ଡରୁ ଗଣ୍ଡି ଯାଏଁ, ତା’ର ସୁଦୃଶ୍ୟ ଦେହ ଅଛି, ଯାହାକୁ ଛୁଇଁ ହେବ, ଚୁମୁଟି ହେବ । ଯେହେତୁ କଥାଟି ମୂଳରୁ ଶେଷଯାଏଁ ଲମ୍ବିଛି, ତା’ର ଗତି ଅଛି, ସେ କ୍ଷଣିକ ଭାବ ଭାବନାର ଆସ୍ଥାନରେ ବସିଯାଇ ଆରାମ କରିପାରିବ ନାହିଁ । ଦେହ ତ ସହଜେ ସ୍ଥୂଳ ବୋଲି କହିଲେ ଯଥେଷ୍ଟ ନୁହେଁ, ସ୍ଥୂଳତାକୁ ଧରି ଧରେଇ ନ ପାରିଲେ ତୁମ ଗରାଖ ଚିଡ଼ି ଉଠିପାରେ, କାଳେ ତା’ ନିଜ ଦେହର ବାସ୍ତବତା ଉପରୁ ବିଶ୍ୱାସ ତୁଟିଯିବ ଏବଂ ଚାଲିବାକୁ ହେବ, ଗତିମାନେ ଗମନ, ବିହରଣ ନୁହେଁ । ଅର୍ଥାତ୍‌ ଭୂଇଁରେ ପାଦରଖି ଆଗେଇବାକୁ ହେବ, ଯେମିତିକି କେଉଁଠୁ କେଉଁଯାଏ କେଉଁବାଟେ ଯାଉଛ ଜାଣିହେବ ଏବଂ ଦୂରତାକୁ ମାପିହେବ । ମନେରଖ, ତୁମ ଗରାଖର ଭିତିରିଆ ଅପୂରଣ ଯାହା ଥାଉ ପଛେ ସେ ତୁମ କୃପାରୁ ଈପ୍‌ସିତ ଆନନ୍ଦ ଅଥବା ଦୁଃଖର ଦିଅଁ ପାଖରେ ପହୁଞ୍ଚିବାକୁ ଚାହେଁ । ସଶରୀରରେ ସ୍ୱର୍ଗ । ଅତଃ ଗଣତନ୍ତ୍ର ।

 

ଗଣତନ୍ତ୍ରର ଏତେଗୁଡ଼ାଏ ଦାୟିତ୍ୱ ନେଇ ଗାଳ୍ପିକ ଯିବ କୁଆଡ଼େ । ତାକୁ ଅଗତ୍ୟା ଗଦ୍ୟମୟ ଶବ୍ଦମୟ ହୋଇ ଚାଲିବାକୁ ପଡ଼ିବ, ଦୟନୀୟ ଅଥଚ ଦୁନିର୍ବାର ଜନତା-ଜଗତ ପାଇଁ ପ୍ରାଣପାତ କରିବାକୁ ପଡ଼ିବ । ସେଇ ତା’ର ସ୍ଵଧର୍ମ । ଯୁଗ ଯୁଗ ଧରି.... ।

 

ଯୁକ୍ତି ଛଳରେ ପ୍ରଥମେ ଦାୟିତ୍ଵକୁ ସ୍ୱୀକାର କରିନିଏ । ଫୁସୁଲେଇବାକୁ ଚେଷ୍ଟାକରିବି ଯେ ସ୍ଵଧର୍ମର ଉପରୋକ୍ତ ଅନୁଶାସନମାନଙ୍କୁ ନ ମାନିଲେ ମଧ୍ୟ ତଥାକଥିତ ଗଣତାନ୍ତ୍ରିକ ଦାୟିତ୍ୱରେ ଆଞ୍ଚ ଲାଗିବ ନାହିଁ । ତା’ପରେ କ୍ଷମା-ମାଗିନେବି ଯେ ଯାହାହେଉ ପଛେ, ସମୟ ବଦଳି ଗଲାଣି, ମୋତେ ମୋର ଦାୟିତ୍ୱରୁ ମୁକ୍ତିଦିଅନ୍ତୁ ।

 

ପ୍ରଥମେ ଗଳ୍ପର ଗଦ୍ୟମୟତା । ସଙ୍ଗୀତହୀନତା । ସଭ୍ୟତାର ଆରମ୍ଭରୁ ଲୋକେ ଗଦ୍ୟରେ କଥାଭାଷା ହେଉଥିଲେ ହେଲେ ଦୈନନ୍ଦିନତାର ବାହାରେ କିଛି ପୁରାଣ କଥା, ଧର୍ମକଥା ଅଥବା ଇତିହାସ କହିବା ପାଇଁ ସ୍ୱର ମେଲେଇ କଥାକୁ ଭାଙ୍ଗି ଭାଙ୍ଗି ପଦ ମିଳେଇ କହିବାକୁ ଚାହୁଁଥିଲେ କାହିଁକି ? କାହିଁକିନା କିଛି ଅଦରକାରୀ ବଡ଼ କଥା କହିବାପାଇଁ ତାକୁ ଶ୍ରୁତିମଧୁର କରିବା ଉଚିତ୍ ମନେକରୁଥିଲେ । ହୁଏତ ଏଇ ମଧୁରପଣରେ କିଞ୍ଚିତ୍‌ ଠକାମି ଅଛି, ପିତା ବଟିକାରେ ଚିନି ବୋଳିଲା ପରି । କିନ୍ତୁ ଭାବି ଦେଖନ୍ତୁ ଯେ ଏଇ ଠକାମି, ବଡ଼କଥା ଶୁଣେଇବା ପାଇଁ ଏଇ ନଇଁଆସିବା ନରମି ଆସିବା ହିଁ ସାହିତ୍ୟର ପ୍ରଥମ ପଦକ୍ଷେପ ଏବଂ ଏହି ବ୍ୟାପକ ଅଥଚ ପ୍ରାଥମିକ ଅର୍ଥରେ ସାହିତ୍ୟମାତ୍ରେ ହିଁ ଗଣତାନ୍ତ୍ରିକ । ଏଣୁ ଗଦ୍ୟ ବାଇବଲ୍ ଏବଂ ପଦ୍ୟ ଗୀତଗୋବିନ୍ଦ ଉଭୟ ସାହିତ୍ୟ ବୋଲି ଗଣା ହୋଇଛି । ଅଥଚ ଶାସ୍ତ୍ରସଂହିତାମାନଙ୍କୁ ଆପଣା ସିଂହାସନରେ ବସିଥାଅ ବୋଲି କୁହାହୋଇଛି । ପୂର୍ବେ କେବଳ ସଙ୍ଗୀତ ହିଁ ଏଇ ଅବରୋହଣର ପନ୍ଥା ଥିଲା, ପରେ ଦେଖାଗଲା ଯେ ଗୀତ ନ ବୋଲିଲେ ମଧ୍ୟ କଥାକୁ ସୁନ୍ଦର କରି ଶୁଣେଇ ହେବ-। ସେଇଠୁଁ ଗଦ୍ୟ ସାହିତ୍ୟ ଆସିଲା, ଏଣେ ପଦ୍ୟ କବିତା ପାଲଟିଗଲା । କ୍ରମଶଃ କବିତାରୁ ଛନ୍ଦପାତର ଆବଶ୍ୟକତା ଉଭେଇଗଲା, କୁହାଗଲା ଯେ ଛନ୍ଦ ବାହ୍ୟିକ ନୁହେଁ, ଅନ୍ତର୍ଗତ-। ଏହି ଦିଗରେ ଗତି କରି କବିତା କେତେଦୂରକୁ ଆସିଗଲାଣି, ସେକଥା ସମସ୍ତେ ଜାଣନ୍ତି, ତା’ର ବ୍ୟାଖ୍ୟା କରି ଲାଭ ନାହିଁ ଲୀଳାୟିତ ଶାଢ଼ି ବଦଳରେ କବିତା ଜିନ୍‌ସ୍‌ ପିନ୍ଧିଲାଣି; କିନ୍ତୁ ତଥାପି ସେଥିରେ ମଧୁରପଣର ବଞ୍ଚନା ନାହିଁ ବୋଲି କହିହେବ କି ? ଏବଂ ଗଦ୍ୟ ସାହିତ୍ୟ କ’ଣ ଏଇ ବଞ୍ଚନାକୁ ଛାଡ଼ିଦେଲାଣି ? ଛାଡ଼ିବ କେମିତି ? ତାହାହେଲେ ବି ସେ ଖାଲି ଦର୍ଶନର କିମ୍ବା ବ୍ୟାବହାରିକ ତେଲଲୁଣର ଗଦ୍ୟ ହୋଇ ରହିବ, ସାହିତ୍ୟ ହେବ କେମିତି ? ବଞ୍ଚନାର ଉପାୟ ଆଉ କିଛି ନୁହେଁ, ଶବ୍ଦ ଯୋଜନାର କୌଶଳ । ଆକାର ପ୍ରକାର ଭେଦରେ କବିତାରେ ଘନୀଭୂତ, ଗଳ୍ପରେ ପ୍ରବାହିତ-। ନିବିଡ଼ ହୋଇଥିବା ଯୋଗୁ ଗୋଟିକର ଶବ୍ଦ ଯୋଜନାରେ ସଙ୍କେତ ରୂପକଳ୍ପ ଆଦି ଖେଳେଇ ହୋଇଯାଏ, ବୌଦ୍ଧିକତା ଓ ଭାବାବେଗ ହାତ ଧରାଧରି ହୋଇ ଚାଲନ୍ତି । ତେଣୁ କିଏ ରାଜସିକ କିଏ ଗଣତାନ୍ତ୍ରିକ ? ମନେପଡ଼ୁଛି ଅଚିନ୍ତ୍ୟ ସେନଗୁପ୍ତଙ୍କ ଗୋଟିଏ ବହି ‘‘କବି ରାମକୃଷ୍ଣ’’-। ଗଳ୍ପ ଉପନ୍ୟାସ ନୁହେଁ, ଅଥଚ ପରମହଂସଙ୍କୁ କବି ବୋଲି ଦର୍ଶାଇବାକୁ ଯାଇଁ ଲେଖକ ଶବ୍ଦ ଯୋଜନାର ଯେଉଁ ଚମତ୍‌କାରିତା ଦେଖେଇଛନ୍ତି, ସେଥିରେ ମନେହେବ ଯେ କବିତାରେ ତା’ର ମାଧୁରୀ ରହନ୍ତା ନାହିଁ, ପାଟି ମିଠାରେ ବାନ୍ଧିହୋଇ ଯାଆନ୍ତା । ଧର୍ମ ଦର୍ଶନର ତଥ୍ୟକୁ ମନ-ଗହନରେ ପହୁଞ୍ଚେଇବା ପାଇଁ ବୋଧହୁଏ ଏହିଭଳି ପଦ୍ୟମୟ ଗଦ୍ୟ ଶ୍ରେୟସ୍କର । ଗଦ୍ୟପଦ୍ୟ ଉଭୟ ବଞ୍ଚକ, ସାହିତ୍ୟ । ତା’ର ଗରାଖ ସଭିଏଁ, ରଜା, ଯୋଗୀ, ଭକ୍ତ, ଭିକାରି, ବଣିଆ ଓ କିରାଣି । ତତ୍ତ୍ୱଭେଦରେ କେଉଁଠି ଭୋଳ ହୋଇଯିବାକୁ ମନ ହୁଏ, କେଉଁଠି ତେଜିଉଠିବାକୁ ଇଚ୍ଛାହୁଏ, ଅବା କେଉଁଠି ଖୋଲା ଆଖିରେ ଚାହିଁ ଚେତିବାର ପ୍ରବଣତା ଆସେ । ଆକାର ପ୍ରକାର ଭେଦରେ ଭିନ୍ନ ଭିନ୍ନ ପୋଷାକ ପିନ୍ଧି ଆସନ୍ତି, ଗୋଟିକରେ ନାରୀଭାବ ଉତୁରି ଆସୁଛି ବୋଲି ମନେହୁଏ, ଅନ୍ୟଟିରେ ପୁରୁଷପଣ; ହେଲେ ଦୁହେଁ ସମ୍ମୋହକ । ଦୁହେଁଯାକ ତୁମ ଆମ ଚେତନାକୁ ଛୁଇଁ ଆଉଁସି ଭିଡ଼ିଆଣିବାକୁ ଚାହାନ୍ତି । ତେଣୁ କାହାକୁ ଗଣତାନ୍ତ୍ରିକ ବୋଲି କହିବ ?

 

ଦ୍ୱିତୀୟରେ ନିଜକୁ ଦୂରେଇରଖିବା କଥା । କୁହାଯାଏ ଯେ ମୁଖ୍ୟତଃ କବିତା ଅନ୍ତର୍ମୁଖା ସବ୍‌ଜେକ୍‌ଟିଭ୍ ଏବଂ କାହାଣୀ ବହିର୍ମୁଖୀ ଅବ୍‌ଜେକ୍‌ଟିଭ୍‌ । ସେକ୍‌ସ୍‌ପିଅରଙ୍କ ନାଟକର ଚରିତ୍ରମାନେ ଏତେ ଜୀବନ୍ତ ବୋଲି ମନେହୁଅନ୍ତି; ହେଲେ ସେଥିରୁ କେଉଁ ଗୋଟିକର ଜୀଅନ୍ତାପଣକୁ ନେଇ ନାଟ୍ୟକାରଙ୍କ ନିଜରୂପ ଏମିତି ହୋଇଥିବ ବୋଲି କେହି ଅନୁମାନ କରିପାରେ ନାହଁ । ହାରିଗଲା ପରି କହିବାକୁ ପଡ଼େ ଯେ ସେ ଥିଲେ ବିଶ୍ୱରୂପା, ୟୁନିର୍ଭସାଲ୍ ମ୍ୟାନ୍-। ଅଥଚ ତାଙ୍କ ସନେଟ୍‌ରେ ଜିରାରୁ ଶିରା କାଢ଼ି ତାଙ୍କ ପ୍ରିୟାପ୍ରୀତି ଗୁଣ ଅବିଗୁଣକୁ ନେଇ କେତେ କ’ଣ ଆଲୋଚନା କରାଯାଇଛି କାହାରି ଅଜଣା ନୁହେଁ । ତାହାହେଲେ କଅଣ ଗାଳ୍ପିକକୁ ସତେ ବିଶ୍ୱରୂପା, ଭଗବାନଙ୍କ ପରି ମର୍ତ୍ତ୍ୟଲୋକର ଲୀଳାଖେଳା ଦେଖାଇବା ପାଇଁ ବଛା ହୋଇଛି ଏବଂ କବିକୁ ଆପଣା ଗୁମର ପଦରେ ପକାଇବା ପାଇଁ ବାଧ୍ୟ କରାହୋଇଛି ? ନା ସେଭଳି ପାତର ଅନ୍ତର କରାଯାଇପାରେ ନାହିଁ । କବି ତା’ର ଦର୍ଶନକୁ ଚାଖଣ୍ଡେ ବୋଲି ଜାଗାରେ ସ୍ୱଳ୍ପ ସମୟର ପରିପ୍ରେକ୍ଷୀରେ ଦେଖାଇବାକୁ ଯାଇ ସଂସାରକୁ ‘‘ଗଢ଼ି’’ପାରେ ନାହିଁ, କାଦୁଆ ମାଟିରେ ଆପଣାର ସ୍ୱାକ୍ଷର ଛାଡ଼ିଯାଏ, ଯେମିତିକି ପାଠକ ଅନ୍ତତଃ ତା’ର ସୁଜନବେଦନା ଓ ଆନ୍ତରିକତାର ସମ୍ମାନ ଦେବ ଏବଂ ତାକୁ ମୁଁ ସତବୋଲି ମଣିବ । କିନ୍ତୁ ଗାଳ୍ପିକ ପ୍ରଶସ୍ତ କାଳ ଓ କ୍ଷେତ୍ରର ସୁବିଧା ପାଇ ଗୋଟାଏ ସଂସାର ଗଢ଼ିବାର ବାହାଦୂରୀ ଦେଖାଏ, ସତେକି ତା’ କାହାଣୀର ସତ୍ୟ ଦର୍ଶନ ପ୍ରକଟ, ପ୍ରମାଣିତ, ସେଥିରେ ଲେଖକ ବିଚରାକୁ ଦୋଷ ଦେବାର ନୁହେଁ । ତେବେ ସେ ପାରେ କି ? ହୁଏତ କେବେ ଚଳିଯାଉଥିଲା । ହିତୋପଦେଶର ସଂସ୍କାର ଛିଡ଼ିଆସିଲା ପରେ ପାଠକ ଦାବି କରୁଛି ଯେ ଯଦି ତୁମର ନୀତିକଥା ଶୁଣେଇବାକୁ ନାହିଁ, ସିଦ୍ଧବାଣୀ ପ୍ରଚାର କରିବାକୁ ନାହିଁ, ତାହାହେଲେ ତୁମ ଗଳ୍ପରେ ଚିନ୍ତାର ଚମକ ଦେଖାଅ, ତେବେ ଯାଇଁ ଜାଣିବୁ ଯେ ଇଏ କେବଳ ଗଳ୍ପ ନୁହେଁ, ସାହିତ୍ୟ-। ତେଣୁ ବିବିଧ ଚରିତ୍ରମାନଙ୍କ ବୈଚିତ୍ର୍ୟ ସତ୍ତ୍ୱେ ଗାଳ୍ପିକ ତା’ର ସ୍ୱାକ୍ଷର ରଖିଯିବାକୁ ବାଧ୍ୟହୁଏ । ଯେ ଏଇ ହେଉଛି ମୋର ସତ୍ୟଦର୍ଶନ, ମୋରି ଚିନ୍ତାରୁ ବାହାରିଛି, ମୋରି ଅନୁଭୂତିରେ ପ୍ରମାଣିତ ହୋଇଛି, ମୁଁ ଲୁଚି ନାହିଁ, ମୋ ଗୋଡ଼ଦି’ଟା ଦିଶୁଛି । ଜନତା କେବଳ ସୁଆଙ୍ଗ ଦେଖିବାକୁ ଚାହେଁ ନାହିଁ, ନାଟୁଆକୁ ଚିହ୍ନିବାକୁ ଚାହେଁ । ଇଏ ମଧ୍ୟ ଜନତାର ସନ୍ତୋଷ କାମନାର ଅନ୍ୟଏକ ରୂପ-। ଆଗେ ଥିଲା ନୀତିଧର୍ମର ସାରକଥା, ଏବେ ହେଲା ବକ୍ତବ୍ୟ । ଗଣତାନ୍ତ୍ରିକ ଚାହିଦା ହେଲା ଯେ ସଂସାରକୁ ନେଇ ତୁମର ବକ୍ତବ୍ୟ କଅଣ ଜଣେଇଦିଅ, ତାହାହେଲେ ଆମକୁ ଶାନ୍ତି ଲାଗିବ-। ଟି.ଏସ୍. ଇଲିଅଟ୍ ଆଧାରଭୂତ ଅଭିବ୍ୟକ୍ତ, ଅବ୍‌ଜେକ୍‌ଟିଭ୍‌ କୋରିଲେଟିଭର ତଥ୍ୟ ପ୍ରତିପାଦନ କରିବାକୁ ଚାହିଁଲେ; କିନ୍ତୁ ନିଜେ ତା’ର ବେଷ୍ଟନୀରେ ବାନ୍ଧିହୋଇ ରହିପାରିଲେ ନାହିଁ, ଆପଣାର ସତ୍ୟଦର୍ଶନକୁ ଲବ୍‌ଧକାମର ପ୍ରଗଲ୍‌ଭ ଆନନ୍ଦରେ ଅଜାଡ଼ି ଦେଲେ । ତେଣୁ ଦେଖନ୍ତୁ ଯେ ଆଜିକାଲି ଗଦ୍ୟ ହେଉ ପଦ୍ୟ ହେଉ ଉଭୟରେ ଲେଖକ ବ୍ୟକ୍ତିର ଆପଣା-ଭୂତ ମାଡ଼ିବସିଲା ପରି ମନେହେଉଛି; ହୁଏତ ଗଣତନ୍ତ୍ର ଭୟଭୀତ ହୋଇପଡ଼ିଲାଣି ଯେ ଗଳ୍ପରେ ବକ୍ତବ୍ୟ ଲୋଡ଼ିବାକୁ ଯାଇ ଗୋଟାଏ ଅବିଚିତ୍ର ସମଦର୍ଶିତାର ଆହାର ଭୁଂଜିବାକୁ ପଡ଼ୁଛି । ପୁଣି ତା’ର ସ୍ଵାଦୁ କେମିତିକା, ମିଠା କି ଖଟା ବୁଝିହେଉ ନାହିଁ । କିନ୍ତୁ କ’ଣ କରାଯିବ ? ଏକମେବ ଲେଖକର ବକ୍ତବ୍ୟ ଯେତେ ଜଟିଳ ହେଲେ ମଧ୍ୟ ଅନେକ ହେବ କେମିତି ? ଏବଂ ସ୍ଵାଦୁ ବୁଝାପଡ଼ୁ ନାହିଁ ବୋଲି କହିଲେ ଲାଭ ନାହିଁ । ଆଧୁନିକତମ ଲେଖକ ଅଧିକତର ନିଷ୍ଠାବାନ୍ ହେବାକୁ ବସିଲାଣି ପରା ! ସେଥିର ବିଚାର ପରେ ।

 

ବର୍ତ୍ତମାନ ଶବ୍‌ଦୋଚ୍ଚାରଣ ସମ୍ପର୍କରେ ଆଲୋଚନା କରାଯାଉ । କେବଲ ଶବ୍‌ଦ, ନିରାଭରଣ ଶବ୍‌ଦ, ନିରୋଲା ଶବ୍‌ଦ କହିଲେ ଯାଇଁ ଅର୍ଥ ବୁଝାପଡ଼ିବ, ଗଳ୍ପର ମତଲବକୁ ହାସଲ କରିବାର ସନ୍ତୋଷ ଆସିବ ବୋଲି କୁହାଯାଏ । ସଙ୍ଗୀତ ଯେମିତି ଅର୍ଥକୁ ବୁଡ଼େଇଦିଏ, ଧ୍ୱନି ସେମିତି ଅର୍ଥକୁ ଲେସିଦିଏ । ସଙ୍ଗୀତରେ ଧ୍ୱନି ଅଛି; କିନ୍ତୁ ଏଠି ଯାହା କଥା ପଡ଼ିଛି ତା’ର ପରିଚୟ ଭିନ୍ନ, ସୁଦୂରପ୍ରସାରୀ । ଧ୍ୱନି ମାନେ ପ୍ରତିଧ୍ୱନି, ଅନୁଧ୍ୱନି, ସଙ୍କେତ, ଛାଇ ଆଲୁଅ । ଶବ୍‌ଦ ଅଡ଼ୁଆ ତଡ଼ୁଆ ଅସ୍ପଷ୍ଟ ମନେହେଉଛି; କିନ୍ତୁ କେଉଁ ଦୂରରୁ କଅଣ ଶୁଭିଯାଉଛି; ହୁଏତ ଅବଚେତନରୁ, ଜାତିଚେତନାର ଅତୀତରୁ, ଆସନ୍ତାର ଆରପାରିରୁ । ଧ୍ୱନି କେବଳ ସ୍ମୃତିକୁ ଓଟାରିଆଣେ ନାହିଁ, ପାଠକକୁ ଭାବସମ୍ପର୍କ (association of ideas)ର ସିଡ଼ିଦେଇ ଠିକଣା ଜାଗାରେ ପହୁଞ୍ଚେଇ ମନଖୁସ୍ କରିଦେଇ ଖଲାସ ହୋଇଯାଏ ନାହିଁ । ଅଧିକାଂଶରେ ଲେଖକର ଧ୍ଵନି ସ୍ମୃତିକୁ କଲବଲ କରେ, ନିଧି ପାଇଲାପରି ମନେହୁଏ; ଅଥଚ ଆନନ୍ଦର ଉତ୍ସକୁ ଧରିହୁଏ ନାହିଁ, ଛଟପଟ ଲାଗେ । ଏଇ ଧ୍ୱନିରେ ଇନ୍ଦ୍ରିୟରୁ ଇନ୍ଦ୍ରିୟାତୀତ ଅନୁଭବ ପାଇଲା ପରି ମନେହୁଏ, ଦେଖିଲା ଶୁଙ୍ଘିଲା ଚାଖିଲା ଶୁଣିଲାର ମାଧ୍ୟମରେ କିଛି ଅଧିକା ପାଇ ମଧ୍ୟ ନ ପାଇଲା ପରି ମନେହୁଏ, ସତେକି ଆଗକୁ ଆହୁରି ଅଛି କପଟୀ ଲେଖକକୁ ପାରିହେଉ ନାହିଁ । ଏଇ ଉନ୍ମେଷ, ଇଭୋକେସନ୍, ଯାହାର ପୂର୍ତ୍ତି ହୋଇପାରେ ନାହଁ, ଏଇ ଅପରୂପ ଆନନ୍ଦବେଦନା କଅଣ ଜନତାର ଯୋଗ୍ୟ ନୁହେଁ ? ଭୋଗ୍ୟ ନୁହେଁ ? ମନେରଖନ୍ତୁ ଏଥିରେ ବୌଦ୍ଧିକତା ବାଢ଼ି ଦିଆହୋଇ ନାହିଁ, ଯେହେତୁ ଅର୍ଥ ସ୍ପଷ୍ଟହେଉ ନାହିଁ, ମୁଣ୍ଡ ଖେଳେଇବାର ତାଡ଼ନା ନାହିଁ । ତେଣୁ ଜନତା ଶଂକିଯିବ ବୋଲି ଦାବି କରି ହେବ ନାହିଁ-। ଏଇ ଧ୍ୱନି ହୁନ୍ଦର ସତେ ଗୋଟାଏ ଅତି-ଅନୁଭବର ଦ୍ୱାର ଖୋଲିଦେଇଛି, ତା’କୁ ନେଇ ବୁଦ୍ଧିବାଦୀ ତା’ ବାଟରେ ଯାଉ, ଜନତାର ଲୋମ ମଧ୍ୟ ଟାଙ୍ଗୁରି ଉଠୁ ଏଇ ମୋର ନିବେଦନ । ଯେଉଁ ଧ୍ୱନି ସୀତାକାନ୍ତ ବାବୁଙ୍କ ଭଙ୍ଗା ମନ୍ଦିରରେ ଝଂକୃତ ହୁଏ, ଅନ୍ଧ ଦେବତାଙ୍କ ପରି ନିଜ ଖିଆଲ୍‌ରେ ଦୁଇଚାରି ବାଦୁଡ଼ି ଉଡ଼ିଯାଆନ୍ତି, ଅନ୍ଧାର ଅଭ୍ୟନ୍ତରରୁ ଉଦାସୀନ ଆକାଶର ଦାଢ଼େ; ଅଥବା ରମାକାନ୍ତବାବୁଙ୍କ ଶ୍ରୀରାଧା ଦେଖନ୍ତି ଯେ ସମସ୍ତେ ବାହୁଡ଼ିଯିବା ଉତ୍ତାରେ ତାଙ୍କ ପ୍ରେମିକ ଏକୁଟିଆ ଅନ୍ଧାରରେ ଠିଆହୋଇଛି, କାହାର ଅଚିହ୍ନା ଲାସ୍ ଧୂଆଧୋଇ କରି ପୁନଶ୍ଚ ଦରୋଟି କଥା କହିବାକୁ ସାକୁଲଉଛି ତା’ର ଅବୋଧ୍ୟ ବିଷାଦ ଯାହା ପାଇଁ ଉଦ୍ଦିଷ୍ଟ, କିଶୋରୀବାବୁଙ୍କ ଗପରେ ଧଳାମେଘ ତଳେ ଉଡ଼ି ବୁଲୁଥିବା ଧଳା ଚଢ଼େଇର ଦୈନ କ’ଣ ତା’ରି ପାଇଁ ଉଦ୍ଦିଷ୍ଟ ନୁହେଁ ? କିଏ କାହିଁକି କେଉଁଥିରୁ ବାଦ୍ ପଡ଼ିବ ? ଆଧୁନିକ କଥା-ସାହିତ୍ୟରେ ଗୋପୀବାବୁଙ୍କ ଲେଖା ଯେ ମନବୋଧ କରି ପଢ଼ିଛି ସେ ସହଜେ ବୁଝିପାରିବ ଯେ ଧ୍ୱନିର ମାହାତ୍ମ୍ୟ କଅଣ, କେମିତି ଶବ୍‌ଦକୁ ଅନୁଭବର ଦାସ କଲେ ଯାଇଁ ଅବ୍ୟକ୍ତର ମାଧୁରୀ ମିଳେ । ଷଠିଦୁଶୀ ହସେଇଲା କନ୍ଦେଇଲା ପର ଏଇ ଅକାରଣ ଏଣୁ ଅନିର୍ବାଚନୀୟ ମାଧୁରୀକୁ କେଉଁ ଗଣତନ୍ତ୍ର ମନା କରିଛି ? ନା, ମନା କରିପାରେ-?

 

ଶେଷକୁ ସ୍ଥୂଳ ଗମନୀୟତା । କଥାଟିଏ କହିବାକୁ ହେଲେ ଗମନ ଅନିବାର୍ଯ୍ୟ । ବିସ୍ତାର ଅଛି ଯେତେବେଳେ, ପ୍ରବାହ ଥିବା ଉଚିତ୍‌ । ବିଂଦୁରେ ସ୍ପର୍ଶ ଅଛି, ହୁଏତ ସଂଘାତ । କିନ୍ତୁ ଜମିଯାଇଥିବା ଜଳରାଶିକୁ ଆବୁରି ହେବ ନାହିଁ, ପଣ୍ଡ ପରିଶ୍ରମରେ ହାଲିଆ ହୋଇଯିବା ଛଡ଼ା ଚେତନାକୁ ସୁଖ ମିଳିବ ବୋଲି ଭାବି ହେଉ ନାହିଁ । କହିପାର ଯେ ଦ୍ୟୁତିଠାରୁ ଧୃତି ଊଣା ନୁହେଁ । ଧୈର୍ଯ୍ୟ ଧର, ପଢ଼ିଯାଅ, ପଛରୁ ପଢ଼ିଲେ ଯାହା, ଆଗରୁ ପଢ଼ିଲେ ସେଇଆ, ସ୍ଥିତିର ସ୍ଥାପତ୍ୟ ଦେଖିବାକୁ ମିଳିବ । ସେଇ ତ ବଞ୍ଚିବାର ବାସ୍ତବତା । ଆଧୁନିକତମ କେତେକ ଗଳ୍ପସାହିତ୍ୟରେ ଏଭଳି ସାହିତ୍ୟର ମୁକାବିଲା କରିବାକୁ ପଡ଼ୁଛି । ସ୍ଥିତିବାଦର ଦର୍ଶନ ସାଙ୍ଗରେ ମୋର ବିବାଦ ନାହିଁ ଏବଂ ମୁଁ ଯଥେଷ୍ଟ ଧୈର୍ଯ୍ୟ ଧରିବାକୁ ପ୍ରସ୍ତୁତ । କିନ୍ତୁ ଧୈର୍ଯ୍ୟ ଶେଷକୁ ଗୋଟାଏ ସୀମା ଅଥବା ସୀମାନ୍ତର ଝଲକ ମିଳିବ ତ ? ଜୀବନ ଶେଷକୁ ଗୋଟାଏ ମରଣ ଦିଶିବ ତ ? ତାହାହେଲେ ସିନା ସ୍ପର୍ଶ-ସଂଘାତର ଏକ ବିଶିଷ୍ଟ ଅନୁଭବ ମିଳିଲା ପରି ମନେକରିବି, କବିତାରୁ ଭିନ୍ନ ହେଲେ ମଧ୍ୟ ଏଥିରେ ବି’ ଚେତନା ଚଞ୍ଚଳେଇ ଉଠୁଛି, ଏଇ ତ ସାହିତ୍ୟର ଦେୟ ବୋଲି ଭାବିବି ? ନା, ମୁଁ ମୋର ବନ୍ଧୁଙ୍କ ସହିତ ଏକମତ ଯେ ଗଳ୍ପରେ ପ୍ରବାହ ନ ଥିଲେ ପେଟ ପୂରିବ ନାହିଁ ଏବଂ ଏହା ମଧ୍ୟ ସ୍ୱୀକାର କରୁଛି ସେ ପ୍ରବାହ ଆଖିଦୁରୁଶିଆ ନ ହେଲେ ହାଉଆ ପରି ମନେ ହେବ । ତେଣୁ ତା’କୁ ମାଟିରେ ଲେପ୍‌ଟେଇ ବହିଯିବାକୁ ହେବ । କିନ୍ତୁ ମନେରଖନ୍ତୁ ଯେ କବିତାରୂପୀ ବିନ୍ଦୁକୁ ମଧ୍ୟ ମାଟି ଛୁଇଁବାକୁ ପଡ଼ିବ, ଅନ୍ତତଃ ଧୂଳିର ଆକାଶ ବାଟେ ଆସିବାକୁ ପଡ଼ିବ, ନ ହେଲେ ତାକୁ ଠଉରେଇ ହେବନାହିଁ । ଏହି ଦୃଷ୍ଟିରୁ ବିଚାର କରି ଦେଖନ୍ତୁ, ଆଜିକାଲିର କବିତା କେତେ ଆଖିଦୁରୁଶିଆ ହେବାକୁ ବସିଲାଣି, ଯେମିତିକି ଜ୍ୟୋତ୍ସ୍ନାପରି ଦେଶର ନୁହେଁ, ଆମ ଦେଶର, ଆମ ଲଣ୍ଠନ, ମସିଣା, ସେକ୍‌ସ ଓ ରାଜନୀତିର ଅତିଥି ବୋଲି ମନେହେବ । ତେଣୁ ବିନ୍ଦୁ ହେଉ, ପ୍ରବାହ ହେଉ ଏକ ନ୍ୟୁନତମ ସ୍ଥୂଳତାର ସତ୍ତା ଧାରଣ କରିବାକୁ ହେବ । ଦେହୀ ଦେହ ବିନା ଚଳିପାରିବ ନାହିଁ । କିନ୍ତୁ ମାଟି ଛଡ଼ା ଆକାଶ ମଧ୍ୟ ଆମ ଚେତନାର ମାଲିକ । ବହି ଯାଉଥିବା ପାଣି ମଧ୍ୟ ଥାଇ ଥାଇ ଉଛୁଳି ଉଠିବାକୁ ଚାହେଁ, ଊର୍ଦ୍ଧ୍ୱକୁ ବିନ୍ଦୁ, ଉଡ଼େଇ ଆକାଶର ଜୋଛନାକୁ ଚିହ୍ନିବାକୁ ମନ କରେ, ଏପରିକି ଇନ୍ଦ୍ରଧନୁର ରଙ୍ଗ ଆଙ୍କିବାର ଆସ୍ଫାଳନ କରେ । ଏଇ ହେଉଛି ପ୍ରାଣବନ୍ତ ପ୍ରବାହର ପ୍ରବଣତା । ତା’କୁ ଦୋଷ ଦେଇ ହେବ କି ? କଳ୍ପନା, ବାସ୍ତବ,–ସବୁ ସେଇ ଚେତନାର ସତ ଅଥବା ଭ୍ରମ । ନୈସର୍ଗିକା କେଉଁଟି ଗଣତନ୍ତ୍ର, କେଉଁଟି ସ୍ଵତନ୍ତ୍ର ? ଆକାରପ୍ରକାର ଭେଦରେ ସୂକ୍ଷ୍ମ କଳ୍ପନା ଗଦ୍ୟରେ ଊଣା ପଦ୍ୟରେ ଅଧିକ, ସ୍ଥୂଳବାସ୍ତବ ଗଦ୍ୟରେ ପ୍ରକାଶ ପଦ୍ୟରେ ପ୍ରଚ୍ଛନ୍ନ ମନେହୁଏ ସିନା । ବାକି ରହିଲା କଥାର ଶେଷ ଧାଡ଼ି, ପରିଣତି । ମୋର ନିବେଦନ ଯେ ପ୍ରବାହ ଥିଲେ ପରିଣତିର ସୀମା ଅଥବା ସମ୍ଭାବନା ଅବଶ୍ୟ ଦିଶିଯିବ, ନ ଥିଲେ ଅପରିସୀମ ବରଫଖଣ୍ଡର କ୍ଳେଶ ଭୋଗିବାକୁ ପଡ଼ିବ । ଲେଖକର ରଚନା ଶୈଳୀ ଉପରେ ନିର୍ଭର କରେ ସେ ପ୍ରବାହ ଓ ପରିଣତିର ଆନନ୍ଦ ଦେଇପାରିଛି କି ନାହିଁ; ତେବେ ପରିଣତି ସର୍ବକ୍ଷେତ୍ରରେ ମୁଣ୍ଡି ମାରିବାର, ପୂର୍ଣ୍ଣତା ଆଣିବାର ଚେଷ୍ଟା କରିବ କାହିଁକି ? ଆବିଷ୍କାରର ଆଭାସ, ଝଲକ ଦେଖେଇଲେ କ’ଣ ଯଥେଷ୍ଟ ନୁହେଁ ? ବିଷ୍ଣୁ ଶର୍ମାଙ୍କଠାରୁ ଆରମ୍ଭ କରି ଏଡ଼୍‌ଗାର୍ ଆଲାନ୍ ପୋ’ଙ୍କ ଯାଏଁ ଯେଉଁ ପ୍ରଥା ଚଳି ଆସୁଥିଲା ତାହା କ’ଣ ଆଜି ଯାଏଁ ଅଛି ? ତର୍କରେ ଭୁଆଁ ବୁଲେଇବା ମୋର ଉଦ୍ଦେଶ୍ୟ ନୁହେଁ; ହେଲେ ବେଳେବେଳେ ଅପୂରଣ ‘ଉପଲବ୍‌ଧି’ ପୂର୍ଣ୍ଣତାକୁ ବାଟ କଢ଼େଇ ଦେଲା ପରି ମନେହୁଏ ନାହିଁ କି ? ଏଇ ତଥ୍ୟଟି ସାଧାରଣ ପାଠକର ଯୋଗ୍ୟ ହୋଇନଥିଲେ ପୋ’ଙ୍କଠାରୁ ସମର୍ ସେଟ୍ ମମ୍, ହେନେରୀ ପ୍ରଭୃତିଙ୍କ ଶ୍ଲେଷ ଚାତୁରୀ, ତହୁଁ ଶେକଭ୍‌ଙ୍କର ଶେଷ ବେଦନା, ତହୁଁ ଆଧୁନିକ ଶ୍ଳେଷ ହତାଶା ଉତ୍ତରୋତ୍ତର ଲୋକପ୍ରିୟ ହୋଇପାରି ନ ଥାଆନ୍ତା । ନା, ଗଣତନ୍ତ୍ରକୁ ଏଇ ଅଧାପଂତରିଆ ଖଟାମିଠାର ସ୍ଵାଦରୁ ବଞ୍ଚିତ କରନ୍ତୁ ନାହିଁ । ତା’ର ଦିଅଁଙ୍କୁ ମଧ୍ୟ ଆଗେଇବାକୁ ଦିଅନ୍ତୁ, ଖଟୁଲିରେ ବସେଇ ରଖନ୍ତୁ ନାହିଁ ।

 

ଏତେବେଳଯାଏ ଯାହା କହିଗଲି ତା’ର ସାରାଂଶ ହେଲା ଯେ, ଗଣତାନ୍ତ୍ରିକ ହେବା ସାହିତ୍ୟର ଜନ୍ମଗତ ଦୋଷ, ନଇଁବା ନରମିବା ଦ୍ୱାରା ହିଁ ସେ ଜନମାନବର ମନକୁ ହରି ନେଇପାରେ, She stoops conquer; କିନ୍ତୁ ଗଣତାନ୍ତ୍ରିକତାର ଭାଗମାପରେ ଗଦ୍ୟସାହିତ୍ୟ ବଳି ପଡ଼ିଛି ଏବଂ ଏପରି ହେବା ଉଚିତ, ଏଭଳି ଦାବି କରିବା ଭୁଲ୍ ବୋଲି ମୋର ମତ । ସଙ୍ଗୀତହୀନତା, ପରାର୍ଥବାଦ, ଶବ୍ଦୋଚ୍ଚାରଣ, ସ୍ଥୂଳ ଗମନୀୟତା ଅବା ଅନ୍ୟ କେଉଁ ଗୋଟିଏ ଲକ୍ଷଣକୁ ନେଇ ଗଦ୍ୟ ସାହିତ୍ୟର ସଂଜ୍ଞା ନିରୂପଣ କରିବା ନିରର୍ଥକ । ଇତିହାସ ସେଥିର ସମର୍ଥକ ନୁହେଁ; ଏବଂ ଆଧୁନିକତା ତା’ର ପାଖ ମାଡ଼ି ନାହିଁ କହିଲେ ଚଳେ ।

 

ବର୍ତ୍ତମାନ କହିବାକୁ ଯାଉଛି ଯେ ଯାହା ହେଉ ପଛେ ମୋତେ ଏଥର ଛୁଟି ଦିଅନ୍ତୁ । କାରଣ ଦୁଃଖର ବିଷୟ ଯେ ଅତି-ଆଧୁନିକତାର କ୍ରମରେ ବେଶ୍ ଛୋଟିଆ ହୋଇ ଆସିଥିବା ପୃଥିବୀରେ ଯୋଡ଼ିଏ ଭିନ୍ନ ସୁଦୃଶ୍ୟ ଧାରା ବହିବାକୁ ଲାଗିଲାଣି; ସେଥିରୁ କେବଳ ଗୋଟିଏ ମୋର ବୋଲି ମୁଁ ବାଛି ନେଇଛି । ସିନେମା, ରେଡ଼ିଓ, ଟେଲିଭିଜନ, ବିଜ୍ଞାପନ, କମିକ୍ ତଥା ରବିବାରିଆ ପତ୍ରପତ୍ରିକାର ଜରିଆରେ ଏକପ୍ରକାର ଉଗ୍ର ଗଣତାନ୍ତ୍ରିକ ସାହିତ୍ୟ ସୃଷ୍ଟି ହେଉଛି, ଯାହାର ସନ୍ଦେହ ହେଲା ଏଇ ଯେ ବୌଦ୍ଧିକତା ମାନେ ଜୀବନକୁ ତଳେଇ କରି ଦେଖିବାର କ୍ଲେଶ ପରିହାର କର, ସେଥିରେ ଦରଦାମ କମିବ ନାହିଁ କି ବଞ୍ଚିବାର ଭାଉ ବଢ଼ିବ ନାହିଁ; ବରଂ ଏଇ ସହଜ ପାଠ ପଢ଼, ଖୁସିଟାଏ ହୁଅ, କାନ୍ଦି ପକାଅ, ଅବା ଆଖି ଫାଡ଼ି ଦିଲ୍ଲୀକା ସହର୍ ଦେଖୋ, ଅଭିନବର ଚମକରେ ଉଲ୍ଲସି ଉଠ । ଯେତେହେଲେ ତୁମେ ହେଉଛ ରକ୍ତମାଂସର ପ୍ରାଣୀ, ନୀରସ ନିରକ୍ତିଆ ଦୈନନ୍ଦିନତାକୁ କାଟିବାକୁ ହେଲେ ତୁମର ଦରକାର ଚାଞ୍ଚଲ୍ୟ, ସେନ୍‌ସେସନ । ଗଣ-ଉତ୍ପାଦନ ପରି ଏଇ ଗଣସଞ୍ଚାର ଆମ ବିଶ୍ୱକୁଟୁମ୍ବୀ ସଭ୍ୟତାର ଦାନ । ସେଥିରେ ଗୁଣର ଗାରିମା ଖୋଜୁଛ କାହିଁକି-? ନା, ଖୋଜୁ ନାହିଁ । ମୁଁ ମଧ୍ୟ କମିକ୍ ପଢ଼େ, ଶସ୍ତା ସିନେମା ଦେଖେ, ମୁଣ୍ଡ ଖେଳେଇଲା ପରେ ତନ୍ତୁଗୁଡ଼ିକୁ ସଜାଡ଼ି ଦେବା ପାଇଁ ଏଗୁଡ଼ିକ ବିଶେଷ ପ୍ରୟୋଗ ବୋଲି ମନେକରେ । କିନ୍ତୁ ପ୍ରଧାନତଃ ମୁଁ ଏବଂ ମୋ ପରି ଆଉ କେତେ ଲୋକ ଅଛନ୍ତି ଯେଉଁମାନେ ଅଯଥାରେ ଜୀବନକୁ ନେଇ ମୁଣ୍ଡ ଖେଳେଇବାକୁ ଭଲପାଆନ୍ତି, ଗ୍ରୀକ୍ ମନୀଷୀଙ୍କ ଭାଷାରେ ବିଶ୍ଵାସ କରନ୍ତି ଯେ ଜୀବନକୁ ପରୀକ୍ଷା ନ କରି ପାରିଲେ ବଞ୍ଚିବାରେ ଲାଭ ନାହିଁ । A life not examined is not worth living । ତଥାକଥିତ ଗଣତାନ୍ତ୍ରିକତାର ଦାଉ ସମ୍ଭାଳି ନପାରି ଏମାନେ ଧୀରେ ଧୀରେ ଏକଘରକିଆ ହୋଇଗଲେଣି । ଅବଶ୍ୟ ବୌଦ୍ଧିକତାର ଆଳରେ ଥୋକେ ଆପଣା ଭିତରେ ଗୋଟିଏ ଗୋଟିଏ ଉଚ୍ଚମନ୍ୟ ସୌଖୀନ ଓ କୃତ୍ରିମ ଗୋଷ୍ଠୀ ତିଆରି କରି ନିଅନ୍ତି । କିନ୍ତୁ ଗୋଷ୍ଠୀ ବାହାରେ ତଥାପି କେତେକ ଲେଖକ ପାଠକ ଅଛନ୍ତି ଯେଉଁମାନେ ନିରୋଳା ଚିନ୍ତାର ସାହିତ୍ୟକୁ ମୁଠେଇ ଧରିଛନ୍ତି । ଏଇ ସାହିତ୍ୟ କ୍ରମଶଃ ଗୁହାରେ ନିହିତ ହେଲା ପରି ମନେହେଉଛି-। ତେଣୁ ୟାକୁ ସଚ୍ଚା ସାହିତ୍ୟ କୁହ ବା ନ କୁହ ଗଣତାନ୍ତ୍ରିକ ବୋଲି କଦାପି କହି ହେବ ନାହିଁ । ସାମୂହିକ କଳାର ପରିପ୍ରେକ୍ଷୀରେ ଦେଖିବାକୁ ଗଲେ ଚିତ୍ରକଳା ପ୍ରଥମେ ଦୂରେଇଗଲା । ସାହିତ୍ୟର ପାଳି ଆସିବାରୁ କବିତାକୁ ପ୍ରଥମେ ସୁବିଧା ମିଳିଲା, ସେଇଠୁଁ ନାଟକ ଓ ଗଳ୍ପ । କିଏ ଆଗେ ଉଠିଗଲା କିଏ ପଛରେ ପଡ଼ିଲା, ତା’ର ବିଚାର ନିରର୍ଥକ । ମୋଟକଥା ହେଲା ଯେ ଆଧୁନିକତମ ଗଦ୍ୟସାହିତ୍ୟ (ମାନେ ଉପରୋକ୍ତ ସ୍ୱଳ୍ପପ୍ରସାରୀ ସାହିତ୍ୟ) ଗଣତାନ୍ତ୍ରିକ ଭୋଜିରୁ ଉଠିଗଲାଣି-। ଏହାଛଡ଼ା ଉପାୟ ନଥିଲା । ଏଥିପାଇଁ ଆଧୁନିକ ଯୁଗର ଗଣସଞ୍ଚାର ସଭ୍ୟତା ବିଶେଷ ଭାବରେ ଦାୟୀ । କିନ୍ତୁ ତା’ଛଡ଼ା ବୌଦ୍ଧିକତା ଆପଣ ବଳରେ, ନିବର୍ତ୍ତନର ସ୍ୱୟଂଚାଳିତ ଶକ୍ତି ସହକାରେ କାହିଁ କେଉଁ ମଥାନରେ ବସିଲାଣି, ଏଥିରେ ବିଚିତ୍ର କଅଣ ? ଅଗ୍ରଗତିରେ କଅଣ ଅପହୁଞ୍ଚର ଭୟ ନଥିଲା ?

 

ଏଇ ଅଗ୍ରଗତି ଗଦ୍ୟସାହିତ୍ୟକୁ କେଉଁ ବାଟରେ ନେଇ ଏଠିକି ଆସି ପହୁଞ୍ଚେଇଛି ତା’ର ବିଚାର କରାଯାଉ । ଗଳ୍ପ ଉପନ୍ୟାସ, ବିଶେଷତଃ କ୍ଷୁଦ୍ରଗଳ୍ପର ଉତ୍ତରଣରେ ଆଇରନିର ଭୂମିକା ଅନସ୍ୱୀକାର୍ଯ୍ୟ । ଆମ ଭାଷାରେ ଆଇରନିର ସାମୁଚିତ ଅନୁବାଦ କରାଯାଇ ପାରିବ ନାହିଁ; ତେବେ ମୋଟାମୋଟି ଶ୍ଳେଷ ବୋଲି କହିଲେ ଚଳିବ । ମାନେ ଗପର ଶେଷକୁ ସାମାନ୍ୟତମ ଆଖିଠରା । ତା’ ସାଙ୍ଗକୁ ଆମୋଦର ମୁରୁକିହସା ଥାଉ ବା ନଥାଉ ! ଯେମିତିକି ପାଠକ’ ବୁଝିବ ଯେ ଉପସଂହାରକୁ ଆକ୍ଷରିକ ଅର୍ଥରେ ଗ୍ରହଣ କରିବା ବୁଦ୍ଧିମାନର କାର୍ଯ୍ୟ ନୁହେଁ । ସେଥିରେ ଅକୁହାର ଇଙ୍ଗିତ ରହିଛି, ଯଥା ପୁନର୍ମିଳନରେ ପୁନର୍ଦୁଃଖ, ପାଇବାରେ ହରେଇ ବସିବା, ଆବେଶରେ ବିବଶତା, ଇତ୍ୟାଦି । ଏଇ ବିପରୀତ ବୋଧରେ ମାନବଚରିତ୍ରର ବୈଚିତ୍ର୍ୟ ଫୁଟି ଉଠିବ ବୋଲି ଲେଖକ ମନେକରେ । ନିତାନ୍ତ ଅରସିକ ପାଠକ ନ ହୋଇଥିଲେ ସେ ଆଖିଠରାକୁ ଦେଖିପାରେ । ଭାବେ ମୁଁ ବୁଝିଲି, ଇଙ୍ଗିତ ପଛରେ କଅଣ ଅଛି ଜାଣିପାରିଲି । କିନ୍ତୁ ସେ କ’ଣ ସତରେ ସବୁବେଳେ ଜାଣିପାରେ ? ମୋର ନାନାଦି ଗପକୁ ନେଇ ପାଠକ ସମାଲୋଚକମାନେ ବେଳେବେଳେ ଯାହା କହିଥାଆନ୍ତି, ସେଥିରୁ ମୋର ମନେହୁଏ ଯେ ମୁଁ ବାହାବା ପାଇଲି ସିନା, ତା’ର କାରଣ ଭୁଲ୍‌ । ପହିଲେ ପହିଲୁ ଦୁଃଖ କରୁଥିଲି, ତା’ପରେ ଭାବିଲି ଯେ ଶ୍ଳେଷପ୍ରଧାନ ସାହିତ୍ୟ ଦେଖିଲେ ଏମିତି ହିନସ୍ତା ହେବାର ଯୋଗ ଅଛି । ଫାଉଲର୍‌ଙ୍କ ଅଭିଧାନରେ କୁହାଯାଇଛି ଯେ ଶ୍ଳେଷ ଗୋଟାଏ ଧରଣରେ ଉକ୍ତି, ଯେଉଁଥିପାଇଁ ଦ୍ୱିବିଧା ଶ୍ରୋତାପକ୍ଷର ବ୍ୟବସ୍ଥା ଅଛି । ଗୋଟିଏ ପକ୍ଷ ଶୁଣେ; କିନ୍ତୁ ତା’ର ବୁଝିବା କଥା ନୁହେଁ । ଅପରପକ୍ଷ ଅଶୁଣା କଥାକୁ ବୁଝିପାରେ ଏବଂ ‘ବାହାର ଲୋକ’ ଭୁଲ ବୁଝୁଥିବ ବୋଲି ମନେକରେ; କିନ୍ତୁ ଏଇ ଅପରପକ୍ଷକୁ ମଧ୍ୟ ବିଶ୍ୱାସ ନାହିଁ । କାରଣ ଷାଳଅଣା ଶ୍ଳେଷରେ କାହାର ସାହସ ଅଛି ମୋ ନିଜ ମତଟିକୁ ବୁଝିନେବ ? ବଶିଷ୍ଟ ସମାଲୋଚକ ଜୋନାଥନ୍ ରାବାନ୍‌ଙ୍କ ଭାଷାରେ ସଂପୂର୍ଣ୍ଣ ଶେଷରେ ଲେଖକ ତା’ର ନିଜ ମତକୁ ପଦାରେ ପଡ଼ିବାକୁ ଦିଏ ନାହିଁ, ଯଦିଓ ଆମେ ତା’ର ଅଭିସନ୍ଧିକୁ ଜାଣିପାରୁ । ଦେଖିବାକୁ ଗଲେ ଶ୍ଳେଷକାର ସ୍ଵଭାବତଃ ଦୋଦୋ ପାଞ୍ଚିଆ, ଦୋମୁଣ୍ଡିଆ, ତାକୁ ହିଁ ବିଶ୍ୱାସ ନାହିଁ ! ଏଇଠି ପଚାରିବାକୁ ମନ ହୁଏ–ଖାଲି କ’ଣ ସେତିକି ? ଶ୍ଳେଷକାର କଅଣ ତା’ର ନିଜ ମତଟିକୁ କଅଣ ବୋଲି ଜାଣିଛି-? ନା ନିଜ ମୂଢ଼ତା ପ୍ରକାଶ ପାଇବ ନାହିଁ ବୋଲି ଏମିତିକା ଫନ୍ଦିଫିକର କରୁଛି, ଶ୍ଳେଷତ୍ୱର ଡିଣ୍ଡିମ ବଜାଉଛି ? ଆହୋ, କି ଧୃଷ୍ଟତା ! ସ୍ରଷ୍ଟାକୁ ଏଭଳି ପ୍ରଶ୍ନ ପଚାରିବା ପାଇଁ କି ଅଧିକାର ଅଛି ତୁମର-? କିନ୍ତୁ ପ୍ରଶ୍ନ ପଚରାଗଲାଣି ଉତ୍ତର ଦେବାକୁ ପଡ଼ିବ । ତେଣୁ ଲଜ୍ଜାଜନକ ଉତ୍ତର ଦେବାକୁ ପଡ଼ୁଛି ଯେ ମାନବଚରିତ୍ରର ବୈଚିତ୍ର୍ୟ ଦେଖି ଦେଖି ବୌଦ୍ଧିକତାର ସିଡ଼ିରେ ଉଠି ଉଠି ଗାଳ୍ପିକ ଏପରି ଏକ ଅବସ୍ଥାରେ ପହଞ୍ଚିଲାଣି ଯାହାର ସାନ କଥା ହେଲା, ନା, ମୁଁ ଜାଣି ନାହିଁ ଓ ହେନ୍‌ରୀ, ମୋପାଁସା, ସମର୍‌ସେଟ୍‌, ମମ୍ ଇତ୍ୟାଦିଙ୍କ ଆଖିଠରା ଲେଖକର ମତକୁ ଧରିପକେଇ ଦେଉଥିଲା । ଯେ ସେ ମୋଟାମୋଟି ଦେଖେଇ ଦେଉଛି ଯେ ଆମ ଜାଗତିକ ବାସ୍ତବ ଜୀବନରେ ନୀତି, ଆଦର୍ଶ, ସ୍ନେହ, ପ୍ରେମ ଆଦି “ଭଲ’’ରେ ନୈସର୍ଗିକ ମନ୍ଦ ନିହିତ ଅଛି; ମନ୍ଦ ମଧ୍ୟ ସତ । ଅତଏବ ଭଲମନ୍ଦର ବିଚାର ଅବାନ୍ତର । ମୁଁ ନିଜେ ସ୍ଵୀକାର କରୁଛି ଯେ ଅନେକଦିନ ଯାବତ୍ ମୁଁ ମଧ୍ୟ ମୋର ଶ୍ଳେଷରେ ଆବିଷ୍କାରର ଏଇଭଳି ଚମକ-ମାନେ ଚମକର ଆଭାସ ଦେଇପାରି ନିଜକୁ ଧନ୍ୟ ମନେ କରୁଥିଲି-। ସୂକ୍ଷ୍ମବୁଦ୍ଧି ପାଠକ ପକ୍ଷରେ ମୋର ସତ୍ୟାନାଶିଆ ମତ ଠଉରେଇବାରେ ବୋଧହୁଏ ବିଶେଷ କଷ୍ଟ ହେଉ ନ ଥିବ ବୋଲି ମୋର ଧାରଣା । କିନ୍ତୁ ଆଜି କହିବାକୁ ପଡ଼ୁଛି ଯେ ପ୍ରକୃତ ପକ୍ଷେ ମୁଁ ମୂଢ଼-। ଦୁଃଖ କରୁ ନାହିଁ । ବିଶ୍ଵସାହିତ୍ୟରେ ଆଖି ବୁଲେଇ ଦେଖୁଛି ଯେ ମୁଁ ଏକୁଟିଆ ନୁହେଁ-। ଆଧୁନିକତମ ଗାଳ୍ପିକର ଦଶା ଏଇଆ, ଯେ ସେ ତା’ର “ବାସ୍ତବକୁ” ଭୁଲି ପାରୁନାହିଁ-। ଶ୍ଳେଷ ଦ୍ୱାରା ସନ୍ଦେହ ଜନ୍ମେଇଲେ କ’ଣ ହେବ, ସେଣିକି କୁଣ୍ଢ ପାଉ ନାହିଁ । ସାଲିଂଜର୍, ସଲ୍‌ବେଲୋ, ଆଇଜାକ୍ ବସିଭିସ୍, ସିଂଗର୍‌ ଇତ୍ୟାଦି ଆଜିର ବିଶିଷ୍ଟ ଗାଳ୍ପିକମାନଙ୍କର ଲେଖା ପଢ଼ିଲେ ଏଇ ସିଦ୍ଧାନ୍ତରେ ଆସିବାକୁ ପଡ଼ୁଛି । ଏଇ ହେଉଛି ଦୁର୍ଦ୍ଦମନୀୟ ବୌଦ୍ଧିକତାର ଇତିକଥା ବିଫଳତା ।

 

ବିଫଳତା ? ମଣିଷର ମନକୁ ସମାଜର ନୀତିକୁ ସଭ୍ୟତାର ସାଜକୁ ପରସ୍ତ ପରସ୍ତ କରି ଛଡ଼େଇ ଦେଖି ପାରିବାର ସଫଳତାକୁ ବିଫଳତା ବୋଲି କହୁଛ କେମିତି ? କହୁଛି କାହିଁକିନା ଦୁଇରେ ଦୁଇ ମିଶେଇଲେ ଚାରି ହେଉ ନାହିଁ ତ ! ମୋର ଗୋଟିଏ ପୂର୍ବରଚନା (ସମସାମୟିକ ଓଡ଼ିଆ ସାହିତ୍ୟ ଏକ ଦୃଷ୍ଟିକୋଣ ଇସ୍ତାହାର ଏପ୍ରିଲ୍–ଜୁନ୍ ୧୯୮୬)ରେ କହିଥିଲି ଯେ ଆଧୁନିକ ସାହିତ୍ୟ ଚେତନାର ଅନ୍ୟତମ ଲକ୍ଷଣ ହେଲା ପ୍ରାକ୍‌ସିଦ୍ଧ ସତ୍ୟମାନଙ୍କରୁ ଓହରିଯାଇ ବାସ୍ତବକୁ ଖୋଜିବା ଓ ଦର୍ଶାଇବା । ଏଥିରେ ଗଦ୍ୟସାହିତ୍ୟର ବିଶେଷ ଭୂମିକା ରହିଛି । ଯେହେତୁ ପୃଥିବୀର ଅଗଣିତ ମାଟି ଗୋଡ଼ି ବନାମ ମଣିମୁକ୍ତାମାନଙ୍କୁ ଖେଳେଇ ଦେଖେଇବାକୁ ହେଲେ ଯଥେଷ୍ଟ ଜାଗା ଦରକାର ଏବଂ ଯଥେଷ୍ଟ ଶବ୍ଦ । କହିବାକୁ ଗଲେ ଆଧୁନିକ ଗଦ୍ୟ ସାହିତ୍ୟରେ ପୂର୍ବକଥିତ ବିଭିନ୍ନ ଗୁଣର ମର୍ଯ୍ୟଦା ଏଇ ଗୋଟିଏ ଭରସାକୁ କେନ୍ଦ୍ରକରି ରହିଛି; ସତରୁ ବାସ୍ତବ ହୁଅ । ହେଲେ ବାସ୍ତବକୁ ଖୋଜି ଲୋଡ଼ି ଲକ୍ଷେ ଯୋଜନ ଆସିଲା ପରେ ମନେହେଉଛି ଯେ ଅପରେକ ଭିନ୍ନ ସତ, ହୁଏତ ଅନେକ ବିଭିନ୍ନ ସତର ଆଶ୍ଵାସନା ନ ପାଇଲେ ଯାତ୍ରା ଅକାରଣ । କିନ୍ତୁ ଇଏ କଅଣ ? ଅତି କଷ୍ଟରେ ଜ୍ଞାନବିଜ୍ଞାନ ସାହାଯ୍ୟରେ ଆବିଷ୍କାର କରାଯାଇଥିବା ସତମାନଙ୍କୁ ଏକାଠି ଯୋଡ଼ି ହେଉ ନାହିଁ, ଯୋଡ଼ିଲେ କିମ୍ଭୂତକିମ୍ବାକାର ଦିଶୁଛି, ଅର୍ଥ ବାହାରୁ ନାହିଁ । ଦୁଇରେ ଦୁଇ ମିଶେଇଲେ ଯୋଗଫଳ ପାଞ୍ଚ, ଛଅ, ଏବଂ ବେଳେବେଳେ ଶୂନ ! ବାସ୍ତବରୁ ପୁନରପି ସତକୁ ଲେଖିବାର ଦୁଃଖ କହିଲେ ନ ସରେ ।

 

ଏଇଠି ବାସ୍ତବ ସନ୍ଧାନର ଇତିହାସ ସମ୍ପର୍କରେ କିଛି କହିଲେ ହେବ । ଏଥିପାଇଁ ପାଶ୍ଚାତ୍ୟ ସାହିତ୍ୟର କ୍ରମଣକୁ ଦେଖିବାକୁ ପଡ଼ିବ । ଆମ “ବାସ୍ତବ କାହିଁ ?’’ କାନ୍ଦଣା ତାଙ୍କରିଠାରୁ ତ ଆସିଛି ! ପ୍ରଥମେ ହେଲା ଯାହା ଦେଖୁଛ ଲେଖିଯାଅ, ଜୀବନ ଧାରଣର ଅଗଣିତ ବାସ୍ତବ ଟିକିନିକି ବିଶାଳ ଜଗତର ଐଶ୍ୱର୍ଯ୍ୟ । କାହାକୁ ସାମାନ୍ୟ ସାଧାରଣ ବୋଲି ମନେ କର ନାହିଁ । ମନେପଡ଼ନ୍ତି ଡିକେନ୍‌ସ୍‌, ତା’ପରେ ଆସିଲେ ଏମିଲ୍‌ ଜୋଲା, ଫ୍ଲାଉବଟ୍‌ଙ୍କ ଦଳ, କହିଲେ ଯେ ଦେଖି ଲେଖିବାରେ ଅମୁକଟା ପାପ ବା ସାହିତ୍ୟ ଅସିଦ୍ଧ ବୋଲି ମନେକର ନାହିଁ । ନୀତି ତା’ ଘରେ ଥାଉ, ଆମ କାମ ହେଲା ବାସ୍ତବତା ଦେଖାଇବା । କିନ୍ତୁ କ୍ରମଶଃ ଇତି ମଧ୍ୟରେ ଫ୍ରଏଡ୍‌ଙ୍କ ମନସ୍ତତ୍ତ୍ୱ, ମାର୍କସ୍‌ଙ୍କ ସମାଜନୀତି ଆଦି ବୌଦ୍ଧିକତାର ନୂଆ ନୂଆ ଅଣୁବୀକ୍ଷଣ ଦୂରବୀକ୍ଷଣ ଯନ୍ତ୍ର ବଜାରକୁ ଆସିଲା । ମନେହେଲା ଯେ ଏଇ ଦେଖି ଲେଖିବା କଥାଟା ସହଜ ନୁହେଁ । ବାହାରେ କ’ଣ ଦେଖୁଛ-? ଭିତରକୁ ମନ ଗହୀରକୁ ଦେଖ । ସମାଜକୁ ଛିଣ୍ଡେଇ ଦିଅ । ସେଥିରୁ ଯେଉଁସବୁ ଜନ୍ତୁ ବାହାରୁଛନ୍ତି ଏବଂ ଭିଡ଼ାଓଟରା ଲଗେଇଛନ୍ତି ସେମାନେ ମଧ୍ୟ ଗୋଟିଏ ଗୋଟିଏ ରତ୍ନ-। ଦେଖି ଲେଖିବାକୁ ହେଲେ ନିରେଖୀ ହେଜିବାକୁ ହେବ; ଲେଖକର ମୁଣ୍ଡ ଦୂରେଇ ଗଲା, ତଥାପି ସେ ବାସ୍ତବର ନିତ୍ୟ ନୂତନ ଆବିଷ୍କାରରେ ମାତିଗଲା, ଇଉରେକାର ଆନନ୍ଦରେ ଭାସିଗଲା-। ଶେଷକୁ ଅଣନିଃଶ୍ଵାସ ହୋଇ ଭାବିବାକୁ ପଡ଼ିଲା ଯେ ଏଇ ଅସ୍ତବ୍ୟସ୍ତ ଯୁଦ୍ଧରତ ବାସ୍ତବମାନଙ୍କୁ ସଜେଇ ନ ପାରିଲେ, ସମନ୍ୱିତ ସତକୁ ଅଥବା ସତମାନଙ୍କୁ ଉଦ୍ଧାର କରି ନ ପାରିଲେ ଲେଖିବାର ମୂଲ୍ୟ ରହିବ ନାହିଁ, ଦର୍ଶକ ଶ୍ରୋତାମାନେ ଟାହୁଲି କରିବେ । ଚିତ୍ରକାରମାନେ ପ୍ରଥମେ ଏଇ ଚାଲେଂଜକୁ ସ୍ୱୀକାର କଲେ, ସାହିତ୍ୟକାରକୁ ବାଟ ଦେଖେଇଲେ । ଚିତ୍ରକାର ଗୋୟା ଭାବିଲେ ଯେ ସହଜେ ଦେଖେଇବାକୁ କହିଲେ ଦର୍ଶକର ଦୃଷ୍ଟିକୁ ମାଡ଼ି ବସିବାକୁ ପଡ଼ିବ, କାରଣ ସେ ସହଜେ ଅନ୍ଧ-। ତେଣୁ ସେ ତାଙ୍କର ଛବିମାନଙ୍କୁ ଜାଣିଶୁଣି ବିକୃତ କରି ଦେଖେଇଲେ । ସେଜାନ୍ କହିଲେ ପ୍ରକୃତିରେ ସବୁ ତ ମିଳେଇଯାଏ, ସେଇଥିଲାଗି ମୁଁ ତାକୁ କୌଣସି ମତେ ଧରି ରଖିବି, ତାହାହେଲେ ଯାଇଁ ଶାନ୍ତି । ମୋର ଆପ୍‌ଲ ବାସ୍ତବ ନ ହୋଇପାରେ, କିନ୍ତୁ ରୂପବର୍ଣ୍ଣରେ ଘନିଷ୍ଠ, ନିଦା, ତେଣୁ ମୋ ପାଇଁ ସତ । ଭାନ୍ ଗଗ୍ କହିଲେ ଶାନ୍ତି ପାଇବ କ’ଣ ମ ? ଅଶାନ୍ତି ହେଉଛି ସତ-। ତେଣୁ ତାଙ୍କର ଗହମଖେତ, ସୂର୍ଯ୍ୟମୁଖୀ ଫୁଲ ଆଦି ହୁତୁ ହୁତୁ ହୋଇ ଜଳିଲେ । ଶେଷକୁ ଆସିଲା ଆଧୁନିକତମ କ୍ରୋଧର ନାସ୍ତିବାଦ । ‘‘ଡାଡା’’ ଆନ୍ଦୋଳନର ପୂଜାରୀମାନେ କହିଲେ ଯେ ଆର୍ଟ ମିଛ, ଯୁକ୍ତିସିଦ୍ଧ ନନ୍‌ସେନ୍‌ସକୁ ଯୁକ୍ତିରହିତ ପ୍ରାକୃତିକ ସେନ୍‌ସରେ ବଦଲେଇ ଦେଖେଇବା, ଯାହା ଯେମିତି ଅଛି ଦର୍ଷେଇବା ତାଙ୍କର ଉଦ୍ଦେଶ୍ୟ । କିନ୍ତୁ ଏମିଲ୍‌ ଜୋଲାଙ୍କ ନ୍ୟାଚରାଲିଜିମ୍ ପରି ଏଇ ପ୍ରାକୃତିକବାଦ ମଧ୍ୟ ମାଡ଼ ଖାଇଗଲା କାରଣ ତା’ର ସନ୍ତାନ ହୋଇ ମଧ୍ୟ ତା’ର ପାଉଁଶ ଉପରେ ଛିଡ଼ା ହେଲା ‘‘ଅତି-ବାସ୍ତବ ସତ’’ର ସଂହିତା-ସର୍‌ରିଏଲିଜ୍‌ମ୍‌ । ଏଇଠି କବିତାର ପ୍ରଗତି ଚିତ୍ରକଳାର ପ୍ରଗତି ସାଙ୍ଗରେ ସ୍ଵର ମିଳାଇଲା । (ଆଧୁନିକ କବିତାର କାହାଣୀ ତ ସମସ୍ତେ ଜାଣନ୍ତି, ତେଣୁ ସେ କେମିତି ଚିତ୍ରକଳାର ପିଛାଧରି ଏଇଠି ଆସି ମିଶିଲା, ତା’ର ବର୍ଣ୍ଣନାରୁ କ୍ଷାନ୍ତ ହେଲି) ଏମାନେ କହିଲେ ବୁଦ୍ଧି ବେକାର । ଜଣେ କହିଲେ କେବଳ ବିସ୍ମୟ ହିଁ ସୁନ୍ଦର । ସୁବିଖ୍ୟାତ ସାଲ୍‌ଭାଡର୍ ଡାଲି କହିଲେ ଯେ ମୋର ଓ ପାଗଳମାନଙ୍କ ମଧ୍ୟରେ କେବଳ ଗୋଟିଏ ପ୍ରଭେଦ ଅଛି ଯେ ମୁଁ ପାଗଳ ନୁହେଁ । ଏହି କ୍ରମରେ ଚିତ୍ରକାରମାନଙ୍କୁ ଓ କବିମାନଙ୍କୁ ସାଧାରଣ ବୁଦ୍ଧିରେ ‘ବୁଝି’ ହେଲା ନାହିଁ; କିନ୍ତୁ ବିଶ୍ଵଦର୍ଶନର କାଣିଚାଏ ପାଇଲା ପରି ଲାଗିଲା । ବିସ୍ମୟରେ ଇନ୍ଦ୍ରିୟରୁ ଇନ୍ଦ୍ରିୟାତୀତ ଅନୁଭୂତିରେ ଏଇ ହେଉଛି ସତ, ଅକଥନୀୟ ଉପଲବ୍‌ଧିର ସତ୍‌ ବୋଲି ମନେହେଲା-। ଏଣେ ବାସ୍ତବତାର ଗୋଲକଧନ୍ଦାରେ ହାଲିଆ ହୋଇ ପଡ଼ିଥିବା ଗଦ୍ୟସାହିତ୍ୟ ଏମାନଙ୍କର ଦୁଃସାହସୀ କୃତିତ୍ୱକୁ ଦେଖି କଷ୍ଟ ପାଇଲା । ଗାଳ୍ପିକ ଭାବିଲା ଯେ ମୁଁ ମୋର କଥାକୁହାପଣକୁ ଛାଡ଼ି ପାରିବି ନାହିଁ ସିନା, ମୁଁ ମଧ୍ୟ ଆପଣା ଉପକରଣକୁ ନେଇ ଏଇ ସତ୍ୟର ଦର୍ଶନ ଦେଖେଇ ପାରିବି-। ଆମ ଅମଳର ଫ୍ରାନ୍‌ଜ୍‌ କ୍ୟାଫ୍‌କା ବାଟ ଦେଖେଇ ଯାଇଛନ୍ତି, ଯେ ନିତିଦିନିଆ ସାଧାରଣ ଘଟଣାର କଥା କହିଯିବ; ଅଥଚ ତା’ର ଗଣ୍ଡି ମୁଣ୍ଡ ନ ଥିବ । କେବଳ ଆତ୍ମା-। ସୁବୋଧ୍ୟ ଶବ୍ଦର ଢାଞ୍ଚାରେ, ଧ୍ୱନି, ପ୍ରତୀକ, ରୂପକଳ୍ପ, ମିଥ୍, ଲୋକକଥା, ଇତ୍ୟାଦିର ଉପାଦାନ ଏମିତି ଖଞ୍ଜି ଦେଇ ହେବ ଯେ ଦୁର୍ବୋଧ ଅଥଚ ଦୁର୍ଲଭ ଆତ୍ମାର, ସତ୍ୟର ଝଲକଟିକେ ମିଳିବ-। ସେଇ ଯଥେଷ୍ଟ ଶ୍ଳେଷର ବାହାଦୁରିକୁ ଟାଣି ଟାଣି ନେଇ ଗାଳ୍ପିକ କିଭଳି ମୂଢ଼ତାଗୂଢ଼ତାରେ ପହୁଞ୍ଚିଲାଣି ଦେଖୁଛନ୍ତି ତ-?

 

ମୂଢ଼ତା-ଗୁରତର ଅନ୍ୟ ନାମ ମିଷ୍ଟ୍ରିସିଜମ୍‌ । ରହସ୍ୟବାଦ । ମଜାକଥା ହେଲା ଯେ ଏଥିରେ ପାଶ୍ଚାତ୍ୟ ବସ୍ତୁସଭ୍ୟତା ଓ ବାସ୍ତବତାର ଐତିହ୍ୟ ପ୍ରାଚ୍ୟ ଆଧ୍ୟାତ୍ମିକତା ସଂସ୍କାର ସାଙ୍ଗରେ ମିଶିଯାଇ ସାହିତ୍ୟକୁ ମାନେ ସଂଖ୍ୟାଲଘୁର ସାହିତ୍ୟକୁ ଏକ ଅପୂର୍ବ ପର୍ଯ୍ୟାୟରେ ପହୁଞ୍ଚେଇଲାଣି । ସ୍ଥିତିବାଦର ହତାଶା ଓ ସ୍ୱୀକାରର ଦମ୍ଭ ଏକାଠି ହୋଇ ଯେମିତିକି କହିବାକୁ ଚାହୁଁଛନ୍ତି ଯେ ସବୁଧରଣର ବାସ୍ତବ ସମ୍ଭବ, ତାରି ଭିତରୁ ନିଜେ ଦେଖୁଥିବା ସତକୁ ଯେମିତି ପାରୁଛ ଦେଖାଅ । ଭଲ ମନ୍ଦର ତାରତମ୍ୟ ପୁରୁଣାକାଳିଆ କଥା ହୋଇପାରେ; କିନ୍ତୁ ଜୀବନପୋଷାକ ଏବଂ ଜୀବନବିରୋଧୀ ଆବେଗର ଦ୍ୱୈତଭାବ ବର୍ତ୍ତମାନର ବିଜ୍ଞାନ ସମ୍ମତ ତଥ୍ୟ । ବାସ୍ତବତା ଆଦର୍ଶର ପ୍ରତିକୂଳ ନୁହେଁ, ଆଦର୍ଶକୁ ବହୁବିଧ ‘ସତ୍ୟ’ ସାଙ୍ଗରେ ବସେଇ ଦର୍ଶାଇ ପାରିବା ତା’ର ମହତ୍ତ୍ୱ । ପ୍ରାକ୍‌ସିଦ୍ଧ ସ୍ୱତଃସିଦ୍ଧ ବୋଲି କିଛି ନାହିଁ ସିନା; କିନ୍ତୁ ଏଇ ଊର୍ଦ୍ଧ୍ୱମୁଖୀ ଆବେଗ, ଅକାରଣ ଭଲ୍‌ପଣିଆ, ଆତ୍ମରକ୍ଷା ପ୍ରବୃତ୍ତିରୁ ବଳି ଆତ୍ମଦାନର କାମନା, ମାରିବାରୁ ବଳି ମରା ହେବାର ଅଭୀପ୍‌ସା (ତାକୁ ଛିଗୁଲେଇ ସାଡ଼ିଜିମ୍-ମାସୋକିଜ୍‌ମ୍‌ କହିଲେ କୁହ) ସବୁ ଯେଝା ଯେଝାର ସତ । ଆଧୁନିକ ସାହିତ୍ୟର ଦିଗ୍‌ଦର୍ଶକ ଡଷ୍ଟୋଭସ୍କିଙ୍କ ‘ଦି ଇଡ଼ିଅଟ୍‌, ଉପନ୍ୟାସ ସାଙ୍ଗରେ ପରବର୍ତ୍ତୀ ସୁପ୍ରସିଦ୍ଧ ଗୋଲଡ଼ିଙ୍ଗ୍‌ଙ୍କର ‘ଲର୍ଡ ଅଫ୍ ଦି ଫ୍ଲାଇଜ୍‌’କୁ ତୁଳନା କରିବାକୁ ଯାଇ ଜଣେ ସମାଲୋଚକ ଦ୍ୱିତୀୟଟିରେ ବାସ୍ତବତାର ଅଭାବ ଅଛି ବୋଲି କହିଛନ୍ତି । ହେବାକୁ ବସିବାର ଯେଉଁ ଭୟଙ୍କର ପ୍ରଲୋଭନ, “terrible temptation to goodness” ଦେଖେଇଛନ୍ତି ଗୋଲ୍‌ନିଙ୍ଗ୍‌ଙ୍କ ଉପନ୍ୟାସରେ ସେତିକି ନାହିଁ ସର୍ବୋପରି ଅବ୍ୟକ୍ତ ଅନନ୍ତକୁ ପାଇବାର, ଅନ୍ତତଃ ଛୁଇଁବାର ବ୍ୟାକୁଳତା । ନିରୋଳା ଆଧ୍ୟାତ୍ମିକତା । ବାସ୍ତବତା ବ୍ୟାଖ୍ୟା କରିବାକୁ ଯାଇ ସମାଲୋଚକ ଜେ.ପି.ଷ୍ଟର୍ନ୍‌ କହିଲେ ଯେ ବାସ୍ତବତା ଜୀବନ-ଗୁହାରେ ପଶିଥିବା ବିଚରା ମଣିଷର ଅନ୍ଧାର ତଥା ଦୂରକୁ ସତେ ମିଳୁଥିବା ଆଲୁଅର ଅନୁଭବ, ଉଭୟର ସତକୁ ଦେଖୋଇବା ଉଚିତ, ନ ହେଲେ ତା’କୁ ଏକତରଫା ଅସତ୍ୟ ବୋଲି କୁହାଯିବ, ଇତ୍ୟାଦି । ତେଣୁ–ଦେଖନ୍ତୁ ଯେ ରହସ୍ୟବାଦ ବାହାନାରେ ସାଦତ୍ୟିକ (ଗାଳ୍ପିକ ସମେତ) ବାସ୍ତବତାରୁ ଦୂରେଇଗଲାଣି ବୋଲି କହିବା ଉଚିତ୍‌ ହେବ ନାହିଁ । ବରଂ କୁହନ୍ତୁ ଯେ ଅନେକ ବିଭିନ୍ନ ହେଲେ ଛନ୍ଦାଛନ୍ଦି, ସତ୍ୟକୁ ଏକାଠି କରି ଦେଖିବାର କଲବଲରେ ସେ ନିଜକୁ ସ୍ପଷ୍ଟ ଭାବରେ ପ୍ରକାଶ କରିବାରୁ ଅକ୍ଷମ । ଅତଃ ଅ-ଗଣତାନ୍ତ୍ରିକ ଅତିବାସ୍ତବର ରୂପାୟନ । କାରଣ-କ୍ରିୟା ଶବ୍ଦ-ଅର୍ଥର ବାଧ୍ୟବାଧକତାକୁ ଉପେକ୍ଷା କରି ଅସ୍ପଷ୍ଟ ଅଥଚ ଜାଜ୍ଜ୍ୱଲ୍ୟମାନ ସତ୍ୟବିଶେଷର ଧାପେ ଦେଖିବାର ପ୍ରୟାସ । ବୌଦ୍ଧିକତାର ବିଫଳତା ନୁହେଁ । ବିଜ୍ଞ ବିନମ୍ରତା ।

 

ତେଣୁ ବର୍ତ୍ତମାନର ଗାଳ୍ପିକ ବେଳେବେଳେ ବୁଦ୍ଧିବଣା ହେବାର ଭାବ ଦେଖାଏ । କେବଳ ଶୈଳୀରେ, ଶ୍ଳେଷର ଚାତୁରୀରେ ନିପାରିଲା ମଣିଷର ନିର୍ବୋଧତା ନ ଦେଖେଇ ‘‘ଆହୁରି କିଛି’’ କହିବାର ଯତ୍ନ କରେ । ସେଥିପାଇଁ ଶବ୍ଦ ଅଣ୍ଟେ ନାହିଁ, କଥା କାହାଣୀର ଚିରାଚରିତ କାରସାଦିଗୁଡ଼ିକ ଅକାମି ହୋଇଯାଏ । ପୁଣି ସେହି ନିର୍ବୋଧ ଚରିତ୍ରମାନେ ବିଚିତ୍ର ହେଲେ ମଧ୍ୟ ଏକାଭଳି ଦେଖାଯାଆନ୍ତି । ଆତ୍ମସଚେତନ । ବାସ୍ତବର ବୈଚିତ୍ର୍ୟରେ ହାରିଯାଇ ପଡ଼ିଉଠି ସତକୁ ଲୋଡ଼ିବାରେ ହାସ୍ୟାସ୍ପଦ । ଗାଳ୍ପିକର ଆପଣା ମାପରେ ଗଢ଼ି ଉଠିଥିବା ଏଇ ଚରିତ୍ରମାନଙ୍କ ପ୍ରତି ଦୟା ଦେଖାଇ ମୃଦୁ ମୃଦୁ ହସିଲେ ଯଥେଷ୍ଟ ନୁହେଁ, କାହିଁକିନା ଗାଳ୍ପିକ କହିବାକୁ ଚାହେଁ ଯେ ଏଇମାନେ (ମୋ ପାଇଁ) କିଛି ସତ ଦର୍ଶାଇବାକୁ ଚାହୁଁଛନ୍ତି, ସେଥିର ସମ୍ମାନ ଦିଅ । ଡଷ୍ଟୋଭସ୍କିଙ୍କର ‘ଦି ଇଡ଼ିଅଟ୍’ରେ ନିର୍ବୋଧ ପ୍ରିନସ୍ କେଉଁ କୁଳକୁ ହେଲା ନାହିଁ, ହେଲେ ତା’ ଆଦର୍ଶର ବାସ୍ତବତା ପ୍ରଣିଧାନ କର । ଆଇଜାକ ବାସେଭିସ୍‌ ସିଂଗର୍‌ଙ୍କର ‘ଗିଂପେଲ ଦି’ ଫୁଲ୍’ ତା’ର ନିର୍ବୋଧ ନିର୍ଯାତିତ ଜୀବନର ଶେଷରେ କହିଲା ଯେ ଏଠି ସିନା ମୋର ଏଇ ଅବସ୍ଥା ହେଲା, ଆର ପାରିରେ ଏମିତି ହେବ ନାହିଁ । ସେଠି ଗଣ୍ଡଗୋଳ ନ ଥିବ, ସେଇ ସତ ହୋଇଥିବ, ସେଠି ବୋକା ଗଂପେଲ୍‌କୁ ମଧ୍ୟ କେହି ଠକି ପାରିବେ ନାହିଁ । ସେମିତି ମୋର ‘ଗମନ’ ଗପରେ ମାନବେଂଦ୍ରବାବୁ ପାଟି କରି ଉଠିଲେ–ମୁଁ ଯିବି ସେଠିକି, ଆବିଳ ସତରୁ ନିର୍ମଳ ମିଛକୁ ଉଠିବି । ବୁଢ଼ାଙ୍କର ସତ ମିଛ ହିସାବ ଗୋଳମାଳ ହୋଇଗଲା ପରା ।

 

କେତେବେଳେ ଅସ୍ପଷ୍ଟ କେତେବେଳେ ବାଚାଳ । ହେଲେ ସ୍ୱଗୁଣରେ ତା’କୁ କ୍ଷମା କରନ୍ତୁ । ଗାଳ୍ପିକରୁ ନିଜ ମତରେ ତା’ର ଦି’ ଆଖିରେ ଦେଖିଥିବା ଦିଅଁ ଦାନବଙ୍କ ସାଙ୍ଗରେ ଯୁଝିବାକୁ ଦିଅନ୍ତୁ । ତଥାକଥିତ ଗଣତାନ୍ତ୍ରିକ ଗାଳ୍ପିକ ଅନେକ ଅଛନ୍ତି, ରହିବେ, ହୁଏତ ରହିବା ଉଚିତ-। କିନ୍ତୁ ଦୟାକରି କୁହନ୍ତୁ ନାହିଁ ଯେ କବି ଚିତ୍ରକାର ଆଦି ଯୁଆଡ଼େ ଯାଆନ୍ତୁ, ଗାଳ୍ପିକ କୁବୁଜା ହୋଇ ରହୁ । ଅମୃତ ମନ୍ଥନରେ ତ୍ୟାଜ୍ୟ, ଅଚ୍ଛବ ହୋଇ ପଡ଼ିଥାଉ । ସେମାନଙ୍କ ଭିତରୁ ଅନ୍ତତଃ କେତେଜଣ କଥା ଛଳରେ ସତ୍ୟଦର୍ଶନର ଦୁଃସାହସ କଲେ ତାଙ୍କ ଅଣକଥା ଅତିକଥା ବୁଝିବାକୁ ଚେଷ୍ଟା କରନ୍ତୁ । ଜଣେ ନ ବୁଝିଲେ ଆଉ ଜଣେ, କେହି ହେଲେ ବୁଝିବ ତ !

 

ଶେଷକୁ ନିଜକଥା ପଦେ କହିଦିଏ, ଯେଉଁଠୁ ଆଲୋଚନା ଆରମ୍ଭ ହୋଇଥିଲା । ମୁଁ ମୋର ନିଜ ଗଳ୍ପମାନଙ୍କର ସଫେଇଦେବାକୁ ମୋଟେ ଚାହେ ନାହିଁ । ସମାଲୋଚକକୁ ଉତ୍ତର ନାହିଁ, ସେ ଗୁଣୀ ଗରାଖ । ଭବିଷ୍ୟତରେ ବସ୍ତାନି ବାନ୍ଧିଲାବେଳକୁ ମୋର ବିଭିନ୍ନ ଗଳ୍ପର କାହିଁକି, କେମିତି ଓ କଅଣ ହୁଏତ ବୁଝାଇବାକୁ ଚାହିଁବି, ସେକଥା ଭିନ୍ନ । ବର୍ତ୍ତମାନ ପାଇଁ ବାଧ୍ୟହୋଇ କେବଳ ଏତିକି କିଛି ଯେ ମୁଁ ମୋର ଲେଖନୀର ମୋଡ଼କୁ ବଦଳେଇ ପାରିବି ନାହିଁ । ଅଭ୍ୟାସଗତ ଶେଷ ଚାତୁରୀ ମଝିରେ ମଢ଼ ମାଧୁରୀକୁ ମନାକରି ହେଉ ନାହିଁ । ମାଙ୍କଡ଼କୁ ଭୟ କରି ମନ୍ଦିର ବାଟରୁ ଫେରିଆସି ହେଉ ନାହିଁ । ଖାଲି ବୟସ ଦୋଷ ନୁହେଁ । ମୁଁ ତଥାପି ଆଶା ବାନ୍ଧିଛି ଯେ କେହି ହେଲେ ବୁଝିବ ତ-! ଧରନ୍ତୁ ମୋର ‘କୁହାପଥର’ ଗଳ୍ପ ଉପରେ ଟିପ୍‌ପଣୀ ଦେବାକୁ ଯାଇ ଡକ୍ଟର ନିତ୍ୟାନନ୍ଦ ଶତପଥୀ ଲେଖିଲେ–“.....ତରଳିଯିବା ଧର୍ମ ନେଇ ପ୍ରକଟିତ କୁଆପଥର ଏ ଗଳ୍ପରେ ନାରୀମନର ଓ ଦେହର ଯେଉଁ ତାରଲ୍ୟର ପ୍ରତୀକତା କରୁଛି ତାହା ବିଶ୍ଳେଷଣ ବହୁଳତା ଭିତରେ ସାଧାରଣ ପାଠକ ମନରେ ରେଖାପାତ କରିପାରେନା । ପୁଣି ଗଳ୍ପରେ ଯେଉଁ କାରୁଣ୍ୟ ସୃଷ୍ଟି କରିବାକୁ ବେଳେବେଳେ ଚେଷ୍ଟା କରିଯାଇଛି ତାହା କ୍ରମବର୍ଦ୍ଧିତ ପରିଣତିରେ ପହଞ୍ଚିପାରି ନାହିଁ । ତେଣୁ ଚମତ୍କାର ଏକ ସମ୍ଭାବନା ହାତଛଡ଼ା ହୋଇଯାଇଛି । ନାରୀମନର ଅନ୍ଧାରୀ ଗୁହା ଆଲୋକିତ ଚେତନାର ଦିଗ୍‌ବଳୟ ଛୁଉଁ ନ ଛୁଉଁଣୁ ଗଳ୍ପରେ ଏକ ସମାପ୍ତି ଅଣାଯାଇଛି ।”

 

କିନ୍ତୁ ଏଇ ଗଳ୍ପ ଯେତେବେଳେ ପ୍ରଥମେ ଚାରିବର୍ଷ ତଳେ ‘ଦିଗନ୍ତ’’ରେ ପ୍ରକାଶିତ ହେଲା, ତା’କୁ ପଢ଼ି କବି ଶ୍ରୀମତୀ ପ୍ରତିଭା ଶତପଥୀ ଅଯାଚିତ ଭାବରେ ଖଣ୍ଡିଏ ଚିଠି ଲେଖିଥିଲେ, ତା’ର ଉଦ୍ଧୃତାଂଶ ନିମ୍ନରେ ଦେଲି, ଆଶା, ସେ ମୋର ଧୃଷ୍ଟତା ମାର୍ଜନା କରିବେ–‘ଅଳ୍ପଦିନ ପୂର୍ବରୁ ପଢ଼ିଥିଲି ‘‘ନାଲି ଗୁଲୁ ଗୁଲୁ ସାଧବ ବୋହୂ, ପୁଣି ଏଇ ‘କୁଆପଥର’–ନାରୀ ମନସ୍ତତ୍ତ୍ଵର ଏ ଚମତ୍କାର ବିଶ୍ଲେଷଣ, ବାସ୍ତବିକ୍‌ ବିସ୍ମୟକର-। ଆମେ କେତେ କମ୍ କଥା କହୁ, କିନ୍ତୁ ତା’ ପଛରେ internal monologue, ଅପ୍ରକାଶ୍ୟ ଆତ୍ମକଥନ ଆମର କେତେ ବେଶୀ ! ମୋର ଆନ୍ତରିକ ଅଭିନନ୍ଦନ ଜାଣିବେ । ସୂର୍ଯ୍ୟଙ୍କୁ ଦୀପରେ ବନ୍ଦାଇବାର ଅଭିପ୍ରାୟ ଏ ନୁହେଁ, ଚମତ୍କୃତ ହେବାର ଗଭୀର ଆନନ୍ଦରୁ ହିଁ ଜାତ ।’’

 

କେଉଁ ସାହସରେ ମୁଁ ଜଣକର ସମାଲୋଚନା ମାନିନେବି ଏବଂ ଅନ୍ୟର ଆନନ୍ଦ ଉପଲବ୍ଧିକୁ ସାମାନ୍ୟ ବୋଲି କହିବି ?

Image

 

ହିସାବ ନିକାଶ

 

ଆଜକୁ ତେତ୍ରିଶ ବର୍ଷ ଉପରେ ହେଲାଣି, “ନିଉଛୁଣା’’ ହିସାବ କିତାବ କାମରେ ଦିନର ଅଧିକାଂଶ ସମୟ ବିତାଇଲା ପରେ ମୋ’ ସାହିତ୍ୟ ମଝିରେ ମଧ୍ୟ ହିସାବଖାତା ଆଣି ଥୋଇବି, ଏଥିରେ ବିଶେଷ ଆଶ୍ଚର୍ଯ୍ୟ ହେବାର କଅଣ ଅଛି ? ନିଉଛୁଣା ବୋଲି ମୁଁ କହୁନାହିଁ, ଅନ୍ୟମାନେ କୁହନ୍ତି । ଏବଂ ଥୋକେ ଧରିନିଅନ୍ତି ଯେ ମୋ’ଭଳି ଟଙ୍କା ଗଣୁଥିବା ଲୋକ ନୀଳ ଲହରୀମାନଙ୍କୁ ଦେଖିଲେ ମଧ୍ୟ ହିସାବ କରିବସିବ । ବେଉସା ଦୋଷ ଯିବ କୁଆଡ଼େ ? ମୋର ସରକାରୀ ଜୀବନର ବନ୍ଧୁମାନେ ମୁଁ ଲେଖାଲେଖି କରେ ବୋଲି ଶୁଣିଲେ ଆଶ୍ଚର୍ଯ୍ୟ ହୁଅନ୍ତି, କିନ୍ତୁ ତା’ର କାରଣ ଭିନ୍ନ । ସେମାନେ ଭାବିପାରନ୍ତି ନାହିଁ ଯେ ସରକାରୀ କାମର ଦାୟିତ୍ଵ ଓ ଭିଡ଼ ଭିତରେ ଜଣେ କେହି ସାହିତ୍ୟ ଲେଖିପାରେ । ସନ୍ଦେହର ଛିଟିକାଏ ମଧ୍ୟ ଛାଡ଼ିଦିଅନ୍ତି ଯେ ମୁଁ ବୋଧହୁଏ କାମରେ ଗଫଲତି କରୁଛି, ଫାଇଲତଳେ ଲୁଚେଇ ଲୁଚେଇ ଗପ ଲେଖୁଛି । କିନ୍ତୁ ମୋର କେତେକ ସାହିତ୍ୟିକ ବନ୍ଧୁ କଥାଟାକୁ ସେ ଦୃଷ୍ଟିରେ ନିଅନ୍ତି ନାହିଁ । ପେଟପୋଷା କାମ ତା’ ଘରେ ବୋଲି ବିଶ୍ଵାସ କରନ୍ତି । ହେଲେ ମୋର ପେଟପୋଷା କାମ ସାଧାରଣ ହାକିମ ଅଥବା କିରାଣୀଗିରି ନୁହେଁ, ତୁଚ୍ଛା ହିସାବକିତାବ, ଏ ଖବର ପାଇଲେ ସେମାନେ ଆକାଶରୁ ଖସନ୍ତି । ପ୍ରତ୍ୟେକ ତଦ୍ଦ୍ୱାରା ମୋର କାୟା ନଷ୍ଟ ହେଇଯାଇଛି, ମୁଁ ସାହିତ୍ୟ ଯଜ୍ଞରେ ବସିପାରିବ ନାହିଁ । ଘିଅ ଢାଳିବା ଦୂରର କଥା । ମୁଁ କହେ, ଆଜ୍ଞା, ଚାର୍ଲସ୍ ଲ୍ୟାମ୍ବ, କ’ଣ ଜଣେ ଆକାଉଣ୍ଟାଣ୍ଟ୍‌ ନଥିଲେ ? ଟି.ଏସ୍. ଇଲିଅଟ୍ ବ୍ୟାଙ୍କରେ କାମ କରୁ ନଥିଲେ ? ସେମାନଙ୍କ ମନ ବୁଝେନାହିଁ । ବିଦେଶୀ ଜିନିଅସ୍‌ମାନଙ୍କ ଢଙ୍ଗ ଦୋସରା । ଶେଷକୁ ସେମାନେ ମୋତେ ଆଶ୍ୱାସନା ଦେଲାପରି କୁହନ୍ତି–ଆପଣ ଯେତେହେଲେ ଆକାଉଣ୍ଟାଣ୍ଟ୍ ଜେନେରାଲ, କଦାପି ନିଜେ ବସି ହିସାବ କରୁନଥିବେ । ନା କଅଣ ?

 

ମୁଁ ସେତେବେଳେ ଉତ୍ତେଜିତ ହୋଇ ଏବଂ ଛାତି ଫୁଲେଇ କହୁଥିଲି, ଆଜି ମଧ୍ୟ କହୁଛି ଯେ କ୍ଷମା କରନ୍ତୁ, ମୁଁ ଜେନେରାଲ ହେଲେ ମଧ୍ୟ ସିପାହୀ । ମୁଁ ନିଜେ ବନ୍ଧୁକ ଧରିପାରିବି, ନିଜ ହାତରେ ଫର୍ମା କାଟି ଲାଭ କ୍ଷତିର ହିସାବ କରିପାରିବି ଏବଂ ସେଥ‌ିପାଇଁ ମୁଁ ନିଜକୁ ଯଥେଷ୍ଟ ଗୌରବାନ୍ୱିତ ମନେ କରୁଛି ।

 

ମୁଁ ସେତେବେଳେ ଯାହା ସ୍ପଷ୍ଟ ଭାବରେ କରିପାରି ନ ଥିଲି, ସେତିକି ମଧ୍ୟ ଆଜି କହିବାକୁ ସାହସ କରୁଛି ଯେ ମୋର ଲେଖାରେ ଯେଉଁ କେତୋଟି ଭଲଗୁଣ ଆପଣମାନଙ୍କ ଆଖିରେ ପଡ଼ିଛି, ସେଥିରେ କିୟଦଂଶ ମୋର ବୃତ୍ତିଗତ ଚରିତ୍ରରୁ ଉଦ୍‌ଭବ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ମୁଁ ଗୋଟିଏ ଆନ୍ତର୍ଜାତିକ ‘ଲେଖକ ସପ୍ତାହରେ ଯୋଗ ଦେବା ପାଇଁ ଅଷ୍ଟ୍ରେଲିଆର ଆଡ଼ିଲେଡ୍ ସହରରେ ଥିଲାବେଳେ ସେଠିକାର ଖବରକାଗଜ ମୋ ବିଷୟରେ ଯାହା ଲେଖିଥିଲେ ତା’ର ଶିରୋନାମା ହେଲା–He audits experiences ଅର୍ଥାତ୍ ସେ ଅନୁଭୂତି ଗୁଡ଼ିକର ସମୀକ୍ଷା କରନ୍ତି । ଯେହେତୁ ମୁଁ ଏକାଧାରରେ ଲେଖକ ଓ ସମୀକ୍ଷକ ! କହିପାରନ୍ତି ଯେ ଇଏ ଗୋଟାଏ ଶସ୍ତା ଧରଣରେ କଥା ଚାତୁରୀ । କିନ୍ତୁ ମୁଁ ମନେମନେ ଉତ୍‌ଫୁଲ୍ଲ ହୋଇଉଠିଲି । ଭାବିଲି ଯେ ପ୍ରକୃତରେ ମୋର ଆକାଉଣ୍ଟସ୍ ଏବଂ ଅଡ଼ିଟ ବ୍ୟବସାୟ ମୋର ସାହିତ୍ୟ ମାନସକୁ କିଛିଟା ସାହାଯ୍ୟ କରି ନାହିଁ କି ? ଯଥା, ଘଟଣାର ଚମକ ଓ ଚରିତ୍ରର ପୋଷାକରେ ଭଳି ନ ଯାଇ ଅସଲ ବ୍ୟାପାରଟି କ’ଣ ଜାଣିବାର ପ୍ରବୃତ୍ତିକୁ ଉସ୍‌କେଇ ନାହିଁ ବୋଲି କିଏ କହିବ ? ପୁଣି ଦେଖନ୍ତୁ, ମୋର ଗଳ୍ପ ଲେଖା ପ୍ରତି ବିଶେଷ ଆଗ୍ରହ କାହିଁକି ? ଉପନ୍ୟାସ ଲେଖିବାକୁ ସମୟ ନାହିଁ ବୋଲି କହିଲେ କ’ଣ ଯଥେଷ୍ଟ ହେବ ? ବରଂ ଯଦି କୁହାଯାଏ ଯେ କ୍ଷୁଦ୍ର ଗଳ୍ପରେ ରୋକ୍‌ଠୋକ୍ ବାସ୍ତବର ଗଣିତ, ବ୍ୟାଖ୍ୟା ନୁହେଁ ସଂକେତ, ଛପି ରହିଥିବା ସତ୍ୟର ନିଆଁ, ଇତ୍ୟାଦିର ବିଶିଷ୍ଟ ଭାସ୍କର୍ଯ୍ୟ ଓ ସୌନ୍ଦର୍ଯ୍ୟ ଆଶା କରିବା ଉଚିତ୍‌, ଏବଂ ସେଭଳି ଲେଖା ମୋତେ ବେଶି ଆଗେଇବ, ଯେହେତୁ ମୁଁ ଜଣେ ଆକାଉଣ୍ଟାଣ୍ଟ୍ ଏବଂ ଅଡ଼ିଟର୍; ଲେଖାକାର ତଥା ସମୀକ୍ଷକ.... ତାହାହେଲେ କ’ଣ ଆପଣ କେବଳ ମୁରୁକି ମୁରୁକି ହସିବେ ? ହଁ, ମୁଁ ଅନୁମାନ କରୁଛି ଆପଣଙ୍କ ସ୍ମିତହାସ୍ୟ ପଛରେ କଅଣ ଅଛି, ପାଟି କଅଣ କହିବ ବୋଲି ଖଜୁବୁଜୁ ହେଉଛି । କହିବେ ଯେ ପ୍ରଫେସର୍‌-ଲେଖକ କ’ଣ ତା’ ଚରିତ୍ରମାନଙ୍କୁ ପାଠ ପଢ଼ାଏ, ଡାକ୍ତର ଲେଖକ କ’ଣ ସେମାନଙ୍କୁ ଚିରିଫାଡ଼ି ସୁସ୍ଥ କରିଦିଏ, ଇଞ୍ଜିନିଅର୍ ଲେଖକ କ’ଣ ସେମାନଙ୍କୁ ଯୋଡ଼ି.ଯୋଡ଼ି କରି ଘର ତିଆରି କରେ ? ଆଜ୍ଞା, ଦୟା କରନ୍ତୁ, ଯୁକ୍ତିର ଅଧାସତକୁ ଟାଣି ଘୋଷରି ଦରମରା କରିବା ଅନୁଚିତ, ଇଂରେଜୀରେ, ଯାହାକୁ କହନ୍ତି reductio ad absurdum । ମୋର କେବଳ ଏତିକି ନିବେଦନ ଯେ ଆମ ସାହିତ୍ୟ ରଚନାରେ ବେଉସା ଦୋଷ ଗନ୍ଧଉଛି କି ନାହିଁ ବୋଲି ବାରିବା ଅନ୍ୟାୟ, ଅପରନ୍ତୁ କୋଉଠି କେମିତି ବାସି ଉଠୁଛି ତା’ର ସନ୍ଧାନ କରନ୍ତୁ । ପାଠକ ବନାମ ଭୋକ୍ତା ହିସାବରେ ଉପଭୋଗକୁ ବଢ଼ାଇବାକୁ ଚେଷ୍ଟା କରନ୍ତୁ, ସେଇଥିରେ ଆପଣଙ୍କର ମଙ୍ଗଳ । ତେଣୁ ଯେହେତୁ ମୁଁ ଜଣେ ଆକାଉଣ୍ଟାଣ୍ଟ...

 

ମୋର ବୃତ୍ତିଗତ ଅହମିକାକୁ ଛୋଟ କରିବାକୁ ଗଲେ ଅନ୍ୟ ଉପାୟ ଅଛି । ମୁଁ ତା’ର ବାଟ ବତେଇ ଦେଉଛି । ପୂର୍ବରେ ଯାହା କୁହାଗଲା, ଯେ ଲେଖାକାରର ଇସ୍ତାହାରରେ ରୋକଠୋକ୍, ବାସ୍ତବତାର ଅଙ୍କ, ନିରୋଳା ନିରପେକ୍ଷତା; ତାହା କ’ଣ ପୁରାପୂରି ସତ୍ୟ ? ସେଥିରେ କ’ଣ ଉଦ୍ଦେଶ୍ୟମୂଳକ କାରସାଦିର ଅବକାଶ ନାହିଁ ? ବରଂ କେତେକ କ୍ଷେତ୍ରରେ ଶଠତାର ସୁଯୋଗ ଅଛି ବୋଲି କହିଲେ ଭୁଲ ହେବ କି ? ପ୍ରଥମ କଥା, ସିଧାସଳଖ ହିସାବ କରିବାକୁ ଗଲେ ମଧ୍ୟ ବେଳେବେଳେ ଗଣନା ସମ୍ଭବ ନୁହେଁ, କିଛି ଗୋଟାଏ ‘ଉଚିତ’ ମୂଲ୍ୟ ଧରେଇଦେବା ଛଡ଼ା ଅନ୍ୟ ଉପାୟ ନାହିଁ, ଏହା ମାନିବାକୁ ପଡ଼ିବ । ଯଥା ସମ୍ପତ୍ତି (Assets) ଖାତାରେ ଗୁଡ଼୍‌ ଉଇଲ ଅର୍ଥାତ୍ ପ୍ରତିଷ୍ଠାର ମୂଲ୍ୟାୟନ । ବଜାରରେ ମୋର କାରବାରର ଖାତିର୍‌ କେତେଦୂର, ତାକୁ ଅଙ୍କ କଷି ଦେଖାଇହେବ ନାହିଁ, ଅଥଚ କିଛି ଗୋଟାଏ ସଂଖ୍ୟା ଯୋଡ଼ିବାକୁ ପଡ଼ିବ, ଯେହେତୁ ପ୍ରତିଷ୍ଠାର, ନାଆଁର, ଯଶର ଆର୍ଥିକ ମୂଲ୍ୟ ଅଛି । ଆଜିକାର ଲେଖାଶାସ୍ତ୍ର ଯେଉଁ ପର୍ଯ୍ୟାୟରେ ପହୁଞ୍ଚିଲାଣି, ସେଥିରେ ଏଭଳି ତଥାକଥିତ ଅବାସ୍ତବ ମୂଲ୍ୟାୟନର ଚାହିଦା ମେଣ୍ଟାଇ ହେଉ ନାହିଁ । କେତେ ବର୍ଷ ତଳେ ଇଂଲଣ୍ଡର ଜାତୀୟ ବେତନ ଓ ଉତ୍ପାଦନର କଳନା କରିବାକୁ ଯାଇଁ କଥା ଉଠିଲା–ଜାତୀୟ ବେଠିଖଟା ଶ୍ରମର ମୂଳ କଅଣ ? ଦାସତ୍ୱ ପ୍ରଥା ଉଠିଗଲାଣି ସିନା, ଆମ ଘରେ ଘରେ ଗୃହିଣୀମାନେ ବିନା ବେତନରେ ଯେଉଁ ଶ୍ରମଦାନ କରୁଛନ୍ତି, ତା’ର କ’ଣ କିଛି ଆର୍ଥିକ ମୂଲ୍ୟ ନାହିଁ, ନା ତାକୁ ଗ୍ରାହ୍ୟ କରିବାର ନୁହେଁ ? ଶେଷକୁ ସେଇ ଖାତାରେ ନିଛକ୍ ଆନୁମାନିକ ଗୋଟାଏ ଅଙ୍କ ବସେଇ ଦିଆଗଲା । କୁହାଗଲା ଯେ ଇଏ ହେଉଛି imputed value, ଆରୋଷିତ ମୂଲ୍ୟ । ଏବେ ସେହି ଧରଣର ଆଉ ଗୋଟାଏ ପ୍ରଶ୍ନ ଉଠିଲାଣି, ଯାହାର ମୁକାବିଲା ଗଣତନ୍ତ୍ର ବୋଲାଉଥିବା ପ୍ରତ୍ୟେକ ଦେଶରେ କରିବାକୁ ପଡ଼ୁଛି । ଉତ୍ପାଦନ କାହା ପାଇଁ-? ବିନିଯୋଗ କାହା ପାଇଁ ? ନିଜଦ୍ୱାରା କିନ୍ତୁ କେବଳ ନିଜ ପାଇଁ ନୁହେଁ, ଦେଶ ପାଇଁ ସମାଜ ପାଇଁ-। ତେଣୁ ମୁଁ ଯାହା ଗଢ଼ିଲି, ବାଢ଼ିଲି, ସେଥିରେ ମୋର ଜମିଜମା, ମାଲପତ୍ର ଓ ଶ୍ରମଶକ୍ତିର କ’ଣ ବରବାଦ ହେଲା ଏବଂ ତା’ର ବିନିମୟରେ ଆବାଦି କେଉଁଯାଏ ଗଲା, ଅବଶେଷରେ ମୋର ଲାଭ ନା କ୍ଷତି, ଖାଲି ତା’ର ହିସାବ ଦେଲେ ଯଥେଷ୍ଟ ନୁହେଁ । ହିସାବ କରିବାକୁ ପଡ଼ିବ ଯେ ମୋର ଲାଭ କ୍ଷତି ଛଡ଼ା ସମାଜର କ’ଣ ବରବାଦି–ବରବାଦି ହେଲା ବା ହେବାର ସମ୍ଭାବନା ଅଛି । କାରଣ ଯଦି ଗଣ ବିଚାରରେ ମନେହେଲା ଯେ ମୋର କର୍ମ ହେତୁ ସମାଜର ଇଷ୍ଟଠାରୁ ଅନିଷ୍ଟ ବଳି ପଡ଼ିଲା, ତା’ହେଲେ ମୋତେ ସେ କାମ କରିବାକୁ ଦିଆଯିବ କାହିଁକି ? ଅତଏବ ମୋତେ ସମାଜଗତ ବରବାଦ–ଆବାଦି social cost and benefitର ଗୋଟାଏ ହିସାବ ତିଆରି କରି ଦେଖେଇ ଦେବାକୁ ହେବ ଯେ ମୁଁ ଯାହା କଲି, ସେଥିରେ ମୋଟାମୋଟି ତୁମର ଆମର ସମସ୍ତଙ୍କର ମଙ୍ଗଳ । କିନ୍ତୁ ବିଚରା ଲେଖାକାର କେମିତି କାହାର ହିସାବ ଦେବ ? ଯେଉଁ ଫ୍ୟାକ୍‌ଟରୀ ଧୂଆଁ ଆକାଶ ପବନକୁ କଳୁଷିତ କରି ଉଡ଼ି ପଳେଇଲା କୁଆଡ଼େ, ସେଥିର ବିଷ ୟା’ର ତା’ର ଫୁସ୍‍ଫୁସ୍‌କୁ ଆସିଲା କି ନାହିଁ, ଆସିଲେ କିଭଳି ଅନିଷ୍ଟ ଘଟାଇଲା, ତଦ୍ଦ୍ୱାରା ବଳବୁଦ୍ଧି, ଉତ୍ପାଦନର ଇନ୍ଧନ କେତେଦୂର କମିଗଲା ତା’ର ହିସାବ ଦେବ କିଏ ? ସେତିକିରେ ହେଲା ନାହିଁ । ଧନ ଉପୁଜାଇବା ପାଇଁ ନୀଳ ଆକାଶ ଲୁଚିଗଲା, ଶ୍ୟାମଳ ବନ ଜଳିଗଲା, କୂଜନକାକଳି ହଜିଗଲା, ସେଥିରେ ସାଧାରଣ ନାଗରିକର ମନରେ ବିରକ୍ତ କିମ୍ବା ଅବସାଦର ପାରା କେତେ ଉପରକୁ ଚଢ଼ିଲା, ତଦ୍ଦ୍ୱାରା ତା’ର କର୍ମକ୍ଷମତା କେତେଦୂର କମିଗଲା, ତଦ୍ଦ୍ୱାରା....ବୁଝିପାରୁଛନ୍ତି ତ ? ‘‘ସଂପୂର୍ଣ୍ଣ ସତ୍ୟ’’ର ଚାହିଦା ମେଣ୍ଟାଇବାକୁ ଯାଇଁ ଗଣନା କେମିତି କଳନା ହୋଇଗଲାଣି, କଳନାରୁ କଳ୍ପନାରେ ପର୍ଯ୍ୟବସିତ ହେଲାଣି, ଦେଖୁଛନ୍ତି ତ ? ଏଣୁ ମୁଁ ଲେଖାକାର ହୋଇଛି ବୋଲି ତୁଚ୍ଛା ବାସ୍ତବତାର ବଡ଼େଇ କରିବେ କେମିତି ? ପ୍ରଶ୍ନ ହେଉଛି, ଯେଉଁ ସତ୍ୟ ପ୍ରକାଶରେ ମଣିଷର ଚେତନା (ହସ କାନ୍ଦ, ଶାନ୍ତି-ଅଶାନ୍ତି, ମୁଣ୍ଡବଥା ପେଟ କାମୁଡ଼ା) ଅଙ୍ଗୀଭୂତ ଏବଂ ତା’ର ମୂଲ୍ୟାୟନ ନ କଲେ ଚଳିବ ନାହିଁ, ସେ ଏମିତି କୋଉ ବିଜ୍ଞାନ କୋଉ ଅଙ୍କୁଶ ଯେ ସର୍ଜନାର ମତ୍ତହସ୍ତୀ ତା’ ବୋଲି ମାନିବାକୁ ଯିବ ?

 

ଆମର ଏଇ ବିଜ୍ଞାନ-ସ୍ପର୍ଦ୍ଧିତ ଶତାବ୍ଦୀ ଦିନେ ପଣ କରିଥିଲେ ଯେ, କେବଳ ଦର୍ଶନର ସାମାନ୍ୟ ଭଗ୍ନାଂଶ ମେଟାଫିଜିକ୍‌ସ ଅର୍ଥାତ୍ ‘ଦର୍ଶନକୁ ଛାଡ଼ିଦେଲେ ମଣିଷ ମନର ସମସ୍ତ ପ୍ରଚେଷ୍ଟାକୁ ବିଶ୍ଳେଷଣ କରିହେବ, ତହୁଁ ମୂଲ୍ୟ କପି ହେବ । ସାହିତ୍ୟ ମଧ୍ୟ ସେଥିରୁ ବାଦ୍ ପାଇ ନାହିଁ । ଏଫ୍.ଆର.ଲିଭିସ୍, ଆଇ.ଏ. ରିଚାଡ଼୍‌ସ୍ ପ୍ରମୁଖ ସାହିତ୍ୟଦର୍ଶୀ ସମାଲୋଚନାର ମୋଡ଼ ବଦଳେଇ ଦେଲେ, ପ୍ରତ୍ୟକ୍ଷ ଚିନ୍ତା ତଥା ପ୍ରଚ୍ଛନ୍ନ ଚେତନାକୁ ଖେଳେଇ ଖେଳେଇ ସାହିତ୍ୟର ଭଲ ଭେଲ ଦର୍ଶାଇ ପାରିଲେ ବୋଲି ଏକଦା ହୁରି ପଡ଼ିଥିଲା । ଆଜିକାଲି କୁହାଯାଉଛି ଯେ ନା, ଆପଣମାନେ ଭୁଲ୍ ବୁଝିଛନ୍ତି, ଉପରୋକ୍ତ ପଣ୍ଡିତମାନେ କେତେଗୁଡ଼ିଏ ପ୍ରଣାଳୀର ଭେଦ ଶିଖେଇଦେଲେ ସିନା, ମୂଲ୍ୟାୟନର ଶେଷକଥା ତାଙ୍କ ହାତରେ ନାହିଁ । କାହିଁକି ନା ଲେଖକର କ୍ରିୟା ଓ ପାଠକର ପ୍ରତିକ୍ରିୟା ପଛରେ ଯେଉଁ ଆବେଗ ଅଛି, ତାକୁ ପ୍ରେସକ୍ରିପ୍‌ସନ୍ ଦେଖେଇବା ବୃଥା ।

 

ତାହା ହେଲେ କ’ଣ ଗୁଣ ନାହିଁ କି ଦୋଷ ନାହିଁ, ମୋର ହିସାବକିତାବ ସାଙ୍ଗରେ ମୋ’ ସାହିତ୍ୟର କିଛି କାରବାର ନାହିଁ ? ଏତେ ଆଗ୍ରହରେ ମୋ’ ହିସାବଖାତାକୁ ଆଣି ପକେଇଥିଲି ଏଠି, ତାକୁ ଗୋଟେଇନେବି ।

 

ଦୟାକରି ମୋର ସରାଗକୁ ମାରିଦିଅନ୍ତୁ ନାହିଁ । ହଉ ଶୁଣନ୍ତୁ, ମୋର ବ୍ୟାକୁଳତାର ଅସଲ କାରଣ କହି ଦେଉଛି । ତା’ ଉତ୍ତାରୁ ମୋ’ପ୍ରତି ଦୟା ଦେଖେଇ ପାରନ୍ତି, କିନ୍ତୁ ‘ହିସାବଖାତାକୁ ନିକାଲେ’ ବୋଲି କହିବେ ନାହିଁ ବୋଲି ମୋର ବିଶ୍ୱାସ ।

 

କାରଣ ହେଉଛି, ମୋ’ ମନ ଘର ଧରିଲାଣି । ଛାଇ ଲେଉଟିଲାଣି, କିଛି ସମୟ ପରେ ଅନ୍ଧାର ହୋଇଯିବ । ପୂରାପୂରି ଅନ୍ଧାର ହୋଇଯିବା ଆଗରୁ ହିସାବ କିତାବ କରିବାକୁ ପଡ଼ିବ । ସମଝଦାର ଲେଖକମାନେ ଯଥା ସମର୍‌ସେଟ୍‌ ମମ୍ ବୁଦ୍ଧିମୁନରେ ତାଙ୍କ ଅନୁଭୂତିର ଏକ ଚମତ୍କାର ମୋଟ କଥା ଛାଡ଼ି ଯାଇଛନ୍ତି । (The Summing Up) । ବେପରୁଆ ଲେଖକମାନେ, ଯଥା ଅସ୍‌କାର୍‌ ଓ୍ୱାଇଲଡ଼ ସ୍ଵିକାରୋକ୍ତିର ଏକ ଫିଲ୍‌ସଫି ଦେଇ ଯାଇଛନ୍ତି ଆମକୁ (De Profundis)-। ଆମ ଦେଶର ଯୋଗୀମାନେ ଐତିହାସିକମାନେ ମଧ୍ୟ ଆତ୍ମଚରିତ ଲେଖିବାର ତାଡ଼ନା ସହିପାରି ନାହାନ୍ତି । ଆଉ ମୁଁ ଯେତେହେଲେ ଗୋଟାଏ ଲେଖକ, ଯାତ୍ରା ସରିବା ଆଗରୁ କିଛି ଗୋଟାଏ ମୋଟ କଥା ଶେଷ କଥା ଲେଖିଯାଇ ପାରିବ ନାହିଁ ? ମୁଁ କ’ଣ ଛେରୁଆ ହୋଇଛି-?

 

ମୁଁ ଚ୍ୟାଲେଞ୍ଜ୍‌ ସ୍ଵୀକାର କଲି । କହିଲି ମୁଁ ଛେରୁଆ ନୁହେଁ, ମୁଁ ଆକାଉଣ୍ଟାଣ୍ଟ । ମୁଁ ଖାଲି ହିସାବ ଯୋଡ଼ିବି ନାହିଁ, ଏଇ ଦେଖନ୍ତୁ ଛିଣ୍ଡିଗଲା ବୋଲି ଘୋଷଣା କରିପାରିବି । ମୁଁ ହିସାବ ନିକାଶ କରିପାରିବି ! ବାଲାନ୍‌ସ-ସିଟ୍‌ର ଏପାଖରେ ଅନ୍ଧାର ସେ ପାଖରେ ଆଲୁଅ ମାନେ ଏ ପାଖରେ ସମ୍ପତ୍ତି (assets) (liabilities)ର ଗଣନା କରି ଅଙ୍କ ମିଳେଇଦେବି ! ଡବଲ୍ ଗାର ଟାଣିଦେବି । ସେଇଠୁ ଶାନ୍ତରେ ଶୋଇଯିବି ।

 

ହିସାବ ନିକାଶର ଲୋଭ ସମ୍ଭାଳି ହେଲା ନାହିଁ । ସେଇଥିପାଇଁ ମୋର ବୃତ୍ତିଗତ ସତ୍ତାକୁ ଆହ୍ଵାନ କଲି । କହିଲି, ତୁ ମୋ ସାହିତ୍ୟ ସାଙ୍ଗରେ ମୋ ଜୀବନ ସାଙ୍ଗରେ ଜରି ଯା’, ଆଉ ଏ ଯାତ୍ରା ପାରି କରେଇଦେ । ସେଥିପାଇଁ ହିସାବ ଖାତାକୁ ଆଣି ପକେଇଛି ଏଠି, ଆପଣଙ୍କ ସାମନାରେ । ହିସାବ ଶାସ୍ତ୍ରରେ ଯେତେ ଦୁର୍ବଳତା ଥାଉ ନା କାହିଁକି ? ହେଲେ ହେଉ ତା’ର ବାସ୍ତବତା ଅଧାପନ୍ତରିଆ ଶାସ୍ତ୍ର ମାନେ ଶାସ୍ତ୍ର । ଗୋଟାଏ ଡିସିପ୍ଳିନ୍ । ତାରି ବଳରେ ଆଶା ବାନ୍ଧିଛି ଯେ....ନା, ଅଗ ଭାଙ୍ଗି ଦିଅନ୍ତୁ ନାହିଁ, ପ୍ଳିଜ୍‌ । ମୋତେ ସମୟ ଦିଅନ୍ତୁ, ସୁଯୋଗ ଦିଅନ୍ତୁ ।

 

ମୁଁ ଆପଣଙ୍କୁ ଠକେଇବି ନାହିଁ, ବିଶ୍ଵାସ କରନ୍ତୁ । ଗୋଟାଏ ମଜା କଥା ମନେପଡ଼ିଲା । ଏଇ ଚାକିରିରେ ପଶିଲା ପରେ ଆମର ବିଭାଗୀୟ ପ୍ରଥମ ପରୀକ୍ଷାରେ ବରିଷ୍ଠ ଲେଖା-ଗଣିତ (Advanced Accountancy) ଉପରେ ଗୋଟିଏ ପ୍ରଶ୍ନ ଥିଲା । ସେଥିରେ ବାଧ୍ୟତାମୂଳକ ପ୍ରଥମ ପ୍ରଶ୍ନ ହେଲା ବାଲାନ୍‌ସ-ସିଟ୍ । ମୋର ସହକର୍ମୀମାନେ ମୋତେ ଭୟ ଦେଖାଇଥିଲେ ଯେ ଏଇଟି ଅସଲ ପ୍ରଶ୍ନ । ମୌଳିକ, ମାରାତ୍ମକ । ଏଥିରେ ଶହେରୁ ଚାଳିଶ ମାର୍କ, ଖାଲି ସେଇଥିପାଇଁ ନୁହେଁ, ଏଥର ଉତ୍ତର ଠିକ୍ ହେଲା କି ନାହିଁ ଛାଏଁ ଛାଏଁ ଜଣା ପଡ଼ିଯିବ । ଦୁଇପାଖ ନ ମିଳିଲେ କଥା ସରିଲା । ଚାଳିଶରୁ ଶୂନ୍ । ଏତିକି ଜାଣିଲା ପରେ ଆଉ କୌଣସି ପ୍ରଶ୍ନରେ ହାତ ଦେଇ ହେବ ନାହିଁ, ଅନ୍ତତଃ ଥଣ୍ଡା ମିଜାଜ୍‌ରେ ଲେଖି ହେବନାହିଁ । ଏଣୁ ଫେଲ୍‌ ହେବା ସୁନିଶ୍ଚିତ୍‌ । ସ୍ଵଭାବତଃ ମୋ ଛାତି ଦୁଡ଼୍‌ଗୁଡ଼୍‌ ହେଉଥାଏ । କିନ୍ତୁ ମୁଁ ଆଶ୍ଚର୍ଯ୍ୟ ହେଲି ଯେ ଅତି ଅଳ୍ପ ସମୟ ଭିତରେ ମୋର ଉତ୍ତର ସରିଗଲା । ଅଙ୍କ ମିଳିଗଲା ! ବୀରବିକ୍ରମରେ ମୁଁ ଅନ୍ୟ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖିଦେଇ ପରୀକ୍ଷା ହଲରୁ ବାହାରି ଆସିଲି ଏବଂ ପରେ ମୁହଁ ଶୁଖେଇ ଫେରୁଥିବା ସାଙ୍ଗମାନଙ୍କୁ ମୋର କୃତିତ୍ୱ ବଖାଣିଲି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଅଙ୍କ ମିଳେଇ ପାରିନଥିଲେ । ତେଣୁ ସେମାନେ ଈର୍ଷା ପରବଶ ହୋଇ ମୁଁ କୋଉ ଆଇଟେମ୍ କୋଉ ଖାତାକୁ ନେଇଛି ବୋଲି ପଚାରି ବସିଲେ । ଶାସ୍ତ୍ର ପୁସ୍ତକର ପୃଷ୍ଠା ଓଲଟେଇଲେ । ବୁଝୁ ବୁଝୁ କ’ଣ ହେଲା ଜାଣନ୍ତି ? ଦେଖାଗଲା ଯେ ଯଦିଓ ମୋର ଅଙ୍କ ମିଳିଯାଇଛି, ମୋର ଉତ୍ତର ଭୁଲ୍ । କାହିଁକି ନା ମୁଁ ଯେଉଁ ଆଇଟେମ୍ ଭୁଲ୍‌ରେ ସମ୍ପତ୍ତି ଖାତାକୁ ନେଇ ଆସିଲି ଏବଂ ଯେଉଁ ଆଇଟେମ୍ ଭୁଲରେ ବିପତ୍ତି ଖାତାକୁ ନେଇଗଲି, ଦୁହିଁଙ୍କ ଅଙ୍କ ସମାନ । ସମଦୋଷ । ଶାସ୍ତ୍ରୀୟ ଭାଷାରେ କ୍ଷତିପୂରଣକାରୀ ଭୁଲ୍, Compensating error, ଯଦ୍ଦ୍ୱାରା ଅଙ୍କ ମିଳିଗଲା; ହେଲେ ମୋତେ ଚାଳିଶରୁ ଶୂନ୍‌ ମିଳିବ । ଭଗବାନଙ୍କ କୃପାରୁ ମୁଁ ପାସ୍ କରିଗଲି ସେ କଥା ଭିନ୍ନ । କିନ୍ତୁ ସେଇଦିନଠାରୁ ମୁଁ ସତର୍କ ରହିଛି ଏବଂ ଆଜିକାର ବାଲାନ୍‌ସ-ସିଟ୍‌ ସମ୍ପର୍କରେ ଆଶ୍ଵାସନା ଦେବାକୁ ଚାହେଁ ଯେ ମୁଁ ଖାଲି ଅଙ୍କ ମିଳେଇ ଦେଇ ହେଣ୍ଡି ମାରିବି ନାହିଁ । ପ୍ରତ୍ୟେକ ଆଇଟେମ୍ ଠିକଣା ଜାଗାରୁ ଗଲା କି ନାହିଁ ବୋଲି ପୁନଃ ପୁନଃ ପରଖିନେବି । ଯଥା ହିଂସାପ୍ରଣୋଦିତ ପ୍ରେମର ଜୟକୁ ବିପତ୍ତି ଖାତାକୁ ନେବି ନାହିଁ, କି ଅହିଂସା ପ୍ରଣୋଦିତ ପ୍ରେମର ପରାଜୟକୁ ସମ୍ପତ୍ତି ଖାତାକୁ ନେବି ନାହିଁ । ଆନୁଷଙ୍ଗିକ ବାହିକ୍ୟ ବିଚାରରେ ପଶିବି ନାହିଁ । ପ୍ରେମ ପ୍ରେମ । ଈପ୍‌ସିତ ବସ୍ତୁ । ପାଇଲେ ସମ୍ପତ୍ତି, ହାରିଲେ ବିପତ୍ତି, ସେଥିରେ ହିଂସା ଥାଉ କି ଶରଣାପନ୍ନତା । ରାଜି ?

 

ମୁଁ ଠକେଇବି ନାହିଁ ସିନା, ଲୋକେ କେମିତି ଠକାନ୍ତି କହିଦେଉଛି, ଯେପରିକି ଆପଣ ଶଠ ଲେଖାକାର; ଅର୍ଥାତ୍ ହିସାବ ନିକାଶୀମାନଙ୍କ ପ୍ରତି ସାବଧାନ ରହିବେ । ଧରନ୍ତୁ ପୂର୍ବକଥିତ ଗୁଡ଼୍‌ଉଇଲ୍‌, ପ୍ରତିଷ୍ଠା, ଯାହାକୁ ସମ୍ପତ୍ତି ଖାତାରେ ଲେଖାଯାଏ । ଦେଖିଲି ସମ୍ପତ୍ତିରୁ ବିପତ୍ତି ବଳି ପଡ଼ିଛି, ଚିନ୍ତା ନାହିଁ, ପ୍ରତିଷ୍ଠାର ଅଙ୍କକୁ ବଢ଼େଇ ଦିଅ । ବଢ଼େଇବା ସପକ୍ଷରେ ସଫେଇ ଦେଲି ଯେ ହୁଏତ ମୋର ‘‘ଭଲ କାମ’’ ଗୁଡ଼ିକର ଭାଉ ଗୋଟି ଗୋଟି କରି ଯୋଡ଼ିଲେ ପଚାଶ ହେବ, କିନ୍ତୁ କିଶୋରୀ ବାବୁ ଜଣେ ଭଲ ମଣିଷ’ ଏଇ ଯେଉଁ ଇମେଜ୍ ମୋର ବିନା ଚେଷ୍ଟାରେ ବିନା କାରଣରେ ଗଢ଼ିହୋଇ ଯାଇଛି, ତା’ ବାବଦରେ ଆହୁରି ପଚାଶ ଯୋଡ଼ିବି ନାହିଁ କାହିଁକି ? ପ୍ରତିଷ୍ଠାରେ କ’ଣ ଖାଲି ସୁନା ଅଛି, ଚହଟ ନାହିଁ ? ପୁଣି ଦେଖନ୍ତୁ ଏଇ ଦେଣାପାଉଣାର ବ୍ୟାପାର । ଶାସ୍ତ୍ରମତରେ ପାଉଣା ସମ୍ପତ୍ତି ଖାତାକୁ ଯିବ, ଦେଖା ବିପତ୍ତିରେ ମିଶିବ । ଦେଖିଲି ଦେଣା ପାଉଣାରୁ ବଳିପଡ଼ିଛି, ତେଣୁ ଅଙ୍କ ମିଳେଇ ହେଉ ନାହିଁ । ଭାବିଲି ଯେ ମୁଁ ଶ୍ୟାମବାବୁଙ୍କ ପାଖରେ ଧାରୁଆ ବୋଲି ଦେଣା ଖାତାରେ ଯେଉଁ ଅଙ୍କ ବସେଇଛି, ତା’କୁ ଉଡ଼େଇ ଦେଲେ ଚଳିବ । ଯଦି ଫେରି ପାଇବାର ଆଶା ନାହିଁ ଏହି ମର୍ମରେ ଦାମବାବୁଙ୍କୁ ଧାର ଦେଇଥିବା ଉପକାର ‘‘ନଷ୍ଟ ପାଉଣା ।’’ (Bad debt) ବୋଲି କାଟି ଦେବାକୁ ପଡ଼ିଲା ସେମିତି ମୋର ଫେରାଇବାର ମତଲବ ନାହିଁ । ଏହି ଭାବରେ ଶ୍ୟାମବାବୁଙ୍କଠାରୁ ଧାର ନେଇଥିବା ଉପକାର ‘‘ନଷ୍ଟ ଦେଣା’’ ବୋଲି କାଟିପାରିବି ନାହିଁ କାହିଁକି ? ଶାସ୍ତ୍ର ଅବଶ୍ୟ କୁହେ ଯେ ଦେଣା ଅବିନାଶୀ; କିନ୍ତୁ ଶାସ୍ତ୍ରର ସବୁ ବିଧାନ କ’ଣ ଯୁକ୍ତିସଙ୍ଗତ ? ସକ୍ରିୟ ଲେଖାକାର ହିସାବରେ ମୁଁ ତା’ର ସ୍ୱାଧୀନ ବ୍ୟାଖ୍ୟା କରିପାରିବି ନାହିଁ ? ତା’ ଛଡ଼ା ଏଇ ଧାରୁଆ ହେବା ନ ହେବାର ବିଚାର ମୁଁ କରିବି ନାହିଁ ତ ଆଉ କିଏ କରିବ ? ବଡ଼ହାକିମଙ୍କ ପାଖଲୋକ ଗୋବିନ୍ଦ ବାବୁ ମୋର ସୁପାରିଶ କରିଥିଲେ ବୋଲି ମୁଁ ଡଜନେ ଉପରିସ୍ଥ ସହକର୍ମୀଙ୍କୁ ଡିଆଁମାରି ମଞ୍ଚକୁ ଉଠି ଆସିଲି ତେଣୁ ମୁଁ ତାଙ୍କଠାରେ ଋଣୀ, ମୋର ଏ ବିଚାର କ’ଣ ଅପରିବର୍ତ୍ତନୀୟ ? ମୁଁ ତା’ର କର୍ତ୍ତନ ଅବା ସଂଶୋଧନ କରିପାରିବି ନାହିଁ-? କିଓ, ମୋ ନିଜର ବିଦ୍ୟାବୁଦ୍ଧି କର୍ମକୁଶଳତା ଇତ୍ୟାଦି ଗଲା କୁଆଡ଼େ ? ପୁଣି ସ୍ମରଣକୁ ତେଜିଲେ କେତୋଟି ଛୋଟମୋଟ ଘଟଣାରେ ସାହାଯ୍ୟ ମିଳିବ । ଯଥା: ମୁଁ ଥରେ ତାଙ୍କ ଘରକୁ ଯାଇଥିଲାବେଳେ ତାଙ୍କ ତନୁପାତଳୀ ଗାଲରେ ଟିପଚିହ୍ନବାଲୀ ସାମାନ୍ୟ ଫୁଲେଇ ସ୍ତ୍ରୀଙ୍କର ପ୍ରଶଂସା କରିଥିଲି । ବେଶ୍ ଚଉକଶିଆ ପ୍ରଶଂସା କରିଥିଲି । ହୁଏତ ସେଥିରେ ସତ ଥିଲା, ପର ସ୍ତ୍ରୀ ପ୍ରତି ମୋର ମନ କିଞ୍ଚିତ ଢଳି ଯାଇଥିଲା ସେଇ ମୁହୂର୍ତ୍ତରେ । ଯାହାହେଉ; ତଦ୍ଦ୍ୱାରା ତାଙ୍କ ଦାମ୍ପତ୍ୟ ଜୀବନ କ’ଣ ଆହୁରି ମଧୁମୟ ହୋଇ ଉଠି ନଥିବ ? ଅନ୍ତତଃ ସେଇ ରାତିଟା ? ସେଥ‌ିପାଇଁ କ’ଣ ସେ ମୋ ପାଖରେ ଧାରୁଆ ନୁହଁନ୍ତି ? ଆଉ ଥରେ ତାଙ୍କୁ ଆଧୁନିକ ସାହିତ୍ୟର କ ଖ ଗ ବୁଝେଇଥିଲି । ଆଉ ଥରେ ଦାମିକା ଜାପାନୀ କ୍ୟାମେରାର ପ୍ରୟୋଗ ବିଧି ଶିଖେଇ ଦେଇଥିଲି-। ଦେଣାଖାତାରୁ ଏବଂ ବିଧ ଉପକାରର ପାଉଣା କାଟିଦେଲେ ଆଉ କେତେ ରହିଲା କହୁନାହାନ୍ତି-?

 

ଏମିତି କେତେ ଉପାୟ ଅଛି ଯେଉଁଥିରେ ଖାଲି ଆପଣଙ୍କୁ ନୁହେଁ, ନିଜକୁ ଠକେଇ ହେବ । କିନ୍ତୁ ମୁଁ ଠକେଇବି ନାହିଁ । ସଂସାରରେ ଅନ୍ୟାନ୍ୟ କାରବାରରେ ମୁଁ ହୁଏତ ନୀତିନିୟମକୁ ସର୍ବଥା ପାଳନ କରିପାରି ନାହିଁ । ଲୁଚକାଳି ଖେଳିବାକୁ ମଜା ଲାଗିଛି । କିନ୍ତୁ ବୃତ୍ତିଗତ କାମରେ ମୁଁ ଭୀଷଣ ସିରିୟସ୍ ଏବଂ ସାଧୁ । ଆପଣ ଯାହାକୁ ହେଲେ ପଚାରନ୍ତୁ–ମୋର ହାକିମ ମୋର ପି. ଏ. (ନାରୀ ପୁରୁଷ ସମେତ) ଇନ୍‌କମ୍‌ ଟ୍ୟାକ୍‌ସ ବାଲା, ଏକ୍‌ସାଇଜ୍‌ବାଲା ।

 

ବର୍ତ୍ତମାନ ବୋଧହୁଏ ଆପଣ ଅସହିଷ୍ଣୁତାର ଭାବ ଦେଖାଇବେ । ହଉ, ହଉ ସେତିକି ଥାଉ ବୋଲି ପାଟି କରି ଉଠିବେ । The lady protests too much, ଏତେ ଅଧିକ ପ୍ରତିବାଦ କରିବା ସନ୍ଦେହଜନକ ବୋଲି ହୁଏତ କହିବେ ନାହିଁ । କାରଣ ଆପଣ ମୋର ଲେଖାକାରୀ ବ୍ୟକ୍ତିତ୍ୱ ସହିତ ପରିଚିତ ନୁହଁନ୍ତି । କିନ୍ତୁ ମୋତେ ଭୟ ଲାଗୁଛି ଯେ ଆପଣ ଅନ୍ୟ ଏକ ଦିଗରୁ ଆକ୍ରମଣ କରିବେ ଯେ ମାନିଲୁ ଆପଣ ଖାରା ହିସାବ କରିବେ; କିନ୍ତୁ ଆପଣଙ୍କ ସାହିତ୍ୟରେ ଯାହା ଦେଖି ଆସୁଛି, ସେଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ହିସାବ ନିକାଶ କରି ଅଙ୍କ ମିଳେଇବାର ସୁଖ...ଭୁଲ ବୁଝିବେ ନାହିଁ, ଆପଣଙ୍କ ପ୍ରତି ଦୟା ଆସୁଛି... ସେତକ ଆପଣଙ୍କ କପାଳରେ ନାହିଁ । ପୂର୍ତ୍ତି ପରିଣତି, ପୂର୍ଣ୍ଣଚ୍ଛେଦ, ସମାଧାନ, ସମନ୍ୱୟ, ସ୍ୱସ୍ତି, ଇତ୍ୟାଦିର ପ୍ରସାଦ ଆପଣଙ୍କର ଚରିତ୍ର ଅଥବା ପାଠକମାନେ ପାଇ ପାରୁନାହାନ୍ତି । କେଉଁ ଅଧିକାରରେ ଆଶା ବାନ୍ଧିଛନ୍ତି ଯେ ଜୀବନର ବାଲାନ୍‌ସ-ସିଟ୍‌ ସମାନ ସମାନ କରି ଦେଖାଇପାରିବେ ? ମିଳିଗଲା ମିଳିଗଲା ବୋଲି ଖୁସିଟାଏ ହେବେ ? ଆପଣ କ’ଣ ଆମମାନଙ୍କୁ କମ୍ ଅବସ୍ଥା କରିଛନ୍ତି ? ଆଲୁଅ ଦିଶୁଛି, ଦିଶିଲା ବୋଲି ଶେଷକୁ ଏମିତି ଜାଲ୍‍ଜାଲୁଆ ଭିତରେ ଛାଡ଼ି ଦେଇଛନ୍ତି ଯେ ସେଥିରେ ଅନ୍ଧାର ଅଛି କି ଆଲୁଅ ବୁଝିବା କଷ୍ଟ । ନା ଉଷା ନା ସନ୍ଧ୍ୟା । ନା ତୋଫା ନା କିଟିକିଟିଆ ! ଖାଲି ଗୋଟାଏ ସଂଶୟ ହନ୍ତସନ୍ତିଆ ଅନୁଭବ । କ’ଣ ନା ଏଇ ହେଉଛି ଆଇରନି !!

 

ଏମିତି କହୁ କହୁ ତାତି ଉଠିବେ । ଦୟା ଭାବ କଟିଯାଇ ହିଂସାଭାବ ଉତୁରି ଆସିବ । କହିବେ, ଆପଣଙ୍କଭଳି ଲେଖକମାନଙ୍କ ଉଦ୍ଦେଶ୍ୟରେ କବି ରବର୍ଟ୍ ଗ୍ରେଭ୍‌ସ୍‌ ବୋଧହୁଏ ଏଇ କବିତାଟି ଲେଖିଥିଲେ । କବିତାର ନାଆଁ ‘‘ଗାଳ୍ପିକମାନଙ୍କୁ’’ ଶଇତାନ୍‌ର ଉପଦେଶ (The Devil’s advice to story tellers) ଯାହାର ସ୍ୱାଧୀନ ଅନୁବାଦ ଏହି ପ୍ରକାର ।

 

‘‘ପ୍ରଥମେ ଠୁଳ କର, ସୁଲଭ ଓ ସାମାନ୍ୟ କାଠିକୁଟା ଯେତେ ଖଣ୍ଡି ଖଣ୍ଡି ଅନୁଭବ ସତେ ଏ ସଂସାର ପରି ଦେଖାଯିବା ଯାଏଁ ତହୁଁ ଦୀର୍ଘଶ୍ୱାସ, ଅବା ଭ୍ରୂକୁଞ୍ଚନ, କିନ୍ତୁ ଛାଡ଼ିଦିଅ ତାକୁ (ହତାଶାରେ)

 

ପବନରେ ଉଡ଼ୁଥାଉ ନୀତିଧର୍ମ, ଅର୍ଥ ଏବଂ ଉଦ୍ଦେଶ୍ୟର ଭୂତ ଚାହିଁ ଦେଖ ଝଟାପଟା, ବଢ଼ିଆ ସେ ଖେଳ, ବାସ୍ତବର ବାସ୍ତବ ସହିତ

 

ମନେହେବ ଏଇ ମୋର ସତ୍ତା

ମଣିଷର ସଂସାରକୁ ଏଇ ସଂପୂର୍ଣ୍ଣତା ।’’

 

କବି ଆମମାନଙ୍କୁ ଛିଗୁଲେଇ କହିଥିଲେ ବୋଲି ଜଣାପଡ଼ୁଛି । ବେଶ୍ ! ମୁଁ ତା’ର ପ୍ରତିବାଦ କରିବାକୁ ଯାଉ ନାହିଁ, ଯେ ମୁଁ ଏମିତି ଲେଖେ ନାହିଁ । ଅବା କହିବି ନାହିଁ ଯେ ହଁ, ମୁଁ ଏମିତି ଲେଖେ ଏବଂ ଏଇ ହେଉଛି ସଚ୍ଚା ସାହିତ୍ୟ । ବିଚାର ଦାୟିତ୍ୱ ଆପଣଙ୍କର ଏବଂ ଭବିଷ୍ୟତର । କିନ୍ତୁ ମୁଁ ନଛୋଡ଼ବନ୍ଧା । ମୋତେ ହିସାବନିକାଶ କରିବାକୁ ଦିଅନ୍ତୁ । ହୋଇପାରେ ଯେ ମୋ’ ସାହିତ୍ୟ ଆପଣଙ୍କୁ ପୀଡ଼ା ଦେଇଛି । ତା’ ବୋଲି ମୁଁ ହିସାବନିକାଶ କରି ପାରିବି ନାହିଁ, ଆଣ୍ଠେଇ ପଡ଼ିବି, ଏଭଳି ରାୟ ଦିଅନ୍ତୁ ନାହିଁ ।

 

ଆଚ୍ଛା ହେଉ ବାଧ୍ୟହୋଇ ମୋ’ ସାହିତ୍ୟକୁ ନେଇ କେଇଟା କଥା କହୁଛି ତା’ର ଦୋଷଗୁଣ ବାଦେ, ଯେଉଁଥିରୁ ଆପଣ ବୁଝିବେ ଯେ ମୁଁ ପାରିବି । ମୋ’ ସାହିତ୍ୟ ମୋତେ ବାଧା ଦେଇପାରିବ ନାହିଁ ।

 

ପ୍ରଥମେ ପ୍ରଶ୍ନ ହେଲା ଯେ, ସାହିତ୍ୟ କ’ଣ ଗୋଟିପଣେ ଜୀବନର ଦର୍ପଣ ଯେ ମୋର ଏଥିରେ ଯାହା ନାହିଁ ସେଥିରେ ନୋହିବ ବୋଲି ଆପଣ ମୁଣ୍ଡ ହଲେଇବେ ? କୋଉ ଫାଳେ ଚେନାଏ ‘‘ସୁଲଭ ଓ ସାମାନ୍ୟ କାଠିକୁଟା’’କୁ ଦେଖି ନିରେଖି ଏଇ ତ ଜୀବନ ବୋଲି ଭାବିବା ପାଗଳାମୀ ନୁହେଁ କି ? ପୁଣି ଅନୁଭୂତିର ସେଇ ଅରାକରେ ଏତେ ବିଚ୍ୟୁତି, ବିକୃତି, ଅସାମଞ୍ଜସ୍ୟ ତେଣୁ ଏତେ ଅଗଣିତ ଏବଂ ପରସ୍ପର ବିରୋଧୀ ସତ୍ୟର ଦ୍ୟୋତନା ଯେ ଲେଖକ ବିଚରା କରିବ କଅଣ ? କଲମ ଛାଡ଼ି ବସିଯିବ ? ନା ଯେତେଟା ପାରେ ଫ୍ରେମ୍‌ରେ ବାନ୍ଧି ଦର୍ପଣ ତିଆରି କରିବ-? କହିବ ଏଇ ମୋର ସାହିତ୍ୟ ଜୀବନ ଭଳିଆ ? ଆତ୍ମପ୍ରକାଶର ଅଭିଳାଷଟିକ ଛାଡ଼ିଦେଇ ଆତ୍ମଦାନ ଆତ୍ମାଧ୍ୟାନ, ଇତ୍ୟାଦିର ପନ୍ଥା ଧରିପାରିଲେ ଭିନ୍ନ କଥା, ସେ ବିଷୟରେ ପରେ କହିବି-। କିନ୍ତୁ ପନ୍ଥା ନ ବଦଳେଇବା ଯାଏଁ କଲମ ରଖିଦେଇ ଆଉ କୌଣସି ଅସ୍ତ୍ର ହାତକୁ ନେଲେ କିଛି ଅଧିକା ହେବ କି ? ଲାଓନେଲ ଟ୍ରିଲିଙ୍ଗ୍‌ କହିଛନ୍ତି ପରା-ମାନବର ସମସ୍ତ କାର୍ଯ୍ୟକଳାପ ଭିତରେ କେବଳ ସାହିତ୍ୟ ହିଁ ଜୀବନର ବିଭିନ୍ନତା, ଜଟିଳତା, ଯାତନା ଓ ସମ୍ଭାବନାର ଟିକିନିଖି ସମ୍ପୂର୍ଣ୍ଣ ହିସାବ ଦେଇପାରିବ । ମୁଁ ତାଙ୍କ ଦାମ୍ଭିକତାର ପକ୍ଷପାତୀ ନୁହେଁ । କିନ୍ତୁ ଆଉ କେଉଁ ଉଦ୍ୟମ ଅଛି ଯେଉଁଥିରେ ‘‘ମନେହେବ ଏଇ ମୋର ସତ୍ତା, ମଣିଷର ସଂସାରକୁ ଏଇ ସମ୍ପୂର୍ଣ୍ଣତା-?” ଅତଏବ ଦର୍ପଣ ତିଆରି କର । କିନ୍ତୁ ତାକୁ ଟିକିଏ ତେଢ଼ା କରି ଧର, ଯେମିତିକି ଜୀବନକୁ ପାଇଲି ନାହିଁ ତ ବୋଲି ମନ ଖରାପ ହେବ ନାହିଁ; ବରଂ ମଜା ଲାଗିବ । ସେକ୍‌ସପିଅରଙ୍କ ହ୍ୟାନ୍‌ଲେଟ୍ ଠିକ୍ ବୁଝିଥିଲେ । କହିଲେ, ନାଟକ ଏମିତି ହେବା ଉଚିତ୍‌ ଯେ ସତେ ପ୍ରକୃତିକୁ ଦର୍ପଣ ଦେଖେଇଲା ପରି ମନେହେବ (hold as it were the mirror upto Nature...) । ମାନେ ଥାଉ ଟିକିଏ ଛଳନା, ନିପାରିଲାପଣର ଅନ୍ଦାଜ । ସେକ୍‌ସପିଅରଙ୍କଠାରୁ ଆଜିଯାଏ ଦର୍ପଣ ଆହୁରି କେତେ ତେଢ଼େଇ ଗଲାଣି ତା’ର ପ୍ରମାଣ କ’ଣ ମୋତେ ଦେବାକୁ ପଡ଼ିବ ? ତେଣୁ ପ୍ରଣବ ଅଶୁଦ୍ଧ ଅଥଚ ଅନିବାର୍ଯ୍ୟ ସାହିତ୍ୟ ସୃଷ୍ଟିର ବିଫଳତାକୁ ନେଇ (ଯଦି ବିଫଳତା ହୋଇଥାଏ) ମୋର ହିସାବନିକାଶ ଉଦ୍ୟମକୁ ହସି ଉଡ଼େଇଦେବା ଉଚିତ୍ ହେବ କି ?

 

ଦ୍ୱିତୀୟରେ ମୁଁ କ’ଣ ପ୍ରକୃତରେ ଆପଣଙ୍କୁ ଅଥବା ମୋର ଚରିତ୍ରମାନଙ୍କୁ ଏଭଳି ଦୁଃଖ ଦେଇଛି ଯେ ମୁଁ ଆପଣମାନଙ୍କ ଶୁଭେଚ୍ଛା ପାଇବାର ଅଯୋଗ୍ୟ ? ଯଦି ଆପଣଙ୍କ ଆତ୍ମସନ୍ତୋଷରେ ବାଧା ଆସିଲା, ସେଇ ଅସନ୍ତୋଷ କ’ଣ ଆପଣଙ୍କୁ ହିସାବ ମିଳେଇବାକୁ ଉସ୍‌କେଇ ନାହିଁ ? ଯେ ଆଚ୍ଛା ହେଉ, ଅସଲ ଜିନିଷଟି କଅଣ ପରଖିଲେ ହୁଅନ୍ତା, ମାନି ନେଇଥିବା ସତକୁ ଟିକିଏ ତଳେଇ ଦେଖିଲେ ହେବ ଅବଶ୍ୟ ଆଜି ନୁହେଁ, ପରେ । ଆଜି ନୁହେଁ ପରେ କରୁ କରୁ ବୋଧହୁଏ ଏମିତି ଗୋଟାଏ ଦିନ ଆସିବ ଯେ ହିସାବନିକାଶର ଠେଲାକୁ ସମ୍ଭାଳି ହେବ ନାହିଁ-। ମୁଁ ସଂଖ୍ୟାଗରିଷ୍ଠ ସେମାନଙ୍କ କଥା କହୁ ନାହିଁ, ଯେଉଁମାନେ ପଢ଼ିସାରି ଟିକିଏ ହସିଦେଲେ, ବୋଧହୁଏ ଭଲ ଲାଗିଲା, ଟିକିଏ ଓଠ ନେଫଡ଼େଇଲେ; ବୋଧହୁଏ ପସନ୍ଦ ହେଲା ନାହିଁ ଏବଂ ଆପଣା କାମରେ ଲାଗିଲେ । କହିଲେ ଗପଫପରେ ଏମିତି ଲେଖାଯାଏ ଏବଂ ମ୍ୟାନ୍ୟବର ସେମାନଙ୍କ କଥା କହୁନାହିଁ, ଆମ ନେତା ପିତା ସମାଜପତି ଓଗେର, ଯେଉଁମାନେ ଏଭଳି ସାହିତ୍ୟର ଘୋର ବିରୋଧୀ, କାହିଁକି ନା ଏଥିରେ ପ୍ରଗତିର ପ୍ରଚୋଦନା ନାହିଁ । ମୁଁ କେବଳ ନ୍ୟୁନତମ ସେଇମାନଙ୍କ କଥା କହୁଛି ଯେଉଁମାନେ କଷ୍ଟ ପାଇଛନ୍ତି । ଆପଣମାନେ, ଏବଂ ମୋର ପ୍ରିୟ ଚରିତ୍ରବର୍ଗ । ସତେ ଯଦି କଷ୍ଟ ପାଇଛନ୍ତି, ମୋର ଧାରଣା ଯେ ଆପଣମାନେ ଦିନେ ନା ଦିନେ ହିସାବନିକାଶ କରିବାକୁ ଚାହିଁବେ, ନିଜ ଭାବରେ (ଲେଖାକାର ନ ହେଲେ ନାହିଁ) ଏବଂ ସେବକୁ ମୋତେ ମନେ ପକେଇବେ ।

 

ତୃତୀୟରେ ଆପଣ ମୂଳରୁ ମୋତେ ବିଗାଡ଼ି ଦେଇଛନ୍ତି । ସେଇଥିପାଇଁ ମୋତେ ରାଗ ଲାଗୁଛି । ଏଇକ୍ଷଣି ମୋ ସାହିତ୍ୟର ଦୋଷତ୍ରୁଟି ଅପୂରଣ ଦେଖେଇଲେ ଲାଭ ନାହିଁ, ନେଡ଼ିଗୁଡ଼ କହୁଣିକୁ ବୋହିଯାଇଛି । ଥରେ ହେଲେ ଯଦି କହିଥାଆନ୍ତେ ଯେ ମୁଁ ସାହିତ୍ୟର ଅଯୋଗ୍ୟ; ତା’ହେଲେ ମୁଁ ମାନେ ମାନେ ଖସି ଯାଇଥାଆନ୍ତି । ଟ୍ରିଲିଂଗ୍ ସଂପ୍ରଦାୟଙ୍କୁ ଅଗ୍ରାହ୍ୟକରି ଅନ୍ୟ ବାଟରେ ଯାଇଥାଆନ୍ତି । ହୁଏତ ଆତ୍ମଦାନ; ଆତ୍ମଧ୍ୟାନ, ଆତ୍ମବିଲୟ....କିଏ ଜାଣିଛି ? ସାହିତ୍ୟର ସିଡ଼ି ଚଢ଼ି ଧକେଇ ନ ଥାଆନ୍ତି, ଅଙ୍କ କଷାର ଗଣ୍ଡଗୋଳରେ ପଡ଼ି ନ ଥାଆନ୍ତି । ହିସାବ ନିକାଶକୁ ପଚାରେ କିଏ, ଆପଣାକୁ ଲଭି ଥାଆନ୍ତି । ଛାଡ଼ନ୍ତୁ, ସେ କଥା ତ ହେଲା ନାହିଁ । ତେଣୁ ବର୍ତ୍ତମାନ କହିବାକୁ ପଡ଼ୁଛି ଯେ ମୋ ସାହିତ୍ୟ ଭଲ, ମୋ ଅଙ୍କକଷା ଭଲ, ସେସବୁକୁ ନେଇ କିମ୍ବା ସେସବୁ ସତ୍ତ୍ୱେ ମୋତେ ହିସାବନିକାଶ କରିବାକୁ ଦିଅନ୍ତୁ । ଧନ୍ୟବାଦ ।

 

ଧନ୍ୟବାଦ । ମୁଁ ମୋ କାମ ଆରମ୍ଭ କରି ସାରିଲିଣି । କହିବାକୁ ଗଲେ ଅଧାବାଟରେ ପହୁଞ୍ଚିଲିଣି । ଆରେ ଅଧାବାଟ କ’ଣ ମ ? ମୋ କାମ ସରିଗଲାଣି ଦେଖୁନାହାନ୍ତି ? ଶେଷଯାଏଁ ଦଣ୍ଡ ପେଲିବା ଦରକାର ନାହିଁ, ସର୍ବନିମ୍ନ ଡବଲଗାର କାଟି ଦସ୍ତଖତ୍ ମାରିବା ଅନାବଶ୍ୟକ । ଅଭିଜ୍ଞ ଲେଖାକାର ଯେତେହେଲେ ମୋତେ ସବୁ ଜଳ ଜଳ ହୋଇ ଦିଶିଯାଉଛି । ଅଙ୍କ ମିଳି ଯାଇଛି । ସମ୍ପତ୍ତି (assets) ଯେତିକି, ବିପତ୍ତି (liabilities) ଯେତିକି, ସମାନ-ସମାନ । ମାର୍କ ମିଳିବ ଶହେରୁ ଶହେ, କାହାର ସାଧ୍ୟ ନାହିଁ ଗୋଟାଏ ମାର୍କ କାଟି ପାରିବ ।

 

ରୁହନ୍ତୁ, ରୁହନ୍ତୁ । ବହ୍ୱାଡ଼ମ୍ବରେ ଲଘୁକ୍ରିୟା, ଅଯଥାରେ ଆପଣଙ୍କର ସମୟ ନଷ୍ଟ ହୋଇଗଲା ଭାବି ପଳେଇ ଯାଆନ୍ତୁ ନାହିଁ । ମୋର ଆଉ କିଛି କହିବାର ଅଛି ।

 

ଅଙ୍କ ମିଳିଗଲା ସିନା, ତା’ ଭିତରେ ଗୋଟାଏ ରହସ୍ୟ ରହିଗଲା । ରହସ୍ୟ ଫିଟେଇବାକୁ ପଡ଼ିବ, ନ ହେଲେ ମୁଁ ଆପଣଙ୍କ ଠାରେ ଦୋଷୀ ହେବି । ତା’ଛଡ଼ା ସମାପ୍ତିର ଶେଷକଥାର ଏତେବଡ଼ ବୋଝ ମୁଁ ଏକୁଟିଆ ମୁଣ୍ଡେଇ ପାରିବି ନାହିଁ ।

 

ଆନନ୍ଦ କରିବି କି ଭୋ’ ଭୋ’ ହୋଇ କାନ୍ଦି ଉଠିବି ଜାଣେ ନାହିଁ । ବର୍ତ୍ତମାନର ଅନୁଭବର କେବଳ ଏକ ସ୍ତବ୍‌ଧତା । ଅପାର ଅଗମ୍ୟ । ଫିଟେଇ କରି କହୁଛି ଶୁଣନ୍ତୁ ମୋର ସମ୍ପତ୍ତିର ସବୁଠାରୁ ଭାରୀ ଅଙ୍କ ଯାହାକି ବାଲାନ୍‌ସ-ସିଟ୍‌ର ସର୍ବପ୍ରଧାନ ଆଇଟେମ୍ ଏବଂ ହିସାବନିକାଶର ଫଳାଫଳ, ହେଉଛି ‘‘କ୍ଷତି’’ । ଚମକି ପଡ଼ନ୍ତୁ ନାହିଁ, ଲେଖାଶାସ୍ତ୍ର ଅନୁଯାୟୀ ଅବଶେଷ ଲାଭ ବିପତ୍ତି ଖାତାକୁ ଯିବ ଏବଂ ଅବଶେଷ କ୍ଷତି ସମ୍ପତ୍ତି ଖାତାକୁ ଆସିବ । ମୋର ସେଇ ସମ୍ପତ୍ତି କାହିଁରେ କ’ଣ । ଯେହେତୁ ବାକିତକ ଦୀନହୀନ ଦୟନୀୟ । ଅଙ୍କ ମିଳେଇବାକୁ ହେଲେ, ବିପତ୍ତିର ମୋଟ ଅଙ୍କ ସାଙ୍ଗରେ କାନ୍ଧ ମିଳେଇବାକୁ ହେଲେ ଅନ୍ୟ କିଛି ଉପାୟ ନ ଥିଲା-

 

ଭାବୁଛି ପୁଣି ଥରେ ପ୍ରତି ଆଇଟେମ୍‌କୁ ଦେଖିବି । ଶଠତାର ପାଖ ମାଡ଼ିବି ନାହିଁ; କିନ୍ତୁ ମୋର ଗଦା ଗଦା ସୁଖୀ ଭାଇବନ୍ଧୁ କୁଟୁମ୍ବ ସହକର୍ମୀ ସହନାଗରିକ ଯାହା କରି ଆସିଛନ୍ତି ଏବଂ ସେଇଥିପାଇଁ ସୁଖୀ, ତାଙ୍କର ପନ୍ଥା ଅନୁସରଣ କରିବି । ଜୀବିତ ଜୀବନର ବି କ୍ରିୟାକଳାପ ତଥା ଭାବଭାବନାକୁ ବିପତ୍ତି ଖାତାରୁ କାଢ଼ି ଆଣି ଆର ପାଖରେ ଥୋଇବାକୁ ହେଲେ କେତେଗୁଡ଼ିଏ ଚିରାଚରିତ ଏବଂ ସର୍ବସମ୍ମତ ସଫେଇର ସାହାଯ୍ୟ ନେବାକୁ ପଡ଼ିବ । ଯଥା–

 

ସଂସାରଟା ସେଇଆ, ମୁଁ ସାଧୁ ହେଲେ କଅଣ ହେବ ?

 

(ଗୋଠଖଣ୍ଡିଆ ଅଶ୍ଳୀଳତା)

 

ଆହା ! କିଛି କରିବା ଉଚିତ୍‌,

 

କିନ୍ତୁ ମୋର କାମରୁ ଫୁରୁସତ କାହିଁ ?

 

(ବିଶ୍ରମ୍ଭାଳାପକୁ ନଷ୍ଟ କରିବା: ନିଷ୍ଠୁରତା)

 

ମୁଁ କ’ଣ ଗାନ୍ଧୀ ହୋଇଛି ନା ରାମକୃଷ୍ଣ ?

 

(ଯାହାକୁ ପୂଜା କରିବ,

 

ତାଙ୍କ ପରି ହେବାକୁ ବସିବା : ମୂର୍ଖତା)

 

ମଣିଷ ଯୋଡ଼ାଏ ଦିନ ବଞ୍ଚିବ, ଟିକିଏ ମଉଜ କରିବ ନାହିଁ ?

 

(ମଉଜର ଭଲମନ୍ଦ ଖୋଜିବା : ଅସଭ୍ୟତା)

 

ଭାବନାରେ ଯାହା କଲି ନ କଲି କାହାର କ’ଣ ଯାଉଛି ?

 

ମୋଟ ଉପରେ ଏତେ ଭାବିବ କାହିଁକି ଯେ ?

 

(ବାଚାଳତା)

 

ନା, ହଉ ନାହିଁ ଏବଂ ବିଧ ସଫେଇମାନଙ୍କୁ କର୍ମ କଲାବେଳେ ବ୍ୟବହାର କରିଥିଲି । କିନ୍ତୁ ହିସାବନିକାଶ କଲାବେଳେ ପାରି ଉଠୁ ନାହିଁ । କଲମ ଅଟକି ଯାଉଛି । ଶାସ୍ତ୍ର ଆଖି ଦେଖୋଉଛି ।

 

ଛାଡ଼ନ୍ତୁ ମୋତେ ମୋର ‘‘ସମ୍ପତ୍ତି’’କୁ କୁଣ୍ଢେଇ ଧରିବାକୁ ପଡ଼ିବ, ଜୀବନ ସରିବା ଯାଏଁ । କାହାରି ସାହାଯ୍ୟ ଲୋଡ଼ା ନାହିଁ । ମନେପଡ଼ୁଛି, ଲେଖାଶାସ୍ତ୍ର ଶିଖିଲାବେଳେ ଅବଶେଷ କ୍ଷତିକୁ ସମ୍ପତ୍ତି ବୋଲି ଧରିନେବାର ଅଦ୍‌ଭୁତ ନିୟମ ମୋଟେ ବୁଝି ହେଉ ନ ଥିଲା । ଆମ ମାଷ୍ଟରଙ୍କୁ ପଚାରିବାରୁ ସେ ତା’ର କାରଣ ବତେଇଦେଲେ । ବିଚିତ୍ର କାରଣ । କହିଲେ ଅବଶେଷ କ୍ଷତି ହେଲା ମାଲିକର, ବ୍ୟବସାୟର ନୁହେଁ । ବ୍ୟବସାୟ ତରଫରୁ ମାଲିକକୁ ଆହ୍ଵାନ (କହିପାର ମିନତି ପ୍ରାର୍ଥନା) ଯେ ଏବକୁ ଦାୟିତ୍ଵ ତୁମର, ମୋର ନୁହେଁ । ମୋତେ ସୁଧାରିଦିଅ, ଡୁବେଇ ଦିଅ, ଯାହା କରୁଛ କର । ତୁମ ଉପରେ ଅଧିକାର ଜମେଇବାର ଏଇ ଆନନ୍ଦ ହେଉଛି ମୋର ସମ୍ପତ୍ତି । ଅବଶେଷ ଲାଭ ହୋଇଥିଲେ ଫଳ ବିପରୀତ ହୋଇଥାଆନ୍ତା । ମାଲିକ ବ୍ୟବସାୟ ଉପରେ ଚଢ଼ାଉ କରିଥାଆନ୍ତା, ଯେ ଲାଭକୁ ଖଟେଇବାର ବଢ଼େଇବାର ମୁଣ୍ଡବଥା ତୋର ସମ୍ଭାଳ ଏଥର । ଊର୍ଦ୍ଧ୍ୱରେ ଥାଇ ମୃଦୁ ମୃଦୁ ହସିଥାଆନ୍ତା । କିନ୍ତୁ ଏଇକ୍ଷଣି ସେ କାନ୍ଦିବ ।

 

ମୋ’ ମାଲିକ କାନ୍ଦିବ ମୋ’ ପାଇଁ । ସେଇଠୁଁ ମୋତେ ସୁଧାରିନେବ, ଏ ଜନ୍ମରେ କି ଆର ଜନ୍ମରେ, ଅବା ଡୁବେଇଦେବ ତା’ର ସମୁଦ୍ରରେ ଆକାଶରେ ରଙ୍ଗରାସରେ ସେଇ ଜାଣେ । କବି ୟିଟ୍‌ସ କହିଲେ ପ୍ରଥମେ ଜୀବନକୁ ଟ୍ରାଜେଡ଼ି ବୋଲି ଭାବିଲେ ଯାଇଁ ମଜା ଆସିବ । ଯୀଶୁଖ୍ରୀଷ୍ଟ କହିଲେ ପ୍ରଥମେ ପାପ କରିଛ ବୋଲି ଭାବିଲେ ଯାଇଁ ଯୋଉ କଥା । ବୁଦ୍ଧ କହିଲେ ପ୍ରଥମେ ଦୁଃଖ ପାଉଛ ବୋଲି ଭାବିଲେ ଯାଇଁ... ଇତ୍ୟାଦି । ସନାତନ ଧର୍ମ କହିଲା ଅନ୍ଧାରରୁ ଆଲୁଅ, ମୃତରୁ ଅମୃତ । ମୁଁ କାହିଁକି ଶୁଣିବି ସେମାନଙ୍କ କଥା ? ମୁଁ ମୋର କେତେ କଷ୍ଟରେ ଏଇ ସମ୍ପତ୍ତି ଗଢ଼ିଛି, ଜନ୍ମଜନ୍ମାନ୍ତରର କଳୁଷରେ ଚାଦର ମଇଳା କରି ଥୋଇଛି, ତାକୁ ଦେବି ବୋଲି । ମୋର ମୋଟେ ସଙ୍କୋଚ ନାହିଁ ଯେ–

 

ମୈଲୀ ଚାଦର ଓଢ଼କେ କୈସେ ଦ୍ୱାର ତୁମହାରେ ଆଉଁ

 

ଜନମଜନମକୀ ମୈଲୀ ଚାଦର କୈସେ ଦାଗ ଛୁପାଉଁ...

 

ସେ ନିଜେ କହିଛି ପରା–ମତ୍‌କର୍ମକୃନ୍‌ ମତ୍‌ପରମୋ ମଦ୍‌ ଭକ୍ତ... ଯଃ ସମାମେତି ପାଣ୍ଡବ । ମୁଁ କ’ଣ ତା’ କାମ କରି ନାହିଁ ଯେ ମୋତେ ତା’ ପାଖକୁ ଯିବାକୁ ଡର ଲାଗିବ ?

 

ଆହା ଚାଦର ତ ତାଆରି । ସେଇ ବିଚରା କଷ୍ଟ ପାଇବ ଆଉ ମୋତେ ଲୋଡ଼ିବ । ବୁଝିବ ଯେ ମୋତେ ତାରିବା ମାରିବା ଛଡ଼ା ତା’ର ଅନ୍ୟ ଗତି ନାହିଁ । ମୁଇଁ ତା’ର ଗୁମାସ୍ତା, ଲେଖାକାର, ଲେଖକ । ମୋତେ ନ ନେଇ ସେ ଯିବ କୁଆଡ଼େ ?

Image

 

ଭାବ ଭାବନା

 

ଭାବନାରେ ଯାହା ନ କଲି କାହାର କ’ଣ ଯାଉଛି ?

 

(ନିଜ ଭାବନାର ଯାଞ୍ଚ କରିବା; ଆତ୍ମହତ୍ୟା)

 

ମୋଟ ଉପରେ ଏତେ ଭାବିବ କାହିଁକି ଯେ ? (ବାଚାଳତା)

 

ଉପରୋକ୍ତ ସ୍ଵଗତ ସଂଳାପ ‘‘ଝଙ୍କାର’’ର ୧୯୮୪ ବିଷୁବ ସଂଖ୍ୟାରେ ପ୍ରକାଶିତ ମୋର ପ୍ରବନ୍ଧ ‘‘ହିସାବ ନିକାଶ’’ରେ ଦେଖିବାକୁ ପାଇବେ । ସେଇଥିରୁ ଏଇ ପ୍ରବନ୍ଧର ଖିଅ ବାହାରିଛି । ଭାବିଲି ଯେ ଭାବନାର ଭଲମନ୍ଦ ନେଇ ତର୍କଟି ମାରାତ୍ମକ; ତାକୁ ଚପଳ ଚତୁର ପ୍ରଶ୍ନୋତ୍ତରରେ ଉଡ଼େଇ ଦେଲେ ଚଳିବ ନାହିଁ । ସେ ବିଷୟରେ ବିସ୍ତାରିତ ଆଲୋଚନା ଆବଶ୍ୟକ ।

 

ତା’ର ପ୍ରଧାନ କାରଣ ହେଉଛି ମୁଁ ନିଜେ । ହଁ ସେଇ ତ ସବୁ ଅନର୍ଥର ମୂଳ ! କଥା ହେଉଛି କ’ଣ କି ପିଲାଦିନୁ ମୁଁ ଅନ୍ୟମନସ୍କ, ତେଣୁ ଭାବୁକ ହିସାବରେ ଗଣା । ତଦ୍ଦ୍ୱାରା ମୋର ମାନ ବଢ଼ିଗଲା ବୋଲି କୁହନ୍ତୁ ନାହିଁ । ମୂଳରୁ ମୋତେ ଜଣେଇ ଦିଆ ହୋଇଛି ଯେ ମୋର ଏଇ ଭାବୁକପଣ ଗୋଟାଏ ରୋଗ । ଯେ ସାହି ପଡ଼ିଶାଙ୍କ ଧାରଣା ମୁଁ ଏକବାଗିଆ, ଚୋର ମୁହାଁ, ମାଇଚିଆ, ବୋକା, ଇତ୍ୟାଦି । ମୋଟ ଉପରେ ସୁଖୀ ଏବଂ ସଭ୍ୟସମାଜର ପଙ୍ଗତରେ ବସିବା ପାଇଁ ଯୋଗ୍ୟ ନୁହେଁ । ମୋତେ ଏ ଢଙ୍ଗ ଛାଡ଼ିବାକୁ ପଡ଼ିବ, ନହେଲେ ମୁଁ ଭକୁଆ ହୋଇ ଚାହିଁ ରହିଥିବି ଓ ମୋର ସାଙ୍ଗସାଥୀମାନେ ରଜା ହୋଇ ବସିବେ । ଥୋକେ ପ୍ରବୋଧନା ଛଳରେ ବାପ ମାଆଙ୍କୁ ସାନ୍ତ୍ୱନା ଦିଅନ୍ତି-ଦୁଃଖ କର ନାହିଁ, ତମ ପୁଅ ଗୋଟିଏ କବି ହେବ ନ ହେଲେ ଦାର୍ଶନିକ । ବାପ ମାଆ କହନ୍ତି–ହଃ ! ଯାହାହେଉ ମୁଁ ଯଥାକ୍ରମେ ପାଠଶାଠ ପଢ଼ି ଭଲ ଚାକିରି କଲାରୁ ବାପ ମାଆଙ୍କ ଆଶଙ୍କା ଦୂରୀଭୂତ ହେଲା ଏବଂ ସତସତିକା ଲେଖକ ବୋଲାଇବା ପରେ ସେମାନଙ୍କୁ ଅଳ୍ପ ବହୁତ ଗର୍ବ କରିବାର ସୁବିଧା ମିଳିଲା । ଏପରିକି ତାଙ୍କ ପୁଅ କେମିତି ଦି’ପତ୍ରରୁ ବାସୁଥିଲା, ଅନ୍ୟମାନେ ପିଲାଖେଳ ଖେଳିଲା ବେଳେ ସେ କେମିତି ଆକାଶକୁ ଚାହିଁ ରହୁଥିଲା; ଅର୍ଥାତ୍ ‘ବଡ଼ ବଡ଼ କଥା’ ଭାବୁଥିଲା, ତା’ର ଉଦାହରଣ ଦେବାପାଇଁ ମଧ୍ୟ ସେମାନେ ମଧ୍ୟ କୁଣ୍ଠାବୋଧ କଲେ ନାହିଁ ।

 

କିନ୍ତୁ ଭାବୁକତା ମୋର ରୋଗ ନୁହେଁ, ଅତିମାନସର ପରିଚାୟକ, ଏଭଳି ଅହମିକା ଗଜାରୁ ମରିଗଲା । କାରଣ ରୋଗ ମୋର ସାହିତ୍ୟକୁ ଡେଇଁଲା । ମୋର ଭାବୁକ ଚରିତ୍ରମାନେ ଯଥେଷ୍ଟ ପ୍ରଶଂସା ପାଇଛନ୍ତି, ସନ୍ଦେହ ନାହିଁ କିନ୍ତୁ ତାଙ୍କୁ ମଧ୍ୟ ପ୍ରକାରାନ୍ତରେ କୁହା ହୋଇଛି ଯେ ସେମାନେ ଏକବାଗିଆ, ତେଣୁ ସମାଜର ପ୍ରତିନିଧି ନୁହଁନ୍ତି । ସାଧାରଣ ପାଠକମାନେ କହିଲେ-ଏତେ ବସି କିଏ ଭାବୁଥାଏ ମ ? କାହାର କିଛି କାମ ନାହିଁ ? ପଣ୍ଡିତ ସମାଲୋଚକ କେତେ ଜଣ ଉଦାରତା ପୂର୍ବକ କହିଲେ ଯେ ତୁମେମାନେ ସଚରାଚର ଚରିତ୍ରମାନଙ୍କ ପରି ଲମ୍ବା ଚଉଡ଼ା ନ ହୋଇ ଗହୀରିଆ । ବସ୍ତୁତଃ କାମିକା ନୁହଁ, ଖୁସିବାସିଆ ନୁହଁ କି କାନ୍ଦୁରା ନୁହଁ । ମୋଟ ଉପରେ ଆଖି ଦୁରୁଶିଆ ନୁହଁ; ତଥାପି ଆମେ ତୁମକୁ ସଭାରେ ବସେଇବା ପାଇଁ ପ୍ରସ୍ତୁତ, କିନ୍ତୁ ଦୟାକରି ଦୂରେଇ ହୋଇ ବସ । ତୁମେ ଆତ୍ମ ସଚେତନ, ତୁମେ ଭିନ୍ନ । ଆତ୍ମ ସନ୍ଦିଗ୍‌ଧ, ଆତ୍ମ ବିଦଗ୍‌ଧ, ଆତ୍ମଦୁଷ୍ଟ.... ଯେତ ଚମତ୍କାର ହେଲେ ମଧ୍ୟ ଭିନ୍ନ ! ଭିନ୍ନ, ଭିନ୍ନ, ଭିନ୍ନ ! ଶେଷକୁ ମୋର ମନେହେଲା ଯେ କିଏ ପ୍ରଶଂସା କରୁ କି ନିନ୍ଦା କରୁ, ସମସ୍ତେ ସେଇ ଏକା କଥା କହୁଛନ୍ତି । ଯେ ଏଇ ଭିନ୍ନତା ହିଁ ରୋଗ । ପିଲାଦିନୁ ଆଜି ଯାଏଁ କିଛି ବଦଳି ନାହିଁ ।

 

ରୋଗ ନିହାତି ପୁରୁଣା ହୋଇଗଲାଣି, ଏଣୁ ତା’ର ପ୍ରତିକାର ନାହିଁ ବୋଲି କହିବା ଅନୁଚିତ । ପରିଣତି ବୟସରେ ମଧ୍ୟ ନିଶ୍ଚେଷ୍ଟତା ଶୋଭାପାଏ ନାହିଁ । କିନ୍ତୁ ଏତେଦିନର ଅନ୍ତରଙ୍ଗ ସାଥୀଟିକୁ ତଡ଼ିଦେଲା ପୂର୍ବରୁ ଭାବିବାକୁ ପଡ଼ୁଛି-ଇଏ କ’ଣ ସତରେ ଗୋଟାଏ ରୋଗ ?

 

ଆପଣମାନେ ତତ୍‌କ୍ଷଣାତ୍‌ କୁରୁଳି ଖାଇବେ, ଆଙ୍ଗୁଳି ଦେଖେଇବେ-ଏଇ ଦେଖ, ପ୍ରମାଣ ହାତେ ହାତେ । କିଓ, ରୋଗ ବୋଲି ଦୁନିଆ କହୁଛି, ଶୁଣିଲେ ବାଧୁଛି ତୁମକୁ; ତଥାପି ଭାବିବାକୁ ପଡ଼ୁଛି ! ଧନ୍ୟ ତୁମେ ଆଉ ତୁମର ଭାବନା !

 

ହଉ, ଯାହା କହିକାର କୁହନ୍ତୁ । କିନ୍ତୁ ଦୟାକରି ଟିକିଏ ଶୁଣନ୍ତୁ ମୋ ଭାବନାର କଥା । ଆପଣଙ୍କର ସଫଳ କର୍ମମୟ ଜୀବନର ‘ବିଫଳତା’ର ଉଦାହରଣଟିକ ହୁଏତ ଆପଣଙ୍କର କାମରେ ଲାଗିବ ।

 

ବିଫଳତା । ଭାବିବାର ମାନେ ବିଫଳତା । ଭାବିବା ମାନେ ହିଁ ବିଫଳତା । ଜଣେ ବିଦେଶୀ ପଣ୍ଡିତ ଏଭଳି ଏକ ମନ୍ତବ୍ୟ ଦେଇଛନ୍ତି । ତାଙ୍କ କହିବାର ଉଦ୍ଦେଶ୍ୟ ହେଉଛି ଯେ ଆତ୍ମରକ୍ଷା ପାଇଁ ଯେଉଁ ବୁଦ୍ଧି ଆବଶ୍ୟକ ତାହା ବିଜୁଳିପରି ଆସେ ଯାଏ । ତା’ରି ଝଲକରେ ଛାଟିପିଟି ହୋଇ ପଳେଇଯାଅ ଅବା ଗାଉଁକିନି ମାଡ଼ିବସ । ପଶୁପକ୍ଷୀମାନେ ଯାହା କରିଥାଆନ୍ତି, ତେଣୁ ନିମେଷରେ ମରନ୍ତି କିମ୍ବା ତରିଯାଆନ୍ତି । ବୁଦ୍ଧି ବିଚାରକୁ ଲମ୍ବେଇ କରିବି-କି-କରିବି ନାହିଁର ଦ୍ୱିଧା ଓ ଜଡ଼ତାରେ ହନ୍ତସନ୍ତ ହୁଅନ୍ତି ନାହିଁ । ପ୍ରବୃତ୍ତିରୁ ଯେଉଁ ବୁଦ୍ଧି (intelligence) ଉପୁଜେ, ସେଇଯାଏଁ ଭଲ; ସେଇଠୁ ଦୂରକୁ ଯିବା, ବୁଦ୍ଧିକୁ ବସି ଖେଳିବା ଖେଳେଇବା ବୁଦ୍ଧିମାନର କାର୍ଯ୍ୟ ନୁହେଁ । ତାକୁ କୁହନ୍ତି ଚିନ୍ତା (intellect)ର ଅକାମ, ହ୍ୟାମ୍‌ଲେଟ୍‌ ପଣିଆ । ବିଫଳତାର ପାସ୍‌ପୋର୍ଟ ।

 

କିନ୍ତୁ ଉପାୟ କଅଣ ? ପୃଥିବୀର କେତୁଟା ଲୋକ ପଶୁପକ୍ଷୀମାନଙ୍କ ପରି ପ୍ରତ୍ୟୁତ୍‌ପନ୍ନମତି ହୋଇପାରିବେ ? ହେବା ଦୁଷ୍କର, କାରଣ ଆମ ବୁଦ୍ଧିରେ ଅତୀତର ସ୍ମୃତି ଓ ଭବିଷ୍ୟତର ସ୍ୱପ୍ନ । ଅନୁଭୂତିଜନିତ ଲୋଭ ତଥା ଭୟ ଲାଖି ରହିଛି । ଯେଉଁ ଭାଗ୍ୟବାନ୍ କେତେଜଣ ଏକା ନହସରେ ସେ ସମସ୍ତ ଉପାଦାନକୁ ଏକାଠି କରି ବୁଦ୍ଧିର ଲମ୍ଫ ଦେଇପାରନ୍ତି, ସେମାନେ ମୋର ନମସ୍ୟ । କିନ୍ତୁ ସେମାନେ କାହାନ୍ତି ? ସ୍ଵାମୀ ମୁକ୍ତାନନ୍ଦ କହିଥିଲେ ସ୍ମୃତିକୁ କାଟିଦିଅ, ବାତିଲ୍ କରିଦିଅ, ତାହାହେଲେ ଆମ ପୃଥିବୀ ପ୍ରତି ମୁହୂର୍ତ୍ତରେ ସୁନ୍ଦର ଦିଶିବ ଓ ତାକୁ ଗେହ୍ଲା କରିବାକୁ ଇଚ୍ଛାହେବ । ବୋଧହୁଏ କଥାଟା ସତ । ଆନନ୍ଦ, ପ୍ରେମ, ଇତ୍ୟାଦି ଅନୁକୂଳ ଭାବ (positive emotion) ଅତୀତର ସାହାଯ୍ୟ ମାଗେ ନାହିଁ, ଅପର ପକ୍ଷେ ଦୁଃଖ କ୍ରୋଧ ଆଦି ପ୍ରତିକୂଳ ଭାବ (negative emotion)ର ଉଦ୍ରେକପାଇଁ ଅତୀତର ବକଟେନାକୁ ଛାଇ, ଅଭିଜ୍ଞତାର ଧାପେ ଯଥେଷ୍ଟ; ଅର୍ଥାତ୍ କେବଳ କ୍ଷଣିକତାରେ ଭାବନା ଶୂନ୍ୟ ଭାବ ଏବଂ କେବଳ ସେଇଠି ଛାଇ ନାହିଁ, ତେଣୁ ଦୁଃଖ ନାହିଁ, ଦୁଃଖ ଆସିଲେ ବି ଚାହୁଁ ଚାହୁଁ ମିଳେଇଯାଏ, ସୁଖ ଚହଟି ଉଠେ । କ୍ରମଶୀଳତାର ଧାରଣା ଆସିଲାରୁ ଭାବନା, ଭାବନାରୁ ଗୌତମ ବୁଦ୍ଧ, ଜୀବନ ଦୁଃଖମୟ, ଇତ୍ୟାଦି । କିନ୍ତୁ ସ୍ୱାମୀଜୀଙ୍କ ଉକ୍ତି ସତ ହେଲେ ମଧ୍ୟ ମଣିଷ ପଶୁ, ପକ୍ଷୀ, ଅଥବା ଶିଶୁ ପରି ନୈସର୍ଗିକ ହୋଇପାରିବ କି ? ହେଲେ କେତେଜଣ ହୋଇପାରିବେ ? ତେଣୁ କହିଲେ ଭୁଲ ହେବ ନାହିଁ ଯେ ଖାଲି ଆତ୍ମରକ୍ଷା ନାମକ ମୌଳିକ ପ୍ରବୃତ୍ତିର ପୂର୍ତ୍ତି ପାଇଁ ମଧ୍ୟ ଅତୀତ-ଭବିଷ୍ୟତ ଗ୍ରସ୍ତ ମଣିଷ ଭାବନାକୁ ଛାଡ଼ିପାରିବ ନାହିଁ । ମାନେ ସେ ‘ଭାବିଚିନ୍ତି’ କାମ କରିବାକୁ ବାଧ୍ୟ । ତା’ର ସଂଜ୍ଞା ହୁଏତ ବିଫଳତା; କିନ୍ତୁ ବିଚରା ଯୁଗେ ଯୁଗେ ମନେକରି ଆସିଛି ଯେ ଏଇ ହେଉଛି ସଫଳତାର ବାଟ । ବୁଦ୍ଧିରୁ ଆଗକୁ ଗଲେ ବୈଦ୍ଧିକତା । intelligenceରୁ ବଳି intellect । ଉପାୟ କ’ଣ-?

 

ସେଇଠୁଁ ଆପଣ କହିବେ ଯେ ଧ୍ୟାତ୍, ଅଳ୍ପ ବହୁତ ଭାବିବାକୁ କିଏ ମନାକରୁଛି ? ମାନିବେ ଯେ କେବଳ ଆତ୍ମରକ୍ଷା ପ୍ରବୃତ୍ତିରେ ପୂର୍ତ୍ତି ପାଇଁ; ଅର୍ଥାତ୍ ଦୁର୍ନିର୍ବାର ଭୋକ ଓ ସେକ୍‌ସର ଦାବି ମେଣ୍ଟାଇବା ପାଇଁ ମଧ୍ୟ ମଣିଷ ପୂରାପୁରି ପଶୁପକ୍ଷୀମାନଙ୍କ ପରି ହୋଇପାରିବ ନାହିଁ । ଅତୀତ, ଭବିଷ୍ୟତ ଏବଂ ସମାଜର ମୁକାବିଲା କରିବାକୁ ପଡ଼ିବ, ଯେମିତିକି ଆଜିର ସୁଖ ହେତୁ କାଲି ଦୁଃଖ ଭୋଗିବାକୁ ପଡ଼ିବ ନାହିଁ । ମାଡ଼ ଖାଇବାକୁ ପଡ଼ିବ ନାହିଁ । ସେତିକି ଭାବନା କ୍ଷମଣୀୟ-

 

କିନ୍ତୁ ‘ସେତିକି’ର ସୀମା କେଉଁ ଯାଏଁ ? ଏଇ ଆତ୍ମଟିର ରକ୍ଷା କ’ଣ କେବଳ ନିଜକୁ ନେଇ ? ତାହାହେଲେ ମଣିଷ ସନ୍ତାନ ସନ୍ତତିଙ୍କୁ ନେଇ ଏତେ ଭାବେ କାହିଁକି ? ଆପଣ କହିବେ ଯେ ଆତ୍ମଜମାନେ ଆତ୍ମର ଅନ୍ତର୍ଗତ ପ୍ରିୟାପରିଣୀତାଙ୍କ ପାଇଁ ଭାବେ କାହିଁକି ? ଆପଣ କହିବେ ଯେ ଏହା ମଧ୍ୟ ମୌଳିକ ଯୌନ ପ୍ରବୃତ୍ତିର ଗୁଣ, କାହିଁକି ନା ସେକ୍‌ସରୁ ଭଲପାଇବା, ଭଲପାଇବାରୁ ଇପ୍‌ସିତାକୁ ଆତ୍ମର ଚାଦରରେ ବାନ୍ଧି ଆଣିବାର ଚାତର । ଆଚ୍ଛା, ବାପମାଆଙ୍କ ପାଇଁ ଭାବେ କାହିଁକି ? ସେଇଠୁଁ ଆପଣ ନିଶ୍ଚୟ ଟିକିଏ ହଡ଼ବଡ଼େଇ ଯିବେ । କାରଣ ଆତ୍ମକୁ ସହଜ ଭାବରେ ଏତେ ଦୂର ବଢ଼େଇ ହେବ ନାହିଁ । ଅତୀତରୁ ଉଦ୍ଧୃତ ସ୍ନେହବୋଧ ଛଡ଼ା କର୍ତ୍ତବ୍ୟ, ସମାଜ, ସୁପର୍‌ଇଗୋ, ଇତ୍ୟାଦିର ତଥ୍ୟ ବାଢ଼ିବାକୁ ପଡ଼ିବ । କହିବେ ଯେ ଆତ୍ମର ପରିଧି ଏଯାଏଁ ମଧ୍ୟ ଆସିବା ସମ୍ଭବ । ବେଶ୍ ଏଥର ବାଗକୁ ଆସିଲେ ଆପଣ । ତାହାହେଲେ ବନ୍ଧୁ ପାଇଁ, ସମାଜ ପାଇଁ, ଜାତି ପାଇଁ ଦେଶ ପାଇଁ, ଅବଶେଷରେ ବିଶ୍ୱ ଅଥବା ସମଗ୍ର ମଣିଷ ଜାତି ପାଇଁ ଭାବିବା କ’ଣ ସମ୍ଭବ ନୁହେଁ ? ନା ଆପଣ କହିବେ ଯେ ସମ୍ଭବ ହେଲେ ମଧ୍ୟ ସ୍ୱାଭାବିକ ନୁହେଁ ଏବଂ ଯେଉଁମାନେ ସେମିତି ଭାବନ୍ତି, ଭାବିଲାରୁ ଯେଉଁ କାମ କରନ୍ତି, ସେଥ‌ିରେ ହୁଏତ ଅକାଳରେ ମରନ୍ତି, ସେମାନେ ମଙ୍ଗଳ ଗ୍ରହରୁ ଖସିଛନ୍ତି ? ଆଜ୍ଞା, ସେମାନଙ୍କ ତୈଳ ଚିତ୍ରକୁ ଧୂପଧୂଆଁ ଶୁଙ୍ଘେଇ ଖଲାସ ହୋଇପାରିବେ ନାହିଁ । ଆପଣଙ୍କୁ ମାନିବାକୁ ପଡ଼ିବ ଯେ ମୁଁ ଆପଣ ଓ ସେମାନେ ଏକା ଧାତୁରେ ଗଢ଼ା । ପଶୁପକ୍ଷୀ ନ ହୋଇ ମଣିଷ ହୋଇଥିବାରୁ ତଥାକଥିତ ଆତ୍ମରକ୍ଷା ପ୍ରବୃତ୍ତିର ଟେକ-। ଆତ୍ମଚେତନାକୁ ଚହଲେଇ ଦିଏ, କ୍ଷଣିକତାରେ ଚୁପ୍‌କିନା ଡୁବି ନଯାଇ ଭଉଁରୀ ସୃଷ୍ଟି କରେ ଏବଂ ଭଉଁରୀ ବଢ଼ି ବଢ଼ି ଯାଏ, ଏଇ ମାଳିକାଟିକୁ ହଁ ଭରିଲେ ଜାଣିରଖନ୍ତୁ ଯେ ଭଉଁରୀର ସୀମା ନାହିଁ-। ଆତ୍ମକୁ ମନମୁଖୀ ଲକ୍ଷ୍ମଣ ଗାର ପକେଇ ବାଧ୍ୟ କରିହେବ ନାହିଁ ଯେ ଏଇଠୁଁ ଆଗକୁ ନୁହେଁ । କିଏ କେଉଁଯାଏ ଯିବାକୁ ଭରସିଲା, ମୋ ଆତ୍ମା ଏଇଯାଏଁ ବୋଲି ମନେକଲା, ସେ କଥା ଅଲଗା-। ତେଣୁ ମୋ ଭଉଁରୀ ଆପଣଙ୍କଠାରୁ ବଡ଼ କି ସାନ ହେଲେ ଯାଏ ଆସେ ନାହିଁ । ଭଉଁରୀ ଗୁଣ ସମାନ । ମୋର ବୃତ୍ତ ଓ ବଳୟକୁ ନେଇ ମୋର ଭାବନା ଆଉ କାହାଠାରୁ (ହୁଏତ ଅଧିକାଂଶଙ୍କଠାରୁ) ବଳିପଡ଼ିଛି, ତା’ ବୋଲି ଆପଣ କେଉଁ ନ୍ୟାୟରେ ମୋତେ ଏକଘରକିଆ କରିବେ, ତୁମେ ଭିନ୍ନ, ଭିନ୍ନ, ବୋଲି ହୁରି ପକେଇବ ?

 

ଆରିଷ୍ଟୋଟ୍‌ଲ୍‌ ହସୁଛନ୍ତି । କହୁଛନ୍ତି, ବୁଝିଲେ ତ ଏଥର ? ଆପଣଙ୍କ ଫୟେଡୀୟ ଆତ୍ମରକ୍ଷା ପ୍ରବୃତ୍ତି କିଛି ନୂଆ ପାଠ ନୁହେଁ । ମୁଁ ମଧ୍ୟ ଜାଣିଥିଲି; କିନ୍ତୁ ମୁଁ କ’ଣ କହିଥିଲି ମନେଅଛି ? ଯେ ଆତ୍ମରକ୍ଷାରୁ ଆରମ୍ଭ ଆତ୍ମ ଉପଲବ୍‌ଧିରେ ଶେଷ ହେଲେ ସେଇ ଗୋଟିଏ ସରଳରେଖା, ଖାସ୍ ମଣିଷ ପାଇଁ । ଆତ୍ମଧାରଣ (Nutrition), ଆତ୍ମବର୍ଦ୍ଧନ (propagation)ରୁ ବଢ଼ି ବଢ଼ି ଯାଇ କେବଳ ଭାବନା । ପୁଣି ସକ୍ରିୟ ଭାବନାରୁ ନିଷ୍କ୍ରିୟ ନିରଙ୍କୁଶ ଭାବନା, ଯଦି ସେତେ ଦୂର ଯାଇପାରିବ । ଭାବନାର ଭାବନା, ଭଗବାନ୍ । ମାନେ ଯେତେବେଳେ ଭାବନା ଓ ଭାବନାର ଆଧାର ଏକାଠି ହୋଇଯାଏ, ଆତ୍ମଚେତନା ଶୀର୍ଷ ବିନ୍ଦୁରେ ଉପନୀତ ହୁଏ ଏବଂ ଭଗବାନ୍ ରୂପାୟିତ ହୁଅନ୍ତି । ସ୍ୱୟଂଲବ୍‌ଧ ସ୍ନିଗ୍‌ଧ ଭଗବାନ୍ ! ସତେ ଆମ ପଦ୍ମନାଭ ବିଷ୍ଣୁ !

 

ଆପଣ ମୋର ଶୁଭାକାଙ୍‌କ୍ଷୀ । ତେଣୁ ମୋର ତାତ୍ତ୍ୱିକ ବଡ଼ବୋଲାରେ ଭଳିଯାଇ ମୋତେ ଉଦ୍ଧାର କରିବାର ଉଦ୍ଦେଶ୍ୟରୁ ଓହରି ଯିବେ ବୋଲି ମୋର ବିଶ୍ଵାସ ନୁହେଁ । ଯେହେତୁ ଆପଣଙ୍କର ଦୃଢ଼ ଧାରଣା । ଯେ ମୋର ଭାବୁକତା ଗୋଟାଏ ରୋଗ, ଆପଣ ମୋର ମୁକ୍ତି ଅଥବା ଆରିଷ୍ଟୋଟ୍‌ଲ୍‌ ଆଦିଙ୍କର ଉକ୍ତିରେ ପୋତି ହୋଇ ଯାଇ ମାର୍‌ନା ମୁଁ ମଲିଣି ବୋଲି କଦାପି କହିବେ ନାହିଁ । ଚିକିତ୍ସକର ଧର୍ମ ପାଳନ କରିବେ । ମୋର ଉପରୋକ୍ତ ମତିଗତି ଦେଖି ନାଡ଼ୀ ଚିହ୍ନିଲା ପରି କହିବେ-ଆଚ୍ଛା ହେଉ, ଗୋଟାଏ କଥା କରନ୍ତୁ ଦେଖି । ଏଇ ‘ଆତ୍ମ’ ଜିନିଷଟାକୁ ଭୁଲିଯାଆନ୍ତୁ । ସେଇ ହେଉଛି ଆପଣଙ୍କର ରୋଗର ମଞ୍ଜି । ଆତ୍ମଧାରଣ, ଆତ୍ମରକ୍ଷା, ଆତ୍ମଉପଲବ୍‌ଧି, ଇତ୍ୟାଦିର ସତମିଛ ଯାହା ଥାଉ ନା କାହିଁକି, ମୋଟ ଉପରେ ସେ ଆଡ଼କୁ ଚାହାଁନ୍ତୁ ନାହିଁ । ମାନେ ଆତ୍ମଚେତନାକୁ ବରଖାସ୍ତ ଦିଅନ୍ତୁ । ବୁଝିଲେ ? ତାହାହେଲେ ଯାଇ ଆପଣ ଭାବନାର ଦୌରାତ୍ମ୍ୟରୁ ରକ୍ଷା ପାଇବେ । ସୁସ୍ଥ ହୋଇଉଠିବେ ।

 

ଖାସ କଥା କହିଛନ୍ତି ଆପଣ । ଏଇ ଆତ୍ମ ଅଥବା ‘ମୁଁ’ ବୋଲି ଯେଉଁ ଜିନିଷଟି ଅଛି ତା’କୁଇ ନେଇ ସବୁ ଗଣ୍ଡଗୋଳ । ସେ ତା’ର ଥିଲେ ଥାଉ, ମୁଁ ତାକୁ ଗ୍ରାହ୍ୟ କରିବି ନାହିଁ, ମୁଁ ମୋଠାରୁ ଭିନ୍ନ ଅପରକୁ, ବର୍ହିଜଗତକୁ ଆବୁରିବି । ଏହି ସମ୍ପର୍କରେ ଜ୍ଞାନୀ ମୁନିମାନେ ଯେଉଁ ଉପଦେଶ ଦେଇଛନ୍ତି, ଗୋଟି ଗୋଟି କରି ମନେପଡ଼ୁଛି । ମନେହେଉଛି ଆପଣ କେବଳ ଚିକିତ୍ସକ ନୁହଁନ୍ତି, ଆପଣ ପରମ ଭକ୍ତ, ଲେଖକ, ଲୋକସେବକ, ଇତ୍ୟାଦି ।

 

ବିବେକାନନ୍ଦ–ନିଜକୁ ଭୁଲିଯାଅ, ଏଇ ହେଲା ପରମାନନ୍ଦର ପ୍ରଥମ ପାଠ ।

 

ଚିନ୍ମୟାନନ୍ଦ–ମୁଁ ଢେଉ ନୁହେଁ, ମୁଁ ସମୁଦ୍ର । ମୋରି ଭିତରେ ଢେଉ । ତେଣୁ କେଉଁ ଢେଉ ପଡ଼ିଲା ଉଠିଲା ମୋର କ’ଣ ଯାଉଛି ?

 

ବର୍ଟ୍ରାଣ୍ଡ ରସେଲ୍‌–ନିଜକୁ ଧରି ବସିଲେ ପ୍ରଗତି ମାଡ଼ ଖାଇଯିବ । ତୁମେ ହୁଏତ ଡାଏରୀ ଲେଖିବ, ଯଥାକ୍ରମେ ମସ୍ତିଷ୍କ ପରୀକ୍ଷା କରେଇବ, ଅବା ସନ୍ନ୍ୟାସୀ ହୋଇଯିବ....ପୃଥିବୀର କ’ଣଟା ହେବ ?

 

ଟେନେସି ଉଇଲିୟମ୍‌ସ୍‌–ତୁମେଇ ନର୍କ ! ସେଥିରୁ ରକ୍ଷା ପାଇବାକୁ ହେଲେ ଆଉ କାହା ପାଇଁ ମର । ଅନ୍ୟ ଉପାୟ ନାହିଁ ।

 

(ସାର୍ତ୍ତେ ଏଇ କଥାଟାକୁ ଓଲଟେଇ କହିଥିଲେ ଛିଗୁଳେଇଲା ପରି–ନର୍କର ଅର୍ଥ ସେମାନେ, ଅନ୍ୟମାନେ)

 

ଏହିଭଳି କେତେ ଉପଦେଶ, ଚେତାବନୀ, ଯାହାକୁ ଅମାନ୍ୟ କରିହେବ ନାହିଁ । କିନ୍ତୁ ଆତ୍ମାକୁ ଭୁଲିଯାଇ ଅନ୍ୟ ଅପରରେ ମିଶିଯିବାର କୌଶଳ କଅଣ ବୁଝିହେଉ ନାହିଁ । ଆତ୍ମାକୁ ବଢ଼େଇବାକୁ ମନା, ତା’ମାନେ ଅନ୍ୟମାନଙ୍କୁ ନିଜର ବୋଲି ମନେ କରିବି ନାହିଁ । କାଳେ ନିଜର ବୋଲି ମନେ କଲେ ତାଙ୍କୁ ନେଇ ଭାବିବି, ଭାଳି ହେବି, ମୁଣ୍ଡ ବଥେଇବ; ଅର୍ଥାତ୍ ସେମାନଙ୍କ ସାଙ୍ଗରେ ମୋର ଲଗା ପଘା ନାହିଁ ତଥାପି ସେମାନଙ୍କ ସୁଖ ପାଇଁ କାମ କରିଯିବି-ଏଇ ତ ? କିନ୍ତୁ ସେଭଳି କାମରେ ଆବେଗ ଆସିବ କେଉଁଠୁ ? ଅମୁକ କାମ କଲେ ଖାଲି ସେମାନଙ୍କୁ ଭଲ ଲାଗିବ ତା’ ନୁହେଁ, ମୋତେ ମଧ୍ୟ ଭଲ ଲାଗିବ, ମୁଁ ମଧ୍ୟ ଖୁସିହେବି ଏଇ ଉଦ୍ଦେଶ୍ୟ motivationଟିକ ନଥିଲେ କାମରେ ଶରଧା ସରାଗ ଆଦି ଅନୁକୂଳ ଭାବ ବା ଯେକୌଣସି ଭାବର ରଙ୍ଗ ଲାଗିବ କେମିତି ? ରଙ୍ଗ ନ ଥିଲେ ତାତି ରହିବ ନାହିଁ, ତାତି ନ ଥିଲେ କଳ ଚାଲିବ ନାହିଁ, ଏକଥା ବୁଝୁଛନ୍ତି ତ ? ଚାଲିବ ଚାଲିବ କହି ଦୟାକରି ମୋତେ ଫୁସୁଲାଅନ୍ତୁ ନାହିଁ । ମୁଁ ମୋର ଜୀବନରେ ଅନେକ ଭାରୁଙ୍ଗାମୁହାଁ, ଶୁଖିଲାମୁହାଁ, ଚିଡ଼ିଚିଡ଼ିଆ ସାଧୁସନ୍ଥ କର୍ମୀ ସେବକମାନଙ୍କୁ ଦେଖିଛି, ଯେଉଁମାନେ ମୋର ଏଇ ଧାରଣାକୁ ପ୍ରମାଣିତ କରି ଦେଇଛନ୍ତି ଯେ (୧) ଆବେଗ ବିହୀନ କାମ ସୁସମ୍ପନ୍ନ ହୋଇପାରେ ନାହିଁ, (୨) ଯେତିକି ହୁଏ ସେଥିରେ ଅନ୍ୟକୁ ସୁଖ ମିଳେ ନାହିଁ, (୩) ନିଜକୁ ସୁଖୀ କରିବାର ଉଦ୍ଦେଶ୍ୟ ନ ଥ‌ିବା ହେତୁ କାମ କରିବାରେ ଅନୁରାଗ ନ ଆସିଲେ ନାହିଁ, ଅଜାଣତରେ ବିରାଗ ଆସିଯାଏ । ବେଠି ଖଟିବାର ଭାବ; ଅତଏବ ମୋର ନିବେଦନ ହେଉଛି ଯେ ନିଜକୁ ଭୁଲିଯାଇ ପରଧରା ପଣରେ ‘ଭାବ’ ରହିବ ହିଁ ରହିବ । ଅନୁକୂଳ ଭାବ ନ ଆସିବାକୁ ହେଲେ ପ୍ରତିକୂଳ ଭାବ ଆସିବ, ସେଥିରେ ଆହୁରି ବିପଦ ଏବଂ ଭାବ ପଛେ ପଛେ ତା’ର ପିଆଦା ତଥା ହାକିମ ହାଜର ହୋଇଯିବ । ତା’ ନାଆଁ ଭାବନା; ତଥାପି ଆପଣ କହିବେ ଯେ ଏଇବାଟେ ଆତ୍ମାକୁ କାଟି ଦେଇ ହେବ, ସେଇଥିରେ ମୋ ମୁଣ୍ଡବଥା ଉଭେଇ ଯିବ ? ମୁଁ କହୁଛି ଅସମ୍ଭବ । ପରଧରା ପଣରେ ମଧ୍ୟ ମୁଣ୍ଡ ବଥେଇବ, ବଥେଇବା ଉଚିତ ନହେଲେ ତା’ର ମାନେ ନାହିଁ, ମୁନ ନାହିଁ ମୂଲ୍ୟ ନାହିଁ; ଅର୍ଥାତ୍‌ ଏଇ ପରଧରାପଣ ମଧ୍ୟ ଆତ୍ମ ଭଉଁରୀକୁ ବଢ଼େଇବାର ଅନ୍ୟନାମ । ଆତ୍ମ ଚେତନାର ବ୍ୟାପ୍ତି । ସେଥିରେ ଭାବ ଭାବନା ବଢ଼ି ନଯାଇ ଛିଡ଼ିବ କେମିତି ?

 

ଯେତେହେଲେ ଚିକିତ୍ସକ ଆପଣ । ଯେଉଁ ବାଟେ ହେଉ ରୋଗ ଛଡ଼େଇ ପାରିଲେ ହେଲା; ତେଣୁ ଆପଣ ହୁଏତ ଯୁକ୍ତିର ମୋଡ଼ ବଦଳେଇ ଦେବେ । କହିବେ ଆହା, ଆତ୍ମାକୁ ଭୁଲିଯିବା ପାଇଁ ପରଠେଇଁ ନିଜକୁ ମିଶେଇବା ଦରକାର ନାହିଁ । ମହାମନିଷୀମାନେ କ’ଣ କହିଥିଲେ ସେଥିରେ ମୁଣ୍ଡ ପୁରାନ୍ତୁ ନାହିଁ । ବିବେକାନନ୍ଦଙ୍କୁ ବର୍ଜନ କରି ଆମ ସାହି ବିବେକାର ପନ୍ଥା । ଧରନ୍ତୁ ।

 

ବିବେକା ! ରକ୍ଷା କର ! ସତେ ଆପଣ ଠିକଣା ଲୋକଟିଏ ଯୋଗାଡ଼ କରି ଆଣିଲେ । ସେଇ ଏକା ବିବେକାନନ୍ଦଙ୍କୁ ଜବାବ୍ ଦେଇପାରିବ ଯେ ନିଜକୁ ଭୁଲିଯିବା ପାଇଁ କୋଉ ପର ପଛରେ ଗୋଡ଼େଇବା ଦରକାର ନାହିଁ ‘ଜୀବ ଶିବ’ କହି ବିଳିବିଳେଇବାର ଅର୍ଥ ନାହିଁ । ମାନେ କେବଳ ଭାସି ଭାସି ଯାଅ, ନିଜ-ପର ଭିତର-ବାହାର ସବ୍‌ଜେକ୍ଟ ଅବ୍‌ଜେକ୍ଟର କଡ଼େ କଡ଼େ ଭାସୁଥାଅ । ଭାସିବ ହସିବ (ତା’ର ହ୍ୟାଲୋ ହସର ବ୍ୟାଦାନକୁ ଦେଖିଲେ ମୋ ହାଡ଼ ଜଳେ), ଭାସିବ ହସିବ (ତା’ର ହ୍ୟାଲୋ ଡିଅର କଅଣ ଖବର, ଫାଷ୍ଟ୍‌କ୍ଳାସ୍, ଶଳା ସରକାର, ମାର ଗୋଲି, ଇତ୍ୟାଦିର, ଉଚ୍ଛ୍ୱାସରେ ମୋର ଶ୍ଵାସରୁଦ୍ଧ ହୋଇଯାଏ) ରସିବ, ହସିବ (ତା’ର ତାସଖେଳା, ଖାନାପିନା, ଗୀତନୃତ୍ୟ ତଥା ନାରୀସଙ୍ଗର ଆଡ଼ମ୍ବର ଦେଖିଲେ ମୋର ହିଂସା ହୁଏ ସେଇଠୁ ଦୟା ଆସେ) କିନ୍ତୁ ସାବଧାନ ନିଜ ପାଇଁ ହେଉ କି କୋଉ ଶଳା ସ୍ତ୍ରୀ ପିଲାଛୁଆ ସମାଜ ସରକାର, ଭୂତ ଭଗବାନ ପାଇଁ ପାଣିକୁ ଯିବ ନାହିଁ । ହାତ ବଢ଼େଇବ ନାହିଁ ଗୋଡ଼ ଖସେଇବ ନାହିଁ ଏମିତିକା ତା’ ଭିତରକୁ ଚାହିଁବା ନାହିଁ । କାଳେ ଡୁବିଯିବ । ଭାବ କୁଣ୍ଢେଇ ଧରିବ । ଭାବନା ମାଡ଼ି ବସିବ । ଗହୀରରୁ ଗହୀରକୁ ଟାଣିନେବ.....ତୋ’ ପାଇଁ ଟାକି ବସିଛି ଯିଏ.....ତା’ ନାଆଁ ଧର ନାହିଁ । ତେଣୁ ଆତ୍ମକୁ ଭୁଲିବା ପାଇଁ ସେଇ ଗୋଟିଏ ଉପାୟ–ଭାସୁଥାଏ । ଭାବ ଭାବନାର ବାପ ମାଆ ମନ ଓ ବୁଦ୍ଧିଙ୍କୁ ବନ୍ଦୀ ଘରେ ପୂରେଇ ଦିଅ । ଏଣେ ପଛକେ ଡରୁଥାଅ ଯେ କେତେବେଳେ ସେମାନେ ବନ୍ଦୀଘରୁ ମୁକୁଳି ଆସିବେ । ନାଇଁ ଆଜ୍ଞା ମୁଁ ସେଭଳି ଉପର ଠାଉରିଆ ଏବଂ ଛାତି ଧୁଡ଼ ଧୁଡ଼ିଆ ସଂସାରରେ ବାସ କରିପାରିବ ନାହିଁ । ବୋଧହୁଏ ବିବେକା ପରି ଗୋଟିଏ ଚରିତ୍ରକୁ ସାମ୍ନାରେ ରଖି ସ୍ୱାମୀଜୀ କହିଥିଲେ–ଆମେ କେମିତି ସଂସାର ବାଟ ଦେଇ ଯାଉ ଜାଣନ୍ତି ? ଯେମିତିକି ଆମ ପଛରେ ପୁଲିସ୍ ଗୋଡ଼େଇଛି । ତେଣୁ ସର୍ଜନାର ସୁନ୍ଦରପଣକୁ ଦେଖିଲେ ମଧ୍ୟ ଦେଖି ହେଉ ନାହିଁ । ଧାଇଁବାକୁ ପଡ଼ିବ ନ ହେଲେ ସେ ପିଠିରେ ପାହାରେ ପକେଇବ । ଓ-ହୋ କି ସେ ଭୟାନକ ଭୟ-! ନା କ୍ଷମା କରନ୍ତୁ । ମୁଁ ବିବେକା ପରି ହୋଇପାରିବି ନାହିଁ । ହେବାକୁ ଚାହେଁ ନାହିଁ ।

 

ବରଂ ମୁଁ ଜିଦିକରି ଓଲଟା ବାଟେ ଯିବି । ଭାବନାଜନିତ ତଥାକଥିତ ରୋଗକୁ ବଢ଼େଇବି ଆପଣ ଯାହା କୁହନ୍ତୁ ପଛକେ । ଯନ୍ତ୍ରଣାକୁ ସୁଖ ବୋଲି ମଣିବି । ମୋର ଆତ୍ମ ଚେତନାକୁ ଏତେ ଗଭୀରକୁ ନେବ ଯେ.....ହୁଏତ....,

 

ହୁଏତ ମୁଁ ନିର୍ମାଲ ମଣିଷ ହୋଇ ରହିବି ନାହିଁ । ମୁଁ ହେବି ଗୋଟିଏ ଆତ୍ମ ସଚେତନ ମୂଷା !

 

ରୁହନ୍ତୁ, ହାୟ ହାୟ କୁହନ୍ତୁ ନାହିଁ । ମୋର ରୋଗ ଏତେ ମାରାତ୍ମକ ହୋଇଉଠିଲାଣି ଯେ ମୁଁ ଜାଣିଶୁଣି ନିଜକୁ ନଷ୍ଟ କରିଦେବାକୁ ଚାହେଁ, ମଣିଷ କୁଳକୁ ବିଦାୟ ନେଇ ମୂଷା ହେବାକୁ ଚାହେଁ, ହେ ଭଗବାନ୍, ହୀନ ହେବା ପାଇଁ ଏଡ଼ିକି ଲୋଭ....କହି ମୁଣ୍ଡ ହଲାନ୍ତୁ ନାହିଁ । ମୋ ସାଙ୍ଗକୁ ମୋର ଜଣେ ବଡ଼ ଭାଇ ଅଛନ୍ତି । ଡଷ୍ଟୋଭସ୍କି । ସେଇ ତାଙ୍କର ଜଣେ ବିଶିଷ୍ଟ ଆତ୍ମଚରିତ ମୂଲକ ହିରୋ ସଙ୍ଗେ ମୁହଁରେ (Notes from the Underground) ଏଇ ପଦଟି କୁହେଇ ଥିଲେ । ଅଦ୍‌ଭୂତ ସେ ଗାତୁଆ ହିରୋ । ତା’ର କଥାଗୁଡ଼ିକ ମୋ ଛାତିକୁ ମନ୍ଥି ପକେଇଲା । ଏତେଦିନକେ ମୁଁ ମୋର ପ୍ରାଣମିତକୁ ପାଇଲି ବୋଲି ମନେହେଲା । କହିଲା–ନିର୍ମାଲ୍ ମଣିଷ ନୁର୍ବୋଧ ହେବା ଉଚିତ୍ । ମାଆ ପୃଥିବୀ ସେଇଆ ଚାହେଁ । କିନ୍ତୁ ମୁଁ ତା’ କୋଳରୁ ଓହ୍ଲେଇ ନାହିଁ ଓଲଟି ଆସିଛି । ତା’ର ମୁକାବିଲା କରିବା ପାଇଁ । ଫଳରେ ମୁଁ ଆତ୍ମ ଚେତନାରେ ଛଟପଟ ହେଉଛି...ହେଉଛି ହେବି...ହେଲା ଏବେ ସେମାନେ ସୁଖୀ ନିର୍ମାଲ ମଣିଷ ଆଉ ମୁଁ ହେଉଛି ମୂଷା, ମୁଁ ମୋ ଚେତନ ଚିନ୍ତନର ଗାତରେ ପଡ଼ି ରହିଥିବି । କିନ୍ତୁ ସେଇ ଯନ୍ତ୍ରଣା ହେଉଛି ମୋର ଉପଭୋଗ, ଅନୁପମ ଉପଭୋଗ । ଅହଂକାର ।

 

ଆହୁରି ଅଛି । କହିଲା–କିଓ ଯନ୍ତ୍ରଣା ନ ଥିଲେ ଚେତନା ଆସିବ କେଉଁଠୁ ? କହିପାର ଯେ ଚେତନା ହେଉଛି ମଣିଷ ଜନ୍ମର ଅଭିଶାପ କିନ୍ତୁ ସେଇ ତ ମୋର ଗଣ୍ଠିଧନ ତା’କୁ ମୁଁ ଛାଡ଼ିବି କେମିତି ? ମାନେ ଛାଡ଼ିବ ନାହିଁ, ବଢ଼େଇବି । ବଢ଼ି ବଢ଼ି (ଛିଡ଼ି ଛିଡ଼ି) ମୂଷାଟିଏ ହେବି ।

 

କିନ୍ତୁ ମୁଁ କ’ଣ ସତେ ତା’ପରି ହୋଇପାରିବି ? ବିବେକା ପରି ଡରି ଡରିକା ଭାସିବ ନାହିଁ; କିନ୍ତୁ ପାଣିକୁ ଲୋଭ ହେଉଛି ବୋଲି କ’ଣ ତା’ର ଅତଳତଳକୁ ଚାଲିଯିବ ? ଗଲେ ଫେରିଆସି ହେବ ତ ? ପୂର୍ବରୁ ଥରେ ଦାର୍ଶନିକ ନିଟ୍‌ସେଙ୍କ କଥା କହିଛି । ବିଚରା ଜୀବନର ସତମିଛ ଜାଣିବାକୁ ଏମିତି ବ୍ୟାକୁଳ ହୋଇଉଠିଲେ, ଉତ୍କଟ ସଚେତନତାର ମଶାଲ ଧରି ଏତେ ଗହୀରକୁ ଗଲେ ଯେ ଶେଷକୁ ରଜ୍ଜୁ କଟିଗଲା । ‘ନିର୍ମାଲ’ ମଣିଷର ପୃଥିବୀକୁ ଫେରି ଆସି ପାରିଲେ ନାହିଁ । ପାଗଳ ହୋଇଗଲେ । ମୂଷା ହୋଇ ମଣିଷ ଭାଇମାନଙ୍କୁ ଛିଗୁଲେଇବା ଗୋଟିଏ କଥା; କିନ୍ତୁ ଛିଗୁଲେଇବାର ଯୋଗସୂତ୍ରଟି ବି’ ଯଦି ଛଣ୍ଡିଯାଏ ?

 

ଭାବନା ଭୟାଳୁ ବିବେକାର ବିପରୀତ ମେରୁ କିଏ ? ଭାବନାର ଅହଙ୍କାରୀ ମୂଷା ? ଭାବନାନ୍ତକ ବିଦ୍ରୋହ ପାଗଳ ? ଆଉ କେହି ନାହାନ୍ତି ?

 

ଅଛନ୍ତି । ପାଗଳଠାକୁରଙ୍କର ଆନନ୍ଦ କାନ୍ଦଣା ଶୁଭିଯାଉଛି–ମନେର ମତନ ପାଗଲ୍ ହଲାମ୍ କୋଇ ? ଆହା, ମୋ ମାଆ ପାଇଁ ମୁଁ ସତ ସତିକା ମନଭରି ପାଗଳ ହୋଇପାରିଲି ନାହିଁ-? ତାଙ୍କରି ପରି କେତେଜଣ ପାଗଳ ଅଛନ୍ତି । କେବଳ ଅଦେହୀ ମାଆ ପାଇଁ ନୁହେଁ; ହୁଏତ ଦେବୀ ପ୍ରିୟା ପାଇଁ, ଦେଶ ପାଇଁ, ଜାତି ପାଇଁ, ବନ୍ଧୁପାଇଁ, ଇତ୍ୟାଦି । ଏଇମାନେ ମୋ ଆଖିରେ ଆଙ୍ଗୁଳି ଗେଞ୍ଜି କହୁଛନ୍ତି ଯେ ନିଜ ଭୁଲା ପରିଧରାପଣ ଏଇଆକୁ କୁହନ୍ତି । ଅର୍ଥାତ୍ ଭାବକୁ ଏତେ ଉଚ୍ଚକୁ, ଉଚ୍ଚାଟକୁ ଇନ୍ଦ୍ରୟର ସୀମା ଟପି କେଉଁ ସ୍ୱର୍ଗକୁ ନେଇଯିବ ଯେ ଭାବନାର ସତ୍ତା ରହିବ ନାହିଁ-। ତାହାହେଲେ ଯାଇ ‘ଜୀବ ଶିବ’ର ମାହାତ୍ମ୍ୟ ବୁଝିବ । ବୁଝିବ ଯେ ହଜାରେ ଭୁରୁଙ୍ଗା ମୁହାଁ, ଶୁଖିଲା ମୁହାଁ, ଚିଡ଼ିଚିଡ଼ିଆ ସେବକମାନଙ୍କ ଭିତରେ ହାସ୍ୟବନ୍ତ ପ୍ରାଣବନ୍ତ ବାପୁ ଓ ମଦର ଟେରେସା ମଧ୍ୟ ଅଛନ୍ତି । ମୁଁ ଯେଉଁ ଆତ୍ମସୁଖର ଉଦ୍ଦେଶ୍ୟ, motivation କଥା କହୁଥିଲି, ତା’ର ସ୍ୱରୂପ ଏଇଠି ଦେଖିବ । ଏଇଠି ଏକା ଗୀତାର ନମ କର୍ମ ଯଥାର୍ଥ ହୋଇପାରିଛି, କାହିଁକିନା ଏକ ଭିନ୍ନ ସକାମତା ଦାଉ ଦାଉ ହୋଇ ଜଳୁଛି ତୁମକୁ ପାଗଳ କରିବା ଯାଏଁ । ଦରକାର ଏଇ ଜନ୍ମୟତା, ବିସ୍ମରଣୀର ବଟୀ । ଅନ୍ୟ ଜଣକ ସାକାର, ନିରାକାର, ପଥର, ଇମେଜ୍ ଯିଏ ହେଉ ପଛେ । ଏମିତି ପାଗଳ ହୁଅ, ଭାବର ଚରମକୁ ଯାଇ ଭାବନାକୁ କାଟିଦିଅ, ତାହାହେଲେ ଯାଇଁ ତୁମର ରୋଗ ଛାଡ଼ିଯିବ-

 

ଭାବନା ରୋଗ ଛଡ଼େଇବାକୁ ହେଲେ ବିବେକାର ପନ୍ଥା ଧରିପାରିବି ନାହିଁ । ଅସମ୍ଭବ । କିନ୍ତୁ ତା’ର ଜବର୍ ପ୍ରତିରୋଧ କରିବାକୁ ହେଲେ ଭାବନାର ଅତ୍ୟନ୍ତକୁ ଯାଇ ପାଗଳ ହେବାକୁ ପଡ଼ିବ, ଅବା ଭାବର ଅତ୍ୟନ୍ତକୁ ଯାଇ.....ଓଃ ! ଆଉ କିଛି ଉପାୟ ନାହିଁ ?

 

ନାହିଁ, ନାହିଁ, ନାହିଁ ! ଯେତେ ଯୁଆଡ଼େ ପରଖିଲେ ମଧ୍ୟ ଦେଖୁଛି ସେଇ ଏକମାତ୍ର ଅମୋଘ ଔଷଧ । ବିଜ୍ଞ ପ୍ରାବନ୍ଧିକ ହୋଇଥିଲେ । ମୁଁ ହୁଏତ ମଝିବାଟ ? ବତେଇ ଦେଇଥାଆନ୍ତି; କିନ୍ତୁ ଅଙ୍ଗେ ନିଭେଇଥିବା ଅଜ୍ଞ ଲେଖକ ପକ୍ଷରେ ସେତକ କରି ହେଉ ନାହିଁ । ମୋର ରୋଗ, ମୋର ନିଦାନ ।

 

ପାଗଳ ହେବା ଛଡ଼ା ଅନ୍ୟ ଗଛ ନାହିଁ । ଏଇ ତଥ୍ୟଟି ଆପଣ ନିଜେ ମୋର ଉପରୋକ୍ତ ଫେନିଳ ପ୍ରବାହରୁ ଛାଙ୍କି ଆଣିପାରିବେ ବୋଲି ମୋର ବିଶ୍ୱାସ । ପ୍ରଥମ କଥା ହେଲା ଯେ ‘ଆତ୍ମ’ଟି ହେଉଛି ଅସଲ ଦୋଷୀ; ଅଥଚ ତାକୁଇ ରକ୍ଷା କରିବାର ମୌଳିକ ମଂଜି ଆମ ବୁଦ୍ଧିରେ ଖଂଜି ଦିଆହୋଇଛି । ତାହାହେଲେ କ’ଣ ଆତ୍ମାର ପରିସରକୁ ବଢ଼େଇ ଦେଲେ ଚଳିବ ? ନା, କେବଳ ସେତିକିରେ ହେବ ନାହିଁ । ପରିସର ବଢ଼ିଲେ କ୍ଷେତ୍ର ବଢ଼ିବ ସିନା, ଭାବନା କମିବ ନାହିଁ । ନିଜ ପାଇଁ ଭାବୁଥିଲି, ଏବେ ନିଜକୁ ଆଉ କାହା ସାଙ୍ଗରେ ଯୋଡ଼ି କରି ଭାବୁଛି । ପୁଅର ଧନ ମାନ ଯଶ କେମିତି ଅକ୍ଷୁଣ୍ଣ ରହିବ, ତା’ର ଚିନ୍ତା କରୁଛି । ନେତାଙ୍କ କଥା ଦେଖନ୍ତୁ । ଦେଶ ପାଇଁ ଯେଉଁ ନେତା କାନ୍ଦୁଛି, ତା’ର ଲୁହ ଯେ ସବୁବେଳେ କୁମ୍ଭୀରଙ୍କଠାରୁ ଉଧାର କରା ହୋଇଛି, ତା’ ନୁହେଁ କିନ୍ତୁ କେତେଜଣ ସେଇ ଲୁହକୁ ନେଇ ଏବଂ ସେତିକିବେଳେ ମୋ ଗଦିରେ କିଏ ପିନ୍‌ଗେଞ୍ଜିଲା ବୋଲି ରାଗିନାହାନ୍ତି ? ପୁଣି ଧାର୍ମିକମାନଙ୍କ ପ୍ରତି ଦୃଷ୍ଟି ଦିଅନ୍ତୁ । ସେଇ ନିରୀହ ପ୍ରାଣୀମାନଙ୍କର ଭକ୍ତିରେ ଭେଲ ନ ଥାଇପାରେ; କିନ୍ତୁ ପ୍ରଚ୍ଛନ୍ନ ଚୁକ୍ତି ରହିଛି । ଯେ ମୁଁ ଭକ୍ତିର ଏତେ ଛେନା କଦଳୀ ଦେଇଛି, ତା’ ବଦଳରେ ମୋର ମଧ୍ୟ କିଛି ପାଇବା ଉଚିତ । ତହୁଁ ପାଇବା, ନ ପାଇବାକୁ ନେଇ ଯେତେକ ଭାବନା, ମୁଣ୍ଡବ୍ୟଥା । ଅବଶ୍ୟ ନିଜକୁ ଅନ୍ୟ ସାଙ୍ଗରେ ଯୋଡ଼ି କରି ରଖିଲେ ମଧ୍ୟ ଅଳ୍ପ ବହୁତ ସ୍ଵାର୍ଥତ୍ୟାଗ ବିରଳ ନୁହେଁ । କିନ୍ତୁ ଭାବନାମୁକ୍ତି ପାଇଁ ସେତିକି ଯଥେଷ୍ଟ ନୁହେଁ । ଅଧାପନ୍ତରିଆ ତ୍ୟାଗର ସରାଗରେ ଲାଭଠାରୁ କ୍ଷତି ବେଶି । ନାଇଁ ଆଜ୍ଞା, ଗଭୀରତମ ଭାବ ନେଇ ଦୁଇ ହାତ ଟେକି ଉଲଗ୍ନ ହେଲେ ଯାଇଁ ଦଶା କଟିଯିବ । ସ୍ଵାମୀଜୀ ଗୋଟିଏ ଇଂରେଜୀ ସୁକ୍ତିକୁ ଓଲଟେଇ କହିଛନ୍ତି ପରା–God helps those who do not help themselves । ତେଣୁ ଭାବହେଲା ପାଗଳ ହୁଅ, ହାଲ୍ ଛାଡ଼ିଦିଅ, ତେବେ ଯାଇ ଭାବନା ରୋଗରୁ ରକ୍ଷାପାଇବ । କହିବାକୁ ଗଲେ ତୁମେ ଆତ୍ମଠାରୁ ରକ୍ଷା ପାଇବ, ତେଣୁ ତାକୁ ରକ୍ଷା କରିବାର ପ୍ରବୃତ୍ତି ତଥା ଦାୟିତ୍ୱ ରହିବ ନାହିଁ ।

 

ଅବା ଆତ୍ମାକୁ ନେଇ ଭାବ, ଆହୁରି ଭାବ, ପାଗଳ ହେବାଯାଏଁ । ଏଠି ମଧ୍ୟ ଅଧାପନ୍ତରିଆ କାମ ଚଳିବ ନାହିଁ । ମୂଷା ହୁଅ କି ମୟୂର ହୁଅ ବିବେକର ତଥାକଥିତ ସୁଖୀ ସଂସାରରୁ ଓହରି ଆସ । ଆରେ, ବିବେକଜାତୀୟ ଭୟକୁ କିଣିବା ପାଇଁ ତ ଏଇ ଭାବନା । କୋଉ ପୁଲିସବାଲା ମୋ ପଛରେ ଗୋଡ଼ଉ ନାହିଁ ଯେ ମୁଁ ଧଇଁସଇଁ ହେବି, ହଡ଼ବଡ଼େଇବି । ନା, ମୁଁ ସୃଷ୍ଟିକୁ ନିଠେଇ କରି ଦେଖିବି । ଦୁର୍ଦ୍ଦାନ୍ତ ଆତ୍ମଚେନତାକୁ ନେଇ ତା’ର ସତ୍ୟ-ଶିବ-ସୁନ୍ଦରରୁ ଚିହ୍ନିବି । କିନ୍ତୁ ମନେରଖ ଇଏ ସ୍ଥୂଳ ଆତ୍ମରକ୍ଷା ଅର୍ଥାତ୍ ‘ଦରକାରୀ’ ପେଟପାଟଣାର ଭାବନା ନୁହଁ, ଆରିଷ୍ଟୋଟଲୀୟ ଅନାବଶ୍ୟକ ଭାବନା । ଅନ୍ୟ ଅର୍ଥରେ ଆତ୍ମାକୁ ନେଇ ସୃଷ୍ଟିକୁ, ସୃଷ୍ଟିକୁ ନେଇ ଆତ୍ମାକୁ ଏମିତି କଟକଟ ହୋଇ ଗହୀର ଚାହାଣି ଚାହିଁବ ଯେ ଆତ୍ମର ଚେହେରା ପାଲଟିଯିବ, ସେ ତମକୁ ଦବେଇପାରିବ ନାହିଁ । ଜାଣୁଛୁ, ସେଥିରେ ବହୁତ କଷ୍ଟ । ଯନ୍ତ୍ରଣା ଯେତିକି, ଗଞ୍ଜଣା ସେତିକି-। ଲୋକେ କହିବେ ତମେ ଏକବାଗିଆ, ଚୋରମୁହାଁ, ବେକାର, ଇତ୍ୟାଦି । କିନ୍ତୁ ସେଥିରେ କାନ ଦିଅ ନାହିଁ । ଫ୍ରାନ୍ସର ପ୍ରଖ୍ୟାତ କବି ବୋଦେଲେୟାର୍ (Baudelaire) କହିଥିଲେ ପରା–ଦରକାରୀ ଲୋକ ବୋଲେଇବା ମୋତେ ସବୁଠାରୁ ଭୟାବହ ମନେହୁଏ । ସେହି ମର୍ମରେ ଅସ୍‌କାର୍ ଓ୍ୱାଇଲଡ଼ ମଧ୍ୟ କହିଥିଲେ ମନେଥବ, ଯେ ଆର୍ଟ ମାତ୍ରେହିଁ ଅଦରକାରୀ; କିନ୍ତୁ ଗଞ୍ଜଣାକୁ ନ ଶୁଣିଲେ ମଧ୍ୟ ଯନ୍ତ୍ରଣାକୁ ବାଦ୍ ଦେଇ ହେବ ନାହିଁ । ଯେଉଁଥିପାଇଁ ଡିଷ୍ଟୋଭସ୍କିଙ୍କ ହିରୋ ବିଚରା ମନେକଲା ଯେ ସେ ମୂଷା । ସୁଖୀ ମଣିଷଠୁଁ ବଡ଼ ଓ ବୁଦ୍ଧିଆ ହେଲେ ମଧ୍ୟ ମୂଷା । ଅହଂକାର ସାଙ୍ଗକୁ ହାରିଯାଇ ଗାତରେ ପଶିବାର ଭାବ । କାରଣ ସୃଷ୍ଟିର ସତ୍ୟ-ଶିବ-ସୁନ୍ଦରକୁ ଦେଖିବା ଚିହ୍ନିବା ସହଜ ପାଠ ନୁହେଁ । ଚିନ୍ମୟାନନ୍ଦ କହିଛନ୍ତି ସଂସାରକୁ ଭଲଭାବରେ ଚୋବେଇ କୁଳୁକୁଞ୍ଚା କରି ନିକାଲି ଦିଅ । ତା’ମାନେ ତା’ର ଯେତେକ ପାପତାପ ବିଷକଳୁଷକୁ ଆତ୍ମସାତ୍‌ କରି ବହିଷ୍କାର କର; ତା’ପରେ ଯାଇ ପୂଜାରେ ବସିବାର ଯୋଗ୍ୟ ହୋଇପାରିବ ସତ କଥା । କିନ୍ତୁ ଶୁଦ୍ଧି, ହେବାର ପ୍ରଣାଳୀ, ପୁଣି ଭାବନାକୁ ନେଇ.....ଜାଣନ୍ତି ତା’ର କଷ୍ଟ ? ଅବଶ୍ୟ ସୃଷ୍ଟି ଖଣ୍ଡକ କେଡ଼େ ବିଚିତ୍ର ଓ ସୁନ୍ଦର, ଏଇ ବିସ୍ମୟରେ କୌତୂହଳରେ ଠେଲି ହୋଇ ତୁମେ କିଛି ବାଟ ଠେଲି ହୋଇଯିବ । କିନ୍ତୁ ସେଇଟି ପ୍ରଣବ ସୁନ୍ଦରର ଚମକ ଶିଶୁପଣ । ଶିଶୁପଣରୁ ଉତୁରି ଆସି ସତ୍ୟ-ଶିବର ସନ୍ଧାନ କଲାବେଳକୁ ଯନ୍ତ୍ରଣା ଆସିଯିବ ଏବଂ ସରିବ ନାହିଁ । ଯେହେତୁ ଏଇ ସୃଷ୍ଟି କେବଳ ଗୋଳମାଳିଆ ଗଣ୍ଡଗୋଳିଆ, ଛାଇ-ଆଲୁଅର ଗୋଲକଧନ୍ଦା କହିଲେ ଯଥେଷ୍ଟ ନୁହେଁ, ତା’ଠାରୁ ଅଧିକ...ମାନେ ଏତେ ଅଲୀକ, ଅଭିଲା, ନିରର୍ଥକ ମନେହେବ ଯେ କାମ୍ୟୁଙ୍କର ଉକ୍ତି ମନେପଡ଼ିବ, ଆତ୍ମହତ୍ୟାର ବଳି ଅଧିକ ଗୁରୁତର ଓ ଯଥାର୍ଥ ଦାର୍ଶନିକ ପ୍ରଶ୍ନ ଆଉ କ’ଣ ଥାଇପାରେ ? କିନ୍ତୁ ଭୟ ନାହିଁ ଭାବ, ଆହୁରି ଭାବ ପାଗଲ, ହେବାକୁ ଡର ନାହିଁ । ପୋକଖିଆ ଦଉଡ଼ି ଛିଣ୍ଡିଗଲେ ଯାଉ; ସୁନା ତନ୍ତୁଟିଏ ହାତକୁ ଆସିବ; (ଅସାର) ସଂସାରରୁ ବଳି (ଅଗମ୍ୟ) ସୃଷ୍ଟି ସାଙ୍ଗରେ ବାନ୍ଧି ହେବାପାଇଁ ଚାଲ, ଚାଲ, ଆହୁରି ମାଡ଼ିଯାଅ । ସତ୍ୟ-ଶିବକୁ ପାରି ହୋଇଯାଅ, ସେଇଠୁଁ ସୁନ୍ଦରକୁ ଦେଖିବ-। ଶିଶୁସୁଲଭ ପ୍ରାଣବସୁନ୍ଦର ନୁହେଁ, ପରିଣାମ ସୁନ୍ଦର; ତଥାପି ଅହଂ ଅଛି ? ଥିବ ତ ! Cogito Ergo Sum, ମୁଁ ଭାବୁଛି ବୋଲି ମୁଁ ଅଛି । କିନ୍ତୁ ଭାବ ଭାବି ବଟବୃକ୍ଷ ବୀଜରେ ବିଲୀନ ହୋଇଗଲିଣି, ଭଉଁରୀ ଚେତନାର ପହିଲି ‘ଟୁବ୍‌କୁ ଫେରି ଆସିଲାଣି । ଭାବନାର ଅନ୍ତିମରେ ସେଇ ଭାବନା । କିନ୍ତୁ ନିରୋଳା, ନିରଙ୍କୁଶ, ନିରବଚ୍ଛିନ ଏବଂ ଅବଶେଷରେ ଦେଖିବ ସେଇ ଆତ୍ମକୁ-। ଅଷ୍ଟ୍ରବକ୍ର ଗୀତାର ଆତ୍ମଦର୍ଶନ, ଅହୋ ଅହଂ ନମୋ ମହ୍ୟଂ... ଆହା ମୁଁ କେଡ଼େ ଚମତ୍କାର, ମୋତେ ମୋର କୋଟି ନମସ୍କାର !

 

ପାଗଳାମି, ଅତ୍ୟନ୍ତର ଇତିକଥା ଭାବରେ ହେଉ କି ଭାବନାରେ ହେଉ, ସେଇ ମୋ ରୋଗର ଏକମା ନିଦାନ କିନ୍ତୁ ସେଥିପାଇଁ ଛାତି ଚାହି । ଚାରିଦଉଡ଼ି କଟା ସାହସ ।

 

ସେତିକ ନ ଆସିବା ଯାଏଁ ଏଇ ଅଧମତାରଣ ପନ୍ଥା । ସାହିତ୍ୟ, ଭାବ ନେଇ ଭାବନା । କଳ୍ପନାର ଅନ୍ୟମାନଙ୍କୁ ନେଇ, ତାଙ୍କର ଚିହ୍ନା ଭାବକୁ ନେଇ ଆପଣାର ଭାବନା । ସତେକି ତଦ୍ଦ୍ୱାରା ‘‘ଆତ୍ମ’’ଠାରୁ ଥୋଡ଼େ ବାଟ ପଳେଇ ଆସି ହେବ । ମୋର ଯେତେ ପ୍ରବଣତା, ନିଷ୍ଫଳତା; ବିବେକା ପ୍ରତି ଘୃଣା (ଏତେ ହିଂସା) ବିବେକାନନ୍ଦଙ୍କ ପ୍ରତି ଅଭିମାନ, ଝଲକାଏ ସୁନ୍ଦରକୁ ଦେଖିବାର ଆନନ୍ଦ, ଅଧା-ସତ, ଅଧା-ସୁଆଗ ଆଦି ଯେତେକ ମିଛ ଜହ୍ନକୁ ଚିରି ବିଦାରିବାର ହିରଣ୍ୟରୂପୀ ଉଲ୍ଲାସ, ଏତିକି ନୁହେଁ ଏତିକି ନୁହେଁ କହି ଆହୁରି ଓ ପୂରାପୂରି ପାଇବାର ଲୋଭ ଏବଂ କାହିଁକି ଭଲା ମୋତେ ଏମିତି ହନ୍ତସନ୍ତ କରୁଛ, ତୁମ ତାରାମାନଙ୍କୁ ଖାଲି ମିଟିମିଟି କରଉଛ ମୋତେ ଚିଡ଼େଇଲା ପରି, ଆଉ ଟିକିଏ ପାଖକୁ ଆସିଲେ ତୁମର କ’ଣ ସରିଯାଆନ୍ତା, ଏଭଳି ନେହୁରାପଣ (ଭିତରିଆ ଚାଲାଖି, ଆହୁରି ପାଖକୁ ଆସିଲେ ମୁଁ ତୁମକୁ ମାଡ଼ି ବସନ୍ତି), କେତେବେଳେ ଗହୀରିଆ, କେତେବେଳେ ହାଲୁକା, ସବୁ ମୋର ଚରିତ୍ରମାନଙ୍କ ଠେଇଁ ଲଦି ଦେଇଛି । ତାଙ୍କୁ ବହୁତ ହଇରାଣ କରିଛି, ହୁଏତ ନିଷ୍ଠୁର ହୋଇଛି; କିନ୍ତୁ ତାଙ୍କର ଭଲ ପାଇଁ, ବାପ ପୁଅକୁ ତିଆରିଲା ପରି । ପୁଣି ତାଙ୍କୁଇ ନେଇ ଗର୍ବ କରିଛି, ମୋର ନିଶା ନାହିଁ ସିନା ମୋ ମାଧିଆ ଭାଇର ଅଛି । ତାଙ୍କ ଭାବ ନେଇ ଭାବନାର ଖେଳ ଦେଖେଇବାର ବାହାଦୁରିରେ ମୁଁ ଅବଶ୍ୟ ବେଳେବେଳେ ଖାପ୍‌ଚରେ ପଡ଼ିଛି । ମୋର ମନେ ହୋଇଛି ଯେ ସେମାନେ ହିଁ ମୋର ଭାବକୁ ନେଇ ଭାବୁଛନ୍ତି ଏବଂ ମୋତେ ଧରାପକେଇ ଦେଉଛନ୍ତି । ପୁଣି ବେଳେବେଳେ ମୋର ସନ୍ଦେହ ହୋଇଛି ଯେ ସେମାନଙ୍କଠାରେ ଆରୋପି ଥିବା ଭାବନା ହୁଏତ ସତ ନୁହେଁ । ରୁଷ ନାଟ୍ୟକାର ନିକୋଲାଇ ଏର୍ଡମ୍ୟାନ୍‌ଙ୍କ କଥା ମନେପଡ଼ୁଛି, ଯେ ଜୀଅନ୍ତା ଲୋକମାନଙ୍କର ଭାବନାକୁ ଜାଣିବା ପାଇଁ କାହାରି ଶକ୍ତି ନାହିଁ ମଲା ଲୋକଙ୍କ ଛଡ଼ା; ତଥାପି ସେମାନେ ମୋର ପ୍ରିୟ । ପ୍ରିୟଠାରୁ ବଳି ଅନ୍ତରଙ୍ଗ ଏବଂ ମୁଁ ଯଦି ବାସ୍ତବ ହୋଇଥାଏ, ସେମାନେ ମଧ୍ୟ ବାସ୍ତବ । ଅନ୍ତତଃ ବାସ୍ତବର ସମ୍ଭାବନା, ସାମାନ୍ୟ ଅତିରଞ୍ଜନ, ମୋର ପ୍ରତିବିମ୍ବ ହୋଇଥିଲେ ମଧ୍ୟ ପ୍ରତିକୃତି, କାର୍ଟୁନ୍ । ତେଣୁ ଦୟାକରି ସେମାନଙ୍କୁ ମୋଠାରୁ ଦୂରେଇ ଦେବାକୁ କୁହନ୍ତୁ ନାହିଁ ।

 

ମୋର ଏଇ ସାହିତ୍ୟ, କଣ୍ଢେଇ ଖେଳରେ ପେଟ ପୂରିଯାଇଛି, ରୋଗ ଛାଡ଼ି ଗଲାଣି ବୋଲି କହିଲେ ଭୁଲ୍ ହେବ । ଯନ୍ତ୍ରଣା କମି ନାହିଁ, ଉଭେଇ ଯିବା ଦୂରର କଥା, କିନ୍ତୁ ସେଥ‌ିରେ ମହତ ଅଛି ବୋଲି ମନେହେଉଛି; ହସନ୍ତୁ ନାହିଁ । ଆଶୀର୍ବାଦ କରନ୍ତୁ ଯେ ଏଇଠୁଁ ଆଗକୁ ଯାଇପାରିବ ।

Image

 

ଲେଖକର ସଂସାର

ଛାଇ-ଆଲୁଅ

 

ସତ୍ୟର ରଙ୍ଗ ଧୂସର (The colour of truth is gray) ବୋଲି ବିଶ୍ୱବିଖ୍ୟାତ ଫରାସୀ ପଣ୍ଡିତ ଆନ୍ଦ୍ରେ ଗିଡ଼େ ଘୋଷଣା କଲେ । କଥାଟି ମାରାତ୍ମକ । କାରଣ ଧଳାକୁ କଳା କଳାକୁ ଧଳାର ଆଶ୍ଵାସନାଟିକ ଚାଲିଗଲେ ହିନ୍ଦୀ ସିନେମା ତଥା ଗଦାଗଦା ଗଳ୍ପ ଉପନ୍ୟାସକୁ ଉପଭୋଗ କରିହେବ ନାହିଁ । ମୋତେ ଏଇ ତମସାରୁ ସେଇ ଜ୍ୟୋତିକୁ ନେଇଯାଅ ବୋଲି ଭଗବାନଙ୍କୁ ପ୍ରାର୍ଥନା କରିହେବ ନାହିଁ, ଆପଣା ପାପ ପାଇଁ ସଂତାପରେ ଲୁହ ଢାଳିହେବ ନାହିଁ । ଲୁହରେ ଧୋଇ ଧାଇ ନିର୍ମଳ ହେବାର ବାଟ ରହିବ ନାହିଁ । ଅବା ମୋଟାମୋଟି ମୁଁ ଭଲ, ମୁଁ ସର୍ବଜନଙ୍କ ସୁଖ କାମନା କରେ; ଅଥଚ ସେମାନେ ମୋତେ ଦୁଃଖ ଦେଉଛନ୍ତି । ଏହି ଭାବରେ ନିଜକୁ ସମ୍ମାନ ଦେଇ ହେବ ନାହିଁ; ଅର୍ଥାତ୍‌ ଯେତେକ ସତ ଯଦି ମିଶାମିଶି, ଗୋଳିଆ ପୋଳିଆ, ଏବଂ ପରିଣାମ ଧୂସର, ତା’ହେଲେ ଦୋଷଦେବ କାହାକୁ ? ଏବଂ ନିଜକୁ କିମ୍ବା ଅପରକୁ ଦୋଷ ଦେଇପାରିବାର ଅମୋଘ ଅସ୍ତ୍ରଟି ହାତରୁ ଚାଲିଗଲେ, ସଫେଇର ଆଧାର ନ ରହିଲେ, ମଣିଷ କାହା ବିରୁଦ୍ଧରେ ଲଢ଼ିବ ? କେଉଁଥିପାଇଁ କାନ୍ଦିବ ? ହେ ଭଗବାନ୍, ମୋତେ ଏମିତି ଗୋଟାଏ ଅପରଛନିଆ ନେଉଳରଙ୍ଗୀ ପୋଷାକ ପିନ୍ଧେଇ କାହିଁକି ପଠେଇଲ ପୃଥିବୀକୁ, ଟିକିଏ ଆଖିଦୁରୁଶିଆ କରି ଗଢ଼ିଲେ କଅଣ ସରିଯାଉଥିଲା ତୁମର, ଏଇ ଧରଣର କାନ୍ଦଣାରେ କଅଣ ପେଟ ପୁରିବ ? ତା’ ଛଡ଼ା କେଉଁ ଭଗବାନଙ୍କ ଆଗରେ ଫେରାଦ ହେବ ? ଆମେ ଧୂସର ହେଲେ ସେ ପ୍ରଣବ ଧୂସର ପରମ ଧୂସର ନ ହୋଇ ଯିବେ କୁଆଡ଼େ ?

 

ସବୁଠାରୁ ଦୁଃଖ ହେଉଛି ଆମ ଲେଖକମାନଙ୍କର । ରଙ୍ଗ ଘରେ ଶୂନ୍ ହେଲେ ଆମେ ଦେଖେଇବୁ କଅଣ ?

 

ତଥାପି ମନେହେବ ଯେ ଭାବୁକ ଉଚିତ କଥା କହିଲେ । ଆମେ ଲେଖକମାନେ ଯେ କୌଣସି ଚିନ୍ତାପ୍ରସୂତ ତଥ୍ୟକୁ ଆଡ଼େଇ ଦେଇପାରିବୁ ନାହିଁ । ନିଜକୁ ପଚାରିବାକୁ ବାଧ୍ୟ ହେବୁ,–ସତେ ତ, ଆମେ ଆମ ସାହିତ୍ୟରେ ଯେଉଁ ଦ୍ୱନ୍ଦ୍ୱ, ଭିଡ଼ାଓଟରାର କାରସାଦ ଦେଖେଇ ଆସୁଛୁ ତା’ର ଶେଷକଥା ଏଇ ଧୂସର ପାଉଁଶ ନୁହେଁ କି ? ମିଶାମିଶି ଗୋଳିଆ ପୋଳିଆର ଚମତ୍କାରିତ ଦେଖେଇ ଦେଖେଇ ବୁଢ଼ା ହେଲା ପରେ ଜଣାପଡ଼ୁ ନାହିଁ କି ସେ ସବୁ ‘ସତ’କୁ ଘୋରି ବାଟିଦେଲେ ଯାଇଁ ସତ୍ୟର ଚେହେରା ଦେଖିବାକୁ ମିଳିବ ଏବଂ ସେଇ ଘୋରବଟା ପାନେଟି (ହାୟ !) ଧୂସରଛଡ଼ା ଆଉ କିଛି ହୋଇ ନ ପାରେ ? ଆମେ କ’ଣ ଏତେ ନିଉଛୁଣା ଯେ ଆପଣ କୃତକର୍ମର ଲଜିକ୍, ନିଷ୍କର୍ଷ ମାନିବାକୁ ରାଜି ନୋହୁଁ, କାରଣ ସେଥିରେ ଆମର ଧନ୍ଦା ବୁଡ଼ିଯିବ ?

 

ନା । ଲେଖକର ଜାତକରେ ଭୟ ନାହିଁ । ସତ୍ୟର ରଙ୍ଗ ଯଦି ବାସ୍ତବିକ୍‌ ଧୂସର ହୋଇଥାଏ, ତା’ହେଲେ ସେଇଆ ହେଉ । ସାହିତ୍ୟ କଲା ପାଉଁଶକୁ ଦେହରେ ମାଖି ଚୁପ୍‌ଚାପ୍ ହୋଇ ବସିଯିବାକୁ ଆପତ୍ତି ନାହିଁ ଆମର । ହତାଶାରେ ମଧ୍ୟ ଏକପ୍ରକାର ଶାନ୍ତି ଅଛି । ଖୋଜିବାର, ଖୋଳିବାର, ଘାଣ୍ଟିବାର ଅଶାନ୍ତିରୁ–ରକ୍ଷାପାଇବ ମଣିଷ !

 

କିନ୍ତୁ ମୁଁ ଭାବିଚିନ୍ତି ବିନୟର ସହ କହିବାକୁ ଚାହେଁ ଯେ ମହାମନୀଷି ଗିଡ଼େ ନିଜ ଅଜାଣତରେ ଅନ୍ଧ, ଅନ୍ତତଃ ବର୍ଣ୍ଣ-ଅନ୍ଧ, କଲର୍ ବ୍ରାଇଣ୍ଡ । ମୋ ବିଚାରରେ (ଏବଂ ଆପଣ ହିଁ ଭରିବେ ବୋଲି ମୋର ଏଇ ପରିଶ୍ରମ) ଯେ ସତ୍ୟ ଧୂସର ନୁହେଁ । ଅବଶ୍ୟ ଧଳା-କଳା ନୁହେଁ । ଅବଶ୍ୟ ମିଶାମିଶି, ଗୋଳିଆ ପୋଳିଆ; କିନ୍ତୁ ଘୋରାବଟା ବେରଙ୍ଗ ନୁହେଁ । ଛାଇ-ଆଲୁଅର ଚିରଚଞ୍ଚଳ ଭେଳିକି, ସେଇ ତା’ର ଚିରନ୍ତନ ରଙ୍ଗ, ହେଲେ ଶେଷକଥାଟି କ’ଣ ବୋଲି ଜେରା କରନ୍ତୁ ନାହିଁ । Everybody is dead in the long run, ଶେଷକୁ ସମସ୍ତେ ମରନ୍ତି । ଅବଶେଷରେ ପୃଥିବୀ ହୁଏତ ମରିବ । କିନ୍ତୁ ଆମ ଜାଣିବାରେ, ଦେଖିବାରେ, ତଥା ହେଜିବାରେ ଏଇ ପୃଥିବୀ ଓ ପୃଥିବୀ ମଣିଷର ସତ୍ୟ ଚିରପ୍ରବଣ । ତା’କୁ ବାସ୍ତବ ହେଲେ ମଧ୍ୟ ଅନିତ୍ୟ ବୋଲି ଦୂରେଇ ଦେଇ ପରିଣାମକୁ ଚିହ୍ନିବାର ଆସ୍ଫାଳନ କରିବ କାହିଁକି ? ତା’ଛଡ଼ା ପରିଣାମ ରଙ୍ଗ ହୁଏତ ଏକପ୍ରକାର ହୋଇଥିବ ବୋଲି ମନେହୁଏ; କିନ୍ତୁ ତାହା ଧୂସର ନ ହୋଇ ଲାଲ୍‌ ହେବ ନାହିଁ କାହିଁକି-? ଅବା ମୃତ ତାରକାର ବ୍ଲାକ୍ ହୋଲ୍‌, ମହାଅନ୍ଧକାର ହେବ ନାହିଁ କାହିଁକି ?

 

ହେ ମୋର ଲେଖକ ଭାଇ, ଚିହ୍ନରା ପାଠକବର୍ଗ, ଭାବି ଦେଖନ୍ତୁ–ସତ୍ୟ ଧୂସର ନୁହେଁ । ତାହା ହେଉଛି ଆମ ଗୋପୀବାବୁଙ୍କ ଛାଇ-ଆଲୁଅ, ଡଷ୍ଟୋଭସ୍‌କିଙ୍କ ସୁନ୍ଦର-ଭୟଙ୍କର, ଡି.ଏଚ୍.ଲରେନ୍‌ସ ଦେହଦିଆ ଆତ୍ମା, ଗୋଲ୍ ଡିଙ୍ଗ୍‌ଙ୍କର ନର୍କରେ ଗଢ଼ା ସ୍ୱର୍ଗ, ଇତ୍ୟାଦି, ଇତ୍ୟାଦି । କିନ୍ତୁ (ମଜା ହେଉଛି ଏଇଠି) ସଦାପ୍ରବଣ, ସଦାଚଞ୍ଚଳା ସଂଦିଗ୍‌ଧ ।

 

ସର୍ବୋପରି ସୁନ୍ଦର ।

 

ଛଳଛଳ ଚଳନ୍ତା ପାଣିରେ ଖରା ପଡ଼ିଛି । ଛାଇ ଆଲୁଅ ବାରି ହୋଇ ଯାଉଛି । କିନ୍ତୁ ଦୁହିଁଙ୍କୁ ଦୁହେଁ କୋଳାକୋଳି ହେଉଛନ୍ତି, ମାଡ଼ଗୋଳ ହେଉଛନ୍ତି । ସିରିସିରି ପବନରେ ଅସ୍ତବ୍ୟସ୍ତ ହେଉଥିବା ପତରମାନଙ୍କର ଛାଇ । ଅନ୍ଧାର ସାଙ୍ଗରେ ଖେଳୁଥିବା, କବି କାଳିଦାସଙ୍କ ଭାଷାରେ କଳା ମେଘକୁ କଙ୍କଣ ପିନ୍ଧାଉଥିବା ବହ୍ନି ବିଜୁଳିର ଛଇ ଏବଂ ଉଦ୍ଦୀପ୍ତ ନାରୀପୁରୁଷର ରାଗଲୁହ ଦଂଶନ ଚୁମ୍ୱନ । ଏଇ କ’ଣ ଆମ ଚେତନାର ସତ୍ୟ ନୁହେଁ ?

 

ଆପଣ କହିପାରନ୍ତି ସେ ନା, ଏଭିଳି ସୁନ୍ଦର ସତ୍ୟ ସଦାସର୍ବଦା ଦେଖିବାକୁ ମିଳେ ନାହିଁ-। ଥିର ପାଣି, ଗୁମ୍‌ସୁମ୍ ପତର, ଜଡ଼ ନିଆଁ ଏବଂ ପରସ୍ପରକୁ କଡ଼ ଲେଉଟେଇ ଘଣ୍ଟା ଘଣ୍ଟା ଧରି ଶୋଇ ରହିଥିବା; ହୁଏତ ଘୁଙ୍ଗୁଡ଼ି ମାରୁଥିବା ନାରୀପୁରୁଷ ମଧ୍ୟ ସମ୍ଭବ । ମାନୁଛି, ନିଜକୁ ସଂଶୋଧନ କରିବାକୁ ବାଧ୍ୟ ହେଉଛି । ମୋର ସଂଶୋଧିତ ବକ୍ତବ୍ୟ ହେଉଛି ଯେ କେବଳ ବେଗ ଓ ଆବେଗର ଛାଇଆଲୁଅ ଧରାଧରି ହୁଅନ୍ତି ଏମିତି । ସେଇଠୁଁ ମୌଳିକ ପ୍ରଶ୍ନଟିଏ ଉତ୍‌ଥାପିତ ହୁଏ–ଯେ କୌଣସି ମୁହୂର୍ତ୍ତରେ ବେଗ ଅଥବା ଆବେଗ ନାହିଁ ବୋଲି କହିହେବ କି ? ପ୍ରାଣୀଟିଏ ଜୀଇଁଛି; ଅଥଚ ତା’ର ପ୍ରାଣ ନାହିଁ ବୋଲି ଦାବି କରିହେବ ? ପାଣି ଯେତେଥର ବୋଲି ମନେହେଉନା କାହିଁକି, ତା’ ଉପରେ ଚକ୍‌କର କାଟୁଥିବା ଅନାମଧେୟ ପୋକ ଏବଂ ପତନଶୀଳ ଧୂଳିକଣା, ଫୁଲରେଣୁ, ଇତ୍ୟାଦି ବସ୍ତୁର ଚଳପ୍ରଚଳ ନାହିଁ କି ? ପୁଣି ତଳୁ ମାଛ ଗେଣ୍ଡା ଅବା ବିଲାତିଦଳ ଓଗେରଙ୍କ ଠେଲାପେଲା ନାହିଁ ? ଏସବୁ କିଛ ନ ଥିଲେ ମଧ୍ୟ ଖାଲି ଆଖିକୁ ଦେଖା ନ ଦେଲା ପରି କମ୍ପନ ଅପରିହାର୍ଯ୍ୟ । କାହିଁକିନା ତା’ର ନାଆଁ ହେଉଛି ପାଣି । ସେହିପରି ପତର କଦାପି ଗୁମ୍‌ସୁମ୍ ହୋଇ ନ ପାରେ, ତା’ ଚାରିପାଖରେ ପବନ ଅଛି । ସେ ଅଦୃଶ୍ୟରେ ତା’ର କାମ କରି ଚାଲିଥିବ-। ନିଆଁ ଜଳୁଛି ଯେତେବେଳେ, ତା’ର କ୍ରିୟା ଅଛି ଏବଂ କଡ଼ ଲେଉଟେଇ ଶୋଇଥିବା ନାରୀପୁରୁଷ ମଧ୍ୟ ସ୍ଵପ୍ନ ଦେଖୁଥିବେ । ତଥାପି ଆପଣ ମାନିବେ ନାହିଁ । କହିବେ ଜଳ କଥା ଛାଡ଼, ଥଳର ସ୍ୱଭାବ କଅଣ ? ପତର କଥା ଭିନ୍ନ, ଗଛର ଗଣ୍ଡି କଅଣ କରେ ? ନିଆଁଲିଭା ଅଙ୍ଗାରର ଅବସ୍ଥା କଅଣ-? ସ୍ୱପ୍ନ ଦେଖୁନଥିବା ନାରୀପୁରୁଷ ଜଣେ ତାଲିକାର ବାଦ୍ ଯିବେ ? ଅନ୍ୟ ଅର୍ଥରେ ଜଡ଼ ପଦାର୍ଥ (ମୃତବତ୍‌ ଶୁପ୍ତ ତମୋଗ୍ରସ୍ତ ମଣିଷ ଏହି ପର୍ଯ୍ୟାୟଭୁକ୍ତ) ବୋଲି ଗୋଟିଏ ଜିନିଷ ଅଛି ନା ନାହିଁ-? ତେବେ କେଉଁ ଯୁକ୍ତିରେ ଜଡ଼ମାନଙ୍କ ଖବର ନ ନେଇ କହିବାକୁ ଚାହଁ ଯେ ଆମ ସଂସାରରେ ଖାଲି ବେଗ ଓ ଆବେଗ ? ଏଇଠି ବୈଜ୍ଞାନିକର ଆଶ୍ରୟ ନେବାକୁ ପଡ଼ିବ । ଯେ ଅଙ୍କ କଷି ପ୍ରମାଣ କରି ସାରିଲାଣି ଯେ ପଦାର୍ଥ ମଧ୍ୟ ପ୍ରବଣା ଖାଲି ତା’ ନୁହେଁ, ଏ ଯୁଗର ସବୁଠାରୁ ଚମକପ୍ରଦ ବୈଜ୍ଞାନିକ ଆବିଷ୍କାର ହେଉଛି ଯେ ପଦାର୍ଥ ଓ ଶକ୍ତି, matter ଓ energy ଏକା ଧାତୁରେ ଗଢ଼ା । ତାଙ୍କର ଦିଆନିଆ, ଅଦଳ ବଦଳ, ମୋ ନିଜ ଭାଷାରେ କହିବାକୁ ଗଲେ କୋଳାକୋଳି ଓ ମାଡ଼ଗୋଳ, ଚିରାଚରିତ ନ ହେଲେ ମଧ୍ୟ ବିଚିତ୍ର ନୁହେଁ । ଶାସ୍ତ୍ରସମ୍ମତ ଏବଂ ଶକ୍ତି ସଦାବେଳେ ସକ୍ରିୟ ନ ହେଲେ ମଧ୍ୟ ଉଦ୍ୟତ, ପ୍ରାଣବନ୍ତ ନୁହେଁ କି ?

 

ଏଣୁ ମୋର ନିବେଦନ । ଏହି ଯେ ‘ସମ୍ ସରତୀତି ସଂସାର” କଥାଟି କେବଳ ଆଖିଦେଖା ଏବଂ ସେହେତୁ ଅପକ୍ୱ ଅନୁମାନ ନୁହେଁ । ସିଦ୍ଧ ସତ୍ୟ । ସଂସାର ମାନେ ହିଁ ବେଗ ଓ ଆବେଗ । ଫଳରେ ଲୀଳାୟିତ, ତଥା ରଞ୍ଜିତ । ସ୍ଥାବର ନୁହେଁ କି ଧୂସର ନୁହେଁ । ନିଜ ନିଜ ଗାଦିରେ ବସିଥିବା ଛାଇ ଏବଂ ଆଲୁଅ ନୁହେଁ, ଛାଇଆଲୁଅ, ସଦାପ୍ରବଣ, ସଦାଚଞ୍ଚଳ....

 

ଗ୍ରୀକ୍ ମନୀଷି ହିରାକ୍ଲିଟସ୍ କାବ୍ୟିକ ଭଙ୍ଗୀରେ କହିଲେ ଯେ ଏକା ଝରଣାକୁ ଦୁଇଥର ପାଦ ବଢ଼ାଇବା ଅସଂଭବ । ଧନ୍ୟବାଦ । କିନ୍ତୁ ତାଙ୍କର ଆଉ ଗୋଟିଏ ଭକ୍ତି ମନେପଡ଼େ ଯେ ପ୍ରତ୍ୟେକ ସତ୍ତା ପରସ୍ପର ବିରୋଧୀ ଭାବର ଝଙ୍କାର ତଥା ସମନ୍ୱୟ । Every existent thing is a harmony of opposite tensious ଦୁଃଖର ବିଷୟ ଏଇ କଥାଟି ମୋର ମନକୁ ପାଉ ନାହିଁ । କାରଣ ସେ ମୋ ଛାଇ ଆଲୁଅର ଚଞ୍ଚଳ ସୁନ୍ଦର ପଣକୁ ଚିହ୍ନେଇଲେ କଅଣ ହେବ, ତା’ ଉତ୍ତାରୁ କହୁଛନ୍ତି ଯେ ଦ୍ୱନ୍ଦ୍ୱ ପଛକୁ ସମନ୍ୱୟ ! ଚଞ୍ଚଳତାକୁ ନେଇ ଗୋଟିଏ ଚମତ୍କାର ଡିଜାଇନ୍ !

 

ମୋତେ କହିବାକୁ ପଡ଼ୁଛି ଯେ ନାଇଁ ଆଜ୍ଞା, ଏଇ ଛାଇ ଆଲୁଅର ଭେଳିକି ଯେତେ ସୁନ୍ଦର ହେଉନା କାହିଁକି, ମର୍ମନ୍ତୁଦ । ସନ୍ଦିଗ୍‌ଧ । ହୋଇପାରେ ଆପଣ ଦାର୍ଶନିକ, ମୁଁ ଛାଇ ଲେଖକ, ସେଥିପାଇଁ ଆମର ଏଇ ଅବୁଝାମଣା । ତଥାପି ମୁଁ ମୋର ଅଙ୍ଗେ ନିଭେଇବା କଥା କହିବି ନାହିଁ କେମିତି ?

 

ଅବୁଝାମଣା କହିଲେ ଭୁଲ ହେବ । ଶୁଣାଯାଏ ହିରାକ୍ଲିଟସ୍‌ ମହା ‘ବଡ଼ଲୋକ’ କଥା ଦାମ୍ଭିକ ଥିଲେ । ଇତରଜନଙ୍କୁ ନିଜ ଥିଓରି ବୁଝେଇବାର ଆବଶ୍ୟକତା ଅଛି ବୋଲି ମନେକରୁ ନ ଥିଲେ; ତଥାପି ତାଙ୍କର ଦର୍ଶନ ଯିଏ ବୁଝିବାର ବୁଝି ଆସିଛନ୍ତି ଆଜିକୁ ପ୍ରାୟ ଦୁଇହଜାର ପାଞ୍ଚଶହ ବର୍ଷ ହେଲା । କ୍ଷମା କରନ୍ତୁ ମୁଁ ଇତର ନୁହେଁ । ମୋ ମୁଣ୍ଡରେ ମଧ୍ୟ ପଶୁଛି ତାଙ୍କ କଥା; ହେଲେ ମନକୁ ଛୁଇଁ ନାହିଁ । ତା’ର କାରଣ ନୁହେଁ ଯେ ସେ ପ୍ରାଚୀନ, ମୁଁ ଆଧୁନିକ; ଅଥବା ସେ ଗ୍ରୀକ୍ ଓ ମୁଁ ଭାରତୀୟ । କଥା ହେଉଛି ଯେ ମନୋବୁଦ୍ଧିର ମାପକାଠିରେ ସେ ପ୍ରକୃତରେ ବଡ଼ଲୋକ, ମୁଁ ତାଙ୍କ ଭଳିଆ, ସେ ଦାର୍ଶନିକ ଓ ମୁଁ ଯେତେହେଲେ ଲେଖକ । ଆମ ଜାତି ଭିନ୍ନ । ଗିଡ଼େ ଦିଅନ୍ତୁ, ହିରାକ୍ଲିଟସ୍ ହୁଅନ୍ତୁ, ବା ଅରବିନ୍ଦ ହୁଅନ୍ତୁ, ତାଙ୍କର ଦର୍ଶକ ଆମ ଦୃଷ୍ଟିସୀମାର ଊର୍ଦ୍ଧ୍ୱରେ । ଯାହା ଦ୍ରଷ୍ଟବ୍ୟ ଓ ଉପଲଭ୍ୟ, ତା’କୁ ସେ ଜଳଜଳ କରି ଦେଖିପାରୁଛନ୍ତି, କହୁଛନ୍ତି ଏଇ ହେଉଛି ସତ । ହୋଇଥିବ, ତାଙ୍କ ତୁଣ୍ଡ ସୁତୁଣ୍ଡ ହେଉ । କିନ୍ତୁ ମୋତେ ସେ ଯାଏଁ ଦିଶୁ ନାହଁ ତ, ମୁଁ କ’ଣ କରିବି ? ତା’ ବୋଲି କ’ଣ ସାଧାରଣ ଲୋକଙ୍କ ପରି କିଛି ନ ଭାବି ହେଣ୍ଡି ମାରିବି ? ନା ମୋର ସଚ୍ଚା ଅନୁଭବକୁ ନେଇ ଯେଉଁଯାଏଁ ଦିଶୁଛି ଦେଖିବି ଓ ଭାବିବି, ସେଥିରେ ଯେତେ ଯନ୍ତ୍ରଣା ହେଉ ନା କାହିଁକି ?

 

ଯନ୍ତ୍ରଣା ଶ୍ରେୟ ନୁହେଁ । କିନ୍ତୁ ଦିଶୁ ନ ଥିଲେ ବି’ ଦିଶୁଛି ବୋଲି କହିବ ନାହିଁ । ସେଇ ହେଉଛି ମୋ ଲେଖକର ଧର୍ମ, ସାଧୁତା ।

 

ସେଇଥିପାଇଁ ମୋ ଛାଇଆଲୁଅ ମର୍ମନ୍ତୁଦ, ସନ୍ଦିଗ୍‌ଧ । ଇଚ୍ଛାହେଉଛି କହନ୍ତି ଯେ ଦ୍ୱନ୍ଦ୍ୱ ମିଳେଇ ଯାଉଛି, ଭାବଭାବନାର ଗହୀରକୁ ଯାଇ ଯେଉଁ ଅସଂଭାବିତ ଚମକପ୍ରଦ ଛାଇର ବା ଆଲୁଅର ଝଲକଟିଏ ଦେଖେଇ ଦେଲି (ଯାହା ମୋ ଗଳ୍ପ କବିତାର କ୍ଲାଇମାକ୍‌ସ), ତା’ ଆଗକୁ ଘୋର ଅନ୍ଧକାର ଅବା ଜ୍ୟୋତିର୍ମୟ ସ୍ପର୍ଶ । କିନ୍ତୁ କହିପାରୁ ନାହିଁ । ଦିଗ ଦେଖେଇପାରୁ ନାହିଁ । ମୋ ମନର ଦେବତା କହୁଛି, ସେଣିକି ସ୍ୱର୍ଗ ହୋଇଥିବ ମ । ଅବା ଚାଲାଖି ଦେଖେଇ କହୁଛି, ଏଇ ହେଉଛି ଆଇରନି (Irony) । ଅର୍ଥାତ୍‌ ମୋ ଛାଇଆଲୁଅର ଆଭିମୁଖ୍ୟ ନାହିଁ । ମୋ କାମ ହେଲା ଝଲ୍‌କଟିଏ ଦେଖେଇବା, ଆପଣଙ୍କୁ ବସିବା ଥାନରୁ ଉଠେଇବା, ଚମକେଇବା । ସେଣିକି ଆପଣ ସମ୍ଭାଳନ୍ତୁ ନିଜକୁ ।

 

ଛାଇ ବୋଲି କହୁଥିଲେ ପରା ? ଦେଖନ୍ତ, କେମିତିକା ଆଲୁଅ । ଆଲୁଅ ବୋଲି ମଣୁଥିଲେ ଯାହାକୁ, ଦେଖନ୍ତୁ କେମିତି ରାହୁ ଗିଳୁଛି ତା’କୁ । ତା’ପରେ କ’ଣ ହେବ ପଚାରନ୍ତୁ ନାହିଁ-। ଯେହେତୁ ମୋର ଏଇ ଛାଇଆଲୁଅ ଚିରଚଞ୍ଚଳ, ଚିରପ୍ରବଣ...ଇତ୍ୟାଦି ।

 

ତଥାପି ସୁନ୍ଦର । ନୁହେଁ ?

 

ଧ୍ୟାତ୍‌, ସୁନ୍ଦରକୁ ରଖ ତୁମ ଘରେ । ତୁମେ ସତ୍ୟର ମର୍ମ ବୁଝେଇବାରୁ ଆସିଥିଲ ପରା-? ବେଗ ଆବେଗର ଦ୍ୱାହି ଦେଇ ଲେଖକପଣର ବାହାଦୂରୀ ଦେଖେଇ ଶେଷକୁ ଯଦି ଏଇଆ କହିବାକୁ ଥିଲା ଯେ ତା’ର ରଙ୍ଗ ଏମିତିକା ନୁହେଁ ସେମିତିକା; ହେଲେ ତା’ ମର୍ମର ଠିକଠିକଣ ବାଗବାଇଶ ନାହିଁ, ‘ସେ କି ସହଜେ ମିଳିବ, ଧନରେ’ ବୋଲି ଗୀତ ସୁରୁ କରିଦିଅ...ତା’ହେଲେ ରଖ ତୁମ ସାହିତ୍ୟ ! ଆମକୁ ମିଛୁଟାରେ ବସେଇ ରଖିଥିଲ କାହିଁକି । ଏତେବେଳଯାଏଁ ? ଥଟ୍ଟା ଲାଗିଛି ? ଏହି ଭାବରେ ଆପଣ ଭୀଷଣ ରାଗିଯାଇ ପାରନ୍ତି ।

 

କିନ୍ତୁ ପ୍ରକୃତପକ୍ଷେ ଆପଣ ବିଧାତାର (ଏବଂ ବିଧାତାର ନକଲନକରି ଲେଖକର) ପରିହାସ ନୁହନ୍ତି କି ? ବୁଝିବା ହୁଅନ୍ତୁ ସେ ଏଇ ଛାଇଆଲୁଅର ଭେଳିକି ଆପଣଙ୍କର ବାହାରେ ଯେତିକି ଭିତରେ ସେତିକି । କେଉଁଥିରେ ନିଦ୍ଦିଷ୍ଟ ଛାଇକୁ ବା ଆଲୁଅକୁ, ନିଶ୍ଚିତ ସତ୍ୟକୁ ମୁଠେଇ ଧରିବାକୁ ବସିଛନ୍ତି ? ଚେତନାରେ ? ଚେତନାରେ ? ମୁନିଆଁ କରି ମନୋବୁଦ୍ଧିରେ ? ପାରିବେ ନାହିଁ । ଗୀତାର ଶ୍ରୀକୃଷ୍ଣ କହିଲେ ଯେ ପାରିହେବ । ଅଭ୍ୟାସେନ ତୁ କୌନ୍ତେୟ ବୈରାଗ୍ୟଣ ଚ ଗୃହ୍ୟତେ । ଉତ୍ତମ, ଆପଣ ସେଭଳି ଯୋଗର ଅଧିକାର ହେଲେ ଅବଶ୍ୟ ପାରିବେ । କିନ୍ତୁ ତୁମ ଆମ ଅର୍ଥାତ୍ ଲେଖକର ସଂସାରରେ ଘର କରି ରହିଲେ ପାରିବେ ନାହିଁ । କାହିଁକିନା ଆପଣଙ୍କ ସାଧନାଗୁଡ଼ିକ ଠକ । ଆଜ୍ଞା ସେଇ ତ ଅସଲ ଛାଇ ଆଲୁଅ !

 

ଦି ହ୍ୟୁମାନ୍‌ କମେଡ଼ି’ର ଲେଖକ ଓ ଚଳିତ ଶତାବ୍ଦୀର ଜଣେ ବିଶିଷ୍ଟ କଥାକାର ଉଇଲି୍ରମ୍‌ ସାରୋୟାନ୍‌ କହିଲା ପରି–

 

ମଣିଷ କ’ଣ ଗୋଟାଏ ଜୋକ୍, ପରିହାସ ? ଅବଶ୍ୟ । କିନ୍ତୁ ଏଭଳି ଗୋଟିଏ ଜୋକ୍ ଯେ ତା’କୁ ଜୋକ୍ ବୋଲି ଚଖେଇବା ଅସମ୍ଭବ । କାହିଁକିନା ସେ ସବୁବେଳେ ତ ଧାଉଁଛି, ଧରାଦେଉଛି କେଉଁଠି ? ଧରୁ ଧରୁ ପଳେଇଗଲାଣି ବାଆଁ କାଲିଆ ଦେଇ, ବଦଳିଗଲାଣି, ଆକାଶକୁ ଛୁଇଁଲାଣି କିମ୍ବା ତଳେଇ ମିଳେଇ ଗଲାଣି । ଏଭଳି ଗୋଟିଏ କୋକ୍ ଯାହା ଘଟିଛି ବୋଲି କହିହେବ ନାହିଁ; ହୁଏତ ଯାହା ଘଟି ନ ପାରେ; ଅଥବା ତୁମେ ଯାହା ଭାବୁଛ ତାହାଠାରୁ ସମ୍ପୂର୍ଣ୍ଣ ଭିନ୍ନ ହୋଇପାରେ । କାରଣ ଯାହାକୁ ଦେଖୁଛ ସେ ହୁଏତ ସଙ୍ଗୀତର ପହିଲି ଆଳାପ, ସେଥିରୁ କେତେ ଖିଅ ବାହାରିବ, ମଝିରେ ମଝିରେ ମନେହେବ ଯେ ଏଇଠି ରହିଗଲା ବୋଧହୁଏ; କିନ୍ତୁ ତା’ ନୁହେଁ ତା’ର ‘ସତ୍ୟ’ ତଥାପି ଧାଇଁ ପଳାଉଛି, ପୁଣି କୁଆଡ଼େ ଭଗବାନ୍ ଜାଣନ୍ତି, କେତେବେଳେ ସିଧା, କେତେବେଳେ ବଙ୍କା, ଅବା କେତେବେଳେ ଗୋଲ୍ ଗୋଲ୍... ଖାଲି ଏତିକି ମନେହେବ ଯେ ଧାଉଁଛି ଯେତେବେଳେ ସେ ନିଶ୍ଚୟ ପହୁଞ୍ଚିବ କେଉଁଠି ନା କେଉଁଠି ।

 

ଆଶ୍ୱାସନା ମାତ୍ର ସେତିକି । ସେ ପହଞ୍ଚିବ କେଉଁଠି ନା କେଉଁଠି । ତା’ପୂର୍ବରୁ ଲେଖକ ନାମକ ଦର୍ଶକର କାମ ହେଉଛି ଏଇ ଲୀଳା ଦେଖିଯାଉ ଏବଂ ଦେଖଉ । ତରତର ହେଲେ ଚଳିବ ନାହିଁ, ନିଜକୁ ଅଥବା ପାଠକକୁ ସୁଖ ଦେବା ପାଇଁ ମୁଣ୍ଡି ମାରିବା ଦିଗ ଦେଖାଇବାର ଲୋଭ ଛାଡ଼ିବାକୁ ହେବ । ଦାର୍ଶନିକର “ଦର୍ଶନ’’ ସାଙ୍ଗରେ ତା’ର ଦୃଷ୍ଟିକୁ ଟାଣି ଓଟାରି ହାତ ମିଳେଇବା ଅନ୍ୟାୟ । ନା କଅଣ କହୁଛନ୍ତି ?

 

ଏଇ କଥାରୁ ମନେପଡ଼ୁଛି–ମୋର ଗୋଟିଏ ଗଳ୍ପର ସମୀକ୍ଷା କରିବାକୁ ଯାଇ ଜଣେ ବିଜ୍ଞ ସମାଲୋଚକ (ମୁଁ ତାଙ୍କୁ ଯଥେଷ୍ଟ ଶ୍ରଦ୍ଧା କରେ) କହିଲେ ଯେ ନାରୀ ଚରିତ୍ରଟି କେଡ଼େ ସୁନ୍ଦର ଭାବରେ ଫୁଟିଉଠିଛି; କିନ୍ତୁ ଦରଫୁଟା ହୋଇ ରହିଯାଇଛି, ତା’ର ଚମତ୍କାରିତା ଧରୁ ଧରୁ ହାତଛଡ଼ା ହୋଇଯାଉଛି...ଇତ୍ୟାଦି । ଅର୍ଥାତ୍ ସେ ପଚାରୁଛନ୍ତି, ସାର୍ ଦେଖେଇଲେ କଅଣ ? ତା’ର ଉତ୍ତରରେ ମୁଁ କେବଳ ଏତିକି କହିବି ଯେ ମୋତେ ମାଫ୍ କରନ୍ତୁ, ଖେଳ ସେତିକିରେ ଖତମ୍, ସେଇ ମୋର ଆଇରନି, ମୋର ଚତୁରତା, ମୋର ବିଫଳତା । ଦୃଶ୍ୟଟିଏ ଦେଖେଇ ଆପଣଙ୍କୁ ଉତ୍ତେଜିତ କଲି, ସେତିକି ମୋର ଭାଗ୍ୟ ଓ ଆପଣଙ୍କ ପାଉଣା । ସେଣିକି ପାରିବି ନାହିଁ । କଅଣ ଭୁଲ୍ କହିଲି ?

 

ଲୀଳାର ମୋହନକୁ ଉପଭୋଗ କରନ୍ତୁ । ଲୀଳାର ଗହନକୁ ହେଜନ୍ତୁ । ଛାଇ ଆଲୁଅର ଭେଳିକି ଦେଖିଲାବେଳେ ଯେଉଁଠି ଚିଆଁ ଲାଗିଲା । ତା’ର ସତମିଛକୁ ଆପଣା ଗହୀର ଅନୁଭବର କଷଟିରେ ପରଖି ନିଅନ୍ତୁ । ବୁଝନ୍ତୁ ଯେ ଜଟୀଳା କୁଟୀଳା ନଥିଲେ ଲୀଳା ଜମେ ନାହିଁ । ପରମହଂସଙ୍କ ବାଣୀ, ମୋର ନୁହେଁ । କିନ୍ତୁ ଦୟାକରି ଲେଖକକୁ ଦୋଷ ଦିଅନ୍ତୁ ନାହିଁ ଯେ ସେ ଆପଣଙ୍କ ପାଟିରେ ଗୋଲ୍ ରସଗୋଲାଟିଏ ପୂରେଇ ଦେଇପାରିଲା ନାହିଁ । କାମ୍ୟୁଙ୍କ ‘ଆଉଟ୍‌ସାଇଡର୍‌’ ମାଆର ମୃତ୍ୟୁ ଖବର ଶୁଣି ବିହିତ ଦୁଃଖରେ ଦୁଃଖୀ ହେବା ସତ୍ତ୍ୱେ ଭାବୁଛି–ମଣିଷ ଯାହାକୁ ଭଲପାଏ ତା’ର ମୃତ୍ୟୁ କାମନା କରିବାକୁ ଭଲଲାଗେ ନାହିଁ କି ବେଳେବେଳେ ? ବିଖ୍ୟାତ ଶିଳ୍ପୀ ଅମ୍ରିତା ଶେର୍‌ଗିଲ୍ ଭାରତର ଦୀନଦୁଃଖୀମାନଙ୍କର ଛବି ଆଙ୍କିବାର ଆନନ୍ଦ ସମ୍ଭାଳି ପାରିଲେ ନାହିଁ । କହିଲେ–ଆହା, କି ସୁନ୍ଦର ତୁମର କୁତ୍ସିତ ଚେହେରା, ତୁମର ଧୂସର ହାଡ଼ୁଆ ଦେହ, ମରମର ଚାହାଣୀ ! ଡଷ୍ଟୋଭସ୍କିଙ୍କର ଦୁଶ୍ଚରିତ୍ର ଡମଟ୍ରି କାରାମାନୋଶ୍ ସୁନ୍ଦରର ଅନୁଭବରେ ଅସ୍ଥିର ହୋଇଉଠିଲା, କହିଲା–ଓଃ ! ସୁନ୍ଦରତାଟି କି ଭୟାବହ ବସ୍ତୁ ! ଇତ୍ୟାଦି ଇତ୍ୟାଦି । ଚଟ୍‌କିନି ଏଇ ଉତ୍କଟ ଛାଇ ଆଲୁଅର ଗଣ୍ଡଗୋଳକୁ ରୋଗ ଓ ପାଗଳାମୀ କହି ଘଉଡ଼େଇ ଦିଅନ୍ତୁ ନାହିଁ । ଭାବନ୍ତୁ । ଯେ ତତ୍‌ସମ ଚେତନାର ଧାପେ ଆପଣଙ୍କ ମନକୁ କେବେହେଲେ ଛୁଇଁଛି କି ନାହିଁ । ଏଇ ପରିପ୍ରେକ୍ଷୀରେ ସଂସାରର ଗୋଟିଏ ସର୍ବସାଧାରଣ ପ୍ରହେଳିକା ବଢ଼ିବାକୁ ଚାହେଁ ଆପଣଙ୍କ ଆଗରେ । ସୁନ୍ଦର, ଅସୁନ୍ଦର, ଇତ୍ୟାଦିର ବୈଚିତ୍ର ନୁହେଁ, ଭଲ ମନ୍ଦର ତଥାକଥିତ ବୈଷମ୍ୟ, ଯାହାକୁ ସବୁଠାରୁ ଗୁରୁତ୍ୱ ଦିଆଯାଏ; ଅଥଚ ଯାହାର ଅସଲ ଚେହେରାକୁ ସ୍ୱୀକାର କରିବା ପାଇଁ କାହାର ସାହସ ନଥାଏ । ନିତ୍ୟ ପ୍ରତିଦିନ ନେତାଙ୍କଠାରୁ ଆରମ୍ଭ କରି ଅନାମଧେୟ ପାଣୁ ବେହେରା ନିଜକୁ ପ୍ରମାଣିତ କରୁଛି ଯେ ସେ ସତ୍‌ରେ ଚଳୁଛି । ଆପଣ ଅସତ୍‌ର ବାସ୍ନା ପାଇଲାକ୍ଷଣି କହୁଛି ଯେ ଇଏ ଅସତ୍‌ ନୁହେଁ, ରାଜନୀତିରେ ଏମିତି ଚଳେ, ବ୍ୟବସାୟର ଧର୍ମ ଏଇଆ, ଘର କଲେ ଏମିତି କରିବାକୁ ପଡ଼େ; ଅଥବା ଅନ୍ୟମାନେ ଯାହା କରୁଛନ୍ତି ତା’ ତୁଳନାରେ ଇଏ ଅତି ସାମାନ୍ୟ । ପ୍ରତିଟି ଲୋକ ଭଲମନ୍ଦକୁ ଚିହ୍ନିଛି ବୋଲି ମନେକରେ ଏବଂ ଥରେଅଧେ ନିଜକୁ ଦୋଷୀ ବୋଲି ଭାବିଲେ ତା’କୁ ‘ସ୍ଖଳକ’ ବୋଲି କୁହେ; ହୁଏତ ଲୁହ ଢାଳି ବା ଗଙ୍ଗାରେ ବୁଡ଼ ଦେଇ ନିଜକୁ ଧୋଇ ପୋଛି ଦିଏ; ତଥାପି ଆମର ଏଇ ସଂସାରଟାରେ ଷଡ୍‌ରିପୁ ବନାମ ମନ୍ଦର ଅଦଭତି କମୁଛି କି ? କାହିଁକି କମୁ ନାହିଁ ? କାରଣ ଆମେ ଧଳା-କଳାର ବିଚାର ଛାଡ଼ିନାହୁଁ ଏବଂ ଆତ୍ମସନ୍ତୋଷ ପାଇଁ ନିଜକୁ ମୋଟାମୋଟି ଧଳା ବୋଲି ଧରିନେଇଛୁ । ତେଣୁ ମାନିବାକୁ ନାରାଜ ଯେ ଛାଇ ଆଲୁଅର ବହୁବିଧ ରଙ୍ଗ ବସା ବାନ୍ଧିଛି ଆମ ଦେହରେ, ତୁମ ଦେହରେ, ଊଣା ଅଧିକେ ସମସ୍ତଙ୍କ ଦେହରେ, ପୁଣି ଅହର୍ନିଶ ଠେଲାପେଲା ହେଉଛି, ବଦଳୁଛି ଏବଂ ବୁଝିବାକୁ ନାହିଁ ଯେ ତଥାକଥିତ ଷଡ୍‌ରିପୁ ଏଇ ରଙ୍ଗ ମହଲର ରଙ୍ଗ ବିଶେଷ, ତେଣୁ ତାଙ୍କୁ ରିପୁ ବୋଲି କହିବା ଅନୁଚିତ । ରିପୁ ନୁହେଁ, କହିଲେ କୁହ ନାସ୍ତି–ଭାବ (negative emotion) ଯାହାକୁ ଅସ୍ତିଭା‍ବ (positive emotion)ର ଅଧୀନ କରେଇ ପାରିଲେ ବ୍ୟକ୍ତିଗତ ତଥା ସାମାଜିକ ଅଶାନ୍ତିର ମାତ୍ରା ! କମିଯିବ ବୋଲି ମନସ୍ତତ୍ତ୍ୱବିଦ୍‌ମାନେ କୁହନ୍ତି । ଏହିପରି ଭାବିଲେ ବୋଧହୁଏ ଆମ୍ଭ ସଫେଇର ପ୍ରୟୋଜନ ରହିବ ନାହିଁ, ଆତ୍ମ ପ୍ରବଞ୍ଚନାର ଅବକାଶ ନଥିବ, ସତ୍ୟଙ୍କୁ ଚିହ୍ନିବାର ବାଟ ସୁଗମ ହୋଇଯିବ ଏବଂ ଏହି ଭାବରେ ସତ୍ୟଙ୍କୁ ଚିହ୍ନି ଚିହ୍ନି ଗଲେ ମଣିଷ ଜାତି ଯେଉଁଠି ପହଞ୍ଚିବାର କଥା ସେଇଠି ଶୀଘ୍ର ପହଞ୍ଚିବ ବୋଲି ଆଶା କରାଯାଏ ।

 

ମୋର ବିଶ୍ୱାସ ଆପଣ ମୋ କଥାକୁ ଘେନା କରିବେ । ଔପନ୍ୟାସିକ ସଲ୍‌ମାନ୍ ରଶଦି କହିଲେ ଯେ ମଣିଷ ଅଷ୍ଟିଚ୍ ପକ୍ଷୀଠାରୁ ଆହୁରି ଅନ୍ଧ । ଯେ ତା’ର ଅଞ୍ଚତା-ପଣ (will-to-Ignorance) ଏତେ ପ୍ରବଳ ଯେ ଚେତନା ଯାହାକୁ ବରଦାସ୍ତ କରିପାରେ ନାହିଁ, ସେ ତା’କୁ ଚଟ୍‌କିନା କାଟିଦେଇ ନାହିଁ ବୋଲି କୁହେ । କିନ୍ତୁ ଆଖି ଖୋଲି କଷ୍ଟ ପାଇବାର ମର୍ଯ୍ୟାଦା କ’ଣ ସତେ ଆମ କରାମତିର ବାହାରେ ?

 

ମୋର ବିଶ୍ୱାସ ଯେ ଆପଣ ଏଇ ଅନିଶ୍ଚିତ, ଅସମାପ୍ତ, ତେଣୁ ଦୁଃଖଦ ତତ୍ତ୍ୱକୁ ବରଦାସ୍ତ କରି ନ ପାରି ଅଲୀକ, ଆବ୍‌ସଡ଼ ବୋଲି ଉଡ଼େଇ ଦେବେ ନାହିଁ । ହେଲେ ଏବେ ଆବ୍‌ସଡ଼୍ । ଗ୍ରାହାମ୍ ଗ୍ରୀନ୍‌ଙ୍କ ଗୋଟିଏ ଚରିତ୍ରର ବ୍ୟଙ୍ଗୋକ୍ତି ମନେପଡ଼ୁଛି । କହିଲା, ଆବ୍‌ସଡ଼ ବୋଲି ତ ଆଶା ଅଛି, ଅଘଟଣ ଘଟିବାର ଭରସା ଅଛି ! କିଏ ଜାଣେ ମଣିଷ ଦିନେ ସାଧାରଣ ଶର୍ଦ୍ଦିରୁ ମଧ୍ୟ ଜିଣିପାରିବ ! ଏଇ ଚପଳ ଭକ୍ତିରେ ଗୂଢ଼ତା ନାହିଁ ବୋଲି କହିପାରିବେ କି ? ଗୋଟିଏ କଥା ଯେ ପ୍ରବଣତା ସର୍ବମୁଖୀ । ସମ୍ଭାବନା ଚାରିଆଡ଼କୁ, ତଳକୁ ଯେତିକି ଉପରକୁ ତା’ଠୁଁ କିଛି କମ୍ ନୁହେଁ । ସେଇଥିପାଇଁ ଡଷ୍ଟୋଭସ୍‌କିଙ୍କ ସୁନ୍ଦର ଭୟଙ୍କରର ବିଚାର କଲା ବେଳକୁ ସ୍ୱାମୀ ବିବେକାନନ୍ଦଙ୍କ କଥା ମନେପଡ଼େ । ସେ ସୁନ୍ଦର ଭୟଙ୍କର ବି ବଡ଼ବାପ ମୃତ୍ୟୁର ପରିପ୍ରେକ୍ଷୀରେ ଉଦ୍‌ବୋଧନ କଲେ ଆମକୁ– ମୃତ୍ୟୁର ଅସିମୁନରେ ଝାମ୍ପିପଡ଼, ତାହାହେଲେ ଯାଇଁ ଚିରଦିନ ପାଇଁ ସେଇ ଭୟଙ୍କରକୁ ଜିଣିପାରିବ । ଏଠି କାମ୍ୟୁଙ୍କ ଆତ୍ମହତ୍ୟା ନୁହେଁ, ଆଧ୍ୟାତ୍ମିକ ଆତ୍ମବିଲୟର ପ୍ରଚଣ୍ଡ ଅଭିଳାଷ ଫୁଟିଉଠିଛି । ଛାଇ ଆଲୁଅର ପ୍ରବଣତା ମୋତେ ଆପଣଙ୍କୁ ମଧ୍ୟ ଏଇ ବାଟ ଦେଖେଇବ ନାହିଁ ବୋଲି କିଏ ମନାକରିଛି ? କିନ୍ତୁ ଲେଖକର ଖାଲି ଦେଖାଇବା କଥା ଏଇ ଚଳଚଞ୍ଚଳ ସୁନ୍ଦର ଭୟଙ୍କର, ହସକାନ୍ଦ, ହିଂସା ଅହିଂସା...ଏବଂ ଏହିପରି ନାନା ରଙ୍ଗର ଛାଇ ଆଲୁଅ ଭିତରେ ପଶିଯାଇ ଗଣ୍ଡଗୋଳ କରୁଥିବା ଭଲମନ୍ଦର ଭେଳିକି । ମୋ ମତରେ ଏଇ ହେଉଛି ତା’ର ସମ୍ୱିଧାନ । ତା’କୁ ନ ମାନିଲେ ମନେକର ଯେ ସେ ଲେଖକ ପର୍ଯ୍ୟାୟ ପାରିହୋଇ ଦାର୍ଶନିକ କିମ୍ବା ସିଦ୍ଧ ହେବାକୁ ବସିଲାଣି; ଅଥବା ଶଠ ।

 

ତା’ଛଡ଼ା ଆମ ବାସ୍ତବତାର ‘‘ଝଲକ’’ରେ ଆଧ୍ୟାତ୍ମ ଅନୁଭବ ନାହିଁ ବୋଲି କିଏ କହିଲା-?

 

ବଟବାବୁ ପ୍ରତ୍ୟୁଷରେ ବାଳଭାନୁର ଶୋଭା ଦେଖିଲେ, ପକ୍ଷୀମାନଙ୍କ କୂଜନକାକଳି ଶୁଣିଲେ । ସବୁଦିନେ ତ ଦେଖନ୍ତି, ଶୁଣନ୍ତି । କିନ୍ତୁ ଆଜି ତାଙ୍କର ମନେହେଲା ଯେ ପହିଲିବାର ତାଙ୍କୁ ନିମନ୍ତ୍ରଣ କରୁଛନ୍ତି ସେମାନେ । ତୁଚ୍ଛ ଘରକରଣା ପେଟପାଟଣା ଭୁଲିଯାଇ ଏକ ମହାନ୍ ରାଜ୍ୟର ରାଜା ହୋଇ ବସିବା ପାଇଁ, ସେଇ ଚଢ଼େଇଟି ଯେମିତି ବସିଛି ଗଛର ଶିଖ ଉପରେ, କଅଁଳ ପତର ଶାଖାରେ ଦୋହଲୁଛି, ଆଉ ତା’ ଚାରିପାଖରେ ଯେତେକ ରଙ୍ଗରାସ, ଆନନ୍ଦ । ଛାଏଁ ଛାଏଁ ତାଙ୍କ ରୋମ ଟାଙ୍କୁରି ହୋଇ ଉଠିଲା ଓ ପିଲାଦିନେ ଶିଖିଥିବା ସ୍ରୋତ୍ର ମନେପଡ଼ିଲା । ଏବଂ ସେ ବରେଣ୍ୟ ସବିତାଙ୍କୁ ପ୍ରଣାମ କଲେ । ସେଇ ବଟୁବାବୁ ଯଥାକ୍ରମେ କୁନା ପୁଅକୁ ଚାପୁଡ଼ାଏ ମାରିବାକୁ ବାଧ୍ୟହେଲେ କାହିଁକିନା ଭଗ୍ନାଂଶ ଜିନିଷଟା ତା’ ମୁଣ୍ଡରେ ମୋତେ ପଶିବାକୁ ନାହିଁ । କୁନିଝିଅକୁ ଗେହ୍ଲାରେ ମୁଣ୍ଡ କୁଣ୍ଡେଇ ଦେଲା ବେଳେ ତା’ର ଖେଳସାଥୀ କିନ୍ତୁ ଚାକର ପିଲା ପୁନି “ମତେ, ମତେ ଟିକିଏ ! ” ବୋଲି ଅଳି କଲା; ହେଲେ ବଟୁବାବୁ ତା’ ଆଡ଼କୁ ହାତ ବଢ଼ଉ ବଢ଼ଉ ରହିଗଲେ । ଅଫିସ୍‌ରେ ବଡ଼ସାହେବଙ୍କ ଆଗରେ ଗୋଟାଏ ସାମାନ୍ୟ କୈଫିୟତ୍‌ ଦେବାକୁ ଯାଇ ଗୋଧଏ ସାମାନ୍ୟ ମିଛ କହିବାକୁ ପଡ଼ିଲା, ତଦ୍ଦ୍ୱାରା ଭ୍ରାତୃତୁଲ୍ୟ ବଡ଼ବାବୁଙ୍କର କ୍ଷତି ହୋଇପାରେ ଭାବି ଗ୍ଲାନିରେ ଘାରି ହେବାକୁ ପଡ଼ିଲା, ତେଣୁ ସହକର୍ମୀର ଅଶ୍ଳୀଳ ଜୋକ୍‌କୁ ଉପଭେଗ କରିହେଲା ନାହିଁ । ସଞ୍ଜବେଳେ ରାମ୍ ସିଂହ ଘରେ ଭଜନ ଶୁଣିବାକୁ ମନ ହେଲା, ଭଜନରେ ତନ୍ନୟ ହେବାର ସାମାନ୍ୟତମ ସନ୍ଧିରେ ଅଶ୍ଳୀଳ ଜୋକ୍‌ଟି ବିଜୁଳି ପରି ଆସି ଚାଲିଗଲା ଏବଂ ସେ ରାତିରେ ସ୍ତ୍ରୀଙ୍କ ସହିତ ସପ୍ରେମ ରତି କଲାବେଳେ ମଧ୍ୟ ସେକ୍‌ସର ସଫଳତା ପାଇଁ କେଉଁ ଏକ ‘ଦୁଷ୍ଟ’; ଅଥଚ ଫୁଲେଇ ଛଇଳିର ଚେହେରାକୁ ମନେପକାଇବାକୁ ବାଧ୍ୟହେଲେ; ବନ୍ଧୁବାବୁଙ୍କ ଗୋଟିଏ ଦିନର ଏଇ ଚେତନାମରେ ସକାଳର ଅନୁଭବକୁ ଖାପ୍‌ଛଡ଼ା ତେଣୁ ଅଗ୍ରାହ୍ୟ ବୋଲି କହିହେବ କି ? ଏବଂ କିଏ ଜାଣେ, ତାଆରି ପର୍ଯ୍ୟାୟ ହୁଏତ ବଡ଼ ବଡ଼ ଯିବ ଏବଂ ବଟୁବାବୁ ଦିନେ ଅସଂଭାଳ ହୋଇ ଉପରୋକ୍ତ ଅପରୂପ ରାଜ୍ୟର ସନ୍ଧାନରେ ବାହାରି ପଡ଼ିବେ ତଥା ନାନାଦି ବିଚିତ୍ର କାମ କରି ବସିବେ ?

 

ଲେଖକର ବଟୁବାବୁଙ୍କ ସକାଳ-ଅନୁଭବକୁ ଉପେକ୍ଷା କରିବା ଦୂରର କଥା, ତା’କୁ ସ୍ୱୀକାର କରି ସମ୍ୟକ୍ ରୂପେ ଦର୍ଶାଇବା ଉଚିତ୍ । କାରଣ ସେ ନିଜେ ତ ବଟୁବାବୁ ! ଲେଖକ ହୋଇଛି ବୋଲି ସେ କ’ଣ ଆପଣାକୁ ଖାଲି ଛିଗୁଲେଇ ପାରିବ, ସମ୍ମାନ ଦେଇପାରିବ ନାହିଁ ?

 

ଏହି ସଂପର୍କରେ ସାହିତ୍ୟ ସମାଲୋଚକ ଜେ.ପି. ଷ୍ଟର୍ନଙ୍କ ବକ୍ତବ୍ୟ ଯଥାଯଥ ବୋଲି ମନେହୁଏ । କହିଲେ, ସାହିତ୍ୟର ବାସ୍ତବତା ଆଧ୍ୟାତ୍ମିକ ଦୃଷ୍ଟିକୋଣର ବିମୁଖ ନୁହେଁ । ବାସ୍ତବତା ସ୍ଵୀକାର କରେ ଯେ ଆମ ଗୁହାରେ ଗୋଟାଏ ଅସ୍ପଷ୍ଟ ଅଭିନବ ଜ୍ୟୋତି ଦିଶିଯାଏ ବେଳେବେଳେ, ସେହି ଜ୍ୟୋତିର ପ୍ରକାଶକୁ ନାସ୍ତି ବୋଲି କହିହେବ ନାହିଁ; ହୁଏତ ତାହାଠୁଁ ସତ୍ୟ, ତେଣୁ ଚରମବାସ୍ତବ । କିନ୍ତୁ ଆମ କାମ ହେଉଛି କେବଳ ଗୁହା ଭିତରେ ଆତଯାତ ହେଉଥିବା ଜୀବନର ଅନୁଭବ ଦେଖାଇବା । ଅନୁଭବରେ ଜ୍ୟୋତିଷଦର୍ଶନର ରୂପଛବିକୁ ମଧ୍ୟ ଚିହ୍ନାଇବା ଉଚିତ୍ । ସମ୍ବାଦଟିକୁ ଛାପିବା ଆବଶ୍ୟକ । କିନ୍ତୁ ସେତିକି ମାତ୍ର । ଜ୍ୟୋତିର ଅର୍ଥ ବାଢ଼ିବା, ତା’ର ‘‘ସତ୍ୟ’’ ପ୍ରତିପାଦିତ କରିବା, ଅବା ଗୁହାବାସୀଙ୍କ ମଧ୍ୟରୁ ଜଣେ ଅଧେ ତା’କୁ କିଭଳି ଗ୍ରହଣ କରି ଧନ୍ୟ ହୋଇଛନ୍ତି ତା’ର ପରାକାଷ୍ଠା ଦେଖାଇବା ଆମ ସାଧନର ବହିର୍ଭୂତ । ସେଥିରେ ଆମ ନିଯୁକ୍ତି ପତ୍ରର ଉଲଂଘନ ହେବ ବୋଲି କହିଲେ ଚଳେ । ଅନ୍ୟ ଅର୍ଥରେ ଆମେ ସମସ୍ତେ ଗୁହାବାସୀ । ଊଣାଅଧିକେ ବଟୁବାବୁ । ଗୁହାତ୍ୟାଗୀ ବଟୁବାବୁଙ୍କ ସମ୍ଭାବିତ ଉତ୍ତର ଚରିତ୍ର ସାଙ୍ଗରେ ଆମର ପରିଚୟ ନାହିଁ ।

 

ସ୍ୱାମୀ ବିବେକାନନ୍ଦ କହିଛନ୍ତି ଯେ ମଣିଷର ଚେତନା ବିଶାଳ ଅବଚେତନ ଓ ଉତ୍ତରଚେତନ ମଝିରେ ସ୍ୱଳ୍ପସୀମିତ ପରଦାଟିଏ । ହେଲା କିନ୍ତୁ ଆମେ ଯେତେକ ବଟୁବାବୁ ଏଇ ଝିଲିମିଲି ପରଦାଟିରେ ଆମ ନଗ୍ନତାକୁ ଘୋଡ଼େଇ ପାରିଛୁ ବୋଲି ମନେକରୁ । ଅତଏବ ବାସ୍ତବଧର୍ମରେ ଦୀକ୍ଷିତ ଲେଖକର ତା’ରି ଆଲୋଡ଼ନ ଦେଖାଇବା କଥା । ଉପରତଳର ଠେଲା ନେଇ ସେ କେମିତି ବେଳେବେଳେ ଉଡ଼ନ୍ତା ମାଛ ପରି ଉଛାଳି ହେଉଛି ଉପରକୁ, ଆଉ କେତେବେଳେ ଆଖିବୁଜି ଅତଳରୁ କ’ଣ ବୋଲି କ’ଣ ଟାଣି ଆଣୁଛି, ନିଜେ ବୁଝିପାରୁ ନାହିଁ; ଫଳରେ ଛଟପଟ ହେଉଛି, ଆଲୋଡ଼ନର ଏଇ ଅବ୍ୟାପାର ଏବଂ ଆଡ୍‌ଭେଞ୍ଚର ମଧ୍ୟ ଦର୍ଶନୀୟ । ସେଣିକି ନୁହେଁ ।

 

ବର୍ତ୍ତମାନ ଆପଣ ବୋଧହୁଏ ମୋତେ କେତେଗୁଡ଼ିଏ ଟାଣୁଆ ପ୍ରଶ୍ନର ଜେରା କରିପାରନ୍ତି । ପ୍ରଥମେ ହେଲା–ଜନ୍ମରୁ ମୃତ୍ୟୁ ପରେ ଚେତନାର ପୃଷ୍ଠଭୂମିରେ ଏଇ ଧାରଣାଟି ଯଦି ରହିଥାଏ ଯେ ମଣିଷ କେଉଁଠି ନା କେଉଁଠି ପହଞ୍ଚିବ; ତାହାହେଲେ ସାହିତ୍ୟରେ ଆଭିମୁଖ୍ୟତା ରହିବ ନାହିଁ କେମିତି ? ଲେଖକ ହୋଇଛି ବୋଲି ତୁମ ଚେତନାରୁ ଏଇ ମୌଳିକ ମଞ୍ଜିଟି, କ୍ୟାଟିଗିରିକାଲ୍‌ ଇମ୍ପରେଟିଭ୍ (Categorical Imperative) କ’ଣ ଉଖୁଡ଼ା ହୋଇଯାଇଛି-? ଆମେ ଜାଣି ନ ପାରିଲେ ମଧ୍ୟ ଗତିରେ ଉଦ୍ଦେଶ୍ୟ ଅଛି, ତେଣୁ ପ୍ରଗତି ଅନିବାର୍ଯ୍ୟ, ଦାର୍ଶନିକ କହିଲା ପରି ଇତି କଥା ହିଁ ଆତ୍ମକଥା, ଆଦିକଥା, ସେଇ ଲକ୍ଷ୍ୟର ଅନୁଧାବନ କରି ଆମେ ଧାଉଁଛୁ, ଧାଉଁଥିବୁ, ବିବେକାନନ୍ଦଙ୍କ ଭାଷାରେ ମଣିଷ ଦିନେ ନା ଦିନେ ଭଗବାନ ହେବାକୁ ବାଧ୍ୟ, ଏଇ ସ୍ଵୟଂସିଦ୍ଧ ସତ୍ୟ ତଥା ଆଶାବାଡ଼ିଟିକୁ ମୁଠେଇ ଧରିବାରେ ବାଧା କଅଣ ?

 

ଏ ଦୁଇଟି ପ୍ରଶ୍ନର ଉତ୍ତର ମୁଁ ଅନ୍ୟ ହିସାବରେ ଦେଇସାରିଛି । ଅଙ୍କ ମିଳେଇଲା ପରେ ଯାଇଁ ଆରାମ । ଆଭିମୁଖ୍ୟତା । କହିପାରନ୍ତି ଯେ ଅଙ୍କ ମିଳିବାକୁ ନାହିଁ । ବଳବୟସ ପଡ଼ି ନାହିଁ ଯେ ଏତେ କଷ୍ଟ କରିବ ମଣିଷ । ଇତ୍ୟାଦି । କିନ୍ତୁ ଲେଖକ କହୁଛି ଯେ କଷ୍ଟ କଲେ ଯାଇଁ କୃଷ୍ଣ ମିଳିବ, ମାନେ ମିଳିଲା ପରି ଲାଗିବ । ତା’ପରେ ହୁଏତ ଯେଉଁ କଥାକୁ ସେଇ କଥା, ପୁଣି ଗୋଟାଏ ଅଛିଣ୍ଡା ଅଙ୍କର ଚ୍ୟାଲେଞ୍ଜ...ହେଲେ ସେଇ ହେଉଛି ମଜା । ଯାହା ଆଗରୁ କହିଛି–ସମସ୍ତେ ଭଲ ମନ୍ଦର ବିଚାର ଜାଣନ୍ତି ବୋଲି ଭାବନ୍ତି । ବଖାଣିଲା ବାଲା ବଖାଣନ୍ତି, ଲେଖିଲାବାଲା ଲେଖନ୍ତି; ତଥାପି ଭଲ ମନ୍ଦର ଭାଗ ମାପ କିଛି ବଦଳି ନାହିଁ ତ ? ତା’ର କାରଣ ଆମେ ଆଦର୍ଶକୁ ଖଟୁଲିରେ ବସେଇ ଜୁହାର ହେଉ, ଏଣେ ବାସ୍ତବକୁ ଚମ ହାତରେ ଛୁଇଁବାକୁ, ଖାଲି ଆଖିରେ ଦେଖିବାକୁ ଭୟ କରୁ; କାଳେ ସେଥିରୁ ସାପ କି ବେଙ୍ଗ ବାହାରିବ । ମୋର ନିବେଦନ ଯେ ଏଇ ତ୍ରିଶଙ୍କୁ ଗଣର ତୁଷ୍ଟିକୁ ଛାଡ଼ିଲେ ଯାଇଁ ନିଜର ଓ ଜାତିର ମଙ୍ଗଳ । ଯେ ଆଶାବାଡ଼ିକୁ ଦୁଃଖର ସହିତ ଫିଙ୍ଗିଦେବ, ତହୁଁ ବାସ୍ତବର ସତକୁ ଚିହ୍ନି ଚିହ୍ନେଇବ, ଯେମିତିକି ନିଦା ବାଇଶିଟି ପାହାଚ ଚଢ଼ି ଚଢ଼ି ହାଲିଆ ହୋଇ; ତଦୁପରି ବେତମାଡ଼ ଖାଇଲା ପରେ ଯାଇଁ ଚକାଡୋଳାଙ୍କ ଦର୍ଶନ ମିଳିବ । ଅନ୍ୟ ଅର୍ଥରେ ସେ ତା’ର ସାହିତ୍ୟ ମାଧ୍ୟମରେ ପରୀକ୍ଷା କରେଇବ ନିଜକୁ ଓ ତୁମକୁ ଯେ ବଟୁବାବୁ ବୈତରଣୀ ପାରିହେବା ପାଇଁ କେତେଦୂର ଯୋଗ୍ୟ । ଜଣେ ପାଠକ ବନ୍ଧୁ ଆନ୍ତରିକତାରେ ଆପ୍ଲୁତ ହୋଇ ମୋତେ ଥରେ ପଚାରିଲେ–ସାର୍‌, ଆପଣ କ’ଣ କେବେ କାହାକୁ ଅନ୍ତତଃ ନିଜକୁ, ଭଲ ପାଇ ପାରି ନହାନ୍ତି ? ହେ ଭଗବାନ୍ ! ମୁଁ କେମିତି ବୁଝେଇବି ଯେ ଭଲପାଇବାରେ ମୋର ଅଧିକାଂଶ ଛାତ୍ର (ଚରିତ୍ର)ମାନଙ୍କୁ ଫେଲ୍ କରେଇ ମୁଁ କି ଦାରୁଣ କଷ୍ଟ ନ ଭୋଗିଛି ! କାରଣ ନେତି ନେତି କହି ମୁଁ ସତ ଭଲପାଇବାକୁ ଖୋଜିଛି, ନ ପାଇ ବିକଳ ହୋଇଛି, ଆହୁରି ଖୋଜିଛି, ଗଉଁରେ ବସିରହିଛି ଯେ କପି କରି ବା ଯୋଗାବଳଦ ପରି ପାସ୍ କରିବାଠାରୁ ଫେଲ୍ ହେବା ଭଲ; ହୁଏତ ମୁଁ ମଧ୍ୟ ବେଳେବେଳେ ହାରିଯାଇଛି, ଆଭିମୁଖ୍ୟତାର୍ ପାଲରେ ପଡ଼ି ମୋର ଗପଟିକୁ ଗୋଲ୍ କରିଦେଇଛି, ମୋର ‘‘ଝଲ୍‌କ’’ରେ ସ୍ୱର୍ଗଲାଭର ଇତିକଥାର ଶାନ୍ତି ଆଣି ଦେଇଛି । ସେଥିପାଇଁ ମୁଁ ଲଜ୍ଜିତ; ତଥାପି ଏତିକି କହିବି ଯେ ଲେଖକ ହିସାବରେ ମୋର ସାମୂହିକ ଦୃଷ୍ଟିଭଙ୍ଗୀ ବଦଳି ନାହିଁ ମୋତେ, ଚିରଚଞ୍ଚଳ ଚିରପ୍ରବଣ ଛାଇ ଆଲୁଅର ଭେଳିକି ଦେଖାଇବା ମୋର ଧର୍ମ ବୋଲି ମୁଁ ମାନି ଆସିଛି । ବଟୁବାବୁ ମୁଁ ମୋର ମଡ଼େଲ୍ । ମୋର ଦୋସର ।

 

ଦୁର୍ଭାଗ୍ୟ ଯେ ନେତା ଜନତାଙ୍କ ‘‘ଦିଗ ଦେଖାଅ ଦିଗ ଦେଖାଅ’’ର ତାଡ଼ନା ସହି ନ ପାରି ଅଥବା ଅଜାଣତରେ (ଜାଣତରେ ହୋଇ ନଥିବ ପରା) ନିଜର ଉଚ୍ଚମନ୍ୟତା ପ୍ରମାଣ କରିବା ଉଦ୍ଦେଶ୍ୟରେ ମୋର କେତେକ ଲେଖକ ଭାଇ ବଟୁବାବୁଙ୍କୁ ସଭାରୁ ନିକାଲି ଦେଲେଣି । ସହଜ ସେଣ୍ଟିମେଣ୍ଟର ଆଇନ ଦେଖାଇ । ମନେହେବ ଯେ ନେତାମାନେ ଯାହାହେଲେ ହୁଅନ୍ତୁ ପଛେ, ଲେଖକମାନେ ହିଁ ଠିକ୍ । ସଚ୍ଚା ଦିଗ୍‌ଦର୍ଶକ । ସେଇମାନେ ରାଜା ହୋଇଥିଲେ ପୃଥିବୀର ଏଇ ଦଶା ହୋଇ ନ ଥାଆନ୍ତା ପରା !

 

ହେ ମୋର ଲେଖକ ଭାଇ, ବଟବାବୁଙ୍କ ସାଙ୍ଗ ବୋଲେଇବାକୁ ଏତେ ଲାଜ କାହିଁକି ? ମନେରଖିବା ହେଉ ଯେ ସବୁ କାମ ପରି ଲେଖକଗିରି ମଧ୍ୟ ଗୋଟିଏ ଧନ୍ଦା । ନିଷ୍ଠାର ସହିତ ବଟୁବାବୁଙ୍କ କାୟାରେ ପ୍ରବେଶ କଲେ ମଧ୍ୟ ତୁମେ କ’ଣ ଅଦ୍ୱିତୀୟ ‘‘ମୁଁ” ହୋଇ, ରହିବ ନାହିଁ ? ଯାହାର ଅନେକ ଅବ୍ୟକ୍ତ ଅନ୍ତରଙ୍ଗତା କଦାପି ବ୍ୟକ୍ତ ହୋଇପାରିବ ନାହିଁ ? ତୁମର କ’ଣ ନିଜର ନୀରବତା ନାହିଁ ଯାହା କେବଳ ଆପଣାର ? ନିଜର କାନ୍ଦଣା ନାହିଁ ଯାହା କେବଳ ନିଜକୁ ଶୁଣାଇବା ପାଇଁ ? ତା’ର ମାଧ୍ୟମରେ ତୁମେ ଉପଲବ୍‌ଧିର କେଉଁ ପାହାଚରେ ଯାଇଁ ପହଞ୍ଚିବ ତା’ର କିଛି ଠିକଣା ଅଛି ? ଯଥାକ୍ରମେ ହୁଏତ ବୁଝିବ ଯେ ସାହିତ୍ୟଟା କି ଅଧାପନ୍ତରିଆ, ଛାର ବସ୍ତୁ ! ସେତେବେଳେ ତୁମେ ଅବଶ୍ୟ ଲେଖକ ହୋଇ ରହିବ ନାହିଁ । ନହେଲ ନାହିଁ, ଭାସିଗଲା କଅଣ ? କିନ୍ତୁ ମନେରଖିବା ହେଉ ଯେ ଛାର ସାହିତ୍ୟର ମଧ୍ୟ ନିର୍ଦ୍ଦିଷ୍ଟ ଡିସିପ୍ଲିନ୍, ଅନୁଶାସନ ଅଛି । ସେ ବି’ ଗୋଟାଏ ସୋପାନ, ଯେତେ ନିମ୍ନରେ ଥାଉନା କାହିଁକି । ଯେତେଦିନ ଯାଏଁ ସାହିତ୍ୟକୁ ଧରିଛି, ବଟୁବାବୁଙ୍କୁ ଭୁଲିଗଲେ ଚଳିବ ନାହିଁ, ନହେଲେ ପାହାଚ ଧସିଯିବ ।

 

ଜଣେ ଇଂରାଜୀ କବି ଜିଓଫ୍ରି ଗ୍ରିଗ୍‌ସନ୍ କହିଲେ ଯେ ସାହିତ୍ୟ ମାନୁଷୀ ଅସଂପୂର୍ଣ୍ଣତାର ଏକ ଦୀର୍ଘ ହାରଜିତ୍‌ର ଖେଳ; ତେବେ ବେଶିଭାଗ ତା’ର ଜିତାପଟ ବୋଲି କହିବାକୁ ହେବ । ତାଙ୍କ କଥାର ତାତ୍ପର୍ଯ୍ୟ ପୂରାପୂରି ବୁଝିବା କଷ୍ଟ; ତେବେ ଏତିକି ସ୍ପଷ୍ଟ ଯେ ଅସଂପୂର୍ଣ୍ଣତାର ବାର୍ତ୍ତାବହ ହେବା ଯୋଗୁଁ ସାହିତ୍ୟର ମୂଲ୍ୟ କମିଗଲା ବୋଲି ସେ ଭାବନ୍ତି ନାହିଁ; ବରଂ ମନେକରନ୍ତି ଯେ ଏଇ ଯୁଦ୍ଧରେ ବା ଖେଳରେ ଏକପ୍ରକାର ଆନନ୍ଦ ଅଛି ।

 

ସୁନ୍ଦରହୁନ୍ଦରକୁ ଦେଖି ଦେଖାଇବାର ଆନନ୍ଦ । ଓଢ଼ଣା ଖୋଲିବାର ମାଧୁରୀ । ସେତିକି ନ ଥିଲେ ବି’ ହୁଏତ ଲେଖି ହେବ; କିନ୍ତୁ ସେଭଳି ଲେଖା ବିଧାତା ଅଥବା ବୌଦ୍ଧିସକତାର ହୁକୁମ୍ ତାମିଲ୍ କଲାପରି ଲାଗିବ । ଚକ୍ଷୁକୁଟାରୁ ବଳି ଘଣାପେଲା ।

 

ନିକଟରେ ଜଣେ ଯୁବକବିଙ୍କର କବିତା ପଢ଼ି ଖୁସିଲାଗିଲା, ମନେହେଲା ସେ ମୋ ଛାଇଆଲୁଅର ଏକାନ୍ତ ସମର୍ଥକ । ଲେଖିଛନ୍ତି–

 

ଭୟାନକ ଖେଳ, ଆଲୁଅ ଅନ୍ଧାରର

ଛାଇ ଭିତରେ ତମେ, ତମ ଭିତରେ ବର୍ଷ ବର୍ଷର ଭୟ

X X X

ତମର ନ ବୁଝିବାର ସତ୍ୟ, ତମର ଗ୍ରହଣ ନ କରିନେବା

ଭଳି ସିଦ୍ଧାନ୍ତ ମଧ୍ୟ ସତ୍ୟ

କିନ୍ତୁ ତମ ଭିତରେ ଅନ୍ଧାର ଆଲୁଅର ଖେଳ, ତମ

ଭିତରେ ଛାଇ ଓ ଛାଇ ଭିତରେ ତମର ନିଜକୁ

ବୁଝି ନ ପାରିବାର ଭୟାନକ ଭୟ ।

 

ଅବଶ୍ୟ ଖୁସି ଲାଗିଲା । କିନ୍ତୁ ଦୁଃଖ ଲାଗିଲା (ହୁଏତ ମୋର ଅନୁମାନ ଭୁଲ୍) ଯେ ଭୟାନକ ଭୟ ତାଙ୍କ ଆନନ୍ଦଙ୍କୁ ବାଟ ଛାଡ଼ୁ ନାହିଁ ।

 

ଆଜି ମୋତେ ଏକଷଠି ବର୍ଷ ପୂରିଲା । ଏଇ ଅବସରରେ ମୁଁ ମୋର ତରୁଣ କବିବଂଧୁ ଓ ତାଙ୍କ ସହିତ ଆସନ୍ତାକାଲିର ସମସ୍ତ ସଂଧାନୀ ସତ୍ୟାଗ୍ରହୀମାନଙ୍କୁ ମୋର ନମସ୍କାର ଜଣାଉଛି ଏବଂ ଅନ୍ତରର ସହ ପ୍ରାର୍ଥନା କରୁଛି ଯେ ଛାଇ ଆଲୁଅକୁ ନେଇ ଯେତେ ଭାବିଲେ ଭୟ କଲେ ମଧ୍ୟ ସେମାନେ ତା’ର ଆନନ୍ଦକୁ ହରାଇବେ ନାହିଁ, ମହାନନ୍ଦ ନ ମିଳିବା ଯାଏଁ ।

Image

 

ସାହିତ୍ୟ ? ଭଲ, ଭଲ....

 

ରବି– ନମସ୍କାର ଆଜ୍ଞା, ଭଲ ଅଛନ୍ତି ?

 

କବି– ଚାଲିଛି....

 

ରବି– ଛୁଟିରେ ଆସିଛନ୍ତି ଇଆଡ଼େ ?

 

କବି– ଛୁଟି ଆଉ କଅଣ ? ରିଟାୟାର୍‌ କରି ଆସିଲାଣି ପରା !

 

ଭାବି– ଆଚ୍ଛା ? କ’ଣ କରୁଛନ୍ତି ତେବେ ?

 

(ଏଇଠି ନବି ଜାଗୃତ ହେଲେ)

 

ନବି– ଆପଣ ଜାଣନ୍ତି ନାହିଁ ? ସାର୍ ଲେଖାଲେଖି କରନ୍ତି ପରା ?

 

ରବି– ଆଚ୍ଛା ? କ’ଣ ସବୁ ଲେଖନ୍ତି ?

 

ନବି– (କେବଳ ଜାଗୃତ ନୁହେଁ, ଦୀପ୍ତ ହୋଇ) ଆରେ, ଆପଣ ଜାଣନ୍ତି ନାହିଁ ? ସାର୍ ପରା ଜଣେ ପ୍ରସିଦ୍ଧ ଲେଖକ । ଗପ, କବିତା...

 

ରବି– ଓ, ସାହିତ୍ୟ ? ଭଲ, ଭଲ...

 

ରବି, କବି, ନବି ମୁଁ ସ୍ମିତହାସର ଭେଟିଦେଲେ ପରସ୍ପରକୁ । କିନ୍ତୁ ବିଷୟବସ୍ତୁ ଗୋଟିଏ ହୋଇଥିଲେ ମଧ୍ୟ ଆନନ୍ଦର ଉତ୍ସ ଏକା ବୋଲି କୁହାଯାଇ ନ ପାରେ । ରବି ଟୁସିହେଲେ ଏଇଥିପାଇଁ ଯେ ବନ୍ଧୁ ବେକାର ହୋଇ ବସିଲେଣି, ତେଣୁ ତାଙ୍କୁ ଉଚିତ ସହାନୁଭୂତି ଦେଖାଇବାକୁ ପଡ଼ିବ (ହୁଏତ ତାଙ୍କୁ ପୁଣି କାମରେ ଲଗାଇବା ପାଇଁ କାହାକୁ କୁହାବୋଲା କରିବାକୁ ପଡ଼ିବ) ଏଇ ଦାୟିତ୍ୱରୁ ସେ ରକ୍ଷା ପାଇଗଲେ । କାରଣ ସାହିତ୍ୟ କାମ ନ ହେଲେ ମଧ୍ୟ ତା’କୁ ଅକାମ ବୋଲି କହିବା ଅଶୋଭନୀୟ । ସାହିତ୍ୟ ଭଲ ଜିନିଷ । ନବ ଖୁସିହେଲେ ଏଇଥିପାଇଁ ଯେ ଯାହାହେଉ ରବି ସାର୍‌ଙ୍କ ମୂଲ୍ୟ ବୁଝିଲେ, ତଦ୍ଦ୍ୱାର ଆପଣାର ମୂଲ୍ୟ ବଜାୟ ରହିଲା । ଯେହେତୁ ନବି ସେହି ସ୍ୱଳ୍ପସାମାନ୍ୟ ପାଠକମାନଙ୍କ ମଧ୍ୟରୁ ଜଣେ ଯେଉଁମାନେ ଓଡ଼ିଆ ସାହିତ୍ୟ ପଢ଼ନ୍ତି ବେଳେବେଳେ, ତା’ ଉପରେ ଲେଖନ୍ତି ବେଳେବେଳେ ଓ ସେଥିରେ ଗର୍ବ ଅନୁଭବ କରନ୍ତି । ଦାଗକରନ୍ତି ଯେ ସାହିତ୍ୟ ଭଲ, ଓଡ଼ିଆ ସାହିତ୍ୟ ଆହୁରି ଭଲ ଏବଂ କବି ଖୁସି ହେବାର ଭାବ ଦେଖାଇଲେ କାରଣ ତାଙ୍କଠାରୁ ବିନୟ-ମଧୁର ହସ ଆଶା କରାଯାଏ । ରବି ତାଙ୍କୁ ଜଣେ ପ୍ରସିଦ୍ଧ ଲେଖକ ବୋଲି ଜାଣି ନ ଥିଲେ, ଯେତେଦୂର ସମ୍ଭବ ନବି ତାଙ୍କ ଲେଖା ପଢ଼ିଲେ ମଧ୍ୟ ବୁଝିନାହାନ୍ତି, ଇତ୍ୟାଦି, ଦୁଃଖର ଲକ୍ଷଣ ଦେଖାଇବା ଲେଖକର ଧର୍ମ ନୁହେଁ । ତା’ର ଚରାଚରିତ ଭାବମୂର୍ତ୍ତି ହେଲା ଯେ ସେ ଆପଣା ମଧୁରେ ମତ୍ତ, କେହି ତାକୁ ପଚାରନ୍ତି, ପଢ଼ନ୍ତୁ, କି ବୁଝନ୍ତୁ ସେଥିରେ ତା’ର ଯାଏ ଆସେ ନାହିଁ । କିଏ, ସାହିତ୍ୟ ଭଲହେଲେ ସେ ସାହିତ୍ୟର ବାପ ନୁହେଁ କି ?

 

ବୁଝିପାରୁଥିବେ ଯେ ଉପରୋକ୍ତ ବାର୍ତ୍ତାଳାପ ସଂପୂର୍ଣ୍ଣ ମନଗଢ଼ା ନୁହେଁ । ବନ୍ଧୁ ମିଳନର ବେଳା ତଥା ପ୍ରସନ୍ନ ମୁଦ୍ରାର ଆବଶ୍ୟକତା ସରିଗଲା ପରେ ମୋର ଭାବିବାକୁ ଇଚ୍ଛାହୁଏ–ବସିବାଠାରୁ କାଶିବା ଭଲ ଏବଂ ସାହିତ୍ୟ ଏକ ଉଚ୍ଚଧରଣର କାଶ, ଏଇ ହିସାବରେ କ’ଣ ବଂଧୂ ମୋ ସାହିତ୍ୟ-ଲେଖାକୁ ଭଲ ଭଲ ବୋଲି କହିଲେ ? ହୋଇ ନ ଥିବ ପରା । କାରଣ ମୁଁ ଯେତେବେଳେ ଚାକିରିରେ ଥିଲି, ସେତେବେଳେ ମଧ୍ୟ ମୋର ସହକର୍ମୀ ବଂଧୂ ଓଗେର, ମୋର ସାହିତ୍ୟ ଲେଖାକୁ “ଗୁଡ୍” ବୋଲି କହି ଆସିଛନ୍ତି । ସେମାନଙ୍କ ମଧ୍ୟରୁ ଅନେକ ଓଡ଼ିଆ ଜାଣନ୍ତି ନାହିଁ, ତେଣୁ ମୋର ସାହିତ୍ୟ ସହିତ ପରିଚିତ ହେବାର ଅବକାଶ ପାଇନାହାନ୍ତି । କିନ୍ତୁ କିଛି କ୍ଷତି ନାହିଁ, ସାହିତ୍ୟମାନେ ହିଁ ଭଲ । ଯେତେବେଳେ ଜାଣିବାକୁ ପାଆନ୍ତି (ମୋଠାରୁ କିମ୍ବା ଦୈବାତ୍‌ କେଉଁ ‘‘କବି’ଙ୍କ ଠାରୁ) ଯେ ମୁଁ ଅଫିସ୍‌ରୁ ଫେରି–ଆସି କ୍ଲବ୍ ଏବଂ ସାଙ୍ଗସାଥୀଙ୍କ ପାଖ ମାଡ଼େ ନାହିଁ ତା’ର କାରଣ ହେଉଛି ଯେ ମୁଁ ଘରେ ବସି ଲେଖାଲେଖି କରେ, ସେମାନେ ମୋତେ ପୂରାପୂରି କ୍ଷମା କରି ଦିଅନ୍ତି । ଅଧିକନ୍ତୁ ଶ୍ରଦ୍ଧା କରନ୍ତି । ବୁଝନ୍ତି ଯେ ମୁଁ ଏକବାଗିଆ ନୁହେଁ, ମାଇଚିଆ ନୁହେଁ, ମୁଁ ଲେଖକ । ପୁଣି ଦି’ ପଇସା କମେଇବା ପାଇଁ କେଉଁ ଟିଉସନ ଲେଖା ନୁହେଁ । ସାହିତ୍ୟ ଭଲ, ଭଲ...

 

ଆ-ହା ଆମ ସମାଜରେ ସାହିତ୍ୟର କି ସମ୍ମାନ ! ଲେଖକ କ’ଣ ଲେଖିଲା, ସେଥିରୁ କାହାକୁ କ’ଣ ମିଳିଲା, ସେସବୁ ବିଚାର ପଛରେ ପକେଇ ତା’ ନାଆଁ ଶୁଣିଲାକ୍ଷଣି ଏଇ ସଂଭ୍ରମ, ଭକ୍ତିର ପାଖାପାଖି, ଗେରୁଆପିନ୍ଧା ବାବାଜୀଟିଏ ଦେଖିଲା–ପରି, ଏଭଳି ବ୍ୟବହାର ଆମ ଭାରତଭୂମି ଛଡ଼ା ଆଉ କେଉଁଠି ମିଳିବ ?

 

ମିଳିବ କେମିତି ? ଆମର ଐତିହ୍ୟ ଭିନ୍ନ । ଅମପାଇଁ ସାହିତ୍ୟ ଅନୁକରଣ (mimesis) ନୁହେଁ । କାମୁଙ୍କ ଭାଷାରେ ଅସାର ଜୀବନରେ ହତାଶ ହୋଇ ଆତ୍ମହତ୍ୟା କରିବାଠାରୁ ଜୀବନଟାକୁ ଖତେଇ ହେବା ଭଲ, ଏଭଳି ବିକୃତ ମନୋଭାବ କେବେହେଲେ ଆମ ଲେଖକମାନଙ୍କୁ ଛୁଇଁ ନାହିଁ କି ଛୁଇଁପାରିବ ନାହିଁ । କାବ୍ୟର ଧର୍ମ ହେଲା ଭାବାନୁକୀର୍ତ୍ତନ । ଯାହା କାବ୍ୟାଚାର୍ଯ୍ୟ ଭରତ କହି–ଯାଇଛନ୍ତି ଆମକୁ । ଆରିଷ୍ଟୋଟଲ୍‌ଙ୍କ ଭକ୍ତ ହୋଇ ଭରତକୁ ନ ଜାଣିଥିଲେ ମଧ୍ୟ କ୍ଷତି ନାହିଁ, ସେହି କାବ୍ୟାଦର୍ଶ ଆମ ଲେଖକ ଓ ପାଠକମାନଙ୍କର ଅଚେତନରେ, ଅସ୍ଥିରେ, ମଜ୍ଜାରେ, ଆପଣା କାମ କରି ଚାଲିଛି । ଆଧୁନିକ ବୋଲାଇ ବିଲାତରୁ ଖସିଥିବା ହଜାରେ ବସ୍ତୁବାଦୀ ସ୍ଥିରବାଦୀ ହତାଶାବାଦୀ ତା’ର ମୂଳଦୁଆ ହଲେଇ ପାରିବେ ନାହିଁ । ଆମେ ବିଶ୍ଵାସକରୁ ଯେ ଜୀବନ ବିବିଧ ରସରେ ଟୁଳୁଟୁଳୁ ହେଉଛି । କିନ୍ତୁ ସେହି ରସମାନଙ୍କୁ ଭାବ, ବିଭାବ ଓ ଅନୁଭବ ସାହାଯ୍ୟରେ ଚିପୁଡ଼ି ଆଣି ଶବ୍‌ଦର ମିଷ୍ଟାନ୍ନ ଅର୍ଥାତ୍‌ ସାହିତ୍ୟ ପରଷିବା ହେଲା କବିପଣିଆ । ଏଣେ ପାଠକକୁ କୁହାଯାଇଛି ଯେ ସହୃଦୟ ନ ହେଲେ ଭୁଞ୍ଚିବାର ଯୋଗ୍ୟ ହୋଇପାରିବ ନାହିଁ । ମନେମନେ ତୁମେ ବି’ ମିଶିଯାଅ କବିଙ୍କ ସାଙ୍ଗରେ, ରସାମୃତକୁ ଚିପୁଡ଼ିବାରେ, ରାନ୍ଧିବାରେ, ବାଢ଼ିବାରେ । ସେଇଠୁଁ ଦୁହେଁ ମିଶି ଜୀବନର ଜୟଗାନ କର.... ଆନନ୍ଦ କର, ଆନନ୍ଦ ଆନନ୍ଦାତ୍‌ ଖଳୁ ଇମାନି ଭୂତାନି ଜାୟନ୍ତେ ।

 

ଏହି ଆନନ୍ଦଧ୍ୱନି ଅଦ୍ୟାବଧି ଆମ ଚେତନାରେ ଝଂକୃତ ହେଉଛି । ଆମ ପାପଗ୍ରସ୍ତ ଶତାବ୍ଦୀର ଯେତେକ ଜାନ୍ତବ ଜାଗତିକ ଯନ୍ତ୍ରଣାକୁ ପାରିହୋଇ ଭାସିଆସୁଛି–ଅନ୍ତତଃ ଭାଗ୍ୟବାନ୍‌ ଅଳ୍ପ କେତେଜଣଙ୍କ ପାଖକୁ ଯେଉଁମାନେ ଛବି ଆଙ୍କନ୍ତି, ସଂଗୀତ ବୋଲନ୍ତି ଏବଂ ସାହିତ୍ୟ ଲେଖନ୍ତି-। ଆଶା ହେଉଛି ତାଙ୍କରି କୃପାରୁ କିଛି ସୁଖ ମିଳିଯିବ ପରା ! ବୋଧହୁଏ ସାହିତ୍ୟଠାରୁ ଅପେକ୍ଷାକୃତ ବେଶି ଆଶା କରାଯାଏ, କାରଣ ତା’ର ମାୟା ସହଜେ ମିଳେଇଯାଏ ନାହିଁ, ତା’ର କାୟା ସୁଦୃଶ୍ୟ ତଥା ସୁଗମ । ତା’କୁ ବାନ୍ଧିରଖି ପରସ୍ତ ପରସ୍ତ କରି ଛଡ଼େଇ ଉପଭୋଗ କରିହେବ-। ତା’ ଛଡ଼ା ଆଉ ଗୋଟିଏ ଧାରଣା ରହିଛି ଯେ ଚିତ୍ରକଳା ଅବା ସଂଗୀତ ପରି ସାହିତ୍ୟ ସାଧାରଣ ସ୍ତରକୁ ଓହ୍ଲେଇ ପାରିବ ନାହିଁ । ତା’ର ଆସନ ଉଚ୍ଚରେ । ରାଜା ଓ ପଣ୍ଡିତ (ଆଜିକାର ରବି ଓ ନବି)ଙ୍କ ପାଖରେ । ସେଥିରୁ ମିଳୁଥିବା ଆନନ୍ଦ ଅଭିଜାତ । ତେଣୁ–ସାହିତ୍ୟକୁ ନ ପଢ଼ିଲେ ନ ବୁଝିଲେ ବି’ ଭାରତର ଏଇ ନତମସ୍ତକତା । ହଜାର ହଜାର ବର୍ଷର ସଂସ୍କୃତିରେ ଶ୍ରୁତ ଆନନ୍ଦର ଧ୍ୱନି, ଓଁକାରରୁ ସଂଭୂତ ସଂଚାରିତ ହୋଇଥିବ ପ‍ରା ! ଆ-ହା, ଭାରତଛଡ଼ା କେଉଁଠି ମିଳିବ ଏ ସ୍ୱର୍ଗୀୟ ସଂପାଦର ସୌଭାଗ୍ୟ ? ଉତ୍ତରାଧିକାର ?

 

ତେଣୁ ହେ କବି, ତୁମେ ନିଜକୁ ଧନ୍ୟବାଦ ଦିଅ ଯେ ଅବସର ମୁହୂର୍ତ୍ତରେ ତୁମେ ତାସପଣା ଗପସପ ଆଦି ଅକର୍ମ କିମ୍ବା ବଗିଚା କରିବା କୁକୁଡ଼ା ପାଳିବା ଆଦି ତଥାକଥିତ ‘ହବି’, ସୁଖକର୍ମର ପାଲ୍‌ରେ ନ ପଡ଼ି ଲେଖାଲେଖି କରୁଛ, କରି ଆସୁଛ, ଓ ସେଥିରେ ସୁଖଲାଗୁଛି ତୁମକୁ-। ଲେଖ, ଲେଖିଯାଅ....

 

ଲେଖିବ ନାହିଁ ତ ଆଉ କ’ଣଟା କରିବି ବୋଲି କୁହ ନାହିଁ–ଛିଃ ! ତୁମେ କ’ଣ ବିଦେଶୀ ଲେଖକ ହୋଇଛ ଉଇଲିୟମ୍‌ ସାରୋୟାନ୍‌ଙ୍କ ପରି ଯେ କହିଲେ, ଯେ ମୁଁ ଯେମିତି ନାଚାର ହୋଇ ଜନ୍ମହେଲି ଓ ନାଚାର ହୋଇ ମରିବାକୁ ଯାଉଛି, ସେମିତି ନାଚାର ହୋଇ ଲେଖୁଛି, ଲେଖୁଥିବି ? ସେପରି ଭାଷା ତୁମ ତୁଣ୍ଡକୁ ଶୋଭାପାଏ ନାହିଁ । ତୁମେ ଭରତଙ୍କ ଶିଷ୍ୟ ଓ ସନ୍ତାନ ଏବଂ ସେହି ପରଂପରାରେ ପ୍ରଣୋଦିତ ହୋଇ ତୁମର କୁଳକୁଟୁମ୍ୱ ତୁମକୁ କେତେ ଖାତିର୍ କରନ୍ତି, ଦେଖିପାରୁ ନାହିଁ ?

 

ଏହିପରି ଗୋଟିଏ ସାରଗର୍ତ୍ତକ ଭାଷଣ ଦେଇ ମୁଁ ମୋର ଭାରତୀୟ ବ୍ୟକ୍ତିତ୍ୱକୁ ଉଜ୍ଜୀବିତ କରେ । ଅସ୍ତ୍ର ଧର, କୁତସ୍ତ୍ୱୀ କଶ୍ମଳମିଦଂ ବୋଲି କହି ମୋର ଆର୍ଯ୍ୟ ଅର୍ଜୁନକୁ ସାହସ ଦିଏ । ମୋର ବରିଷ୍ଠତାକୁ ଉପହାସ କରେ । କୁହେ, ଅସଲ କଥାହେଉଛି ଯେ ବୁଢ଼ା ଲେଖକର ମୁଣ୍ଡ ବିଗିଡ଼ିଗଲାଣି । ନ ହେଲେ ‘ଭଲ ଭଲ’ ଏଇ ଉଦାରସୁନ୍ଦର ପଦଟି ଶଲ ପରି ଲାଗନ୍ତା ନାହିଁ ।

 

ତଥାପି ମନ ମାନେ ନାହିଁ ।

 

ଭୃତ୍ୟ ବୋଲାଉଥିବା ଆତ୍ମା ବିଦ୍ରୋହ କରିଉଠେ । କୁହେ ଆଉ ପାରି ହେଉ ନାହିଁ ଆଜ୍ଞା-। ତବ ବାଧିତି ବାଧତେ । କହିବାକୁ ପଡ଼ୁଛି ।

 

କହିବାକୁ ପଡ଼ୁଛି ଯେ ଯଦ୍ୟପି ରବି ନିଜକୁ ଶଠ ଓ ମିଛୁଆ ବୋଲି ଭାବନ୍ତି ନାହିଁ, ଆଦୌ ଭାବି ପାରିବେ ନାହିଁ, ସେ ପ୍ରକୃତରେ ମହାଶଠ, ମହା ମିଛୁଆ । ସାହିତ୍ୟ ପ୍ରତି ତାଙ୍କର ଶ୍ରଦ୍ଧା ମଧ୍ୟ ତତ୍‌ସମ ଦୋଷରେ ଦୂଷିତ ।

 

ପ୍ରଥମେ ଦେଖିବା ହେଉ ତାଙ୍କ ଠାକୁର ଘର । ସମସ୍ତ ଶ୍ରଦ୍ଧାଭକ୍ତି ସମ୍ମାନର ଉତ୍ସ । ଅନେକ ଦେବଦେବୀ ଅଛନ୍ତି ସେଠି, ଫୁଲରେ ଫୁଲରେ ପୋତି ହୋଇ ପଡ଼ନ୍ତି, ଧୂପ ଚନ୍ଦନର ସୁବାସ ଶୁଙ୍ଘି ଥାଆନ୍ତି ଦିନଯାକ, ତା’ ସାଙ୍ଗକୁ ଯେତେକ ଭୋଗରାଗ । କିନ୍ତୁ ରବି ନିଜେ ସେଠାରୁ ପ୍ରାୟ ଯାଇପାରନ୍ତି ନାହିଁ । ସମୟ ଯଥାସମୟରେ ଠାକୁରଙ୍କ ନୀତି ବଢ଼େଇ ଧୂପଥାଳି ଆଣି ପହଞ୍ଚାଏ ବେଳେବେଳେ, ଯଦି ସେ ‘‘ଫ୍ରି’’ ଥାଆନ୍ତି, ଏବଂ ସେତିକି ବେଳେ ସେ ପବିତ୍ର ଧୂଆଁକୁ ମୁଣ୍ଡରେ ନେଇ ଲଗାନ୍ତି । ତା’ ଛଡ଼ା ସେ ଝିଅବୋହୂଙ୍କୁ ଠାକୁର ଘରକୁ ଯା’ଆସ କରିବାର ଦେଖିଲେ ଆନନ୍ଦିତ ହୁଅନ୍ତି । କୁହନ୍ତି, ଭଲ ଭଲ.....

 

ଠାକୁରଙ୍କର ତିଳେମାତ୍ର ଅଯତ୍ନ ହେଉ ନାହିଁ, ତେଣୁ ସେ ଖୁସୀ ନ ହେବାର କୌଣସି କାରଣ ନାହି, ତେଣୁ ସେ ରବିଙ୍କ ପ୍ରତି କୃପା କରିବେ ନାହିଁ କାହିଁକି ?

 

ଠାକୁର ଘର ପରି ବାସଭବନର ଆଉ ଗୋଟିଏ ବିଶିଷ୍ଟ ଅଙ୍ଗ ହେଲା ଲାଇବ୍ରେରୀ । ବିଦଗ୍‌ଧ ଚିନ୍ତାମଣି, ଲାବଣ୍ୟବତୀରୁ ଆରମ୍ଭ କରି ରବୀନ୍ଦ୍ର ଗ୍ରନ୍ଥାବଳୀ, ଶେକ୍‌ସ୍‌ପିଅର ଏବଂ ପୁରସ୍କାରପ୍ରାପ୍ତ ଯେତେକ ବହି (ଜଣା ନ ଥିଲେ ପୁଅକୁ ପଚାରନ୍ତି) କାଚ ଆଲମାରୀରେ ସୁନ୍ଦର ଭାବରେ ସଜା ହୋଇଛି । ନିଜେ ନ ପଢ଼ିଲେ କ’ଣ ହେବ, ପୁଅକୁ ପଢ଼ିବାର ଦେଖିଲେ କୁହନ୍ତି ଭଲ, ଭଲ ଏବଂ ସେ ବିଶାଳ ସାହିତ୍ୟ ସଂସଦର ଜଣେ ବିଶିଷ୍ଟ ସଭ୍ୟ, ତା’ର ପୁରସ୍କାର ପାଣ୍ଠିକୁ ଦାନ ଦିଅନ୍ତି ଏବଂ ସବୁଠାରୁ ସୁଖର ବିଷୟ ହେଉଛି ଯେ ଯେଉଁଦିନଠୁଁ ସେ ଜାଣିଲେ ଯେ ପୁଅ ବି ସାହିତ୍ୟ ଲେଖେ, କବି ନା କଅଣ, ସେଇଦିନଠୁଁ ତା’ର ଚିନ୍ତାଗ୍ରସ୍ତ ଚେହେରା ଦେଖିଲେ ତାଙ୍କର ଧାରଣା ହୁଏ ଯେ ପୁଅ ଗୋଟାଏ ଜବର୍ କାବ୍ୟକବିତାକୁ ଗଢ଼ୁଛି ମନେମନେ; ହୁଏତ ଭଗବାନଙ୍କ କୃପାରୁ ସେ ବି’ ଦିନେ ପୁରସ୍କାର ପାଇବ, ଜ୍ଞାନପୀଠ, ଅନ୍ତତଃ ଏକାଡ଼େମୀ.... I ସେଇଠୁଁ ସେ କେବଳ ଭଲ ଭଲ କୁହନ୍ତି ନାହିଁ, ଗହନ ଗୋପନରେ ହାତ ଯୋଡ଼ନ୍ତି ପୁତ୍ରରୂପେଣ ସଂସ୍ଥିତ ସାହିତ୍ୟକୁ ତଥା ଭଗବାନଙ୍କୁ ।

 

ହେ କବି, ଏଭଳି ଗୋଟିଏ ଲୋକର ‘ଭଲ ଭଲ’କୁ ହେୟଜ୍ଞାନ କରିବ କେମିତି ? ତୁମର ପାପ ହେବ ନାହିଁ ? ବେଶ୍, ତୁମ ପାପପୁଣ୍ୟ ତୁମର । କିନ୍ତୁ ନବି ? ସମାଜର ଉପର ମହଲରେ ନବିମାନଙ୍କ ସଂଖ୍ୟା ଅଳ୍ପ ହେଲେ ମଧ୍ୟ ତାଙ୍କର ପ୍ରତିପତ୍ତି ସାମାନ୍ୟ ନୁହେଁ । ନବି ତୁମ ସାହିତ୍ୟକୁ ପଢ଼ନ୍ତି । ପଢ଼ନ୍ତି ବୋଲି ଦେଖୁନାହଁ, ସେ ତୁମକୁ କେତେ ଭକ୍ତି କରନ୍ତି ? ଖାଲି ଭଲ ଭଲ କହି କଥାଟାକୁ ସାରିଦିଅନ୍ତି ନାହିଁ । ଦୀପ୍ତଜାଗୃତ ହୋଇ କୁହନ୍ତି–ଆହା, କେତେ ଭଲ; ତଥାପି ତୁମେ ତାଙ୍କୁ ଗ୍ରାହ୍ୟ କରୁନାହଁ ? ବିରକ୍ତ ହୋଇ ଅସ୍ତ୍ର ଛାଡ଼ିଦେବ ବୋଲି ହେଉଛ ?

 

ଏଇଠି ମୋତେ ଟିକିଏ ଭାବିବାକୁ ପଡ଼ୁଛି । ସତେ ପାପ କଲା ପରି–ଲାଗୁଛି । ଭକ୍ତର ଅପମାନ ହେଲା କି ବୋଲି ମନେହେଉଛି । କାରଣ ପ୍ରଶ୍ନ ଉଠୁଛି–ଯେଉଁ ଲୋକ ଠାକୁର ଘରକୁ ଯାଏ, ଚକାମାଡ଼ି ଆଖିବୁଜି ଧ୍ୟାନ କରେ, ମିନିଟିକ ପାଇଁ ହେଉ ପଛେ; ଅଥଚ ତା’ର ପ୍ରାଣ କି ବୁଦ୍ଧି ଭଗବାନଙ୍କୁ ଛୁଇଁବାରେ ଅକ୍ଷମ, ତା’କୁ ବି’ କ’ଣ ଭକ୍ତ ତଳେ ଗଣିବ ନାହିଁ ? ସେ ମୋର ସାହିତ୍ୟ ଅଳ୍ପବହୁତ ପଢ଼େ, ହେଲେ ବୁଝିପାରେ ନାହିଁ; କିନ୍ତୁ ବୁଝୁଛି ବୋଲି ମନେକରେ (ଭାବେ ମୁଁ ବୁଝିବି ନାହିଁ ତ ଆଉ ବୁଝିବ କିଏ ?) ସେ ନ ଥିଲେ ମୋର ପ୍ରଚାର ହୋଇପାରନ୍ତା ନାହିଁ, ମୁଁ ସାହିତ୍ୟ ଲେଖୁଛି ବୋଲି କେହି ଜାଣନ୍ତି ନାହିଁ, ଏଇ ବିଚିତ୍ର ମଧୁର ଉପକାରକୁ ସ୍ୱୀକାର କରିବାର ମଣିଷପଣିଆ କ’ଣ ମୋର ଚାଲିଗଲାଣି ? ମୁଁ କ’ଣ ଏତେ ଅଗୁଆଁର, ଅକୃତଜ୍ଞ, ଆତ୍ମଘାତୀ ଆଣ୍ଡୁଆ ?

 

ଏଇ କବିମାନେ ହିଁ ରବିମାନଙ୍କୁ ଏବଂ ରବିମାନଙ୍କ ଜରିଆରେ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦିଅନ୍ତି, ପ୍ରଚୋଦିତ କରନ୍ତି, ତେଣୁ ତାଙ୍କର ଶୁଭଦୃଷ୍ଟି ନ ଥିଲେ କବିଙ୍କୁ ପୁରସ୍କାର ମିଳିବାର ଆଶା ନାହିଁ, ଅନ୍ତତଃ ଏଇ ସାନକଥାଟି କ’ଣ ମୋ ମୁଣ୍ଡରେ ପଶୁ ନାହିଁ ?

 

ମୁଣ୍ଡରେ ପଶୁଛି, ସେଇଥିପାଇଁ ତ ଏଇ ଦୁଃଖ ! ଯେ ନବି ବିଚରା ମୋରି ପରି ମଧ୍ୟବିତ୍ତ, ଚାକିରିଆ-ଓକିଲ-ଇଂଜିନିୟର୍‌-ମାଷ୍ଟର ମନେମନେ ସେ ଶିଳ୍ପପତି ରବିଙ୍କ ପରି ବଡ଼ଲୋକ ହୋଇ ପାରୁଛନ୍ତି ଖାସ୍ ସାହିତ୍ୟର ବଡ଼ପଣ୍ଡା ହୋଇଛନ୍ତି ବୋଲି, ତାଙ୍କୁ ମଧ୍ୟ ଦୂରେଇ ଦେବାକୁ ପଡ଼ୁଛି ।

 

କିନ୍ତୁ ଉପାୟ ନାହିଁ । ଦେଖୁଛି ଯେ ବସ୍ତୁତଃ ସେ ମୋତେ ଚିହ୍ନନ୍ତି ନାହିଁ । ମୋର ପ୍ରସିଦ୍ଧିକୁ ଚିହ୍ନନ୍ତି (ପ୍ରସିଦ୍ଧିର ମୂଳରେ ଅଛି ଜଣେ ଅଧେ ଅଗ୍ରଜ ପ୍ରସିଦ୍ଧଙ୍କ ସାର୍ଟିଫିକେଟ୍ ଓ ମୋର ସୌଭାଗ୍ୟ) ଏବଂ ଭକ୍ତି କରନ୍ତି । ନହେଲେ ସେ କେମିତି ମୋର ଯେତେକ ଆଇରନି, ସୂକ୍ଷ୍ମଶ୍ଲେଷର ତତ୍ତ୍ୱକୁ ଗିଳି ହଜମ କରିପାରିଲେ ? ଆଖିମିଟିକା ମାରିଲେ ନାହିଁ କି ଟକଳା ଫୁଟେଇଲେ ନାହିଁ, ଖାଲି ସେଇ ଘଷରା ‘ଭଲ ଭଲ’କୁ ଶବ୍‌ଦରେ ଶବ୍ଦରେ ଲମ୍ୱେଇଲେ ? ମୋ ଦୋଚାରୁଣୀର ସତୀତ୍ୱକୁ ଦେଖିଲେ ନାହିଁ କି ମୋ ସତୀର ବଂଶଧରକୁ ଚିହ୍ନିଲେ ନାହିଁ; କିନ୍ତୁ ପ୍ରଶଂସା କରି କହିଲେ ଯେ କବି ‘ଜୀବନ ରହସ୍ୟର ଲକ୍ଷ ଗବାକ୍ଷ ଖୋଲି ପାରିଛନ୍ତି’ ? ସେହିପରି ଭାବରେ ମୋର ପ୍ରତିଷ୍ଠିତ ସମଲେଖକମାନଙ୍କ ବିଷୟରେ କହିଲେ ଗଦ୍‌ଗଦ୍‌ ହୋଇ : ସୁକବି ‘‘ସାହିତ୍ୟ ଜଗତରେ ଏକ ନୂତନ ଦିଗ୍‌ବଳୟର ସନ୍ଧାନ ଦେଇଛନ୍ତି’’, ଶ୍ରୀ କବି ‘ଜୀବନର ବାଲିଗଦା ଉପରେ କି ଚମତ୍କାର କୋଣାର୍କ ଗଢ଼ି ପାରିଛନ୍ତି”, ନବ କବି ‘ଭାବର ନବ ନବ ଉନ୍ମେଷରେ ଅଙ୍କୁରିତ କରିଛନ୍ତି ଆମ ସାହିତ୍ୟକୁ’, ଇତ୍ୟାଦି, ଇତ୍ୟାଦି । ଏକରୁ ଆନ ବଳିୟାନ, ଗଣେଶ, କାର୍ତ୍ତିକ, ଇନ୍ଦ୍ର, ବରୁଣ, ଲକ୍ଷ୍ମୀ, ସରସ୍ଵତୀ, ଚଣ୍ଡୀ, ଚାମୁଣ୍ଡୀ–କସ୍ମୈ ଦେବାୟ ହବିଷା ବିଧେମଃ ? ଈଶ୍ୱର ସେହି ଜଣେ, ସାହିତ୍ୟ, ଓଡ଼ିଆ ସାହିତ୍ୟ । ଏବଂ ବିନୀତ ନବି ତା’ର ଜଣେ ବଡ଼ପଣ୍ଡା ।

 

ସର୍ବସାଧାରଣ ଜନତା ମଧ୍ୟରୁ କେହି ଯଦି ପଚାରେ ନବିଙ୍କୁ–ଆଜ୍ଞା ଏଇ ସାହିତ୍ୟ କଅଣ ? ନବ ଉତ୍ତର ନ ଦେଇ ମୃଦୁ ମୃଦୁ ହସନ୍ତେ । କ’ଣ ବୁଝେଇବି ଏଇ ଇତର ଅବ୍ରାହ୍ମଣକୁ ? ପ୍ରଶ୍ନକର୍ତ୍ତା ଉତ୍ତର ନ ପାଇ ଆପଣାର ଭୀରୁ ଗୋପନ ବିଚାରକୁ ପ୍ରକୃତ ବିଚାର ବୋଲି ଧରିନଅନ୍ତି । ଯେ ସାହିତ୍ୟ ସେଇଆକୁ କୁହନ୍ତି ଯାହା ପୁରସ୍କାର ପାଏ; କିନ୍ତୁ ଯାହାକୁ କେହି (ମାନେ କେତେକ ବୁଢ଼ା ହଡ଼ାଙ୍କ ଛଡ଼ା) ପଢ଼ନ୍ତି ନାହିଁ । ସାହିତ୍ୟ ସେଇଆକୁ କୁହନ୍ତି ଯାହାକୁ ସହଜେ ବୁଝିହୁଏ ନାହିଁ କି କେହି ବୁଝାନ୍ତି ନାହିଁ । ସାହିତ୍ୟ ସେଇଆକୁ କୁହନ୍ତି ଯାହାର ତୁମ ଆମ ଖାଇବା ପିଇବା ହସିବା କାନ୍ଦିବା ମରିବା ମାରିବା ସାଙ୍ଗରେ ସଂପର୍କ ନାହିଁ । କିନ୍ତୁ ଜୀବନ ସାଙ୍ଗରେ ଅଛି ବୋଲି ଟିପିନିଅ । ସାର୍ କହିଛନ୍ତି ଏବଂ ସାବଧାନ, ମନ ଖରାପ ଥିଲେ ସାହିତ୍ୟର ପାଖ ମାଡ଼ିବ ନାହିଁ । ଲେଖକ କବି ହୁଅନ୍ତୁ କି ସୁକବି, ଶ୍ରୀକବି, ନବକବି; ବରଂ ପଢ଼ ପ୍ରେତର ପ୍ରତିହିଂସା, ପ୍ରେମରଜନୀ, କିମ୍ବା ଫିଲ୍ମସୁନ୍ଦରୀଙ୍କ କଥା, ତା’ହେଲେ ହୁଏତ ମୁଣ୍ଡବଥା ଊଣା ହୋଇଯିବ ।

 

ସହସା ମୁଁ ନେପଥ୍ୟେ ଏକ ବିରାଟ ଅଟ୍ଟହାସ୍ୟ ଶୁଣିବାକୁ ପାଏ । ଶବ୍ଦ କେଉଁଠୁ ଆସିଲା, ରବିଙ୍କଠାରୁ, ନବିଙ୍କଠାରୁ, କି ମୋ ଭିତରେ ଥିବା ବାବନା ଭୂତଠାରୁ, ବୁଝିହୁଏ ନାହିଁ । ହାସ୍ୟର ହାଡ଼ଜଳା କଥା ହେଲା–

 

ରଖ ତୁମ ସାହିତ୍ୟ ! ଧର ତୁମ ସାହିତ୍ୟକୁ ରବି, ନବି, ତଥା ସକଳଜନେ ପଢ଼ିବେ, ବୁଝିବେ, ଚାକୁଳେଇ ହେବେ, କ’ଣ ହେବ ସେଇଠୁଁ ? ରବି କ’ଣ ତାଙ୍କ କର୍ମ-ଧର୍ମରୁ ବ୍ୟାହତ ହେବେ ? ପର୍‌ସେଣ୍ଟେଜ୍ ଅନୁଯାୟୀ ମାମୁଲ୍‌ ହାତଗୁଞ୍ଜା ଦେବେ ନାହିଁ କି ନେବେ ନାହିଁ ? ଦେଶ କାମ ପାଇଁ ନେତାଙ୍କ ପାଣ୍ଠିରୁ ଯତ୍‌ସାମାନ୍ୟ ଅର୍ଥ ଯୋଗାଇବାର ବ୍ୟବସ୍ଥା କରିବେ ନାହିଁ ? ଏକ୍‌ସାଇଜ୍ ଇନ୍‌କମ୍‌ ଟ୍ୟାକସ୍ ଆଦିରୁ ଅଳ୍ପବହୁତ ଛାଡ଼ ପାଇବା ପାଇଁ ହିସାବକିତାବର ସଫେଇତି କରିବେ ନାହିଁ ? ନା ଭାଇବଂଧୁ କୁଟୁମ୍ବଙ୍କ ହିତପାଇଁ ସଚିବାଳୟ ଅଥବା ପାର୍ଟି ଅଫିସ୍‌ରେ ଧରାଧରି କରିବେ ନାହିଁ ? ଇଏସବୁ କେଉଁ ଦୁର୍ନୀତିରେ ଗଣା ଯେ ଆଜି କବିଙ୍କ ସାହିତ୍ୟ ପଢ଼ିଲେ–ବୁଝିଲେ ତା’ର ଅସଲ ଚେହେରା ଜଣାପଡ଼ିବ ଏବଂ ରବି ଅନୁତାପରେ ଘାଣ୍ଟି ହେବେ ?

 

ନା କହୁଛ ସେ ରବିଙ୍କ ସ୍ୱଚ୍ଛନ୍ଦ ଘରେଇ ଜୀବନରେ ଅଡ଼ୁଆ ପଶିବ ? ସେ ବର୍ଷୀୟସୀ ପତ୍ନୀଙ୍କୁ ଆଦରରେ କଥା କହିବାର କଷ୍ଟ କରିବେ ? ଯୁବତୀ ପରକୀୟାର ମନୋରଞ୍ଜନ ପାଇଁ ଯଥାବିଧି ଯତ୍ନ କରିବେ ନାହିଁ (ବୟସ ଥିଲାବେଳେ ତାଙ୍କୁ ହୁଏତ ପୂରାପୂରି ସନ୍ତୁଷ୍ଟ କରି ହୋଇଥାଆନ୍ତା; କିନ୍ତୁ ଆଜି ତାହା ସମ୍ଭବ ନୁହେଁ) ଏବଂ ଆପଣା ପୁରୁଷପଣିଆର ଅବମାନନା କରିବେ ? ତୁମର କେଉଁ ସାହିତ୍ୟ କହିଦେବ ଯେ ପୁରୁଷ-ସ୍ତ୍ରୀ କାରବାର ଏମିତି ହେଲେ ଯାଇଁ ପାରିବାରିକ ଜୀବନ ସାର୍ଥକ ହେବ ?

 

ନା ରବିଙ୍କ ପୁଅ ଯେ ନିଜେ ସାହିତ୍ୟ ଲେଖେ, ଏଣେ ଆଇ.ଏ.ଏସ୍. ହୋଇଛି, ସେ ବାପାଙ୍କୁ ଅମାନ୍ୟ କରି ଭାବୀ ଶ୍ୱଶୁର ଘରୁ ଆଶା କରାଯାଉଥିବା ସାମନ୍ୟ ଉପହାରକୁ ନାସ୍ତି କରିବ-? କା’ର କ’ଣ ମୁଣ୍ଡ ବିଗିଡ଼ିଯାଇଛି ? ଅବଶ୍ୟ ଟେଣ୍ଡର୍‌ରେ କାହାର ଉପହାର ଶ୍ରେଷ୍ଠ ବୋଲି ବିବେଚିତ ହେବ, ସେ କଥା ଭିନ୍ନ ।

 

କବିଙ୍କ ଆଡ଼େ ଆସ । ଉପରୋକ୍ତ ସାଂସାରିକ କ୍ଷେତ୍ରରେ ରବି ଯାହା ନବି ସେଇଆ; ଅର୍ଥାତ୍ ମତଗତି ସମାନ । କିନ୍ତୁ ନବି ମଧ୍ୟବିତ୍ତ, ତେଣୁ ତାଙ୍କ ଆଖି ହିମାଳୟକୁ ପାଏ ନାହିଁ, ସେ ନୁଆଁଣିଆ ଶ୍ୟାମଳ ଭୂଧରକୁ ହାତ ବଢ଼ାନ୍ତି । ବଢ଼ାଉ ବଢ଼ାଉ ହାତ ଯେଉଁ ଯାଏ ଗଲା–ପ୍ରମୋସନ୍‌ଟିଏ, ଘରଖଣ୍ଡିଏ, କାର୍‌ଟିଏ, ଇତ୍ୟାଦି; ହେଲେ ଯାହା କରିବ ଟିକିଏ ଭାବିଚିନ୍ତି କରିବା କଥା । ରବିମାନେ ତାଙ୍କର ଏହି ମନୋବୃତ୍ତି ଉପରେ ବିଦ୍ରୂପର ଟୀପ୍‌ପଣୀ ଦିଅନ୍ତି । ଯେ ଇଏ ହେଉଛି ଡରକୁଳାପଣ, ନିକୁଛିଆ ଢଙ୍ଗ, କିରଣୀଗିରି, ଇତ୍ୟାଦି । କିନ୍ତୁ ନବି ସେଥିରେ ବିଚଳିତ ହୁଅ ନାହିଁ । ଯେହେତୁ ସେ ଜାଣନ୍ତି ଯେ ରବି ଯେତେ ବଡ଼ଲୋକ ହେଲେ ମଧ୍ୟ ଅଣ-ଇଣ୍ଟେଲେକ୍‌ଚୁଆଲ । ଇତରଜନରେ ଲେଖା । ଯଦିଓ ତାଙ୍କୁ ମୁହଁ ଉପରେ ସେକଥା କହିହେବ ନାହିଁ । ପୁଣି ଇଣ୍ଟେଲେକ୍‌ଚୁଆଲ ହୋଇଥିବାରୁ ନବିଙ୍କର ଗୋଟିଏ ବିଶେଷ ସୁବିଧା ଅଛି, ଯେ ଭାବଭାବନା ତାଙ୍କୁ ହଇରାଣ କଲେ, ଦୋଷୀ ବୋଲି ଆଙ୍ଗୁଳି ଦେଖାଇଲେ ସେ ନିଜକୁ ନିର୍ଦ୍ଦୋଷ ବୋଲି ସାବ୍ୟସ୍ତ କରିପାରନ୍ତି । ଦୁଷ୍ଟମନ୍ୟ ପ୍ରବୃତ୍ତି ଅବା” କୃତ୍‌କର୍ମକୁ ପ୍ରମାଣମନ୍ତଃ, ଫ୍ରଏଡ୍‌ଙ୍କ ଭାଷାରେ ନ୍ୟାସନାଲଇଜ୍ କରିପାରନ୍ତି । ଅତଏବ ତୁମ ସାହିତ୍ୟକୁ ପଢ଼ିକରି ବୁଝିଲେ ମଧ୍ୟ ତା’ର ମର୍ମ ତାଙ୍କ ଜ୍ଞାନଗାରିମାର ନିରଂଧ୍ର କୋଷ, କୋକୁନ୍ ଭିତରେ ଗଳି ପାରିବ ବୋଲି ଆଶା କରୁଛ ?

 

ଛୋଟବଡ଼ ବିଭିନ୍ନ ପ୍ରକାରର ରବି ନବିଙ୍କ ବାଦେ ଆଉ ଯେଉଁମାନେ ରହିଲେ, ସର୍ବସାଧାରଣ ଜନତା, ଇତର ଅବ୍ରାହ୍ମଣଗଣ, ସେମାନେ ତ ସାହିତ୍ୟକୁ ଦୂରରୁ ଜୁହାର କରି ଆନନ୍ଦରେ ଅଛନ୍ତି । ତାଙ୍କୁ ପାଖକୁ ଆଣି ଜୁହାର କରାଇଲେ କିଛି ଲାଭ ହେବ ବୋଲି ଭାବୁଛ ?

 

ହେ ଦୁରାଭିଳାଷୀ କବି, କାମକ୍ରୋଧ ଲୋଭ ମୋହ ଆଦି କେଉଁ ରିପୁଟିକୁ ତୁମ ସାହିତ୍ୟ ଶାସନ କରି ପାରିଛି ନା ପାରିବ, କହିଲ ଦେଖି ? ତଥାପି କହୁଛ ଯେ ତା’କୁ ପଢ଼ିବା ଦରକାର, ପଢ଼ି ବୁଝିବା ଦରକାର ?

 

ବ୍ୟକ୍ତିକୁ ତା’ ପାରିଲ ନାହିଁ, ଆଉ ବ୍ୟକ୍ତିର ସମଷ୍ଟିକୁ, ଜାତିକୁ, ଦେଶକୁ ପାଠ ପଢ଼େଇ ପାରିବ ବୋଲି ମନେକରୁଛ ? ସବୁ ଶହୀଦମାନଙ୍କ ପଞ୍ଜାବ ଅବା ମହାତ୍ମାଙ୍କ ଗୁଜରାତରେ ଯେଉଁ ନିଆଁ ଜଳୁଛି ତା’କୁ ଲିଭେଇବାପାଇଁ କିଛି କରିପାରିବ ? ଶ୍ରୀ ଅଙ୍ଗରେ ଫୋଟକା ହୋଇଯିବ ନାହିଁ-? ଏବଂ ଯେଉଁଠି ନିଆଁ ଜଳୁ ନାହିଁ ହେଲେ କୁହୁଳୁଛି, ଯଥା ଆଦିବାସୀ ଓ ଉପଜାତିମାନଙ୍କ ଭିତରେ, ମ୍ୟାନେଜର୍ ଓ ମଜଦୂର, ଚାଷୀ ଓ ମୂଲିଆ, ଛାତ୍ର ଓ ଶିକ୍ଷକମାନଙ୍କ ଭିତରେ (ପ୍ରଗତିଶୀଳ ପୃଥିବୀରେ କିଏ ରାମ କିଏ ରାବଣ ବାରିହେଉ ନାହିଁ), ସେଠି ତୁମ ସାହିତ୍ୟ କେଉଁ ଶାନ୍ତିବାରି ଛିଞ୍ଚି ପାରିବ ? ପାରିବ ନାହିଁ, କାହିଁକିନା ସାହିତ୍ୟସେବୀ ନବି ରବି ଓଗେର ପ୍ରକାଶ୍ୟରେ ଅବା ଗୋପନରେ ହୁଏତ ନିଜ ଅଜାଣତରେ, ଏ ପାଖ ଦଳରେ ଅଛନ୍ତି, ଠେଙ୍ଗା ଧରିଛନ୍ତି । ଆତୁ ତୁମେ ନିଜେ କବି ମଧ୍ୟ ଏଇ ପାଖର ଲୋକ, ବୁଝୁଛ ? ହାଃ ହାଃ ହାଃ ।

 

ଅଟ୍ଟହାସ୍ୟ ଏକ ଅଶ୍ଳୀଳତା । ତେଣୁ ପ୍ରତି-ଅଟ୍ଟହାସ୍ୟର ଜବାବ୍ ଦେବା ମୋ ପକ୍ଷରେ ସମ୍ଭବ ନୁହେଁ; ତଥାପି ମୁଁ ମୋର ଉତ୍ତର ସଜାଡ଼ୁଛି, ସମୟରେ ଆହୁରି ଶୁଣିବାକୁ ପାଏ–

 

ସୁଧୁରେଇ ପାରିଥାଆନ୍ତା ଧର୍ମ, ନୀତି, ମହାପୁରୁଷଙ୍କ ପନ୍ଥା । କିନ୍ତୁ ଯେତେକ ବୁଦ୍ଧ, ଖ୍ରୀଷ୍ଟ, ମହମ୍ମଦ, ଶଙ୍କର, ଚୈତନ୍ୟ ଫସର ଫାଟିଗଲେ, ଆଉ ତୁମେ ଆସିଛ ସାହିତ୍ୟର କାଢ଼ ଦେଖେଇବ ? ଶିଳ ଶିଳପୁଆ ଗଗନେ ଉଡ଼ୁଛି... । ବରଂ କହିବାକୁ ଗଲେ ତୁମ ସାହିତ୍ୟ, ବିଶେଷତଃ ଆଧୁନିକ ସାହିତ୍ୟ, ପରିସ୍ଥିତିକୁ ଆହୁରି ବିଗାଡ଼ି ଦେଇଛି । କାହିଁକିନା ତୁମେ “ସତ୍ୟ’’ ନାଆଁରେ କଳା-ଧଳା ଛାଇ–ଆଲୁଅ ପାପ-ପୁଣ୍ୟକୁ ଏକାଠି କରି ସାରିଲଣି । ତୁମ ଅଧୀନରେ ଅଛି ଯେ ସତ୍ୟର ରଙ୍ଗ ଧୂସର । କେଉଁ ମୁହଁରେ କହୁଛ ତା’ହେଲେ ଯେ ତୁମ ସାହିତ୍ୟକୁ ଲଭିଲେ ହୃଦୟ ବଦଳିଯିବ, ଦୁଃସ୍ୱପ୍ନ କଟିଯିବ ଓ କୁଆଁ ତାରାଟିଆ ମୁହଁ ଦେଖେଇବ ?

 

ହେ କବି, କାନ୍ଦ । ବିଫଳତାକୁ ମାନିନେଇ କାନ୍ଦ, ମନଭରି କାନ୍ଦ । ସେଇ ତୁମର ପାଉଣା, ତାକୁଇ ସୁଧମୂଳେ ଆଦାୟ କରି ନିଅ । ଏବଂ ରବିଙ୍କ ସମ୍ମାନ, ନବିଙ୍କ ଶ୍ରଦ୍ଧା, ତଥା ମୂଢ଼ଜନଙ୍କ ଜୁହାର ସ୍ୱୀକାର କରିନିଅ । ସେତିକ ନ ଥିଲେ ଆଉ ରହିଲା କ’ଣ ? କ’ଣ ନେଇ ବଞ୍ଚିବ ?

 

କାନ୍ଦଣା ମଧ୍ୟ ଅନ୍ୟ ଏକ ଅଶ୍ଳୀଳତା ବୋଲି କହୁ ନାହିଁ । କିନ୍ତୁ ଗୋଟିଏ ହିସାବରେ କାମ୍ୟୁଙ୍କ ଆତ୍ମହତ୍ୟା ଫିଲସଫି ଏବଂ କାନ୍ଦଣା ଫିଲସଫି ଏକା ବାଟର ବୋଲି ମନେହୁଏ । ଯେ ମୁଁ ହାରିଗଲି ବୋଲି ଲୋକେ ଜାଣିବା ଦରକାର । ଭାଗ୍ୟବିଧାତାର ଦେଖିବା ଦରକାର । ତାହାହେଲେ ଯାଇ ମୋର ପରାଜୟ ପୂର୍ଣ୍ଣହେବ ।

 

ନା, ମୁଁ କାନ୍ଦିବି ନାହିଁ; ବରଂ କାନ୍ଦିବି ନାହିଁ ବୋଲି ଅଡ଼ି ବସିବି । ଲେଖକ ହୋଇଛି ବୋଲି ମୋର ମାନମହତ କିଛି ନାହିଁ ?

 

ବିଧାତାର ଉଦାରତା । ସେଇ ମୋର ପ୍ରଥମ ଭରସା । ସେ ମୋର ପିଠି ଥାପୁଡ଼େଇ କହୁଛି–ମଣିଷ ଜାତିକୁ କେତେବର୍ଷ ହେଲାଣି କି ଏମିତି ? ଏତିକିବେଳୁ ଭାଙ୍ଗି ପଡ଼ିଲେ ଚଳିବ ?

 

ଧନ୍ୟବାଦ । ଧରିନେଇଛି ଯେ ଚେଇଁଲା ପରି ଲାଗିଲେ କ’ଣ ହେବ ଅଜ୍ଞାନ ତିମିରର ନିଦ ଆଜିଯାଏଁ ଛାଡ଼ି ନାହିଁ ଆମ ଆଖିରୁ । କ୍ଷତି ନାହିଁ, ଦିନ ଗୋଟାକର ଆଲୁଅ ପଡ଼ିଛି ଆଗକୁ । ଚେତା ଆସିବ, ଆଜି ନ ହେଲେ କାଲି । ଦ୍ୱିତୀୟରେ କିଛି ହେବାକୁ ନାହିଁ ବୋଲି କହିବ କାହିଁକି ? ମୁଁ କ’ଣ ଜାଣେ ନାହିଁ ଯେ ରବି ମଧ୍ୟ ନବି ମଧ୍ୟ (କବି ମଧ୍ୟ) ବେଳେବେଳେ ଦେବତା ହୁଅନ୍ତି ? ହୁଅନ୍ତି । ମୁହୂର୍ତ୍ତକ ପାଇଁ, ଧର ରାତି ଅଧରେ ବିଛଣାରୁ ଉଠିଆସି ଆକାଶକୁ ଅନେଇଲା ବେଳେ ଅଥବା ସମୁଦ୍ର ପର୍ବତ ଆଦି ବିରାଟକୁ ଦେଖିଲାବେଳେ ଭଗବାନଙ୍କୁ ଅନୁଭବ କରନ୍ତି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । କିନ୍ତୁ ଦୁଃଖର ବିଷୟ ଯେ ଅତି କ୍ଷଣିକ ସେଇ ଅନୁଭବ । ରାମକୃଷ୍ଣ ପରମହଂସ କହିଲା ପରି ମଖମଲ ଗଦି ଉପରେ ବସିଲା ଯାଏଁ ମନେହୁଏ ଯେ ଗଦି ଦବିଯାଇଛି; କିନ୍ତୁ ଉଠିଆସିଲା ପରେ ଯେଉଁ କଥାକୁ ସେଇ କଥା । ଭଜନ ଶୁଣିଲା ବେଳେ ରୋମାଞ୍ଚ ଆସିଲେ ଭଲ; କିନ୍ତୁ ସେଥିର ମୂଲ୍ୟ ଓ ମିଆଦ ଅତି ସୀମିତ ହେଉ; ତଥାପି ଖୁସିହେବା ଉଚିତ ଯେ ଆମ ଯାନ୍ତ୍ରିକ ସଭ୍ୟତାର କୋଳାହଳ ମଧ୍ୟରେ ତତ୍‌ସମ କ୍ଷଣିକ ଚେତନାର ଚମତ୍କାର ମଉଳି ଯାଇ ନାହିଁ, ଅତର୍କିତରେ ଆସୁଛି, ବାରମ୍ବାର ଆସୁଛି । ତେଣୁ ଆଶା ଅଛି । ତା’ଛଡ଼ା ମୋର ଧାରଣା ଯେ ଧର୍ମ କୁହ ସାହିତ୍ୟ କୁହ, ତା’ର ପୂଜାରୀମାନେ ଅଧିକରୁ ଅଧିକ ଚିନ୍ତାର ଖୋରା‍କ୍ ବାଢ଼ିଲେଣି । ତା’ର ଛିଟିକାଏ କ’ଣ ରବିନବିଙ୍କ ଚେତନାରେ ପଡ଼ିନଥିବ ? ଯାହା ତାଙ୍କ ପୂର୍ବପୁରୁଷଙ୍କ ଚେତନାକୁ ଆସୁ ନ ଥିଲା ? ସେହେତୁ ଈଶ୍ୱର ଛୁଆଁ ମୁହୂର୍ତ୍ତମାନଙ୍କରେ ସେ ତାଙ୍କ ବାପଅଜାଙ୍କଠାରୁ ବେଶି ଗଦ୍‌ଗଦ୍‌–ରୋମାଞ୍ଚିତ ନ ହେଲେ ମଧ୍ୟ, ତାଙ୍କ ଚେତନାର ଉପାଦାନ, ଯଥା ସ୍ଥାୟୀତ୍ୱ ଓ ଗଭୀରତା, କ’ଣ ଅଧିକ ଗୁଣାତ୍ମକ ହୋଇ ନ ଥିବ ? ତେବେ ଇଏ ମୋର ଭୀରୁ ଧାରଣା । ଦୃଢ଼ ଧାରଣା କେବଳ ଏତିକି ଯେ ଉପରୋକ୍ତ ଚେତନାର ସ୍ପର୍ଶ, ଆଶୀର୍ବାଦ ତଥାପି ଅଛି । ତେଣୁ ଆଶା ଅବଶ୍ୟ ଅଛି । ଏବଂ ଆଶାପୂରଣ ନାମକ ଦ୍ରବ୍ୟ ଦୀର୍ଘ ସାହିତ୍ୟର ଭୂମିକା ରହିଛି ଓ ରହିବ ।

 

ସାହିତ୍ୟର ସଂଜ୍ଞା କେତେ ଭଳି କେତେ ପ୍ରକାର । ତା’ର ଆଲୋଚନା କରିବା ସମସ୍ତ ସାପେକ୍ଷ । ତା’ଛଡ଼ା ମୁଁ ସାମାନ୍ୟ ଲେଖକ, ପଣ୍ଡିତ ନୁହେଁ । କିନ୍ତୁ ସମସ୍ତ ସଜ୍ଞାର ଗରିଷ୍ଠ ସାଧାରଣ ଗୁଣନୀୟକ କେବଳ ଗୋଟିଏ ବୋଲି ମନେହୁଏ । ଚେତନାର ଦ୍ୟୁତି ଓ ବ୍ୟାପ୍ତି । ଅର୍ଥାତ୍ ସଚେତନତା । ସାହିତ୍ୟ ନିତିଦିନିଆ ଜୀବନ ନୁହେଁ, ଯାହାର ମୁଣ୍ଡଗଣ୍ଡି କି ବାଗବାଇଶ ନ ଥିଲା ପରି ଲାଗେ । କିନ୍ତୁ ସାହିତ୍ୟ ନିତିଦିନିଆ ବାସ୍ତବ ଘଟଣା ଓ ଭାବଭାବନାକୁ ନେଇ ଏଭଳି ହୁନ୍ଦର ଦେଖାଇବାର ପ୍ରୟାସ କରେ ଯେ ମନେହେବ ଜୀବନଟା କାହିଁରେ କଅଣ । ନିତ୍ୟନୂତନ ବିସ୍ମୟ । ଏଇ ବିସ୍ମୟ ହିଁ ଆନନ୍ଦ; ଟ୍ରାଜେଡ଼ିର, ଅଣ-ଟ୍ରେଜେଡ଼ିର, ମିଳନର, ଅପ-ମିଳନର । ଢେଉ ଛାଡ଼ିଯାଇଥିବା ବେଳାଭୂଇଁରେ ଯେଉଁ ରତ୍ନଟି ମିଳିଗଲା ଯାହାକୁ–ଅପରୂପ ପୋହଳା, କଙ୍କଡ଼ା, ଶଙ୍ଖ, ଅବା ଶାମୁକା । କେହି କେହି ଶାମୁକାରୁ ମୁକ୍ତାକୁ ମନ ବଳେଇ ସାଗର ତଳକୁ ଯିବା ଚାଲ ବୋଲି କହିବେ । ସେତ ଆହୁରି ଉତ୍ତମ; କିନ୍ତୁ ଭିନ୍ନ । ସାହିତ୍ୟ ପାରିର ସମ୍ବାଦ । ଲକ୍ଷ୍ୟ ହେଲା ପରମପ୍ରାପ୍ତି, ଉପଲବ୍ଧି; ହେଲେ ତା’ ପୂର୍ବରୁ ଢେଉର କୃପାରୁ ମିଳିଥିବା ଆନନ୍ଦର ଧନ, ତାହା ଯେତେ ପିଲାଳିଆ ହେଉ ପଛକେ । କାମ୍ୟ ହେଲେ ହେଉ ଚେତନାର ଇତି, ସମାଧି, ଶାନ୍ତି; ତା’ ପୁର୍ବରୁ ଢେଉ-ଉଠା ଏଇ ସଚେତନତା । କେବଳ ସାହିତ୍ୟ ହିଁ ତା’ର ମାଧ୍ୟମ ବୋଲି ମୁଁ କହୁ ନାହିଁ । କିନ୍ତୁ କବି ଦାବି କରିବାକୁ ଚାହାନ୍ତି ଯେ ବାସ୍ତବର ମାଟିକାଦୁଅରେ ଲଟପଟ ହୋଇଥିବା ଏଇ ରତ୍ନଗୁଡ଼ିକ ଖାଣ୍ଟିମାଲ୍, ଓ ତା’ର ଚମକ ଚିରସ୍ଥାୟୀ କହିଲେ ଚଳେ । କିଛି ଆପତ୍ତି ଅଛି ?

 

ସଚେତନତାର ଯୋଡ଼ିଏ ପାହାଚ । ପ୍ରଥମେ ଏଇ ସଂଧାନ-ଆବିଷ୍କାରର ଆନନ୍ଦ । ସତେକି ବିଧାତାର ପୃଥିବୀ ଗେଟାଏ ଅସରନ୍ତି ଗନ୍ତାଘର; କେବଳ ବସ୍ତୁର ନୁହେଁ, ଭାବର, ଭାବନାର । ଅନ୍ୟ ପ୍ରାଣୀମାନଙ୍କୁ ନେଇ ନିଜର, ନିଜକୁ ନେଇ ଅନ୍ୟମାନଙ୍କର ଜଣେ ପ୍ରସିଦ୍ଧ ସମାଲୋଚକଙ୍କ ଭାଷାରେ ଏଇ ସଂସାର-ସଂପଦ, Riches of the word ସାହିତ୍ୟକାର ମୌଳିକ ଆନନ୍ଦ, ପାଇବାରେ ଓ ଦେବାରେ । ତେଣୁ ଆମର ଆଶା କରିବା କ’ଣ ଅନୁଚିତ ଯେ ସାହିତ୍ୟ ଦତ୍ତ ଆନନ୍ଦର ଜରିଆରେ ପର-ଆପଣା ବିଚାର ଧୀରେ ଧୀରେ କଟିଯାଇପାରେ ? ମୁଁ ଯଦି ପୃଥିବୀଟାକୁ ନେଇ ଅର୍ଥାତ୍ ଅନ୍ୟମାନଙ୍କୁ ନେଇ ଏତେ ଖୁସି ହୋଇପାରିଲି ତା’ହେଲେ ମୋର ‘‘ଅହଂ’’ର ହନ୍ତସନ୍ତ ଯଥେଷ୍ଟ କମିଯିବା କଥା, ଏଭଳି ଭାବିବା କ’ଣ ଅନ୍ୟାୟ ? କବିଗୁରୁ କହିଲେ, “ଯୁକ୍ତି କରେ । ହେ ସବାର ସଙ୍ଗେ, ମୁକ୍ତ କରୋ ହେବ ବଂଧ ।’’ ସର୍ବଯୋଗ କେତେ ଭାବରେ ଆସେ । ଜ୍ଞାନଭକ୍ତ-କର୍ମ ଯୋଗର ସଂଯୋଗ ସବୁଠାରୁ ସାର, ସନ୍ଦେହ ନାହିଁ । କିନ୍ତୁ ଦୁଷ୍କର । ତେଣୁ ସାହିତ୍ୟକୁ ଊଣା କରିବାର ନୁହେଁ । ମୁଁ ଯଦି ସତେ ଆଉ କାହାର ହସକାନ୍ଦକୁ ନେଇ ମଜ୍ଜିଗଲି । ତହିଁରୁ ନିଧି ପାଇଲା ପରି ମନେହେଲା, ସେଇଠୁଁ ମୋ ନିଜ ହସକାନ୍ଦର ଚେହେରା ବଦଳିଯିବ ନାହିଁକି ? ନିଜଠାରୁ ମଉଳିଯାଇ ସର୍ବ-ନିଜରେ ଉଜଳି ଉଠିବ ନାହିଁ । Hell is the other person; ଅନ୍ୟଲୋକଟା ହିଁ ମୋର ନର୍କ, ସାର୍ତ୍ତେଙ୍କ ଏହି ଭକ୍ତି ଉକ୍ତିଙ୍କୁ ବାତିଲ କରିହେବ ନାହିଁ ?

 

କିନ୍ତୁ ସାର୍ତ୍ତେଙ୍କ ପରି ଜଣେ ମହାନ୍‌ ଲେଖକ-ଦାର୍ଶନିକର ଅନୁଭୂତ ଭକ୍ତିକୁ ତିକ୍ତତା ବୋଲି ସହଜେ ଉଡ଼େଇଦେଇ ହେବ ନାହିଁ । ଅପରମୁଖୀ ସାହିତ୍ୟ ଯେଉଁ ଆନନ୍ଦ ଦିଏ ତାହା ମଧ୍ୟ ତିଷ୍ଠି ପାରିବ ନାହିଁ, ମଖମଲ ଗଦିର ଗର୍ତ୍ତ ପରି ଅଚିରେ ଲଭିଯିବ, ଯଦି ଆମେ ନିଜକୁ ନ ଚିହ୍ନୁ । ନିଜକୁ ଚିହ୍ନିବାମାନେ ଅପରକୁ ଚିହ୍ନିବା, ସଚେତନାର ଦର୍ପଣରେ ପର-ଆପଣା ଚିହ୍ନାଚିହ୍ନି ହେବା । ତା’ହେଲେ ଉପରୋକ୍ତ ଆବିଷ୍କାରର ଆନନ୍ଦ ପିଲାଳିଆ; ଅର୍ଥାତ୍ ଅପରିଣ ବିସ୍ମରେ ପର୍ଯ୍ୟବସିତ ନ ହୋଇ ବୌଦ୍ଧିକ ସ୍ତରରେ ପହଞ୍ଚିବ । ଯାହାଦ୍ୱାରା ମୁଁ ମୋର, ତଥା । ଅପରର (ତଥା ସମଗ୍ରର) ଯେତେକ ତଥାକଥିତ ମନ୍ଦ, ଘାଆ, ଭାତୁଡ଼ିକୁ ଚିହ୍ନିବି, ଚିହ୍ନିକରି ଭଲପାଇବି ଏବଂ ମୋର ଆନନ୍ଦକୁ ଆହୁରି ବଢ଼େଇ ପାରିବି । ଯେଉଁ ଆନନ୍ଦର କିଛି ଦୂର ଉପରକୁ ଗଲେ ଆଧ୍ୟାତ୍ମିକର ଆନନ୍ଦ, ଊର୍ଦ୍ଧ୍ୱରୁ ‘‘ନିଜମାନଙ୍କ’’ କାରବାର ଦେଖି ମୃଦୁ ମୃଦୁ ହସିବାର, ଶ୍ରୀମାଙ୍କ ଭାଷାରେ ଖେଳି ଜାଣିଥିଲେ ଭଗବାନଙ୍କ ଲୀଳାରେ ଲାଳାୟିତ ହେବାର ଆନନ୍ଦ । ସାହିତ୍ୟ ପାଇଁ ଏତେବଡ଼ ଦାବି କରିବାର ଆସ୍ପର୍ଦ୍ଧା ମୋର ନାହିଁ । କିନ୍ତୁ ମୋର ବିଶ୍ୱାସ ଯେ ସଚେତନତାରୁ ଏଇ ଦ୍ୱିତୀୟ ପାହାଚ, ଧନରତ୍ନର ବାହାରେ ଲାଗିଥିବା ମାଟିକାଦୁଅ ନୁହେଁ ଅନ୍ତର୍ନିହିତ ଅସନାକୁ ଚିହ୍ନି ଚିହ୍ନେଇ ତଥାପି ଭଲପାଇବାର ବୌଦ୍ଧିକ ଆନନ୍ଦ, ସାହିତ୍ୟ, ବିଶେଷତଃ ଆଧୁନିକ ସାହିତ୍ୟର ଏକ ପ୍ରଧାନ ଉଦ୍ଦେଶ୍ୟ ଓ ପରିଣାମ । କାରଣ ସବୁଠାରୁ ସାଙ୍ଘାତିକ; କିନ୍ତୁ ସାର୍ବଜନୀନ ଅସନା ହେଲା ଆତ୍ମଶଠତା, ଯାହା ନୈସର୍ଗୀକ ଅସନା ତଥା ବାସ୍ନାକୁ ଚିହ୍ନିବାରେ ଅନ୍ତରାୟ ହୋଇଥାଏ । ଆମ ସାହିତ୍ୟ ତା’କୁ ଚିହ୍ନାଇବାରେ ଧୁରନ୍ଧର ବୋଲି କହିଲେ ଭୁଲ୍ ହେବ ନାହିଁ ।

 

ମୁଁ ଭଲର ଭାବ (Self-righteousness), ତହୁଁ ମୁ-ପ୍ରସନ୍ନ ଭା‍ବ (Self-complacenchy) ଓ ଦୁଇଟିକୁ ନେଇ ଘୋର ଆତ୍ମଶଠତା (Self-deception) ଆମର ବ୍ୟକ୍ତିଗତ, ପାରିବାରିକ ତଥା ସାମାଜିକ ଦୁର୍ଦ୍ଦଶାର ମଞ୍ଜି । ଆମେ ପ୍ରାୟଶଃ ନିଜ ମନକୁ ଚିହ୍ନିବାର ଦାରୁଣ ଦୁଃଖ ବରଣ କରିବାକୁ ଚାହୁଁନା । ଆମ ଭିତରେ ଥ‌ିବା ପ୍ରତିକୂଳ ଭାବକୁ ମାନିନେବାକୁ ଚାହୁଁନା, ଯେହେତୁ ତାକୁ ଅସନା ବୋଲି କୁହନ୍ତି । ତେଣୁ ଆମ ଚେତନା ବସ୍ତୁତଃ ନିଷ୍କ୍ରିୟ ହୋଇ ପଡ଼ିରହେ । ପ୍ରତିକୂଳ ଲାଘବ କରିହୁଏ ନାହିଁ କି ଅନୁକୂଳର ଇଲାକା ବଢ଼ାଇ ହୁଏ ନାହିଁ, ଅତିଚେତନାକୁ ଛୁଇଁବା ଦୂରର କଥା । ସ୍ୱାର୍ଥ ଜଡ଼ିତ ମନ ଯେଉଁଠି ଅଛି ଥାଉ । ଧର୍ମ ମାନେ ହାକିମ ତୁଲ୍ୟ ଠାକୁର, ତାଙ୍କୁ ସଭକ୍ତି ପ୍ରଣାମ ? ସାହିତ୍ୟ ? ଭଲ, ଭଲ... । ତା’କୁ ମଧ୍ୟ ଯଥାବିଧି ଶ୍ରଦ୍ଧାକର, ପ୍ରଣାମକଲେ କ୍ଷତି ନାହିଁ । ନହେଲେ ଆମ ‘କଲ୍‌ଚର୍’ର ଅବମାନନା ହେବ । ଏଣେ ଆମେ ଯାହା କରୁଛୁ କରିଯିବା, ଆମର ଅଶୁଦ୍ଧ ମନ (ଯାହାର ଅଶୁଦ୍ଧତାକୁ ଚିହ୍ନିବାର ପ୍ରବଣତା ଆମର ନାହିଁ, ଥିଲେ ମଧ୍ୟ ନିଜକୁ କଷ୍ଟ ଦେବାର ‘ପାଗଳାମି’ ନାହିଁ) ଆମକୁ ଆଶ୍ୱାସନା ଦେଉଛି, ଦେଇଆସୁଛି, ଯେ ମୁଁ ଠିକ୍‌ ଅଛି, ଅନ୍ୟମାନେ ଭୁଲ । ନେତାଙ୍କଠାରୁ ଆରମ୍ଭ କରି ରବି, ନବି, ତଥା ଇତରଜନେ ମୋଟାମୋଟି ଧରିନେଇଛନ୍ତି ଯେ ମୁଁ ସତ୍‌ରେ ଚାଲୁଛି, ଅନ୍ୟମାନେ ମୋ ବାଟରେ କଣ୍ଟା ପକାଉଛନ୍ତି, ଅବା ମୋ ଭାଗ୍ୟଟା ସେଇଆ । ଖୁବ୍ ବେଶି ହେଲେ ସ୍ୱୀକାର କରନ୍ତି ସାଧାରଣ ଭାବରେ ଯେ ଅବଶ୍ୟ ମୁଁ ମଣିଷ ମାତ୍ର, ମୋର ବି’ ଭୁଲ୍ ହୋଇପାରେ । ବାସ୍ ! କବି, ଯେ ସାହିତ୍ୟ ଲେଖନ୍ତି ସେ ଯେ ଏ ଦୋଷରୁ ମୁକ୍ତ ତା’ ନୁହେଁ; କିନ୍ତୁ ସେ ଅନ୍ତତଃ ତାଙ୍କ ସାହିତ୍ୟ ଜରିଆରେ ନିଜକୁ ଏବଂ ନିଜ ଦର୍ପଣରେ ସଂସାରକୁ ବୁଝି ବୁଝେଇବାକୁ ଚେଷ୍ଟା କରନ୍ତି, ସେଥିରେ ତାଙ୍କ ଭାବମୂର୍ତ୍ତି ନଷ୍ଟ ହୋଇଯାଉ ପଛେ । ଜାଣିଶୁଣି ଏମିତିକା ବିପଦକୁ ଡରି ପଛେଇଗଲେ ସେ କବି ପଦବାଚ୍ୟ ନୁହନ୍ତି ।

 

ସତ୍ୟ ଧୂସର ନୁହେଁ, ବହୁରଙ୍ଗୀ । କିନ୍ତୁ ଧଳା-କଳାର କୁରୁକ୍ଷେତ୍ର ନୁହେଁ ଧଳା-କଳା ପାପ-ପୁଣ୍ୟର ବିଚାର ଯେତେଦିନଯାଏଁ ଥିବ ସେତେଦିନଯାଏଁ ଆତ୍ମଶଠତା ଘୁଞ୍ଚିବ ନାହିଁ, କାରଣ ସମସ୍ତେ ନିଜକୁ ପୂରାପୂରି ଧଳା କି ବେଶିଭାବ ଧଳା ବୋଲି ମଣିବାକୁ ଚାହିଁବେ । ସାହିତ୍ୟ, ବିଶେଷତଃ ଆଧୁନିକ ସାହିତ୍ୟ କହୁଛି ଯେ ଆମ ଚେତନା । ବିଭକ୍ତ ନୁହେଁ, ସଦାପ୍ରବଣ ସଦାଚଞ୍ଚଳ ଛାଇଆଲୁଅ । ମନର ତଥାକଥିତ କଳୁଷକାଳିମା ଅନିବାର୍ଯ୍ୟ ଆଲୁଅର ଛାଇ, ପ୍ରତିକୂଳ ଭାବଭାବନାର ଜନ୍ମଗତ ସଂସ୍କାରଗତ ସତ୍ୟ । ତା’କୁ ଦେଖିବି ନାହିଁ ଶୁଣିବି ନାହିଁ କହିଲେ ସେ ପଳେଇଯିବ ନାହିଁ । ଉଚିତ ହେଉଛି ଛାଇଆଲୁଅର ଚମତ୍କାରକୁ ଦେଖି ବୁଝି ଆନନ୍ଦରେ ଆଗକୁ ଯିବା । ତାହାହେଲେ ଆମେ ଶଠତାର ପାଲରେ ପଡ଼ିବା ନାହିଁ । ଆପଣା ଆପଣା ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିବା । ଆଧ୍ୟାତ୍ମ ହୋଇପାରିଲେ ଉତ୍ତମ । କିନ୍ତୁ କବି-ନବିଙ୍କ ପରି ଅ-ଧର୍ମ ଅପଧର୍ମ କରି ହେବ ନାହିଁ ।

 

ଆଧୁନିକ ସମାଜ ପାଇଁ ଆଧୁନିକ ସାହିତ୍ୟ ବିଶେଷ ଉପଯୋଗୀ । କାରଣ ସେବକର ଅନ୍ୟାୟ ଅତ୍ୟାଚାର ଶୋଷଣ ପୀଡ଼ନ ଜଳଜଳ ହୋଇ ଦିଶୁନାହିଁ, ଆଜିକାଲି । ତା’ର କ୍ରିୟା ଏତେ ସଭ୍ୟ ସଂଯତ ଓ ସୂକ୍ଷ୍ମ ହୋଇଯାଇଛି ଯେ କିଏ ରାମ କିଏ ରାବଣ ବୁଝିବା କଷ୍ଟ । ତେଣୁ କବିଙ୍କ ସୂକ୍ଷ୍ମାସ୍ତ୍ରର ପ୍ରୟୋଜନ ।

 

କିନ୍ତୁ ରୋଗୀର ସକ୍ରିୟ ସହଯୋଗ ବିନା ଔଷଧ କାଟୁ କରିବ ନାହିଁ । ଅତଏବ କବିଙ୍କ ନିବେଦନ ଯେ ପ୍ରଥମେ ମୋ ସାହିତ୍ୟକୁ, ଶାସ୍ତ୍ରଶସ୍ତ୍ରକୁ ପଢ଼ି ବୁଝ । ଉପରଠାଉରିଆ ଭାବରେ ନୁହେଁ, ‘ସହୃଦୟ’ ହୋଇ, ଯାହା ଆମର ସାହିତ୍ୟାର୍ଯ୍ୟମାନେ କହି ଯାଇଛନ୍ତି । ହୋଇପାରେ ଯେ ଆମେ ଥିରି ଗୋଡ଼ୀ ବାମନା ମାଆ । ଅବା କଚ୍ଛପ । ଆମର ଗପଟିଏ କବିତାଟିଏ ପଢ଼ିଲେ ଯେ ପଞ୍ଜାବର ନିଆଁ ତତ୍‌କ୍ଷଣାତ୍‌ ଲିଭିଯିବ ବା ରବି କିଳାପୋତେଇ କରିବେ ନାହିଁ, ତା’ ନୁହେଁ । କିନ୍ତୁ ମୋର ବିଶ୍ଵାସ (ତିମିରାଚ୍ଛନ୍ନ ରଜନୀରେ ଆଶା ଯାହା ବିଶ୍ୱାସ ସେଇଆ) ଯେ ପ୍ରକୃତ ସାହିତ୍ୟର ଚାହିଦା ବଢ଼ିଲେ, ସାହିତ୍ୟର ମୂଲ୍ୟ ବ୍ୟକ୍ତିଚେତନା ସମାଜ ଚେତନାରେ ଜରିଗଲେ ଯଥାକ୍ରମେ ମଣିଷ ବଦଳିବ । କୁଆଁତାରା ଉଇଁବ ।

 

କିନ୍ତୁ ଗୋଟିଏ କଥା ମନେ ରଖିବା ହେଉ । ସାହିତ୍ୟ କେବଳ ମନୋରଞ୍ଜନ ନୁହେଁ । ଯଦିଓ ସେଇ ଲୋଭରେ ସେ ତମ ଆମକୁ ଡାକି ଆଣିଲା । ଗପଟିଏ କହି, ଗୀତଟିଏ ବୋଲି । ସେଇଠୁଁ ସେ ଅନେକ ଆଗକୁ ଆସିଲାଣି, ଆସିବ । ପ୍ରଗତିର ପରିମାପ ହେଲା, ଦୋହରେଇବାକୁ ପଡ଼ୁଛି, ବୌଦ୍ଧିକ ସଚେତନତା । ବୌଦ୍ଧିକତାକୁ ଡରିଲେ ଚଳିବ ନାହିଁ । ବାପଅଜାଙ୍କ ଦୃଷ୍ଟି କୋଣରୁ ଗପଟା ଅଧା ରହିଗଲା, କବିତାଟା ବୁଝିହେଲା ନାହିଁ, ସନ୍ତୋଷ ଆସିଲା ନାହିଁ, ଆମ ଭାବନାବ କାରବାରକୁ ହୀନଦୃଷ୍ଟିରେ ଦେଖେଇ ଦିଆଗଲା, ଆମକୁ ଉଠେଇଲା ନାହିଁ, ଇତ୍ୟାଦିର ଦୁଃଖ ନ କରି ଦେଖ ସେ ଆମର ଦେବଦତ୍ତ ବୁଦ୍ଧିକୁ ଉସ୍‌କେଇ ଜଟିଳ ଜୀବନର କିଛି ଗୋଟାଏ ଗଣ୍ଠି ଖୋଲିଦେଲା କି ନାହିଁ, ‘ସତ୍ୟ’ର ଝଲ୍‌କଟିଏ ଦେଖେଇଲେ କି ନାହିଁ । ଯଦି ନ ହେଲା ସେମିତି, ତାହାହେଲେ ସେଇ 'ସାହିତ୍ୟ ସଫଳ ନୁହେଁ ବୋଲି ଭାବିବାକୁ ହେବ । ଏହି କ୍ରମରେ ଦେଖନ୍ତୁ ଯେ ଆଧୁନିକ ସାହିତ୍ୟକୁ କେବଳ ଭାବାନୁକୀର୍ତ୍ତନ ରସଗ୍ରହଣ ବୋଲି କୁହାଯାଇପାରିବ ନାହିଁ । ତହୁଁ ଅଧିକ । ଇନ୍ଦ୍ରୀୟର ମନରୁ ଅନେକ ବାଟ ଆଗେଇ ଆସି ଦର୍ଶନର ମନକୁ ଚିହ୍ନେଇବା, ପାଇବା ଉପରେ । ସେଥିରୁ ମିଳୁଥିବା ଆନନ୍ଦର ସ୍ଵାଦୁ ତଥାପି ‘‘ମନୋରଞ୍ଜନ’’, କିନ୍ତୁ ମହତ୍ତର । ମହାନନ୍ଦ ଆଉ କେତେ ଦୂରରେ କି ?

 

ହେ ରବି, ନବି ଏବଂ ଇତରଜନେ ! ନା, ଇତରଜନ ବୋଲି ସଂବୋଧିବା ଅନ୍ୟାୟ, କାରଣ ତୁମେମାନେ ଅନ୍ତତଃ ରବିନବିଙ୍କ ପରି ଶଠ ନୁହଁ, ଏତେଟା ଶଠ ହେବାର ଅବକାଶ ପାଇ ନାହିଁ । ସଭିଙ୍କୁ ମାଗୁଣି ଏତିକି–କବି କାନ୍ଦୁ ନାହାନ୍ତି, କାନ୍ଦିବେ ନାହିଁ, ତାଙ୍କର ଏଇ ଅମାନିଆ ପଣଙ୍କୁ ସମ୍ମାନ ଦେଇପାରିବ ନାହିଁ ?

 

ହତାଶ ନ ହୋଇ ସେ ସ୍ୱପ୍ନ ଦେଖୁଛନ୍ତି ଯେ ସାହିତ୍ୟ ପଢ଼ା ହେବ, ବୁଝା ହେବ, ସ୍କୁଲ କଲେଜର ପିଲାମାନେ କେବଳ ସାହିତ୍ୟ ମୁଖସ୍ଥ ନ କରି କିମ୍ବା ଟୀକାସଂହିତାର ବଟିକା ନ ଗିଳି ସାହିତ୍ୟ ସ୍ଵାଦ (Appreciation)ର ଭେଦ ପାଇବେ । ଅସାହିତ୍ୟରୁ ସାହିତ୍ୟର ପ୍ରଭେଦ, ଅସାହିତ୍ୟରୁ ସାହିତ୍ୟର ଅନୁକ୍ରମଣ ତଥା ସାହିତ୍ୟର ବିଭିନ୍ନ ସ୍ତର ଜାଣିପାରିବେ । ଖାଲି ଯେଉଁମାନେ ସାହିତ୍ୟରେ ସ୍ନାତକ ହେବେ ସେମାନେ ନୁହେଁ, ବିଜ୍ଞାନ କାରଗର, ଇତିହାସ, ଭୂଗୋଳ ଇତ୍ୟାଦିର ଆଗ୍ରହୀ ଅନ୍ୟମାନେ । କାରଣ ସାହିତ୍ୟର ଆଧାର ଜୀବନ, ବାସ୍ତବ ଜୀବନ । ଏବଂ ତା’ର ସଂପର୍କ ମନ ବୋଲାଉଥିବା ଗୁରୁଙ୍କ ସାଙ୍ଗରେ, ଯାହା ସକଳ ଜ୍ଞାନର ଗଙ୍ଗୋତ୍ରୀ । ବିଚରା ସ୍ଵପ୍ନ ଦେଖିଛନ୍ତି ଯେ ସାହିତ୍ୟର ତୁଳନାତ୍ମକ ଆଲୋଚନା ହେବ । କାହାର କେଉଁ ଭାବରେ ଭାବନାରେ ଚରିତ୍ରଚିତ୍ରଣରେ ଅଗଭୀର ଅଳସୁଆମି, ଶଠତା, କୃତ୍ରିମତାର ଧାପେ ରହିଗଲା ଓ ତା’କୁ କେମିତି ସୁଧୁରେଇ ହୁଅନ୍ତା ତା’ର ସଂଧାନ ମିଳିବ । ଓଡ଼ିଆ ସାହିତ୍ୟକୁ ଅନ୍ୟ ପ୍ରାନ୍ତର, ଦେଶର ସାହିତ୍ୟ ସାଙ୍ଗରେ ମାପଚୁପ କରାଯାଇ ପାରିବ । କବି ଠାକୁର–ଅଛବ ନ ହୋଇ ମଣିଷ ତଳେ ଗଣାହେବେ ।

 

ସ୍ୱପ୍ନ ସଫଳ ହେବାକୁ ଅନେକ ଡେରି ଅଛି । ଆଜିକ ପାଇଁ ଅନ୍ତତଃ ଏତିକି ଦୟାକର–ସାହିତ୍ୟ ଭଲ, ଭଲ କହି କଟା ଘାଆରେ ଚୂନ ଦିଅ ନାହିଁ !

 

(କବିଙ୍କୁ ଜଳ ଜଳ ହୋଇ ଦଶିଯାଉଛି ଯେ ଏଇ ଲେଖାଟାକୁ ରବି ପଢ଼ିବେ ନାହିଁ, ନବି ସେଥିରେ ଆଖି ବୁଲେଇ ଖୁସିହେବେ ଯେ କବି ସାହିତ୍ୟର ଓକିଲାତି କରିବାକୁ ଶିଖିଲେ ଏବଂ ଅନ୍ୟମାନେ ତା’ର ପାଖ ମାଡ଼ିବେ ନାହିଁ । ସାନ୍ତ୍ୱନା କେବଳ ଏତିକି ଯେ କବି ତଥାପି ଲେଖିବେ, ଲେଖିଥ‌ିବେ । କାହିଁକି, ସେଇ ଜାଣନ୍ତି ।)

Image